Unknown

 

 

 

 

 

 

 

 

 

 

ଚକୋରୀର ଶେଷ ରାତି

ଶ୍ରୀ ଲଳିତ ମୋହନ ପୁରୋହିତ

 

 

 

 

 

 

 

 

 

ଏହି କ୍ଷୁଦ୍ର ପୁସ୍ତକଟି ସେହି ଜନନୀକୁ ଅର୍ପଣ କରୁଛି ଯେ ମୋତେ ମଣିଷ କରି ଗଢ଼ିବା ପାଇଁ ନିଜର ଲୁହ ଓ ଲହୁର ଦାନ ଦେଇ ଆସୁଛି ।

 

–ଲଳିତ

 

।। ଦୁଇପଦ ।।

 

ଏହି ସମାଜର ଅବଗୁଣ୍ଠନ ତଳେ ଘଟି ଯାଉଥିବା ଅନେକ କିଛି ମୁଁ ଦେଖିଛି, ଯାହାକୁ ରୂପରେଖ ଦେଇ ତା’ର ସଙ୍ଗେ ସଙ୍ଗେ ସମାଧାନର ଏକ ସଂସ୍କାର ମୂଳକ ମାର୍ଗ ବାଛି ନେବାକୁ ମୋର ଉପନ୍ୟାସ ମାନଙ୍କରେ ଚେଷ୍ଟା କରିଛି । ଏହି ଉପନ୍ୟାସର କେତେକ ଛତ୍ରରେ ତା’ର ଅବତାରଣା ପାଠକେ ଅନୁଭବ କରିବେ । ସାମାଜିକ ସମସ୍ୟା ଗୁଡ଼ିକର ଅବତାରଣାରେ ମୁଁ କେତେଦୂର ସଫଳତା ଲାଭ କରିଛି ତା' କେବଳ ପାଠକେ ଜାଣି ପାରିବେ । ପ୍ରତ୍ୟେକ ଲେଖକ ଯଦି ସମାଲୋଚନାର ସମ୍ମୁଖୀନ ନ ହୁଏ, ତା’ହେଲେ ତା’ର ଲେଖନୀ ମୁନରେ ସୃଷ୍ଟିରେ ରହିଯାଏ ଭ୍ରମ । ହେଲେ ମନେ ରଖିବା ଉଚିତ–The Criticism of the critic should be constructive and not destructive.

 

ମୁଁ ଉପନ୍ୟାସ ଲେଖିବାକୁ ଆରମ୍ଭ କରିଛି । ଏଇଟା ମୋର ପ୍ରଥମ ଉପନ୍ୟାସ ନୁହଁ ଯଦିଓ । କାହ୍ନୁଚରଣ, ରାମପ୍ରସାଦ ଓ ଅନ୍ୟାନ୍ୟ ବିଦେଶୀ ଉପନ୍ୟାସିକମାନଙ୍କର ଉପନ୍ୟାସ ପଠନ ମୋର ହୃଦୟରେ ଲେଖିବାର ଏକ ମୋହ ଓ ପ୍ରୟାସ ଜାଗ୍ରତ କରେଇଛି । ପ୍ରଧାନତଃ କାହ୍ନୁଚରଣଙ୍କର ଭାଷା ଓ ଶୈଳୀ ମୋତେ ଅନେକ ପରିମାଣରେ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ପ୍ରଭାବିତ କରିଛି ମଧ୍ୟ ।

 

ରାମପ୍ରସାଦଙ୍କର 'ଅଗ୍ନିପଥ' ପ୍ରକୃତରେ ସାମାଜିକ କୁସଂସ୍କାର ପ୍ରତି ଏକ ଅଗ୍ନିବାଣ, ଧ୍ୱଂସ କରିଦେବାକୁ । ଏହା ୧୯୩୬ରେ ଛପା ହୋଇଥିଲା । ଯେ ଯେପରି ସମାଜର ଦୋଷ ଦୁର୍ବଳତା ଦେଖେଇ ପାରିଛନ୍ତି, ସେହି ଭାବକୁ ମୋର ଏହି ଉପନ୍ୟାସ ଆହୁରି ନୂତନତାର ସହିତ ଅବତାରଣା କରିଛି ଦ୍ୱାଦଶ ପରିଚ୍ଛେଦର କେତେକାଂଶରେ, କେବଳ ନବଯୁବକମାନଙ୍କୁ ଚେତେଇ ଦେବାପାଇଁ ଯେ କିପରି ଭାବରେ ପ୍ରତି ଛତ୍ରେ ଛତ୍ରେ ଆମ ହିନ୍ଦୁ ସମାଜରେ ଅନ୍ୟାୟ ଅତ୍ୟାଚାର ବର୍ବରତା ରହିଛି ଓ ତା’ରି ସମୂଳ ଧ୍ୱଂସ ପାଇଁ ନବଯୁବକମାନଙ୍କର ହୃଦୟରେ ବହ୍ନି ଜାଳି ଉଠୁ କୁସଂସ୍କାର ବିରୁଦ୍ଧରେ ।

 

ଭ୍ରମ ମନୁଷ୍ୟ ଜୀବନରେ ଅତି ସାଧାରଣ କଥା । ମୋର ଏହି ଉପନ୍ୟାସରେ ଦୋଷାଦୋଷ ପରିଲକ୍ଷିତ ହେଲେ କ୍ଷମା ଦେବେ ବୋଲି ଆଶା ।

 

ଲେଖକ

 

ଦିନର ଆଲୁଅ, ରାତିର ନିଘଞ୍ଚ ଅନ୍ଧାର ଭିତରେ ସେ ଦିନ ମେଘ ଚାଲିଥିଲା ମେଘ ପଛରେ । ଦୁନିଆର ହସ ଉପରେ କାନ ନ ଥିଲା ତାଙ୍କର । ବୁଲି ବୁଲି ଯେତେବେଳେ କ୍ଲାନ୍ତ ଲାଗେ, ଦୁହେଁ ଚେଷ୍ଟା କରନ୍ତି ଶୋଇବାକୁ କିନ୍ତୁ ନିଦ ଆସେନି ଆଖିକୁ । ମେଘ, ମେଘକୁ କୁହେ, କଥାଟିଏ କୁହ ।

 

ଛୋଟ ନା ବଡ଼ ?

 

ଯେଉଁଟା ମନକୁ ପାଉଛି । ଦୁଃଖର ନୁହେଁ କି ସୁଖର ନୁହେଁ, ଅଙ୍ଗେ ନିଭେଇଛ ଯେଉଁଟା–

 

ହେଲେ ବଡ଼ ହୋଇଯିବ ।

 

କହନା–ଛୋଟ କରି । ମୁଁ ଅତୀତକୁ ଖୁବ୍ ଭଲ ପାଏଁ ।

 

ହଉ । କହୁଛି–ଦଶ ବରଷ ତଳେ ଲକ୍ଷ୍ମଣ ଭେଟିଥିଲେ ସୂର୍ପଣଖାକୁ ।

 

ଉଁ–

 

ରାମ ଯାଇଥିଲେ ମୃଗ ମାରି ।

 

ଛିଃ ଏ କ’ଣ–

 

ଯାଅ ତେବେ ମୁଁ କହିବି ନାହିଁ ।

 

ମତେ ବି ନିଦ ମାଡ଼ିଲାଣି ।

 

ସକାଳ ହୁଏ ।

 

ଏମିତି ଦିନ ପରେ ରାତି ଆସେ । ରାତି ପାହି ସକାଳ ହୁଏ ।

 

ଗୋଟିଏ ମେଘ ସ୍ତ୍ରୀ । ଅନ୍ୟଟି ପୁରୁଷ । ସୁହାସିନୀ ଓ କାଞ୍ଚନ ଜେନା । ପ୍ରେମ ରାଇଜର ଦିଓଟି ପକ୍ଷୀ ।

 

ଦଶ ବରଷର ସଂସାର ଭିତରେ ଦଶଟି ବରଷର ଯୌବନ ହାରି ଦେଇଛନ୍ତି ସେମାନେ-। ହେଲେ ହାରି ଦେବାଭିତରେ ସେମାନେ ଆଜି ପାଇଛନ୍ତି ଜୀବନର ସବୁଠୁଁ ବଡ ସମ୍ପତ୍ତି–ନୀଳପଦ୍ମା ଓ ଶ୍ୱେତପଦ୍ମା ।

 

ଗୋଟିଏ ବୃନ୍ତରେ ଦୁଇଟି କୁସୁମ । କେଉଁ ବାପର ହୃଦୟ ଫୁଲି ନ ଉଠିବ । ପୁଅ ନ ହେଲା ତ ନାହିଁ । ବାପ ମା’ ପାଖରେ ପୁଅ ଝିଅର ମୂଲ୍ୟ ଏକ । ଜୀବନରେ ବାପ ମା'ର ଯାହା କାମ୍ୟ, ଶତ ଦିବସର ପୂଜା ଉପାସନାର ଅନ୍ତରାଳ ଭିତରେ ତାଙ୍କର ଯେଉଁ ବାସନା ଟିକକ ସତେଜ ହୋଇ ରହିଥାଏ, ରକ୍ତ ତର୍ପଣ ପଛରେ ଥାଏ ଯେଉଁ ଆଶାର ଝୁଲି ତାହା ଯଦି ଭରିଯାଏ, ବେଶ୍ ସେମାନେ ଜୀବନରେ ସବୁ କିଛି ଭରିପା'ନ୍ତି ।

 

ଏତେ ବଡ଼ ମହଲ ଆଜି ପର୍ଯ୍ୟନ୍ତ ଥିଲା ଅପୂରଣ–ଶୂନ୍ୟ, ନିଛାଟିଆ ନ ଥିଲେ ବି ଘରଟି ଏକୁଟିଆ ଲାଗୁଥିଲା । ଐଶ୍ୱର୍ଯ୍ୟ ଥିଲା, ଭୋଗ ଥିଲା, ବିଳାସ ଥିଲା, ସବୁ ଥିଲା–ଥିଲା ମାନ, ମହତ, ରୂପ ଓ ଚହଟ । ମାତ୍ର ଗୋଟିକର ଅଭାବରେ ଘରଟି ମରୁଭୂମି ହୋଇ ପଡ଼ିଥିଲା । ବାପା ମା' ପାଇଁ । ସୁଖ ସରାଗ ଯେମିତି ତାଙ୍କୁ ବିଷପରି ଲାଗୁଥିଲା । କିନ୍ତୁ ଆଜି ଧନଲାଳସାର ବହୁଦୂରରେ କାଞ୍ଚନ ଜେନାର ପରିବାର । ସେହି ପରିବାରରେ ସୁଖର ଅମିୟ ଧାରା ବର୍ଷଣ କଲେ ମାତ୍ର ଦୁଇଟି ଯାଆଁଳା କନ୍ୟା–ନୀଳପଦ୍ମା ଓ ଶ୍ୱେତପଦ୍ମା । ଗୋଟିଏ ଚାଉଳରେ ଗଢ଼ା; ଗୋଟିଏ ବୃନ୍ତରେ ଦୁଇଟି ପୁଷ୍ପ । ସରଗର ଚାନ୍ଦ ଯେପରି ଦୁଇଟି ରୂପଧରି ଧରିତ୍ରୀରେ ଅବତରଣ କରିଛି । ଦେଖିଲେ ଶତ୍ରୁ ଶଙ୍କିଯାଏ । ନ ପଚାରିଲେ ସାନ କିଏ ବଡ଼ କିଏ ଚିହ୍ନି ହୁଏନା । ଯାହା ହେଲେ ବି ବାପ ମା’ର ଦି’, ଧାର ରକ୍ତ ପରା । ଗଢ଼ୁ ଗଢ଼ୁ ଗଢ଼ିଗଲେ ଭଗବାନ ଗୋଟିଏ ଛାଞ୍ଚରେ ଦିଓଟି ରୂପ–ଦୁନିଆକୁ ଚକିତ କରିବା ପାଇଁ, ଦେଖିଲେ ପେଟ ନ ପୂରି ରହେ ନାହିଁ, ମନରୁ ଅଧେ ଦୁଃଖ ଦୂର ହୋଇଯାଏ-

 

କିଛି ଦିନ ପରେ–

 

ସୁହାସିନୀ ଚାନ୍ଦ ପରି କନ୍ୟା ଦ୍ୱୟଙ୍କୁ ହାତରେ ଧରି ବାହାରି ଆସିଲେ ଏନ୍ତୁଡ଼ିଶାଳରୁ । ହାତରେ ଚାନ୍ଦର ଦୁଇଟି ରୂପ । ମା' ହେବାର ଗର୍ବରେ ମୁହଁ ତାଙ୍କର ଝଟକି ଉଠୁଛି ।

 

ମାନବ ସୃଷ୍ଟି ପଛରେ ସ୍ରଷ୍ଟାର ଚିରଲକ୍ଷ୍ୟ ସୃଷ୍ଟିର ସ୍ଥିତି ପାଇଁ । ମଣିଷ ଜନ୍ମ ହୁଏ–ପୁଅ ଝିଅ ଜ୍ଞାତି କୁଟୁମ୍ବରେ ଦୁନିଆ ଭରି ଉଠେ । ଆକାଶର ଛାତିରେ ପ୍ରଥମେ ଦେଖାଦିଏ ଖଣ୍ଡେ କଲା ବଉଦ । ତା'ପରେ ଚାରିଆଡ଼େ ଖଣ୍ଡ ଖଣ୍ଡ ହୋଇ ବିଞ୍ଚି ହୋଇପଡ଼େ । ସେହିପରି ତ ଏ ସୃଷ୍ଟି । କେଉଁ ଆଦିମ ମନୁଷ୍ୟର ଜନ୍ମ ଠାରୁ ଆଜି ଏହି ବିରାଟ ମାନବ ସମାଜର ଛାଞ୍ଚ ବିରାଟ ଆକାର ଧାରଣ କରିଛି । ଦ୍ରୁତ ଗତିରେ ସମୟ ଗଡ଼ି ଚାଲିଛି ।

 

ଦିନକର ଘଟଣା–ପ୍ରଗତିପ୍ରାଣା ସୁହାସିନୀ ସ୍ୱାମୀ ପାଖରେ ଛିଡ଼ା ହୋଇଛନ୍ତି । ଆଖି ଛଳ ଛଳ ହୋଇଛି ଆନନ୍ଦର ଲୋତକରେ । କହିଲେ–ତୁମରି ହାତଧରି ତୁମରି ଘରକୁ ସଂସାର କରିବାକୁ ଆସି ପାରିଛି ଏହି ଦୁଇଟି ରତ୍ନ । ଏହାଙ୍କ ଉପରେ ମୋ'ଠାରୁ ତୁମର ଅଧିକ ହକ୍ ଅଛି । ସବୁ ସୁଖ, ସରାଗ ସ୍ନେହ, ମମତା ତ ଏହାଙ୍କର ପାଇଁ ।

 

କାଞ୍ଚନ ଜେନା ସତୃଷ୍ଟ ନୟନରେ ମା' ଝିଅଙ୍କୁ ଚାହିଁ ରହିଛନ୍ତି । ସ୍ତ୍ରୀ ପାଖକୁ ଯାଇ ବାହା ଉପରେ ହାତ ରଖି କହିଲେ–ନା, ଝିଅ ଉପରେ ବାପ ଠାରୁ ମା'ର ବେଶି ଦାବି, ବେଶି ହକ୍ । କେବଳ ଝିଅ କାହିଁକି ପ୍ରତ୍ୟେକ ସନ୍ତାନର ଭବିଷ୍ୟତ ଜୀବନ ଯେତେବେଳେ ମା' ଉପରେ ନ୍ୟସ୍ତ ରହିଛି ତେବେ ମା' ଠାରୁ ବାପର ଦାବି ଅଧିକ ଆଉ ରହିଲା କେଉଁଠି ? ଝିଅ ପର ଘରର ସମ୍ପତ୍ତି । କେଇଟି ବରଷ ପାଇଁ ମା' ବାପର ହୋଇ ରହେ । ତା'ପରେ... । ହେଲେ ଝିଅ ତ, ତାକୁ ମଣିଷ କରି ପର ଘରକୁ ପଠାଇବାରେ ବାପ ଠାରୁ ମା'ର ବେଶି ଦାୟିତ୍ୱ । ଯେତେବେଳେ ଝିଅ ସବୁ ଶିଖେ, ସବୁ କରି ଜାଣେ, ସେତେବେଳେ ମା'ର ମନ ଉଚ୍ଛନ୍ନ ହୁଏ ତାକୁ ପର ଘରକୁ ପଠାଇ ଦେବା ପାଇଁ–କହି କାଞ୍ଚନ ଜେନା ଦୁହିତା ଦ୍ୱୟଙ୍କୁ ନିଜ କୋଳକୁ ନେଲେ । ଦୁଇ ଗାଲରେ ଚୁମ୍ବନ ଆଙ୍କି ଦେଲେ ।

 

ସୁହାସିନୀ ସ୍ୱାମୀର ଗେଲବସର ସବୁ ଦେଖି ଦୟାମୟ ପରମେଶ୍ୱରଙ୍କୁ ସ୍ୱାମୀ ଓ ଦୁହିତା ଦ୍ଵୟର ଦୀର୍ଘ ଜୀବନ ପାଇଁ ମନେ ମନେ ପ୍ରାର୍ଥନା କଲେ । ମା'ର ଜୀବନ ବିନିମୟରେ ଯଦି ସନ୍ତାନ ଦୀର୍ଘାୟୁ ଲାଭକରେ ତାହାହେଲେ ମା' ଦେଇପାରେ ଅକୁଣ୍ଠିତ ଚିତ୍ତରେ ନିଜର ପରମାୟୁ । କାରଣ ଭଗବାନଙ୍କର ବିଶ୍ୱ ରାଜ୍ୟରେ ମା' ଝିଅର ସମ୍ବନ୍ଧ ଅତି ନିଖୁଣ । କୁହାଯାଇପାରେ ଯେ ସୃଷ୍ଟି କେତେକ ପରିମାଣରେ ନିର୍ଭର କରେ ନାରୀ ଜାତି ଉପରେ । ସେମାନେ ସାକ୍ଷାତ୍ ଲକ୍ଷ୍ମୀର ଅବତାର ।

 

ଆନନ୍ଦରେ ଗଦ୍‍ଗଦ ହୋଇ କାଞ୍ଚନ ଜେନା ସୁହାସିନୀକୁ ଲକ୍ଷ୍ୟ କରି କହିଲେ–ତୁମେ ବଡ଼ ଭାଗ୍ୟବତୀ ସୁହାସିନୀ । ମା' ଯାହା ଚାହେଁ ତାହା ତୁମେ ପାଇଛ । ବାପ ଯାହା ଚାହେଁ ତାହା ମଧ୍ୟ ମୁଁ ପାଇଛି । ହେଲେ ଟିକିଏ ଦୁଃଖ ଲାଗେ ଯେ ଜ୍ୟୋତିଷଙ୍କର କଥା ସତ ହେଲା ନାହିଁ । ସତରେ ମଣିଷ ବହୁତ କିଛି ଚିନ୍ତା କରେ, କରେ ତା’ର ମନକୁ ଯାହା ପାଏ କିନ୍ତୁ ନିଜର ସବୁ କିଛି ଆଶା ପୂରଣ କରିବା ପାଇଁ ଶକ୍ତି ତା'ପାଖରେ ନାହିଁ ।

 

ମଣିଷର ସନ୍ତୋଷ ହିଁ ଆବାହନ କରେ ଶାନ୍ତିର ଚିର ନିର୍ଝରିଣୀ । ସ୍ତ୍ରୀ ଯଦି ଦେଇପାରେ ସ୍ୱାମୀକୁ ସୁଖ, ଶାନ୍ତି ତାହାହେଲେ ସେହି ଘରକରଣା ହୁଏ ସୁଖର ଘରକରଣା ।

 

ଯେଉଁଦିନ ହାତକୁ ଦି’ହାତ ହୋଇ ମୁଁ ତୁମଘରେ ପାଦଦେଲି, ସେଦିନ ମନେକରି ଥିଲି ତୁମ ଘରକୁ ସବୁ ବିପଦ ଯେପରି ମୁଁ ମା'ଘରୁ ଯୌତୁକ ଘେନିଆସିଛି । ଦୁଃଖର ପସରା ମୁଁ ତୁମରି ଘରେ ମେଲେଇ ଦେଇଛି । ଆଶାର କାନନର କୁଞ୍ଜେ କୁଞ୍ଜେ ମୁଁ ଢାଙ୍କିଦେଇଛି ନିରାଶାର ଆସ୍ତରଣ-। ଭାବିଥିଲି ତୁମେ ମୋତେ ବିବାହ କରି ଠିକ୍ କରିନ–ମସ୍ତବଡ଼ ଭୁଲ କରିଛ । ବାପାଙ୍କର କଥାରେ କାନ ନ ଦେଇ ତୁମେ ମୋତେ ନିଜର ସ୍ତ୍ରୀ ରୂପେ ସ୍ୱୀକାର କଲ । ବାପାଙ୍କର କେବେ ଇଚ୍ଛା ନଥିଲା ମୁଁ ତୁମର ସୁହାସିନୀ ହୋଇ ଏ ଘରକୁ ଆସିବି । ବଡ଼ ଘରର ଝିଅ ସଙ୍ଗେ ତୁମକୁ ବିବାହ ଦେବା ତାଙ୍କର ଏକମାତ୍ର ଇଚ୍ଛା ଥିଲା । ଯେ କି ଖୁବ୍ ଯୌତୁକ ଆଣିଥାନ୍ତା । ତାଙ୍କର ଆଶା ପଣ୍ଡକରି ତୁମେ ଗୋଟିଏ ଗରିବର ହାତ ଧରିଲ । ଧନୀ କେବେ ଧନର ମର୍ଯ୍ୟାଦା ବୁଝିପାରେନା, ଆଉ ଗରିବର ମର୍ଯ୍ୟାଦା ବା ବୁଝିବ କ'ଣ ?

 

ସୁହାସିନୀ ଗୋଟିଏ ଗରିବ ପରିବାରର ଝିଅ, ଠିକ୍ ପଙ୍କରେ ପଦ୍ମ ଯେପରି । ହେଲେ ସମାଜରେ ପଦ୍ମର ମାନ ଅଛି, ମର୍ଯ୍ୟାଦା ଅଛି, ଦାମ ଅଛି । କାହାରି ପାଖରେ ସେ କେବେହେଲେ ପଦଦଳିତ ହୁଏନାହିଁ । ଜଟାଜୂଟ ଶଙ୍କରଙ୍କର ମୁଣ୍ଡରେ ସ୍ଥାନପାଏ–ଭଗବାନ ନିଜ ହସ୍ତରେ ଧାରଣ କରନ୍ତି ।

 

ସୁହାସିନୀ ତା’ର ବାପ ମା'ର ଏକମାତ୍ର ଦୁଲାଳୀ । ଝିଅ କାଣୀହେଉ ବା କୁଜୀହେଉ ସେ ବାପମା’ର ଅମୂଲ୍ୟ ସମ୍ପଦ ।

 

ବାପାଙ୍କର କଥା ତୁମେ ଭ୍ରୂକ୍ଷେପ ନ କଲ–ହୁଏତ ତାହା କେତେଦୂର ସାମାଜିକ ମୁଁ କହିପାରିବି ନାହିଁ । କିନ୍ତୁ ମୁଁ ଗୋଟିଏ କଥା ପାଇଁ ଦୁଃଖିତ ଯେ ଶ୍ୱଶୁରଙ୍କର ସେବା କରି ପାରିଲି ନାହିଁ । ସେଥିରୁ ଦଇବ ମୋତେ ବିଚ୍ୟୁତ କଲା । ଆଜିବି ମନେ ହେଉଛି ତାଙ୍କର ବିପଦ କଥା–ତୁ ବାପର ହୃଦୟ ବୁଝି ନପାରି ଗୋଟିଏ ଦରିଦ୍ର ପରିବାରର ଝିଅକୁ ବିବାହ କଲୁ, ତା’ର ପ୍ରେମରେ ପଡ଼ି । ସୁଖର ମରୀଚିକା ପଛରେ ଧାଇଁ ଦୁଃଖର ଦୁଆର ମୁହଁରେ ପହଞ୍ଚିଲୁ । ତୋ ପାଇଁ ଦୁଃଖ ରଖାହୋଇଛି । ନିଶ୍ଚୟ ଭୋଗିବୁ । ଜନ୍ମ ଦେଇ ବଡ଼ କଲି । ଭାବିଥିଲି ମଣିଷ ହେବୁ ବାପର ଶ୍ରମ ଶୁଝିବୁ । ବଂଶର ମାନ ମର୍ଯ୍ୟାଦା ରଖିବୁ । ଆଜି ସବୁ ଯେମିତି ମାଟି ହୋଇଗଲା ପଣ୍ଡ ହୋଇଗଲା ମୋର ଯାବତୀୟ ଆଶା ଓ ବାସନା ।

 

ଭୁଲ ସଦାବେଳେ ଭୁଲ ହୋଇ ରହେ ନାହିଁ, ସୁଧୁରି ଯାଏ । ଆଜି ଦୁଇ ଦୁଇଟି ନାତୁଣୀ ଦେଖି, ହୁଏତ ବାପାଙ୍କର ମନ ବଦଳି ଯାଇଥାନ୍ତା କିନ୍ତୁ ମାନସିକ ଦୁଃଖର ଆବର୍ତ୍ତରେ ପଡ଼ି ଆଜି ସେ ଆମଠୁଁ ଦୂରେ ବହୁ ଦୂରେ । ତାଙ୍କରି ଉପସ୍ଥିତି ମୁଁ ଯେମିତି ସର୍ବଦା ଅନୁଭବ କରୁଛି । ସବୁ ରାଗ ତାଙ୍କର ଶାନ୍ତ ହୋଇଛି ଯାଇଛି ଯେପରି । ପ୍ରତି ପଦରେ ସେ ଆମ୍ଭମାନଙ୍କୁ ଆଶୀର୍ବାଦ ଦେଉଚନ୍ତି, ଉପରେ ଥାଇ ।

 

ଆଉ କିଛି କହି ପାରିଲି ନାହିଁ । ମନ ଦୁଃଖରେ ପିଲାଦି’ଟାଙ୍କୁ କୋଳକୁ ଆଣିଲି । କପାଳ ଉପରେ ତାତିଲା ଅଶ୍ରୁଧାରା ଢାଳିଦେଲି । ସ୍ୱାମୀ ତୁନିହୋଇ ରହିଲେ ।

 

ବଉଦଘୋଡ଼ା ଚନ୍ଦ୍ରପରି ଦିଶିଲା ତାଙ୍କର ମୁହଁ । ମୋ କଥା ଶୁଣି ତାଙ୍କର ମୁହଁରେ ଦୁଃଖ ଫାଟି ପଡ଼ୁଥିଲା ।

 

ଆଖିର ଲୁହରେ ଓଠ ଭିଜାଇ ସେ କହିଲେ, ହଁ ସୁହା । ଅତୀତର ସ୍ମୃତି ମୋର ପ୍ରାଣକୁ ବିଚଳିତ କରି ପକାଏ, ଘାରିଦିଏ ମୋର ପରାଣ । ମା'କୁ ମୋର ଆଖି ଆଗରେ ରଖିଲେ ଅତୀତର ସବୁକଥା ଗୋଟି ଗୋଟି ହୋଇ ମନେ ପଡ଼େ, ଅତୀତର ଅନ୍ଧାରୀ ଦୁଆର ଖୋଲିଯାଏ । ମନରେ ମୋର ହୁ ହୁ ହୋଇ ଦୁଃଖର ନିଆଁ ଜଳି ଉଠେ । ଆଉଥରେ ମା’ ମୋର ମୋ ପାଖକୁ ଆସନ୍ତା କି–ଏମିତି ଭାବେଁ । କିନ୍ତୁ ଫସର ଫାଟିଯାଏ ସବୁ ।

 

ଅତୀତ ଉପରେ ଦୃଷ୍ଟି ନିକ୍ଷେପକରି କାନ୍ଦିଲେ ଲାଭ କିଛି ନାହିଁ । ମା'ର କଥା ମନେ ପକାଇ ମୁହଁ ତାଙ୍କର ମଉଳି ଯାଇଥିଲା ।

 

ଦିନ ଦିନକର କଥା ଯୁଗ ଯୁଗର କଥା ହୋଇ ରହେ । ମନରେ ଅଲିଭା ଦାଗ ହୋଇ ରହେ–ଯେପରି ପଥରର ଗାର ।

 

କହିବାକୁ ଲାଗିଲେ, ଛୋଟ କଥା ମଧ୍ୟ କେତେ ବଡ଼ କଥା ହୋଇଯାଏ, ଅଲିଭା ଗାର ଟାଣିଦିଏ ହିଆରେ । ମା’ର ସବୁକଥା ମୋ ମୁଣ୍ଡରେ ଜମାଟ ବାନ୍ଧି ରହିଛି । ମା’ ମୋର ଦେବୀ । ସେ ସାକ୍ଷାତ୍ ଲକ୍ଷ୍ମୀର ଅବତାର । ତା’ପକ୍ଷରେ ଛୋଟ ବଡ଼ ଧନୀ ଗରିବ ସମସ୍ତେ ଯେପରି ସମାନ-। ତା’ର ହୃଦୟ ସାଗରର ନୀରପରି ସ୍ୱଚ୍ଛ । ତା’ର ପୁତ୍ରବାତ୍ସଲ୍ୟତାରେ କାଳିମାର ଦାଗ ଟାଣିବା ମୁସ୍କିଲ । ଗଙ୍ଗାର ଜଳପରି ପବିତ୍ର ତା’ର ସ୍ନେହ ଓ ପ୍ରେମ ।

 

ତାଙ୍କ ଆଖିର ଲୁହ ଦି’ଧାର ମାତୃ ସ୍ନେହର କାହାଣୀ ବଖାଣି ଦେଇ ଗଲା । ପାଖରେ ବସି ଆଖି ଫାଡ଼ି ଚାହିଁ ରହିଛି ତାଙ୍କର ମୁହଁକୁ । ଆଜି ସୁଦ୍ଧା ମା'ର ବିପଦ ଲହୁଣୀ ଭରା ମିଠାକଥା ମନରୁ ପୋଛି ହୋଇନାହିଁ । ନଈରେ ମଳମଳି ବହୁତ ଆସେ । ପରେ ମିଳେଇ ଯାଏ । ସେଥିପାଇଁ ମା’ ମୋର ଭଲ ପାଇଁ ଦି’ପଦ କହି, କାଳେ ପୁଅର ମନରେ ଦୁଃଖ ହେବ ଭାବି, ପରେ ଗେଲ କରିବସେ । କହ, ମନରେ ମୋର ଅନ୍ଧାର ନାହିଁରେ ପୁଅ । ତୋ ପାଇଁ ସିନା ମୁଁ ବଞ୍ଚିଛି । ବିଧାତା ମୋତେ ଶୀଘ୍ର ନେବେ ନାହିଁ । ତୋର ବିବାହ ନ ଦେଖିଲେ ମୋର ମରଣ ହବ ନି । ଦୁନିଆଁର ଅନ୍ଧାରକୁ ଛିନ୍‍ଛତର କରି ତୋ ପାଇଁ ମୁଁ ଭଲ ବୋହୂଟିଏ ଆଣିବି । ମରିଗଲେ ଆକାଶର ଛାତିଉପରେ ଅନ୍ଧାର ଭିତରେ ମିଟି ମିଟି ତରାଟି ପରି ଦେଖିବି, ଶୁଣିବି, ଆଶୀର୍ବାଦ ଦେବି । ଦୁଃଖର ଚାପ ବେଶିହେଲେ ତୁ ମୋତେ ଡାକିବୁ, ବଡ଼ ପାଟିରେ ଡାକିବୁ–ଜବାବ ଦେବି । କାନେଇ ରହିବୁ । ଶେଷରେ ଆସିବି ମୁଁ ତୋ ପାଖକୁ ନିଶବ୍ଦ ଆକାଶରୁ ତଳକୁ ଓହ୍ଲାଇ । ମୁଁ ତୋର ଝିଅହୋଇ ଜନ୍ମହେବି ।

 

ବେଶ୍ ଜାଣିବୁ ମା’ ମୋର ଘରକୁ ଆସିଛି । ମନ ଆନନ୍ଦରେ ମୋର ଦି’ଗାଲରେ ଦିଓଟି ଚୁମ୍ବନ ଆଙ୍କିଦେବୁ । ଦିନର ସବିତା, ରାତିର ଜାହ୍ନବୀ ଦେଖିବେ ମୋ ପୁଅର ଅମର ମିଳନ, ଯୁଗ ଯୁଗର ମିଳନ । ଦୁନିଆର ଛାତି ଶୀତେଇ ଉଠିବ, ତାଙ୍କରି ଉଠିବ ଲୋମ । ଚକିତ ହେବ ଦୁନିଆ । ଜାଗି ଉଠିବ ଦୁନିଆଁର ମା’ ପୁଅର ଅମର ବନ୍ଧନ । ନିବିଡ଼ ବନ୍ଧନ ପଛରେ ସରାଗ । ସରାଗ ପଛରେ ସ୍ନେହ । ଆଉ ସ୍ନେହର ଅନ୍ତରାଳରେ ପବିତ୍ର ଆତ୍ମା ଦିଓଟିର ମିଳନ । ତୋର ଭଉଣୀ ମଲାଦିନଠୁଁ ଝିଅର ସ୍ନେହ ମମତା ପାଇଲି ନାହିଁ, ସୁଖ ସରାଗ କୁଆଡ଼େ ଉଭେଇ ଗଲା । ତେଣୁ ବୋହୂ ମୋର ଆସିଲେ ସବୁକିଛି ଭରି ପାଇଯିବି ।

 

ଦୁନିଆକୁ ସେ ନିଜ ଆଖିରେ ଦେଖେ, ନିଜ କାନରେ ଶୁଣେ । ପରର ବଗୁଲା କଥା ଉପରେ କାନ ତା’ର ନ ଥାଏ । ସେ ଗରିବର କଥାକୁ କାନ ଦେଇଥାଏ । କହେ, ପ୍ରତ୍ୟେକ ମଣିଷର ଭଲ ମନ୍ଦ ଗୁଣ ଅଛି, ଭଲ ଭେଲ ବାଛିବାର ଶକ୍ତି ଅଛି । ହେଲେ ପ୍ରକୃତି ଓ ସାଧାରଣ କର୍ତ୍ତବ୍ୟର ଭେଦ ଦେଖାଯାଏ । ଧନୀ ଘରର ବୋହୂ ହେଲେ ବି ମୁଁ ଗରିବ ଘରର ବୋହୁ ଆଣିବି ତୋ’ ପାଇଁ । ଦୁନିଆକୁ ସେ ନିଜ ଆଖିରେ ଦେଖିବା । ପାଖରେ ମୁଠିଏ ଥିଲେ ଗରିବର ପେଟ ପୋଷିବ । ଦାନା ଦେବ । କନା ଦେବ । ଗରିବର ହୃଦୟ ଓ ମନ ବୁଝିବ । ଯେ ଯେତିକି ଦୁଃଖ ସହେ, ପରର ଦୁଃଖ ସେତିକି ବୁଝେ ସେ । ସେ ସେତିକି ପରକୁ ଆପଣାର ମଣେ । ପରର ଦୁଃଖରେ ତା’ର ଆଖିରୁ ପଡ଼େ ଦି'ଟୋପା ଲୁହ । ମୁଁ ଜାଣେ ମୋ' କଥାରେ ତୁ ଆମାନିଆଁ ହେବୁ ନାହିଁ । ଧନୀ କନ୍ୟାର ଚହଟ ଥାଏ, ଗର୍ବ ଥାଏ, ହେଲେ ସେବା କରିବାର କଲା ତା’ର ପାଖରେ ଦୁରୁହ ବ୍ୟାପାର । ସେର ତରାଜୁରେ ମାପିଲେ ଗରିବଝିଅର ଆଚାର ବ୍ୟବହାର ଧନୀ କନ୍ୟା ଠାରୁ ଊଣା ହେବ ନାହିଁ, ବରଂ ବେଶି ହେବ । ତୋତେ ମୁଁ ସେମିତି ଗରିବ ଝିଅଟିଏ ବିବାହ ଦେବି । ମନକୁ ମାନିବ । ତୋତେ ମାନିବ । ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ମାନିବ । ଧନ ଦୌଲତରେ ମୋର ଚାହିଦା ନାହିଁ । ତା’ର ଯୌତୁକରେ ଆମର ଘର ଭରିଯିବ ନାହିଁ । ଯୌତୁକ ବୋଇଲେ ମୁଁ ଏତିକି ବୁଝେ ଯେ, ମତିଗତି ପ୍ରକୃତି ଆଚାର ବ୍ୟବହାର ନିଜ ସହିତ ବୋହୂ ଯାହା ନେଇ ଆସେ ଘରକୁ, ନିଜ ପାଇଁ ଆଉ ପର ପାଇଁ ନିଜର ଛୋଟ ଦୁନିଆଁ ପାଇଁ ଆଉ ବଡ଼ ଦୁନିଆଁ ପାଇଁ ।

 

ମୁଁ ସେତେବେଳେ ଦୀର୍ଘ ନିଶ୍ୱାସ ଛାଡ଼େ । ରାଗିଯାଏଁ । ମା’ ମୋତେ ତଳୁ ଉଠାଏ । ସ୍ନେହରେ ମୋର ରାଗକୁ ଶାନ୍ତ କରିବା ପାଇଁ ଗାଲରେ ଚୁମ୍ବନ ଦେଇ, ସେହି ଗାଲରେ ସ୍ନେହର ଚାପୁଡ଼ା ମାରି କୁହେ କାଞ୍ଚନରେ ଏହି ଯେଉଁ ସରଗର ଚାନ୍ଦ ଦେଖୁଛୁ, କେତେ ସୁନ୍ଦର, କେତେ ନିର୍ମଳ, ତୋରି ପାଇଁ ଠିକ୍ ସେହିପରି ବୋହୂଟିଏ ଘରକୁ ଆଣିବି । ଯାହାର ମୁହଁକୁ ଦେଖି ତୁ ଚାହିଁ ବସିଥିବୁ ସବୁବେଳେ ।

 

ମୁଁ ଟିକିଏ ଅପ୍ରସ୍ତୁତ ହେଲି । ଲାଜ ମାଡ଼ିଲା । ତାଙ୍କ ଆଡ଼କୁ କଟମଟ କରି ଚାହିଁଲି । ମୋ' ଆଡ଼କୁ ଅନାଇ କଅଁଳିଆ ସ୍ୱରରେ କହିଲେ, ସତ କହିବାରେ ଦୋଷ କ’ଣ ? ସରଗର ଚାନ୍ଦପରି ଗୋରା ତକ ତକ ମୁହଁ ତୁମରି । ଅନ୍ଧାର ଭିତରେ ଆଲୁଅ ତୁମେ । ରୂପ ଦେଖିଲେ ଯେମିତି ସ୍ୱଭାବ ଦେଖିଲେ ସେମିତି–ଏ ମଣିଷ ତୁମକୁ କେବେ ଭୁଲି ପାରିବ ନାହିଁ । ସଞ୍ଜବେଳିଆ ଆଲୁଅରେ କଇଁ ଫୁଲପରି ମୁହଁଟି ତୁମର କେତେ ହସ ହସ ଦିଶେ । ସତରେ ତୁମେ ଛବିଟିଏ । ତୁମର ସୁନ୍ଦର ମୁହଁରେ ହସଟି ଖୁବ୍ ମାନେ ।

 

ସେତେବେଳେ ଦୋଳିରେ ଝିଅ ଦୁଇଟି ଶୋଇ ପଡ଼ିଥାନ୍ତି । ସତେଯେପରି ସବୁ ଶୁଣୁଛନ୍ତି ବାପ ମା'ର ଯାବତୀୟ କଥା ଭାଷା । ଝାପ୍‍ସା ଜହ୍ନ ଆଲୁଅରେ କଇଁଫୁଲ ପରି ମୁହଁଟି ହସହସ ଦେଖା ଯାଉଛି । ବିଷୟ ବାସନାରୁ ଦୂରେଇ ହୋଇ ସେମାନେ ପାଉଛନ୍ତି ଜାହ୍ନବୀର ଜ୍ୟୋତ୍ସ୍ନାରୁ ସରଗର ଅମୃତ, ଜଗତମାତାର ସ୍ତନରୁ ଅମୃତଭରା କ୍ଷୀର, ଜଗତପିତାଠାରୁ ସ୍ନେହ ଓ ମମତା ।

 

ମୁଁ ପ୍ରଶ୍ନ କଲି, ତା’ପରେ ?

 

ମୋର ସୁଖର ଦୁନିଆରୁ ଭଗବାନ ମୋର ଭାଗ ଛଡ଼ାଇ ନେଲେ । ମା’ ମୋର ଚାଲିଗଲା ମୋତେ ଏକାକୀ କରି । ଆଜି ମୋ ଆଗରେ ସେ ସ୍ୱପ୍ନ । ମା’ ସିନା ପୁଅର ହୃଦୟକୁ ଚିହ୍ନେ, ତା’ର ଭିତରକୁ ପଶେ ଘାଣ୍ଟି ଚକଟି ପୁଅର ଦୁଃଖ ବାହାର କରେ । ଆଉ ତା’ର ସ୍ଥଳରେ ସୁଖ ଢାଳିଦିଏ । ସେହିଦିନଠୁଁ ମୁଁ ଏକପ୍ରକାର ପାଗଳ ହୋଇଗଲି । କାରଣ ତା’ର ବିପଦ କଥାରେ ମୁଁ ଦେଖିବାକୁ ପାଇଲି ମୋର ଜୀବନର ରାହା, ସୁଖ ସନ୍ଧାନର ବାଟ । ତେଣୁ ମନେ କଲି ପ୍ରାଣଦେଇ ମା'ର ଶେଷ କଥା ଦି’ପଦ ନିଶ୍ଚୟ ରକ୍ଷା କରିବି । ଆଜିସୁଦ୍ଧା ତା’ର ଶେଷ ଅମୃତମୟ କଥା ମୋର କର୍ଣ୍ଣ କୁହରରେ ଝଙ୍କୃତ ହୋଇ ଉଠୁଛି–କାଞ୍ଚନ ପୁଅରେ ମୁଁ ଯାଉଛି । ମା' ପୁଅ ଝିଅଙ୍କୁ ଜନ୍ମ ଦେଇ ପାରେ, ହେଲେ ଭାଗ୍ୟ ଦେଇ ପାରେନା । ଆଶାକରେ ମୋ ମନଦେଇ ତୁ କାମ କରିବୁ । ତା'ହେଲେ ମୋର ଆତ୍ମା ସନ୍ତୁଷ୍ଟ ହେବ । ମୋତେ ତୋଠୁଁ ଭଗବାନ ଅତିଶୀଘ୍ର ଛଡ଼ାଇ ନେଇ କ'ଣଟାଯେ ଲାଭ ପାଇଲେ । ହେଲେ ଏହାଦ୍ୱାରା ଭଗବାନଙ୍କର କାର୍ଯ୍ୟ ଯଥେଷ୍ଟ ଲାଘବ ହୋଇଥିବ ନିଶ୍ଚୟ । ଜାଣିରଖ ପୁଅ, ଦୂରେଇ ହେଲେ ବି ମୁଁ ତୋ ପାଖରେ ଥିବି, ସଦାବେଳେ ଥିବି । ଡାକିଲେ ଶୁଣିବି ।

 

ଆଖିପତା ମୋର ଲୁହରେ ତିନ୍ତିଗଲା ।

 

ନିଜ ହାତରେ ଅଶ୍ରୁପୋଛି ପୁଣି କହିବାକୁ ଲାଗିଲି–ସେଥିପାଇଁ ମା'ର କଥା ରକ୍ଷା କରିବାକୁ ଯାଇ ବାପର କଥା ରଖି ପାରିଲି ନାହିଁ । ତାଙ୍କର ହେଲି ଶତ୍ରୁ, କୁଳବୁଡ଼ା, ଆଉ ବହୁତ କିଛି ।

 

ପରେ ତୁମ ସହିତ ମୋର ଦେଖା ହେଲା । ପ୍ରଥମ ଦେଖାରେ ମନ ମୋର ତୁମ ଆଡ଼କୁ ଢଳିଗଲା । ସର୍ବଦା ତୁମକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ଉଠିଲି । ଦୁର୍ବଳତା ପ୍ରକାଶ ନ କରି, ଧାର୍ଯ୍ୟ ନ ଭାଙ୍ଗି ମନସ୍ଥ କଲି ଯଦି ମୁଁ କାହାକୁ ଜୀବନର ସଙ୍ଗିନୀ କରିବି, ତାହାହେଲେ ତୁମକୁ ହିଁ ସେହିପଦ ଅର୍ପଣ କରିବି । ତୁମେ ହେବ ମୋର ଜୀବନର ଜୀବନ । ସମାଜ କୁହେ ଯଦି ତୁମକୁ ନରକ, ତଥାପି ଗ୍ରହଣ କରିବି । ତୁମେ ମୋର ସବୁ । ତୁମେ ପ୍ରାଣ, ତୁମେ ସ୍ୱର୍ଗ । ନିଭି ଆସୁଥିବା ମୋର ସ୍ମୃତି ଓ ତା’ର ଶେଷ ବାଣୀକୁ ଚେତେଇ ଦେଲା ତମରି ପରଶ । ମିଳନ ଆନନ୍ଦରେ ମୁଁ ବୁଡ଼ିଗଲି । ବାପାଙ୍କୁ ମୋର ଶେଷ ମନ୍ତବ୍ୟ ପ୍ରକାଶ କଲି । ସମୟ–ବତାସରେ କଥା ଚାରିଆଡ଼େ ଉଡ଼ିବାକୁ ଲାଗିଲା । ଲୋକେ କାନରେ ହାତଦେଲେ । ଛି ଛାକର କଲେ । ହେଲେ, ଅବସ୍ଥାର ଚାପ ମୋତେ ବାଧାଦେଇ ପାରିଲା ନାହିଁ । ବାପାଙ୍କର ଶତ ବେଦନାଭରା ଉପଦେଶ ମୋତେ ମୋର ପ୍ରତିଜ୍ଞାରୁ ଟଳେଇ ପାରିଲା ନାହିଁ ।

 

ମା’ର ଚିତ୍ରପଟକୁ ନିଜ ଛାତି ଉପରେ ରଖି ଦିନରାତି ତା' ଉପରେ ଅଶ୍ରୁ ବର୍ଷଣ କରିବାକୁ ଲାଗିଲି । କହେ, ମୁଁ ତୁମର ଉପଦେଶ ଭିକ୍ଷା କରୁଛି ମା’ । ମୋତେ ଶକ୍ତି ଦିଅ । ହୃଦୟକୁ ମୋର ପଥର କର । ମୁଁ ତୁମର କଥା ରଖିବି । ମୁଁ ଚାହେଁନି ଳକ୍ଷାଧିପତିର କନ୍ୟାକୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କରିବି । ମୁଁ ଚାହେଁ, ମୋର ଗରିବ ସୁହାସିନୀ ଯାହାକୁ ମୁଁ ମୋର ନିଜର କରିନେଇଛି, ସେ ଗରିବ, ହେଲେ ମୋ' ପାଖରେ ଅନ୍ତତଃ ତା’ର ମାନ ଅଛି ମହତ ଅଛି, ଇଜ୍ଜତ ଅଛି ।

 

ତା'ପରେ ମନେ ମନେ ମୁଁ ତୁମକୁ ଖୋଜିବାକୁ ଲାଗିଲି । ସପନରେ ସବୁବେଳେ ତୁମରି ପରଶ ଅନୁଭବ କଲି । ମନେ ମନେ ଖୋଜିଲେ ମଣିଷ ସବୁ ପାଇ ପାରେ । ସପନର ଢେଉ ଭିତରେ ମଣିଷ ଏ କାଳ ସେ କାଳର କଥା ଦେଖିପାରେ ।

 

ଦେହର ରୋମ ମୋର ଟାଙ୍କୁରି ଉଠିଲା । ଭୋ କରି କାନ୍ଦି ପକାଇଲି । ଶ୍ୱେତପଦ୍ମା ଚେଇଁ ପଡ଼ି ମୋ ସହିତ ତାଳଦେବାକୁ ଲାଗିଲା ।

 

ସେ ହସି କହିଲେ–ତୁମେ କାନ୍ଦୁଛ ସୁହା ? ଦୁଃଖ କ’ଣ ? ତା’ପରେ ମୁଁ କଲି ତୁମକୁ ମୋର ହୃଦୟ ସିଂହାସନର ରାଣୀ, ଗୃହର ଲକ୍ଷ୍ମୀ । ତୁମସଙ୍ଗେ ସୁଖର ଦୁନିଆଁ ଗଢ଼ିଲି । ମନରୁ ବୋଝ ଗଲା । ସମାଜର କ୍ରୁର ପରିହାସର ସମ୍ମୁଖୀନ ହେଲି । କିଛି ଦିନ ପରେ ବାପାଙ୍କୁ ହରାଇ ବସିଲି । ହେଲେ ଗୋଟିଏ କଥା ପାଇଁ ମୁଁ ବିଶେଷ ଗର୍ବ ଅନୁଭବ କରେଁ–ମଲା ମା'ର ବ୍ୟାକୁଳ ପ୍ରାଣକୁ ଶାନ୍ତ କରି ପାରିଛି । ତା’ର ଆଶା ପୂରଣ ହୋଇଛି । ଏ ପୁଅଠାରୁ ଯାହା ସେ ଚାହିଁଥିଲା ତାହା ମୁଁ ତାକୁ ଦେଇ ପାରିଛି । ବେଶ୍ ମୃତ ମା'ର ମାନରକ୍ଷା କରିବା ସଙ୍ଗେ ସଙ୍ଗେ ତା’ର କଥା ରକ୍ଷା କରି ପାରିଛି । ମୁଁ ବିଶେଷ ଭାଗ୍ୟବାନ ସେଥିପାଇଁ ।

 

 

ସମସ୍ତେ ଜାଣନ୍ତି କାଞ୍ଚନ ଜେନାର ପରିବାର ସୁଖୀ । ଆଜି ଶୂନ୍ୟ ଗୃହ ତାଙ୍କର ପରିପୂର୍ଣ୍ଣ ହୋଇଛି, ଅନ୍ଧାର ଗୃହ ଉଜ୍ଜ୍ୱଳ ହୋଇଛି । କାଞ୍ଚନ ଜେନାର ବୈବାହିକ ଜୀବନ ଅତି ଆଶ୍ଚର୍ଯ୍ୟଜନକ, ରୋମାଞ୍ଚକର । ସେ ପାଇଛନ୍ତି ରୂପବତୀ, ଗୁଣବତୀ ସ୍ତ୍ରୀ ସୁହାସିନୀ । ଯୋଗ୍ୟା ବିଦୁଷୀ ସେ ।

 

ନଈ ସୁଅରେ କୁଟାକାଠି ଭାସି ଆସେ ଯେପରି ସେହିପରି ସମୟର ସୁଅରେ ମଣିଷ ସର୍ବଦା ଭାସି ଚାଲିଛି । କିଏ ଆଗେ ଯାଏ ଆଉ କିଏ ବା ପଛେ । କିନ୍ତୁ ଦିନେ ସମସ୍ତଙ୍କୁ ଯିବାକୁ ପଡ଼େ–ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ଦିନେ ଏ ସଂସାର ଛାଡ଼ିବାକୁ ପଡ଼େ । ସମୟ କାହାକୁ ଅପେକ୍ଷା କରେ ନାହିଁ । ଜନ୍ମ ହେଲା ମାତ୍ରକେ ମରଣ ସୁନିଶ୍ଚିତ–ଦେବତା ହୁଅନ୍ତୁ ବା ସ୍ୱୟଂ ଭଗବାନ୍ ସୃଷ୍ଟିକର୍ତ୍ତା ।

 

ସମୟ–ସୁଅରେ ଭାସି ଚାଲିଛି କାଞ୍ଚନ ଜେନାର ପରିବାର । ଗୃହକାନନର କୁସୁମକଢ଼ି ଦିଓଟି ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହେବାକୁ ଲାଗିଲେଣି । ନୀଳପଦ୍ମା ଓ ଶ୍ୱେତପଦ୍ମା ପାଞ୍ଚ ବରଷର ଶିଶୁହେଲେ ବି କ'ଣ ହେବ, ରୂପ ଓ ଗୁଣରେ ସମସ୍ତଙ୍କର ମାନ ହରଣ କରିବାର ଶକ୍ତି ଶକ୍ତିମାନ୍ ଭଗବାନଙ୍କଠୁଁ ପାଇଛନ୍ତି ।

 

କାଞ୍ଚନ ଜେନାଙ୍କର ବ୍ୟାକୁଳମନ ପୁତ୍ରଲାଭ ଆଶାରେ ସର୍ବଦା ବ୍ୟାକୁଳ । ପୁତ୍ର କୁଳ ରକ୍ଷକ । ବାପ ମା' ପିଣ୍ଡରେ ଶାନ୍ତିର ଆହୁତି ଦିଏ ପୁଅ । ପୁଅଟିଏ ପାଇବାପାଇଁ ସ୍ୱାମୀ ସ୍ତ୍ରୀ କେତେ ପୂଜା ଉପାସନା କରି ଆସୁଛନ୍ତି । ଉପବାସରେ ଦିନରାତି କଟେଇ ଦେଇଛନ୍ତି ।

 

କିନ୍ତୁ–

 

ମଣିଷ ସର୍ବଦା ସୁଖ ଚାହେଁ । ତା’ର ମନ ଆକାଶ ପାତାଳ ବହୁତ କିଛି ଭାବେ । ହେଲେ ସୃଷ୍ଟିକର୍ତ୍ତାର ମନ ପାଇଲେ ତ । କେଉଁଠି ଦଇବ କେଉଁଠି ମଣିଷ । ଦୁନିଆ ଯେ ଗଢ଼ିଛି, ସେ ଜଗତର ମଙ୍ଗଳପାଇଁ ସବୁବେଳେ ସବୁ କିଛି କରୁଛି । କିନ୍ତୁ ମଣିଷ ଏହା ବୁଝିପାରେନା । ଭାଗ୍ୟକୁ ଆଦରି ବସେ । ଭାବେ–ଭାଗ୍ୟ, ଭାଗ୍ୟ, ଭାଗ୍ୟ ! ! !

 

କର୍ମ ନେଇ ଭାଗ୍ୟ–

 

ସୁହାସିନୀ ଗରିବ ଦୁଖୀ ସମସ୍ତଙ୍କୁ ଦାନ ଦେଲେ । ବ୍ରାହ୍ମଣମାନଙ୍କୁ ଅନ୍ନଦାନ ଦେବା ସଙ୍ଗେ ସଙ୍ଗେ ଅଜସ୍ର ତାଙ୍କ ପଇସା ମଧ୍ୟ ଦକ୍ଷିଣା ସ୍ୱରୂପ ଅର୍ପଣ କଲେ । ବିରାଟ ମନ୍ଦିର ତୋଳାଇବାପାଇଁ ସ୍ୱାମୀ ଆଗରେ ସୁହାସିନୀ ପ୍ରସ୍ତାବ ଆଗତ କଲେ । ଏ ଶୁଭକାର୍ଯ୍ୟରେ ସ୍ୱାମୀ ଏକମତ ହେଲେ । ହିନ୍ଦୁ ଘରଣୀ ହିସାବରେ ପୁଅଟିଏ ପାଇବା ପାଇଁ ଯାହା କିଛି କରିବାର କଥା, ସବୁ ବ୍ରତ ଉପାସନା କରିଛନ୍ତି, ସୁହାସିନୀ । କିନ୍ତୁ ହାୟ ! ଦଇବ କ'ଣ ଏତେ ନିଷ୍ଠୁର । ତା' ପାଇଁ ମଣିଷ କେତେ କ'ଣ ନ କରେ । ଝାଳବୁହା ପରିଶ୍ରମ କରେ, ଦି’ ପଇସା ରୋଜଗାର କରି ଚାରିପଇସା ଖରଚ କରେ ବିଧାତାର ପୂଜାରେ ନିଜର କଅଁଳିଆ ଆଶାଟିକକର ପୁରଣାର୍ଥେ । କିନ୍ତୁ କିଏ ବୁଝିବ ସ୍ରଷ୍ଟାର ସୃଷ୍ଟି । ମଣିଷର ସବୁଆଶା ଛଡ଼ା ତା’ ମୁଣ୍ଡରେ କିଛି ପଶେନାହିଁ । ଜାଣିବାଲୋକ ନିଜକୁ ମନେକରେ ପୋଡ଼ାକପାଳିଆ ।

 

ସୁଖର ସଂଧନେ ମଣିଷ ଚାଲେ ।

 

ସୁଖ ପାଏ ।

 

ଦୁଃଖ ପାଏ ।

 

ସୁଖ ଦୁଃଖରେ ଏମିତି ଦିନଯାଏ ବିତି ।

 

ଆଜକୁ ପ୍ରାୟ ଦି'ଦିନହେବ ସୁହାସିନୀ ତାଙ୍କର ଶୋଇବାଖଟ ଛାଡ଼ି ନାହାନ୍ତି । ଦୁଇ ପାଖରେ ଜୀବନର ଜୀବନ ଦୁଃଖୀର ଶଙ୍ଖାଳି ନୀଳା ଓ ଶ୍ୱେତପଦ୍ମା । ସୁହାର ମୁହଁ ମଳିନ । ଚକ୍ଷୁଦ୍ୱୟ ବରଷକର ରୋଗୀପରି ପଶିଯାଇଛି ।

 

ସୁହାସିନୀକୁ ହେଲା କ'ଣ–କର୍ମମୟୀ ଶଯ୍ୟାଶାୟୀନୀ ଭାଷଣ ଜ୍ୱର । ଗତ ରାତ୍ରିରୁ ଦଶବାରଟା ରକ୍ତଝାଡ଼ା ହୋଇଯାଇଛି । ଭୁଇଁରେ ପାଦ ପକାଇବାକୁ ତା’ର ଶକ୍ତିନାହିଁ । ଗୋଡ଼ ଟଳମଳ ହେଉଛି । ଉତ୍କଟ ତୃଷା । ଛାତି ଧରୁଛି । ଦି'ଟା ରାତିରେ ଏପରି ଅବସ୍ଥା । କାଳଜ୍ୱର ନା କ'ଣ–ପୁଣି ରକ୍ତ ଝାଡ଼ା ।

 

କାଞ୍ଚନ ଜେନା ଠିକାଦାରୀ ବୁଝିବା ପାଇଁ ନିଜ ଗାଁକୁ ଯାଇଥିଲେ । ଘରେ ନ ଥିଲେ ।

 

ଏତାଦୃଶ ଅବସ୍ଥା ତା’ର ହୃଦୟର ଦେବତା କାଞ୍ଚନ ଜେନା ଜାଣି ନାହାନ୍ତି । ଜଣେ ମଣିଷ ସୁହାସିନୀ ଯେକି ତୋରାଣୀ ଟିକିଏ ଉତାରି ପରିବାର ପେଟରେ ଦାନା ଦେବ । ତା’ର ବିନା ଯେ ପରିବାର ଭୋକ ଉପାସରେ ରହିଯିବେ ତା’ ନୁହେଁ । ହେଲେ କାଞ୍ଚନ ଜେନା ନିଜ ସ୍ତ୍ରୀଙ୍କର ହାତକୁ ବେଶ୍ ପସନ୍ଦ କରନ୍ତି । କହନ୍ତି–ତୁମ ହାତରେ ଅମୃତ ଅଛି, ଅମୃତ ଝରେ । କେବେଠୁଁ ମୋର ଦେହ ଏପରି ଅବଶ ହୋଇ ପଡ଼ିଛି, ମୁଁ ତାଙ୍କୁ ଖବର ପଠାଇ ନାହିଁ । ତାଙ୍କର ଶୁଖିଲା ମୁହଁ ଦେଖିଲେ ମୋର ଛାତି ଚାଏଁ କିନା ଦବିଯାଏ । ମୁହଁରୁ କଥା ବାହାରେ ନାହିଁ । ମୋର ରୋଗ ଦେଖି ସେ ରୋଗୀ ହୋଇ ପଡ଼ନ୍ତି । କହନ୍ତି, ତୁମେ ଖଟରେ ପଡ଼ିଲେ, ମୋତେ କାହିଁକି ଭୟ ଲାଗେ । ଭାବେ ମୁଁ ତୁମର ଦେହେ ଦେହେ ଥିବି ।

 

ତାଙ୍କୁ ଦୁଃଖର ଆବର୍ତ୍ତରେ ପକାଇବାକୁ ମୁଁ ଚାହେଁନା । କେବେ କିଛି ହେଲେ, ତାଙ୍କର ଅଜଣା ଅଶୁଣାରେ ଔଷଧ ଖାଏଁ । ତାଙ୍କ ଆଗରେ ଥଣ୍ଡାପାଣି ପିଏଁ ଦେଖେଇ ହେବାକୁ ଯେ ମୋତେ କିଛି ହୋଇନାହିଁ । ଦେହରେ ତାପ ଆଦୌ ନାହିଁ । ଏତିକି ଶୁଣିଲା ମାତ୍ରକେ ଛାତି ତାଙ୍କର କୁଣ୍ଢେ ମୋଟ ହୋଇଯାଏ । ମୋତେ ସେ ନିଜ ଛାତି ଉପରକୁ ଆଉଜାଇ ନିଅନ୍ତି । ଦୁଇଗାଲରେ ଦୁଇଟି ଚୁମ୍ବନ ଆଙ୍କି ଦିଅନ୍ତି । ମୁଁ ଦରଜା ଆଉଜାଇ ଦିଏଁ ।

 

ଏଥର ଯଦିଓ ଦେହର ଉତ୍ତାପ ବଢ଼ି ଚାଲିଥିଲା, କେଜାଣି କାହଁକି ତାଙ୍କୁ ଖବର ପଠାଇ ନ ଥିଲି । ସେ ଘର ଛାଡ଼ିବା ପୂର୍ବରୁ ମୋର ଦେହ ଭଲ ନ ଥିଲା ପାଖକୁ ଆସି ସେ ପଚାରିଥିଲେ, ହେଲା କ'ଣ ? ତୁମେ କାହିଁକି ଏପରି ମଳିନ ଦେଖା ଯାଉଛ ?

 

କେବଳ ଏତିକି ଉତ୍ତର ଦେଇଥିଲି, ମୋତେ କିଛି ହୋଇନାହିଁ ଯାହା ବି ହୋଇଛି, ଭୟ କରିବାର କିଛି କାରଣ ନାହିଁ । ଏ ପରିବାର ପାଇଁ ଦଇବ ସାହା । ଚିନ୍ତା କରନା, ସବୁ ଠିକ୍ ହୋଇଯିବ ।

 

ନୀଳା ଓ ଶ୍ୱେତପଦ୍ମା ଦୁହେଁ କାନ୍ଦିଲେ । ତତଲା ଛାତିର କ୍ଷୀର ଦେବୀ କେମିତି ! ଶାସ୍ତ୍ରାନୁସାରେ ଭଲ ନୁହେଁ । ରୋଗ ଡେଇଁଯାଏ ।

 

ଜନ୍ମ କଲା ମା’ ମୁଁ । ମନରେ ପାପ ଛୁଇଁଲା । ପ୍ରାଣ ବିକଳରେ ଉଭୟଙ୍କର ଗଣ୍ଡ ଦେଶରେ ଚୁମ୍ବନ ଆଙ୍କିଦେଲି । ତତଲା ଚୁମ୍ବନର ସ୍ପର୍ଶରେ ଚମକି ଉଠିଲେ ଦୁହେଁ । ସତେ ଯେପରି ସେହି ଚୁମ୍ବନର ମାଧ୍ୟମରେ ଶୀତଳ ମିଠାକଥା ତାଙ୍କୁ ଆସ୍ତେ ଆସ୍ତେ କହିଲି, ମୁଁ ତୁମଠାରୁ ଅନ୍ତର ନୁହେଁ, ଖାପଛଡ଼ା ନୁହେଁ । ମୁଁ ତୁମର, ତୁମେ ମୋର । ତୁମ୍ଭମାନଙ୍କୁ ଅଗାଧ ସମୁଦ୍ରର ମଝି ଦରିଆରେ ଛାଡ଼ି କୁଆଡ଼େ ଯିବି ? ମୁଁ ଭଗବାନ ଜାଣନ୍ତି, ସେ ମୋତେ ନେଲେ ତୁମକୁ ଲୋକେ କହିବେ ମା' ଛେଉଣ୍ଡ, ମାର ସ୍ନେହ ହେବ ସ୍ୱପ୍ନ । ତୁମରି ଲୁହ ପୋଛିବା ପାଇଁ କେହି ନ ଥିବେ । ମୁଁ ତୁମକୁ ଦେଖିବି, ବେନି ନୟନ ମୋର ତୃପ୍ତ ହେବା ପର୍ଯ୍ୟନ୍ତ ଦେଖିବି ।

 

ଝିଅ ଦି’ଟାର ବୟସ ସେମିତି ହୋଇଛି । ଦରଫୁଟା ହସ । କଥାରେ ମଧୁରତା ଅଛି । ଦୁହେଁ କାନ୍ଦିଲେ–ମାଁ ବୁ'ଦେ । ପୁଣି ଶୋଇପଡ଼ିଲେ । ଝାପ୍‍ସା ନିଦ ଆସିଗଲା ।

 

ପ୍ରାଣ ମୋର ଚିନ୍ତାରେ ଘାରି ହେଲା । ସତେଯେପରି ଆଖିର ଜ୍ୟୋତି ମୋର ହଜି ଯାଉଛି । ମୁଣ୍ଡ ଗୋଳମାଳ ହୋଇ ଯାଉଛି । ଚିତ୍ ହୋଇ ସୋଇଛି । ଆଖି ଲାଗି ଯାଇଛି । ଆଖି ବୁଜିବା ଭିତରେ ଦେଖୁଛି–

 

ସାଗରର ଶଙ୍ଖ ଶଙ୍ଖ ପାଣି, କୂଳ ଡେଇଁ ପଡ଼ି ଚତୁର୍ଦ୍ଦିଗକୁ ମାଡ଼ି ଆସୁଛି । କ୍ଷଣିକ ଭିତରେ ଉଆସ ଧୋଇ ହୋଇଯିବ । ମୋର ସୁଖର ସୌଧ ବୁଡ଼ିଯିବ । ଅତଳ ସାଗରେ । ମା’ ଝିଅଠାରୁ ବିଚ୍ୟୁତ ହେବ । ଜଳେ ଜଳେ ସେମାନେ ଭାସିଯିବେ ସାଗର ସଙ୍ଗମେ । ମୁଁ ଏକାକିନୀ ହୋଇ ପଡ଼ି ରହିବି । ଦେଖିଲି, ନୀଳା ମୋର ସାଗରର ଚକାଭଉଁରୀ ଭିତରେ, ତା’ ପଛେ ପଛେ ଶ୍ୱେତପଦ୍ମା ମଧ୍ୟ ଜୁଆର ଭିତରେ ମିଶିଗଲା ।

 

ନୀଳା ଡାକ ଛାଡ଼ିଲା ମା’ ମା’ । ମାଲୋ ମା’–

 

ଏହି ଆର୍ତ୍ତଚିତ୍କାର ମୋର କୋମଳ ହିଆରେ କଠୋର ଆଘାତ ଦେଲା । ଦେଖିଲି ଆଖି ଦି’ଓଟିରୁ ଝରୁଛି ଅଶ୍ରୁଜଳ । ଡାକୁଛି ସେ ସଜଳ ହୃଦୟେ ଆତୁର ଆହ୍ୱାନ ।

 

ମୋର ଅନ୍ତରୁ ଭିତର ବ୍ୟଥାର ଉତ୍ସ ଉଠୁଛି । ଅନ୍ତର ଜଳି ପୋଡ଼ି ଯାଉଛି । ବଡ଼ କାତର ଭାବରେ ଅଶ୍ରୁବିନ୍ଦୁ ଝରି ପଡ଼ୁଛି ଦୁଇ ଆଖିରୁ ।

 

ଡାକଦେଲି–ନୀଳା, ନୀଳା ଫେରିଆ ନୀଳା । ମୁଁ ଏଠି ଅଛି । ତୋ' ବିନା ମୋର କେହି ନାହିଁ ନୀଳା । ମା’ ମୋର ନୟନ ପିତୁଳା । ଧନ ମୋର ରତନର ସ୍ତୁପ, ଫେରିଆ ।

 

ନିର୍ବାକ ନିସ୍ପନ୍ଦ ।

 

ମା’ ମୋର ଶୁଣିଲାନି ।

 

ପୁଣି ଡାକ ଛାଡ଼ିଲି, ଶ୍ୱେତପଦ୍ମା ଝିଅ ଶ୍ୱେତପଦ୍ମା, ଫେରିଆ ମା' । ତୋ' ବିନା ମୁଁ କି ବଞ୍ଚିପାରେ । ମା'କୁ ଛାଡ଼ି ଏ ଅଭିଯାନ କେଉଁଠିକି ମା' ? ମୋତେ ଦୁଃଖ ନୈରାଶ୍ୟରେ ପକାଇ କୁଆଡ଼େ ଯାଉଛୁ ?

 

କେହି ଶୁଣିଲେ ନି ମୋର ପ୍ରାର୍ଥନା । ଗୁହାରି ମୋର ଫଳବତୀ ହୋଇ ପାରିଲା ନାହିଁ । ହତାଶରେ ହିଆ ମୋର ଫାଟିପଡ଼ିଲା । ମନରେ ମୋର ନୈରାଶ୍ୟ ଉଦୟ ହେଲା । ଅଶ୍ରୁସମ୍ବରଣ କରି ପାରିଲି ନାହିଁ । ବ୍ୟାକୁଳହୃଦୟରେ ଧୈର୍ଯ୍ୟ ରଖି ପାରିଲି ନାହିଁ ।

 

ଆବେଦନଭରା ଚାହାଣୀ ମୋର । ବାଳ ମୁକୁଳା । ମସ୍ତକରୁ ଝରୁଛି ରକ୍ତ । ଫଟାଦଦରା ଅମ୍ବର । ପରିପାଟିରେ ଖିଆଲ ନାହିଁ । ଉଭାହେଲି ଶଙ୍ଖ, ଚକ୍ର ଗଦା, ପଦ୍ମଧାରୀ ଭଗବାନଙ୍କ ଆଗରେ ।

 

ଆହା କି ପ୍ରଶାନ୍ତ ବାଦନ–ଲାଳିତ୍ୟର ଜୁଆର ।

 

ବେଦନାଭରା ହୃଦୟରେ ପ୍ରାର୍ଥନା କଲି, କ'ଣ କହିବି ପ୍ରଭୋ ହୃଦୟର ଦୁଃଖଭରା ଇତିହାସ ଯାହା ତବ ସମ୍ବିଧାନେ ଅଗୋଚର ନୁହେଁ । ମୁଁ କିଛି ଚାହୁଁନି ଦୟାମୟ, କେବଳ ଏତିକି ମୋର ଗୁହାରି ଦିଅନ୍ତୁ ମୋର ଭିକ୍ଷା ପାତ୍ରରେ ମହା ଉଦାରତାର ଅଞ୍ଜଳିରୁ କନ୍ୟାଦ୍ୱୟର ଦୀର୍ଘଜୀବନ । ଫେରାଇଦିଅନ୍ତୁ ମୋର ନୀଳପଦ୍ମା ଓ ଶ୍ୱେତପଦ୍ମା ଯା'ର ବିନା ଏ ଜୀବନ ହୀନ, ବୃଥା । ମୁଁ ଆସିନାହିଁ ମାଗିବାକୁ ଆନନ୍ଦ, ଭୋଗ ବିଳାସ । ନୀଳା ଓ ଶ୍ୱେତପଦ୍ମା ମୋର ସବୁକିଛି । ମୋର ପ୍ରାଣ । ମୋର ନୟନ । ମୋର ଆନନ୍ଦ । ବିଶ୍ୱାସ ଅନୁରୂପ ହିଁ ଫଳ ହୋଇଥାଏ–

 

ପରମପୁରୁଷ ଉତ୍ତରଦେଲେ, ସୁହାସିନୀ ଏଇ ନିଅ ତୁମର ନୀଳା ଓ ଶ୍ୱେତ । ଧନ୍ୟ ତମର କନ୍ୟାଦ୍ୱୟ । ମାତା ପ୍ରତି ତାଙ୍କର କି ପ୍ରଗାଢ଼ ଭକ୍ତି । ଜୀବନ ଜୀବନ ଧରି ଏମାନେ ତମରି ହେବାକୁ ଚାହାନ୍ତି । ଜୀବନର ଲକ୍ଷ୍ୟ ଜୀବନ, ମଣିଷ ଚାହେଁ ଜୀବନରେ ସୁଖ ସ୍ଵାଚ୍ଛନ୍ଦ୍ୟ ଯଦିଓ ସବୁକିଛି ଦୁନିଆଁରେ କ୍ଷଣସ୍ଥାୟୀ । ହେଲେ–

 

–କ’ଣ ପ୍ରଭୋ !

 

–ସୁହାସିନୀ !

 

ତମର ପରମାୟୁ ଶେଷହୋଇ ଆସିଛି । ଆସନ୍ତାକାଲି ତୁମକୁ ସବୁଦିନ ପାଇଁ ଧରାବକ୍ଷରୁ ସ୍ଵର୍ଗପୁରକୁ ଆସିବାକୁ ପଡ଼ିବ । ପୁତ୍ରବାତ୍ସଲ୍ୟ ଚିରଦିନ ପାଇଁ ତୁଟାଇବାକୁ ପଡ଼ିବ । ସ୍ୱାମୀ ଶୋକାକୁଳ କ୍ରନ୍ଦନରତ ହେଲେ ମଧ୍ୟ ତୁମକୁ ସେ ଆଉ କୌଣସି ପ୍ରକାରେ ଅଟକାଇ ପାରିବେ ନାହିଁ । ତମରି ଆୟୁ ପୂରି ଆସିଛି । ତୁମକୁ ଆସିବାକୁ ହିଁ ପଡ଼ିବ ।

 

ମୁଣ୍ଡରେ ମୋର ପଥର ପଡ଼ିଲା । ପର୍ବତ ନଇଁ ଆସି ମାଡ଼ି ବସିଲା ।

 

ଆକାଶର ଚାନ୍ଦକୁ ଯେ ମଣିଷ ଧରି ପାରେନା, ଏହା ତୁମର ଅବୋଧଶିଶୁ ବା ଜାଣିବେ କିପରି ?

 

ଜୀବନଦାତା ଭଗବାନ ପୁଣି କହିବାକୁ ଲାଗିଲେ, ଆଉ ବିଧାତାର ଫାଶରୁ ତୁମର ପ୍ରାଣଟିକୁ ନେବାପାଇଁ ଆସିଥିଲେ ତମର ନୀଳା ଓ ଶ୍ୱେତ । ସ୍ଵଜୀବନ ବିନିମୟରେ ତୁମର ଜୀବନକୁ ଅମର କରିବା ଉଦ୍ଦେଶ୍ୟରେ ଦୁହେଁ ଧାଇଁ ଆସିଥିଲେ । ଦୁହେଁ ମିଳିତସ୍ଵରେ ପ୍ରାର୍ଥନା କରିଥିଲେ, ହେ ପିତା ଆମ ମା’, କୁ ନେଇଯିବ ନା, ନା ତା’ କଦାପି ଆମେ କରେଇଦେବୁ ନାହିଁ । ଆମର ଟିକି ଆତ୍ମା ନେଇ ଯାଅ, ହେଲେ ସ୍ନେହର ମା’କୁ ଆମଠାରୁ ବିଚ୍ୟୁତ କର ନାହିଁ । ରକ୍ତଦେବୁଁ, ଦେହର ମାଂସ କହିଲେ, ତମ ଗୋଡ଼ତଳେ ଆହୁତି ଦେବୁ, ହେଲେ ମା'ର ସମ୍ପର୍କ, ସ୍ନେହ ସରାଗ ଆହୁତିଦେଲେ ଆମକୁ ଘରେ ଦୁଧ ଦେବ କିଏ ?

 

ଗୀତ ଶୁଣାଇବ କିଏ ? ତମେ, ତମେ ତ କ୍ଷୀରସମୁଦ୍ରରେ ବାସକର, ଆମ ପାଖକୁ ଆସିବ ନାହିଁ । ଆମେ ଜାଣୁ । ଆମ ଦୁହିଁଙ୍କୁ ମା'ଛେଉଣ୍ଡ କଲେ ତମର ପାପ ହେବ । ମା'ଦେଇ ମାଟି ଉପରେ ଗୋଡ଼ ପକାଇଛୁ, ମା' ବିନା ଗୋଡ଼ ବଢ଼ାଇ ପାରିବୁ ନାହିଁ । ଆମକୁ ଚଳେଇବ କିଏ-?

 

ଅବୋଧ ବାଳକ ଦଇବର ନୀତି ନିୟମକୁ ବୁଝି ପାରେନା । ଜାଣି ପାରେନା ଦୁନିଆଁଟି କ'ଣ ?

 

ମନୁଷ୍ୟର ପ୍ରତ୍ୟେକ କଳ୍ପନା ଯଦି ବାସ୍ତବ ସମ୍ଭୁତ ହୁଅନ୍ତା, ତାହାହେଲେ ଏ ଜଗତରେ ଭଗବାନ ପୂଜା ପା'ନ୍ତେ ବା କାହଁକି ? କିନ୍ତୁ ମଣିଷ ଯାହା ଚାହେଁ, ଦଇବ ତାହା ପୂରଣ କରେ ନା ।

 

ଝିଅ ଦୁଇଙ୍କୁ କୋଳକୁ ଆଣିଲି । ତାଙ୍କର ପ୍ରଗାଢ଼ ମାତୃଭକ୍ତି ଦେଖି ହୃଦୟ ମୋର ଅନନ୍ତ ମାଧୁର୍ଯ୍ୟରେ ଭରିଉଠିଲା ।

 

ପୁଣି ଛାତି ଥରି ଉଠିଲା–

 

ମୁଣ୍ଡ ଘୁରିଗଲା । ମନକୁ ପାପ ଛୁଇଁଲା । ସତରେ କ'ଣ ମୁଁ ଏତେ ଶୀଘ୍ର ମରିଯିବି ! ଆଉ ନୀଳା, ଶ୍ୱେତପଦ୍ମା ? ସ୍ୱାମୀର ସଂସାର ମୋର ସଂସାର ହୋଇ ଆଉ ରହିବନି ?

 

ହୃଦୟ ଭରିଗଲା ଦୁଃଖରେ, ଅବସାଦରେ । ସବୁ ମୋର କର୍ମ ଓ ସାଧନା ପଣ୍ଡ ହୋଇଗଲା । କ'ଣ କହିବାକୁ ଆର୍ତ୍ତଚିତ୍କାର କଲି ଭଗବାନ୍, ହେ ଦୟାମୟ ପରମେଶ୍ୱର ମୋତେ ବଞ୍ଚିବାକୁ ଦିଅ । ମୋ ପାଇଁ ନହେଲେ, ଅନ୍ତତଃ ମୋର ନୀଳା, ମୋର ଶ୍ୱେତପଦ୍ମା ମୋର ସ୍ୱାମୀ ପାଇଁ । ମୁଁ ବଞ୍ଚିବି । ନୀଳା–ନୀଳା–ଶ୍ୱେତ–ଶ୍ୱେତ !!!

 

ସ୍ଵପ୍ନ ଭାଙ୍ଗି ଗଲା । ନିଦ ବାଉଳାରେ ସ୍ୱପ୍ନୋତ୍‍ଥିତ ହୋଇ ବସିପଡ଼ିଲି ଶେଯ ଉପରେ । ଭୋ, ଭୋ, କାନ୍ଦି ପକାଇଲି । ଅଶ୍ରୁଧାର ଅଜସ୍ର ଗଡ଼ିବାକୁ ଲାଗିଲା । ଅନ୍ତର ଭିତରେ ନିଆଁ ଲାଗିଲା । ପୌଷ ମାସର ଚନ୍ଦ୍ରମାକୁ ଆକାଶର ବଉଦ ଢାଙ୍କିଦେଲା ପରି ପଣତ କାନିରେ ମଳିନ ମୁହଁକୁ ମୋର ଢାଙ୍କି ପକାଇଲି ।

 

ସେହି ରାତିରେ ସ୍ୱାମୀ ଅଳ୍ପ ସମୟ ହେଲା ଗାଁରୁ ଫେରି ଆସିଛନ୍ତି ଗୋଟିଏ ଖିଆଲରେ-। ମୋର ଶରୀରର ଏତାଦୃଶ ଭୀଷଣ ଅବସ୍ଥା ପ୍ରତି ତାଙ୍କର ନଜର ନଥିଲା । ମୋର ଆର୍ତ୍ତଚିତ୍କାରରେ ସେ ନିଦରୁ ଉଠି ପଡ଼ିଲେ । ହଠାତ୍ ନିଦବାଉଳାରେ ଡାକିଲେ, କିଏ ସୁହାସିନୀ, ସୁହା ?

 

ଉତ୍ତର ଦେଇ ପାରିଲି ନାହିଁ । ମୁହଁରୁ କଥା ବାହାରିଲା ନାହିଁ । ଅବାକ୍ ହୋଇ ଚାହିଁ ରହିଲି ତାଙ୍କ ମୁହଁକୁ । ସେ ମୋର ପାଖକୁ ଆସି ବସି ପଡ଼ିଲେ । ସ୍ୱପ୍ନୋତ୍‍ଥିତ ପରି ସେ ମଧ୍ୟ ମୋତେ ଛାତିକୁ ଆଉଜାଇ ନେଇ, ଗାଲରେ ଗାଲ ରଖି ଚମକି ପଡ଼ିଲେ । ଭୟଭୀତ ହୋଇ ତରତରରେ ଦେହର ଲୁଗାକୁ ଛାତି ଉପରେ ରଖି ତାଙ୍କଠୁଁ ଦୂରେଇ ହେବାକୁ ଲାଗିଲି ।

 

ସେ ଉଦ୍‍ବିଗ୍ନ ହୋଇ ପଚାରିଲେ, କ'ଣ ହୋଇଛି ତୁମକୁ ? ଏମିତି କେବେ ହେଲେ ତ ଡାକ ନାହିଁ । କେଡ଼େ ଅବସାଦଭରା ଦେଖା ଯାଉଛ । ତାତିଲା ଲୁହାପରି ଦେହ ତୁମ ତ ତାତି ଉଠୁଛି । ମୁହଁ ଫିକା ପଡ଼ି ଯାଇଛି । ଆଖି ତୁମର କାହିଁକି ଏପରି ହଳଦୀ ବର୍ଣ୍ଣ ହୋଇଛି ସୁହା ?

 

ନିର୍ବାକ ହୋଇ ସେ ମୋର ମୁହଁକୁ ଚାହିଁ ରହିଲେ । ଦେଖିଲି ତାଙ୍କର ପ୍ରଶ୍ନିଳ ମୁହଁ । ଛାତି ଭିତରକୁ ମୋର ହାତ ପଶାଇଲେ । ଏତିକିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଚିତ୍କାର କରି ଉଠିଲେ । ମୋରି ଲୁହଭରା ଆଖି ଆଗରେ ମଦୁଆ ପରି ଟଳି ଟଳି ମୋ' କୋଳ ଉପରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ ।

 

କହିଲେ, ସୁହା କେବେଠୁଁ ତୁମର ଦେହ ଏପରି ଅସୁସ୍ଥ ହୋଇଛି, ଖବର ପଠାଇଲ ନାହିଁ କାହିଁକି ? କହୁଛ ଦେହର ଉତ୍ତାପ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଲାଣି । ଗତ ରାତିରେ ଦେହ ଟିକିଏ ଶୀତେଇ ଥିଲା । କିନ୍ତୁ ହଠାତ୍ ଆଜି ରାତିରେ ଏତେ ଜ୍ୱର, ପୁଣି ତା’ ସଙ୍ଗେ ରକ୍ତଝାଡ଼ା । ହେ ଭଗବାନ୍, ମୋତେ ଖବର ଟିକିଏ ଦେବାକୁ ପସନ୍ଦ କଲ ନାହିଁ । ମୁଁ ଆଜି କ’ଣ ଦେଖୁଛି, କ’ଣ ଶୁଣୁଛି ! ତମେ କ’ଣ ଚାହଁ ଯେ ଆମେ ଏହି ଜାଲ ସଂସାର ଭିତରେ ତୁମକୁ ଛାଡ଼ି ନରକର ଯାତନା ଭୋଗିବାକୁ ? କ'ଣ ତୁମେ ଆମଠାରୁ ଚିରଦିନ ପାଇଁ ବିଚ୍ଛିନ୍ନ ହେବାକୁ ଚାହଁ ସୁହା ? ନିଜର ହୃଦୟର ହୃଦୟ, ଜୀବନର ଜୀବନ ପାଖରେ ଅର୍ଦ୍ଧାଙ୍ଗିନୀ ଅନ୍ତରର ଚାରିପଦ କଥା ଲୁଚାଇ ରଖେ ଶରୀରର ଅସୁସ୍ଥତାକୁ ଘୋଡ଼ାଇ ରଖେ, ତାହାହେଲେ ସ୍ୱାମୀ କରିବ କ'ଣ ? ସ୍ତ୍ରୀର ହୃଦୟ ଭିତରକୁ ଭେଦ କରି ମରମକୁ ଜାଣିବାର କୌଣସି ବାଟ ସେ ଖୋଜି ପାଇବକି ? ମନକୁ ମାରି ରହିବା ଛଡ଼ା, ବୁଡ଼ିକରି ପାଣି ପିଇବା ମଣିଷକୁ ତ ପାରି ହେବ ନାହିଁ ?

 

ସେ ରାଗିଯାଇ ସାପ ପରି ଗର୍ଜି ଉଠିଲେ । କହିଲେ, ମୁଁ ତୁମର କେହି ନୁହେଁ, ଏହି ଝିଅ ଦୁଇଟି ତୁମର କେହି ନୁହନ୍ତି । ଯତ୍ନ ନେବା ପାଇଁ, ବଡ଼ କରି ମଣିଷ କରାଇ ସଂସାର ଆଗରେ ଠିଆ କରେଇବାରେ ତୁମେ ଭାବ ତୁମର କୌଣସି ପ୍ରକାର ଦାୟିତ୍ୱ ନାହିଁ ! ଛି, ଏ ମଣିଷ ମରିଗଲେ ଭଲ ହୁଅନ୍ତା । ଏପରି ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଅପେକ୍ଷା ମରଣ ବହୁଗୁଣେ ଭଲ । ଏତିକି କହି ସେ ଚାଲି ଗଲେ ଡାକ୍ତର ଡାକିବାକୁ ।

 

ଭାବିଲି, ସେ ମୋତେ କେତେ ଭଲ ପାନ୍ତି । ଜୀବନଠାରୁ ଅଧିକ । ମୁଁ ମରିଗଲେ କ’ଣ ତାଙ୍କର ଋଣ ପରିଶୋଧ କରିପାରିବି ? ଯୁଗ ଯୁଗ ଧରି ମଣିଷ ଦେଇ ପାରେନା ଯାହା, ମୁଁ କ'ଣ ଏହି ଦି’ ଦିନର ଦୁନିଆରେ ତାଙ୍କୁ ଦେଇ ପାରିବି ?

 

ଛାତି ଉପରେ ଯେଉଁ କୋହ ଅନୁଭବ କଲି ତାହା ବର୍ଣ୍ଣନା କରିବା ମୁସ୍କିଲ । ମାଟିର ଦେହକୁ ଛାଡ଼ି ସତେ ଯେପରି ମୋର ଟିକି ଆତ୍ମାଟି କୁଆଡ଼େ ଉଡ଼ି ବୁଲୁଛି । ଲୁହରେ ଦରଭିଜା ମୁହଁକୁ ଲୁଗାରେ ପୋଛି ପକାଇଲି । ଦି'ଘଡ଼ି ଚାହିଁଲି ଝିଅ ଦି'ଙ୍କୁ । ହସିଲା ପରି ଦିଶୁଛି ଗୋରା ତକ ତକ ମୁହଁ ତାଙ୍କର । ଆଉ କେତେବେଳେ କାନ୍ଦିଲା ପରି । ତୁନି ହୋଇ ଆଖିରୁ ଲୁହ ପୋଛିଲି । ମନ ବତାସକୁ ଯେତେ ଅଟକାଇ ରଖିବାକୁ ଚେଷ୍ଟା କଲି ପାରିଲି ନାହିଁ ।

 

ସକାଳ ହେଲା । କାଉ ଡାକିଲେ । ଆସ୍ତେ ମୁଣ୍ଡ ପାଖର ଝରକା ଖୋଲିଦେଲି । ସବିତାର ହଳଦୀ ମିଶା ଲାଲ କିରଣ କବାଟ ଫାଙ୍କଦେଇ ଘର ଭିତରକୁ ପଶି ଆସିଲା । ସ୍ୱାମୀ ବିଛଣାରେ ନ ଥିଲେ । କେତେବେଳୁଁ ଡାକ୍ତର ଡାକିବାକୁ ଯାଇଛନ୍ତି । ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ମୋର ବିଛଣା ପାଖରୁ ଏହିକ୍ଷଣି ଉଠି ଯାଇଛି ଭିଖୁଦାଦା । ରାତିରେ ମୋର ନିଦ ହୋଇନାହିଁ । ନାନା ଦୁଶ୍ଚିନ୍ତା ପାପ ଭାବନା ନେଇ ଆଖି ମୋର ମୋଟେ ବନ୍ଦ ହୋଇନି ।

 

ଶ୍ୱେତପଦ୍ମା ଉଠିଲା, ମା’–ମା’ ଡାକିଲା ।

 

ତା'ର ଡାକରେ ନୀଳପଦ୍ମା ମଧ୍ୟ ଚେଇଁ ପଡ଼ିଲା ।

 

ନୀଳପଦ୍ମା ଓ ଶ୍ୱେତପଦ୍ମାର ଜନ୍ମଦିନ ଆଜି ।

 

ପେଟ ମୋଟ ପୂରିଗଲା । ମନେ ମନେ ଆନନ୍ଦିତ ହେଲି । ଫକୁଆ ମୁହଁରେ ଦୀନ ହାସ୍ୟ ଖେଳି ଗଲା ।

 

ଭୁଇଁରେ ପାଦ ପକେଇବାକୁ ଚେଷ୍ଟାକଲି । ଗୋଡ଼ ଟଳ ମଳ ହେଲା । ପାରିଲି ନାହିଁ । ମୁଣ୍ଡରୁ ଗମ ଗମ ଝାଳ ବୋହିପଡ଼ିଲା, ଭୀଷଣ ତୃଷା । ନୀଳା ଓ ଶ୍ୱେତ ଉଭୟେ କୋଳକୁ ଆସିଲେ ମୋର । କହିଲି ଆଜି ତୁମର ଜନ୍ମ ଦିନ–

 

ନୀଳା ଖତେଇ କହିଲା । ମା କ'ଣ ଦବୁ ଗୋ ମୋତେ ?

 

ଶ୍ୱେତ ବସି ଶୁଣୁଥିଲା ।

 

ଚୁମାଟିଏ ଦେଲି, କହିଲି ତୁ ଯାହା କହିବୁ, କ'ଣ ଚାହୁଁ କିଲୋ ମା ?

 

–ତୁ ସେ ଦିନ କ'ଣ କହିଥିଲୁ କି ?

 

–କ'ଣ କହିଥିଲି ?

 

କହିଥିଲୁ, ତୁ ସବୁ ଭାତ ଖାଇଲେ, ତୋ ପାଇଁ ଜହ୍ନମାମୁ ଆଣିଦେବି । ଆଜି ତୁ ମୋ ପାଇଁ ଜହ୍ନମାମୁଁ ଆଣି ଦେବୁନି ? ଆଜି ଦେବୁ ନିଶ୍ଚୟ । ମା, ତୁ କେତେବେଳକୁ ଯାଇ ଆଣିବୁ ମୋର ଜହ୍ନମାମୁ ?

 

କାନ୍ଦି ପକାଇଲି ତା’ର କଥା ଶୁଣି । ଭାବିଲି ସତରେ କ'ଣ ମଣିଷ ମନରେ ଦଇବର ମନ, ଦଇବ ଆତ୍ମାର ସ୍ଥାନ ଥାଏ ?

 

ଶ୍ୱେତପଦ୍ମା କହିଲା, ବାବା ମୋତେ କହିଛନ୍ତି ମୋ' ପାଇଁ ସେ ପୁଅ ଆଣି ଦେବେ । ମୁଁ ତାକୁ ଶାଶୁ ଘରକୁ ପଠାଇବି । ତୁ କ'ଣ ଦବୁ କହିବି ?

 

କହୁନୁ ?

 

ସେ ମୋ ଗାଲକୁ ଆଉଁସି କହିଲା ତୁ ଯେଉଁଠିକି ଯିବୁ, ମୋତେ ତୁ ସେହିଠିକି ନେବୁ । ମୁଁ ତୋ' ସାଙ୍ଗେ ସାଙ୍ଗେ ଥିବି । କେବେହେଲେ କେଉଁଠି କି କାଁ କରିବି ନାହିଁ । ମୋତେ ନବୁ ନି ?

 

ତାଙ୍କ କଥା ଶୁଣି କେଜାଣି କାହିଁକି ମୋର ପେଟ ଭିତରଟା ଘଣ୍ଟି ହୋଇ ଗଲା । ଛାତି ମୋର ଦୁଇଭାଗ ହୋଇଗଲା । କି ବିରାଟ, କି ଗଭୀର ଏ ପ୍ରଶ୍ନ ! ମୋର ରକ୍ତ ମାଂସର ଦେହ ଥରି ଉଠିଲା । ପର ମୁହୂର୍ତ୍ତରେ ମନରୁ ପାପ ଦୂରକରି ନିଜକୁ ନିଜେ କହିଲି, କ'ଣ ମୁଁ ଭାବୁଛି ? ଛି । ଶ୍ୱେତପଦ୍ମା ମୋର ସାଥୀରେ ଆସିବ ? ନା, ତା’ କଦାପି ସମ୍ଭବ ନୁହେଁ । ଯେଉଁ ମା’ ଦଶମାସ ଗର୍ଭରେ ଧାରଣ କରି ଜନ୍ମ ଦେଇଛି, ପୋଷିଛି, ପାଳିଛି କହିବାକୁ ଶିଖାଇଛି ସେ କି ଏପରି ଜଘନ୍ୟ କାମ କରିପାରେ ? ଜାଣି ଶୁଣି ବାଘ ମୁହଁରେ କେହି ହାତ ଦେବାକୁ ତ ଚାହେଁ ନାହିଁ, ନିଜର ସନ୍ତାନକୁ ଠେଲି ଦିଏ ନାହିଁ ।

 

ନା, ନା, ତା' କଦାପି ହୋଇ ପାରିବ ନାହିଁ । ତୋତେ ନେଇ ପାରିବି ନାହିଁ ଶ୍ୱେତପଦ୍ମା, ଦୁଖୀର ଶଙ୍ଖାଳୀ ।

 

ଚିତ୍କାର କରି ଉଠିଲି, ସ୍ୱାମୀ ।

 

ଶ୍ୱେତପଦ୍ମା କାନ୍ଦି ଉଠିଲା ଭୋ କରି । ସୁହାସିନୀର ଚେତା ହଜି ଗଲା । ତା’ପରେ ସେ ଆଉ କିଛି ଜାଣେ ନାହିଁ ।

 

କାଞ୍ଚନ ଜେନା ଡାକ୍ତର ସହିତ ଆସି ପହୁଞ୍ଚିଲେ । ଯାହା ଦେଖିଲେ ନ କାନ୍ଦି ରହି ପାରିଲେ ନାହିଁ । ଡାକ୍ତରଙ୍କୁ ସବୁ ବିଷୟ ଗୋଟି ଗୋଟି କରି ବର୍ଣ୍ଣନା କଲେ । ସବିନୟ ଅନୁରୋଧ କରି କହିଲେ, ଡାକ୍ତର ବାବୁ ରୋଗୀ କିପରି ?

 

ରୋଗୀର ନାଡ଼ୀ ପରୀକ୍ଷାକରି ଡାକ୍ତର କହିଲେ ରୋଗୀକୁ ଡାକ୍ତରଖାନା ନେଇଯିବା ଉଚିତ । ଡରିବାର କିଛି କାରଣ ନାହିଁ । କେସ୍‍ଟି ସେତେ କିଛି ସିରିଅସ୍ ଜଣା ପଡ଼ୁନାହିଁ ।

 

ଡାକ୍ତରବାବୁ, କହି ପିଲାଟି ପରି ଭୋ ଭୋ କାନ୍ଦି ପକାଇଲେ କାଞ୍ଚନ ବାବୁ । ଯେପରିହେଉ ରୋଗୀକୁ ବଞ୍ଚାଇ ନିଅନ୍ତୁ ଡାକ୍ତର ବାବୁ । ତା' ବିନା ଦୁନିଆରେ ଏ ଛୁଆ ଦୁଇଟାର କେହି ନାହାନ୍ତି ଆଉ । ମୋରି ପାଇଁ ନ ହେଲେ ଅନ୍ତତଃ ଏ ଗରିବ ଶିଶୁ ଦିଓଟି ପାଇଁ କିଛି କରନ୍ତୁ । ଏହି ଛୋଟ ପରିବାର ଭିତରେ ଯାହା ଧନ ସମ୍ପତ୍ତି ଅଛି, ତା’ର ବିନିମୟରେ ଯଦି ରୋଗୀର ଅବସ୍ଥା ସୁଧୁରି ଯାଏ, ତାହାହେଲେ ମୁଁ ସବୁ କିଛି ଅର୍ପଣ କରିବାକୁ ପ୍ରସ୍ତୁତ ଅଛି ।

 

ଥୟ ଧରନ୍ତୁ ଜେନାବାବୁ । ମୁଁ ପ୍ରାଣପଣେ ଚେଷ୍ଟା କରିବି । ଭୟ କରିବାର କୌଣସି କାରଣ ନାହିଁ । ରୋଗୀ ଠିକ୍ ହୋଇଯିବ । ହେଲେ ଅଧ ଘଣ୍ଟା ଭିତରେ ରୋଗୀକୁ ଉପଯୁକ୍ତ ପରିମାଣରେ ରକ୍ତ ଦେବାକୁ ହେବ । –କହିଲେ ଡାକ୍ତର ବାବୁ ।

 

ସାମାନ୍ୟ ରକ୍ତ ଦାନରେ ମୋର ପ୍ରାଣ ଯାଉ ଭୟ ନାହିଁ ଡାକ୍ତର ବାବୁ । ଯଦି ମୋର ସୁହାସିନୀ ଚେତନା ଲାଭ କରେ, ଦେହ ତା’ର ଭଲ ହୋଇଯାଏ, ତେବେ ଅକୁଣ୍ଠିତରେ ରକ୍ତ ତର୍ପଣ କରିବାକୁ ମୁଁ ରାଜି ଅଛି ।

 

ଅତିଶୀଘ୍ର ଏମ୍ବୁଲେନ୍‍ସ ଅଣାଗଲା । ଏମ୍ବୁଲେନ୍‍ସ ଚାଲିଲା ଡାକ୍ତରଖାନା ଅଭିମୁଖେ । ବାପ ସାଥୀରେ ନୀଳା ଓ ଶ୍ୱେତପଦ୍ମା ଉଭୟେ ଅଛନ୍ତି ? ସମସ୍ତେ ଚାଲିଗଲେ ଡାକ୍ତରଖାନାକୁ । ଘରେ କେବଳ ବୁଢ଼ା ଚାକରଟି ।

 

ଡାକ୍ତରଖାନାର ଗୋଟିଏ କୋଠରୀ ଭିତରେ ଧାଁ ଧପଡ଼ ଲାଗିଚି । ସାଧାରଣତଃ କାଞ୍ଚନ ଜେନା ଗୋଟିଏ ଠିକାଦାର । ଦାନ ଧର୍ମରେ ଏହି କାଞ୍ଚନ ଜେନା ଅଯାଚିତ ଧନସମ୍ପଦ ପାଣିପରି ବୁହାଇ ଦେଇଛନ୍ତି । ଦିନେ ଉଜ୍ଜୟିନୀର ଗୁରୁଦତ୍ତର ଅବସ୍ଥା ଯାହା ଥିଲା ଏବଂ ପରିଶେଷରେ ଯାହା ହେଲା. ଠିକ୍ ସେହି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି କାଞ୍ଚନ ଜେନା । ତାଙ୍କର ବନ୍ଧୁ ବାନ୍ଧବରେ ସହରଟି ପରିପୂର୍ଣ୍ଣ ହେଲେ ମଧ୍ୟ ସେ ଆଜି କାଲି ଅନୁଭବ କରୁଛନ୍ତି ବନ୍ଧୁତାର ଅଭାବ ।

 

ଅନେକଙ୍କର ଶରୀରରୁ ରକ୍ତ ପରୀକ୍ଷା କରାଗଲା । ଏପରି କି କାଞ୍ଚନ ଜେନାର ମଧ୍ୟ । କିନ୍ତୁ ମହା ବିସ୍ମୟର କଥା, ସୁହାସିନୀର ରକ୍ତ ସହିତ କାହାରି ରକ୍ତ ଖାପ ଖାଇଲା ନାହିଁ । ରକ୍ତ ଭଣ୍ଡାରରୁ ରକ୍ତ ଆନୀତ ହେଲା । ତାହା ମଧ୍ୟ ଆସିଲା ନାହିଁ କୌଣସି ଦରକାରରେ ।

 

କାଞ୍ଚନ ଜେନା ମୁହଁମାରି କୋଠରୀର ଗୋଟିଏ କୋଣରେ ବସିଛନ୍ତି । କଥା ଭାଷା କିଛି ନାହିଁ କ୍ଷଣିକ ପାଇଁ । ଚାରିଆଡ଼ ଅନ୍ଧାର, ସବୁକିଛି ଅଦୃଶ୍ୟ ଦେଖାଯାଉଛି । ଆକାଶ ପାତାଳ ସବୁ ଯେମିତି ଏକ ହୋଇ ଯାଉଛି । କ'ଣ କରିବେ ସେ ? କୁଆଡ଼େ ଯିବେ ?

 

ସୁହାସିନୀ–ସ୍ୱପ୍ନର ଦେବୀ । ତପସ୍ୟାର ଫଳ । ତାକୁ ମୁଁ ବଞ୍ଚାଇ ପାରିବି ନାହିଁ । ମନରେ ଉଠିଲା ଭୀଷଣ ତୋଫାନ । ପାଇବାର ମୋହ ସ୍ୱତଃ ଯାହାର ଆଡ଼କୁ ଧାଇଁଯାଏ, ତାକୁ ଅଧବାଟରେ ଛାଡ଼ିଯିବି କିପରି ?

 

ଡାକ୍ତରବାବୁ ଆସି କହିଲେ, ହତାଶ ହେବାକୁ ପଡ଼ୁଛି । ମୁଁ ଏପରି କେସ୍ କେବେ ଦେଖିନାହିଁ । ଆଶ୍ଚର୍ଯ୍ୟ, କାହାରି ରକ୍ତର ସହିତ ଖାପ ଖାଉନାହିଁ । କ'ଣ କରିବାକୁ ହେବ ମୁଁ କିଛି ବୁଝିପାରୁ ନାହିଁ ।

 

ନୀଳା ଓ ଶ୍ୱେତପଦ୍ମା କାନ୍ଦିଲେ । ଗୋଲାପ ଫୁଲପରି ମୁହଁ ଦୁଇଟି ଶୁଖି ଚୋପା ପଡ଼ି ଯାଇଛି । କାନ୍ଦିଲେ, ବାପା–ମାଁ ଯିବୁ ।

 

ଆପଣ ଦୁଃଖ ନ କଲେ ଗୋଟିଏ କଥା କୁହନ୍ତି ।

 

ଦୁଃଖର ପ୍ରଶ୍ନ ଉଠୁନି ଡାକ୍ତର ଭାଇ । ତା' ପାଇଁ ତୁମେ ସବୁକିଛି କରିପାର ।

 

ନୀଳା ବା ଶ୍ୱେତପଦ୍ମାର ଦେହରୁ ରକ୍ତ ପରୀକ୍ଷା କରିବା ନିତାନ୍ତ ପ୍ରୟୋଜନ । କାଳେ ମା'କୁ ବଞ୍ଚାଇବା ପାଇଁ ଝିଅର ଜନ୍ମ । ମା' ଝିଅ ଉଭୟଙ୍କର ରକ୍ତର ସମ୍ବନ୍ଧ ଯୁଗେ ଯୁଗେ ଦୁଇଟି ଜୀବନର ସମ୍ବନ୍ଧ ।

 

ପ୍ରଥମେ ଶ୍ୱେତପଦ୍ମାର ରକ୍ତ ପରୀକ୍ଷା କରାଗଲା । ତା’ପରେ ନୀଳାର । କାଞ୍ଚନ ଜେନାର ଆଖିରୁ ଲୁହ ଗଡ଼ି ପଡ଼ୁଥାଏ ।

 

ସୁହାସିନୀ ଓ ନୀଳପଦ୍ମାର ରକ୍ତରେ ସାମଞ୍ଜସ୍ୟ ଅଧିକ ପରିମାଣରେ ଦେଖାଗଲା । କି ବିଚିତ୍ର ଏ ଜଗତ । କି ବିଚିତ୍ର ଏ ମା' ଝିଅର ସମ୍ବଦ୍ଧ । କାଞ୍ଚନ ଜେନା ଟିକିଏ ଅଶ୍ୱସ୍ତ ଅନୁଭବ କଲେ-। ଦୁଃଖର ଗୁରୁଭାର ଟିକିଏ ଲାଘବ ହେଲା । ଅଜାଣତରେ ଆଖିରୁ ଦି'ଧାର ଅଶ୍ରୁ ଝରି ପଡ଼ିଲା-। ରକ୍ତହୀନ, ମଳିନମୁଖୀ ଦୁର୍ବଳା ନୀଳପଦ୍ମାକୁ ଦେଖିଲେ । ଆସ୍ତେ ଆସ୍ତେ ତାକୁ ଉଠାଇ ଆଣିଲେ-

 

ହୁଏତ ନୀଳପଦ୍ମା ନ ଥିଲେ ସୁହାସିନୀ ଚିରଦିନ ପାଇଁ ଲାଭ କରି ପାରି ନ ଥାନ୍ତା । ରକ୍ତ ମଳିନ ଥିଲେ ହୁଏତ ସୁହାସିନୀ ତା’ର ନୟନ ପିତୁଳାକୁ ଦେଖି ପାରି ନ ଥାନ୍ତା । ନୀଳପଦ୍ମା ମା'କୁ ତା’ର ଜୀବନ ଦେଇ ପାରିଛି । କେତେବଡ଼ ଗର୍ବର ବିଷୟ । ସେ ନିଜ ମା'କୁ ନିଜ ପାଖକୁ ଟାଣି ଆଣିଛି । ମା'ର ଚୁମ୍ବନ ଧାରେ ଧାରେ ସରଗର ଅମୃତ ପାଇବାକୁ । ଆଉ ମା’–ସେ ପୁନର୍ବାର ଯେପରି ପାଇଛି ସରଗର ନିଧି । ସବୁକିଛି ଫେରି ପାଇଛି ସେ ।

 

ତିନିଘଣ୍ଟା ବିତି ଗଲାଣି ସୁହାସିନୀ ଚେତନା ଲାଭ କରିଛି । ମୁହଁରେ କଥା ଫୁଟିଛି । ସେ ଜାଣି ନାହିଁ ବା ତାକୁ କୁହା ହୋଇନାହିଁ ଯେ ନୀଳପଦ୍ମାର ରକ୍ତ ତାକୁ ବଞ୍ଚାଇ ପାରିଛି । କିନ୍ତୁ ଇତି ମଧ୍ୟରେ ଦେହର ଉତ୍ତାପ କମି ନାହିଁ । ୧୦୪, ୧ରୁ ଗୋଟିଏ ଡିଗ୍ରୀ ବଢ଼ିଛି । ଯେଉଁ ଝାଡ଼ାକୁ ସେହି ଝାଡ଼ା । ଝାଡ଼ାରେ ରକ୍ତ ଅଧିକ ପରିମାଣରେ ପଡ଼ୁଛି । କଲେରା ନୁହେଁ । ତଥାପି ଦୁଇତିନି ଘଣ୍ଟାରେ ପନ୍ଦରଟି ଝାଡ଼ା ହୋଇ ଯାଇଛି ।

 

କ'ଣ କରିବାକୁ ହେବ ? ଧନୀ ପାଖରେ ଧନ ଥାଇପାରେ କିନ୍ତୁ ଜୀବନ ଦେବାର ଶକ୍ତି ନାହିଁ । କାହୁଁ ଆସିବ ? କାଞ୍ଚନ ଜେନା ଚାହାନ୍ତି ଅଜସ୍ର ଟଙ୍କାର ବାଡ଼ବାନ୍ଧି କାଳର ସୁଅ ମୁହଁରୁ ସୁହାସିନୀର ଜୀବନକୁ ଅଟକାଇ ରଖନ୍ତେ । ହେଲେ ଦଇବ ସାହା ହେଲ ତ ?

 

ସୁହାସିନୀ ସ୍ୱାମୀଙ୍କୁ ଡାକି ପଠାଇଲା ପାଖକୁ । ସେ ଛୁଆଟି ପରି କଇଁ କଇଁ କାନ୍ଦିଲେ ।

 

ଗମ୍ଭୀର ହୋଇ ମୁହଁରେ ଦରଫୁଟା ହସଫୁଟାଇ କାଞ୍ଚନ ଜେନା କହିଲେ ଦୁଶ୍ଚିନ୍ତା ମନରୁ ଦୂରକର ସୁହା । ଡାକ୍ତର କହିଛନ୍ତି ତୁମେ ଅତି ଶୀଘ୍ର ଭଲ ହୋଇଯିବ ।

 

କାଞ୍ଚନ ଜେନା ସୁହାସିନୀକୁ ହୃଦୟର ସହିତ ଭଲ ପାଆନ୍ତି । ସ୍ତ୍ରୀର ସବୁ ଗୁଣ, ସବୁ ରୂପ ତାଙ୍କ ଆଖିରେ କେତେ ଭଲ ଦିଶେ । କହିଲେ, ସୁହାସିନୀ, ଭଗବାନଙ୍କର କଲ୍ୟାଣ ନେଇ ତମରି ଜନ୍ମ । ଚିନ୍ତା କର ନାହିଁ । ତୁମେ ଭଲ ନ ହୋଇ ଯିବ କୁଆଡ଼େ ? ମଙ୍ଗଳମୟ ପରମେଶ୍ୱର କାହାରି ଅନିଷ୍ଟ ଚିନ୍ତା କରନ୍ତି ନାହିଁ ।

 

ଦିନପରେ ରାତି ଆସିଲା । ସହରର ବିଜୁଳି ଆଲୁଅ ଟପ ଟପ୍ ହୋଇ ଜାଳି ଉଠିଲା । ମନ୍ଦିର ମଧ୍ୟରେ ଘଣ୍ଟା, ଶଙ୍ଖ ବାଜି ଉଠିଲା । ଦେବ ମନ୍ଦିରର ଶବ୍ଦ ସୁହାସିନୀର କାନରେ ବାଜିଲା ।

 

ଘଡ଼ିଏ ହେଲାଣି ସୁହାସିନୀର ଅବସ୍ଥା ନିତାନ୍ତ ଖରାପ ହୋଇ ପଡ଼ିଛି, ଆଶା ନାହିଁ ।

 

ରୋଗୀର ଗୋଡ଼ ପାଖରେ ବସି ଅଶ୍ରୁ ଗଡ଼ାଉଛନ୍ତି ସ୍ୱାମୀ । ନୀଳା ଓ ଶ୍ୱେତପଦ୍ମା ମୁଣ୍ଡର ଦୁଇପାଖରେ ଛିଡ଼ାହୋଇଛନ୍ତି । ମା'ର ମୁହଁକୁ ଚାହିଁଛନ୍ତି ନାଡ଼ିର ଗତି ସେତେ ମନ୍ଦ ନୁହେଁ । ହେଲେ କିଛି ଭୟ ଅଛି । ସୁହାସିନୀ ଅତି ଦୁର୍ବଳା ହୋଇ ପଡ଼ିଛି । କଥା କହିବାର ଶକ୍ତି ନଥିଲେ ବି ଦି’ ଚାରି ପଦ କହି ପାରୁଛି । ଉଚ୍ଚ ସ୍ୱରରେ କାନ୍ଦିଲେ ତା’ର ଛାତି ଜଳି ପୋଡ଼ି ଯାଉଛି । ହେଲେ ଅଶ୍ରୁ ଦି'ଧାର ଜଣାଇ ଦେଉଛି ତା’ର ହୃଦୟର ବେଦନା, ମାତୃସ୍ନେହର ପରାକାଷ୍ଠ ।

 

ମାତୃସ୍ନେହର ଆଧାର ମା’ । ନୀଳା ଓ ଶ୍ୱେତପଦ୍ମା ତାହାହିଁ ପାଇବାକୁ ବ୍ୟାକୁଳ ।

 

ରାତିର ଦଶ ବାଜିଲା । ଘର ଭିତରେ ଡାକ୍ତର ଓ ନର୍ସମାନଙ୍କର ପଦ ଶବ୍ଦ ବାହାରୁ ଜଣ ପଡ଼ୁଛି । ହଠାତ୍ ଡାକ୍ତର ନାଡ଼ି ପରୀକ୍ଷା କରି ନର୍ସର କାନରେ କହିଲେ, ନାଡ଼ିର ଗତି ସମ୍ପୂର୍ଣ୍ଣ ଭାବେ ମନ୍ଦ ଆଡ଼କୁ ଧାଇଁଲାଣି । ଆଉ ଆଶା ନାହିଁ । ବଡ଼ ଡାକ୍ତରଙ୍କୁ ଡାକି ଆଣ ।

 

ଡାକ୍ତର ବାବୁ, ଚିତ୍କାର କଲେ କାଞ୍ଚନ ଜେନା ।

 

ସୁହାସିନୀ ସ୍ୱାମୀର ନୟନକୁ ସତୃଷ୍ଣ ନୟନରେ ଚାହିଁ ରହିଛି । ସତେ ଯେପରି ସେ ତା’ର ଶେଷ ଉକ୍ତି ସ୍ୱାମୀକୁ କହିବାକୁ ଚାହେଁ । ସୁହାର ମୁହଁକୁ ଚାହିଁ କାଞ୍ଚନ ଜେନାର ଆଖିରୁ ଅଶ୍ରୁ ପଡ଼ିଗଲା ।

 

ବଡ ଡାକ୍ତର ଆସି ପହଞ୍ଚିଲେ । ରୋଗୀକୁ ପରୀକ୍ଷା କରି ପାଖରେ ଛିଡ଼ାହୋଇଥିବା ଡାକ୍ତରଙ୍କୁ ଡାକି କହିଲେ, କ'ଣ ଆଉ ବିଶେଷ କିଛି କରାଯାଇ ପାରେ.... । ଆଚ୍ଛା ଚେଷ୍ଟା କରାଯାଉ-

 

ଏଗାରଟା ହେଲା । ରୋଗୀର ଅବସ୍ଥା ଆଉ ଟିକିଏ ସାଙ୍ଘାତିକ ହେଲାଣି । ବାରଟା ବାଜିଲା । ଡାକ୍ତରଖାନାର ପଛପାଖ ବିଲରେ ବିଲୁଆର ଡାକ, ବତିଖୁଣ୍ଟତଳେ କୁକୁରଟିଏ ବସି ରଡ଼ୁଛି । ବଡ଼ ବରଗଛର ଡାଳରେ ବସିଛି ଦୁନିଆଁଯାକର ଅଶୁଭ ପେଚା । ଆକାଶରେ କଳାମେଘ ଘୋଟି ଆସୁଛି । ଏଇଲାଗେ ବର୍ଷା ହୋଇଯିବ । ସମୟ ସମୟରେ ବିଜୁଳି ଦେହରୁ ଝାପସା ଆଲୁଅ ଭୂଇଁ ଉପରେ ବିଛେଇ ହୋଇ ପଡ଼ୁଛି । ସୁ ସୁ ଥଣ୍ଡା ପବନ ବହୁଛି । ପଉଷ ମାସ । ଦେହ ଥରି ଉଠୁଛି ।

 

ବିଜୁଳି ଆଲୁଅରେ ଡାକ୍ତରଖାନାର ଗୋଟିଏ ନିଭୃତଘର ଆଲୋକିତ ହୋଇଛି । ଚୌକିରେ ବଡ଼ ଡାକ୍ତର ରାମ ମୋହନ ଆସୀନ । ରୋଗୀ ପାଖରେ ତିନୋଟି ନର୍ସ ଦଣ୍ଡାୟମାନ । ରୋଗୀର ମୁଣ୍ଡପାଖରେ କାଞ୍ଚନ ଜେନା ଛିଡ଼ା ହୋଇଛନ୍ତି । ନୀଳା ଓ ଶ୍ୱେତପଦ୍ମା ସୋଇ ପଡ଼ିଛନ୍ତି ।

 

କାଞ୍ଚନ ଜେନା ସୁହାସିନୀର ମୁଣ୍ଡ ଉପରକୁ ହାତନେଲେ । ଅଲରା ବାଳ କେରାଏ କପାଳ ଉପରେ ଦୋହଲୁଥିଲା । ତାକୁ ସଜାଡ଼ି ଦେଲେ । ମଉଳା ସରାଗହୀନ ମୁହଁରେ କ୍ଷଣିକ ପାଇଁ ହାତ ବୁଲାଇ ନେଲେ । ଏକି, ଦେହଟି ବରଫ ପରି ଶୀତଳ । ହାତକୁ ନିଜହାତରେ ଥୋଇଲେ । ଅନୁଭବ କଲେ ଥଣ୍ଡା, ଭୀଷଣ ଥଣ୍ଡା । ସାରା ଶରୀର ଗୋଟିଏ ବରଫର ପ୍ରସ୍ତର ଯେପରି । କାଞ୍ଚନ ଜେନାର ଡାକରେ ଡାକ୍ତରଦ୍ୱୟ ଦୌଡ଼ି ଆସିଲେ ରୋଗୀ ପାଖକୁ । ନୀଳା ଓ ଶ୍ୱେତପଦ୍ମା ମଧ୍ୟ ଉଠିପଡ଼ିଲେ ନିଦରୁ । ତାଙ୍କର ମା’ ମା’ ଡାକରେ ଘରଟି ଭାଙ୍ଗି ପଡ଼ିଲା ।

 

ତା’ପରେ–

 

ଦୂର ଗହୀର ମଝିରେ ଥିବା ଝଙ୍କାଳିଆ ବରଗଛ ଉପରୁ ପେଚା ଛାଡ଼ିଲା ରଡ଼ି । ଓଃ କି ଭୀଷଣ ତା’ର ରଡ଼ି । ପଡ଼ିଆର ଆର ପାଖରୁ ବିଲୁଆଦଳ ଡାକ ଛାଡ଼ିଲେ ହୁକେ, ହୋ ।

 

ସମସ୍ତଙ୍କର ଆଖିରୁ ଲୁହ ଗଡ଼ିଚାଲିଛି । କାଞ୍ଚନ ଜେନା ପାଗଳ ପରି କାନ୍ଦୁଛନ୍ତି । ନିଜ ହାତରେ ସୁହାସିନୀର ହାତ । ନୀଳା ଓ ଶ୍ୱେତପଦ୍ମା ଉଭୟଙ୍କୁ ନିଜ କତିକି ଆଣିବା ପାଇଁ ସେ ଇଙ୍ଗିତ କଲା । ଗାଲରେ ଚୁମ୍ବନ ଦେଇ ସୁହାସିନୀ କ'ଣ କହିଥାନ୍ତା, ଚୁମ୍ବନର ମାଧ୍ୟମରେ ଚିରଦିନ ପାଇଁ ଦୁଇଗାଲରେ ମାତୃସ୍ନେହ ଭରିଦେଇଥାନ୍ତା, କିନ୍ତୁ ସେପରି କରିବା ଆଗରୁ ତା’ର ଅମର ଆତ୍ମା ମର ଶରୀର ଛାଡ଼ି ଚାଲିଗଲା । ସବୁ ଶେଷ–

 

ସୁଖର ସୌଧ ପୂର୍ଣ୍ଣାଙ୍ଗପ୍ରାପ୍ତ ହୋଇ ପାରିଲା ନାହିଁ ।

 

ମା'ର ପବିତ୍ର ଆତ୍ମାକୁ ସାକ୍ଷୀରଖି, ତା’ରି ସ୍ମୃତିକୁ ହୃଦୟରେ ସ୍ଥାନ ଦେଇ ତାଙ୍କରି ଉଦ୍ଦେଶ୍ୟରେ ଜ୍ୟୋତ୍ସ୍ନାବିଧୌତ ରଜନୀର କୋଳରେ ଯେଉଁ ଦୁଇଟି କପୋତ ଓ କପୋତୀ, ସ୍ୱାମୀ ଓ ସ୍ତ୍ରୀ ଆତ୍ମାକୁ ଆତ୍ମାରେ ମିଳାଇ ପାଖ ପାଖ ହୋଇ ତଳେ ବସି, ମୁଣ୍ଡ ନୁଆଁଇ ପ୍ରତିଜ୍ଞା କରିଥିଲେ–ମଲେ ଦୁହେଁ ଏକା ସାଥୀରେ ମରିବା । ଆଜି ସେହି ଦିଓଟି ଆତ୍ମାରୁ ଗୋଟିକର ଜ୍ୟୋତି ନିଭି ଯାଇଛି ଚିରଦିନ ପାଇଁ ।

ମଣିଷର ଆଶା ରହେ ନାହିଁ । ଆୟୁ ପୂରି ଆସେ । ଦଇବ ଚାହିଁ ବସିଥାଏ । ସମୟ ଆଗେଇ ଆସେ । ମଣିଷ ଆଖି ବୁଜେ ।

ଅଧରାତିରେ ଅର୍ଦ୍ଧାଙ୍ଗିନୀ ସୁହାସିନୀ ସ୍ଵାମୀଠାରୁ ବିଦାୟ ନେଇ ଚାଲିଗଲା । ସେହି ରାତିରେ କାଞ୍ଚନ ଜେନାର ସ୍ନେହ, ମମତା, ପ୍ରେମ ଓ ଅଶ୍ରୁ ସୁହାସିନୀକୁ ତା’ର ଗନ୍ତବ୍ୟ ପଥରୁ ଅଟକାଇ ପାରିଲା ନାହିଁ । ଲୁହଭିଜା ଆଖିରେ ଯେତେବେଳେ ତାଙ୍କର ଧରିଲା ହାତରୁ ନିଜର ପ୍ରାଣପ୍ରିୟା ଜୀବନର ଜୀବନ ସୁହାସିନୀର କଙ୍କଣ ପିନ୍ଧା ହାତ ଖସି ପଡ଼ିଥିଲା, ସେତେବେଳେ କାଞ୍ଚନ ଜେନା ପଚାରିଥିଲେ ପାଗଳପରି–ତୁମେ କେବେ ଆସିବ ?

କିନ୍ତୁ ଯେ ଯାଏ ସେ ଆଉ ଫେରେ ନାହିଁ । କେବଳ ସ୍ମୃତି ଟିକକ ଦୁନିଆଁରେ ପଡ଼ିରହେ-। ଖୋଜିଲେ ତା’ ଛଡ଼ା ଆଉ କିଛି ମିଳେନାହିଁ । କାରଣ ସେତେବେଳେ ମଣିଷର ଜୀବନ ଓ ଶରୀର ହୋଇଥାଏ ମଶାଣିର ଖାର । ଜୀବନ ଓ ଖାର । ମଣିଷର ଚାନ୍ଦ ଧରିବା ଚେଷ୍ଟା ବିଫଳ ହୁଏ । ଯେଉଁ ବାଟରେ ସେ ଆସିଥାଏ, ସେହି ବାଟରେ ସେ ଫେରିଆସେ । ଅଜଣା ଅଶୁଣା ଭାବରେ–ମଣିଷ ମରେ, ଦେହ ପୋଡ଼ି ଜଳି ପାଉଁଶ ହୁଏ । ଆଉ ସେ ଫେରି ଆସେନା । କି ବିଚିତ୍ର ଏ ଜଗତ ଏବଂ ମଣିଷର ପ୍ରେମ । ପ୍ରେମର ପ୍ରତିବନ୍ଧକ ହୁଏ ଶେଷରେ ମରଣ ।

ତହିଁ ଆରଦିନ ମଶାଣିରେ ନିଜର ଅର୍ଦ୍ଧାଙ୍ଗିନୀକୁ ଛାଡ଼ି ଆସିଛନ୍ତି । ସୁଖର ସୌଧ ସେଇଠି ଜଳି ଯାଇଛି । ମା’ ଛେଉଣ୍ଡ ଦୁଇଟି ଝିଅ ନୀଳା ଓ ଶ୍ୱେତ । ଦୁହିଁଙ୍କର ଆଖି ସର୍ବଦା ଲୁହରେ ତିନ୍ତି ରହିଛି । ବାପର ଆଖିରୁ ମଧ୍ୟ ଅଶ୍ରୁଧାର ଛୁଟି ଚାଲିଛି । ଶୂନ୍ୟ ଗୃହ । ତାଙ୍କ ମନରେ ଧାରଣା–ଏ ଜୀବନରେ ସୁହାସିନୀ କ'ଣ କିଛି ଛାଡ଼ି ଯାଇନାହିଁ ?

ସ୍ମୃତି–ନୀଳା ଓ ଶ୍ୱେତପଦ୍ମା କେବଳ ।

ସୁହାସିନୀ ମରିବା ଆଗରୁ ସ୍ୱାମୀଙ୍କୁ ପାଖରେ ବସାଇ କହିଥିଲା–କେଇଟି ବରଷର ଘରକରଣା ସୁଖ, ଦୁଃଖ ଓ ପ୍ରେମର ସୁଅରେ ଭାସି ଯାଇଛି । କେହି ବୁଝୁ ନ ବୁଝୁ ହେଲେ ମୁଁ ବୁଝିଛି ତୁମର ହୃଦୟ । ବିଶ୍ୱାସ କରି ନ ଥିଲି ଏତେ ଶୀଘ୍ର ତୁମଠୁଁ ମୁଁ ଲୁଚି ଯିବି ବୋଲି । ମନେ ମନେ ମୁଁ କାନ୍ଦିଛି, ନେହୁରା ହୋଇଛି ଦଇବ ଆଗରେ, ପ୍ରାର୍ଥନା କରିଛି । –ମୋତେ ନେଇଗଲେ ବାପ ଝିଅର ଅବସ୍ଥା କ'ଣ ହେବ । କିନ୍ତୁ ମୋର ପ୍ରାର୍ଥନା ଦଇବର ମନକୁ ପାଇଲା ନାହିଁ । ତୁମର ଧାରୁଆ ହୋଇ ସଂସାରରୁ ମୁଁ ଚାଲି ଯାଉଛି । ସ୍ତ୍ରୀର ପ୍ରାପ୍ୟ ଯାହା ତୁମେ ତାହା ଦେଇଚ, ସ୍ୱାମୀ ଠାରୁ ସ୍ତ୍ରୀର ଯାହା କାମ । ତାହା ତୁମେ ପୂରଣ କରିଛ । ନାରୀର ଏକମାତ୍ର ସୁଖର ଆଧାର ତା’ର ସ୍ୱାମୀ । ହେଲେ ପ୍ରେମର ପ୍ରତିଦାନ ମୁଁ ପୁରାଭାବେ ଦେଇ ପାରିଲି ନାହିଁ । ମୁଁ ଭାବୁଛି ବହୁ ସାଧନା, ବହୁ ପରିଶ୍ରମ ସତ୍ତ୍ୱେ ତୁମକୁ ସାରା ଜୀବନପାଇଁ ସୁଖୀ ରଖି ପାରିଲି ନାହିଁ । ମୁଁ ଭାବୁଛି ବହୁ ସାଧନା, ବହୁ ପରିଶ୍ରମ ସତ୍ୱେ ତୁମକୁ ସାରା ଜୀବନପାଇଁ ସୁଖୀ ରଖି ପାରିଲି ନାହିଁ । ତା’ ଛଡ଼ା ନିଜେ ମଧ୍ୟ ଜୀବନର ଅମୃତ ପୂର୍ଣ୍ଣମାତ୍ରାରେ ପାନ କରି ପାରିଲି ନାହିଁ ।

 

ନାରୀ ସନ୍ତାନବତୀ ନ ହେବା ଯାଏଁ ଜୀବନର ପୂର୍ଣ୍ଣତା ଉପଲବ୍ଧି କରିପାରେ ନା । ଯାହାହେଲେ ମଧ୍ୟ ଅତିରିକ୍ତ ସମୟ ପାଇଁ ତୁମକୁ ମୁଁ ସୁଖୀ ରଖି ପାରୁନାହିଁ । ସେଥିପାଇଁ କ୍ଷମା ଦେବ । ନୀଳପଦ୍ମା ଓ ଶ୍ୱେତପଦ୍ମା ରହିଲେ । ତାଙ୍କର ଭବିଷ୍ୟତ ଜୀବନର ଭାର ତୁମ ଉପରେ ରହିଲା । ତୁମେ ଦିନେ କହିଥିଲ ନା, ଝିଅମାନଙ୍କୁ ସଂସାରରେ ପ୍ରବେଶ କରାଇବାର ଭାର ମା’ ଉପରେ ଥାଏ । ଆଜି ସେହି ଭାର ତୁମ ଉପରେ ନ୍ୟସ୍ତ କରି ଯାଉଛି । ଯେତେବେଳେ ନୀଳା ଓ ଶ୍ୱେତପଦ୍ମା ବଡ଼ ହେବେ, ସଂସାର କ'ଣ ଜାଣିବେ, ମା'ର ଅର୍ଥ ବୁଝିବେ । ବୁଝିବେ ଯେତେବେଳେ ହୃଦୟରେ ବ୍ୟଥା ଆସେ କେଉଁ କାରଣରୁ ସେତେବେଳେ ମୋର ସ୍ମୃତିରେ ଅଶ୍ରୁ ଢାଳିବେ ନିଶ୍ଚୟ । ଆଜି ଅଜ୍ଞାନ ବଶତଃ ମୋର ଆସିବା ବାଟକୁ ଚାହିଁ ବସିଥିବେ । କିନ୍ତୁ ମୁଁ କ'ଣ ଆସିବି ଆଉ ? ତାଙ୍କ ପାଇଁ ମୋର ହୃଦୟ ଫାଟି ଯାଉଛି । ମୁଁ ଯାଉଛି ସ୍ୱାମୀ । ଅନ୍ତର ଭିତରେ କାନ୍ଦି କାନ୍ଦି ଯାଉଛି-। ରହିଲା ଏ ଛୋଟ ପରିବାର ମୋର । ନୀଳାକୁ କହିବି ମୁଁ ତା’ ପାଇଁ ଜହ୍ନମାମୁଁ ଆଣିବାକୁ ଯାଇଛି-। ହୁଏତ ବର୍ଷ ବର୍ଷ ଲାଗିଯିବ । ଆଉ ଶ୍ୱେତ ପଦ୍ମା, ତାକୁ ସାଥୀରେ ନେଲିନାହିଁ । କାରଣ ମୋ ସାଥୀରେ ଯିବାକୁ ତା’ର ସମୟ ହୋଇନାହିଁ । ତୁମେ ମୋର ସାଦର ଚୁମ୍ବନ ନେବ । ଯାଉଛି ଚିରଦିନ ପାଇଁ । ଆଉ ଫେରିବି ନାହିଁ । ଦିନେ ସୁହାସିନୀ ମୋର ଥଳୀବୋଲି ମନେରଖି ଥିବ-। ସ୍ମୃତି ଟିକକ ଦୁନିଆଁରେ ସବୁକିଛି ।

ହଠାତ୍ କାଞ୍ଚନ ଜେନା ଭାବନା ରାଜ୍ୟରୁ ଫେରି ଆସିଲେ । ଆଖିରୁ ଝରୁଥିବା ଲୁହକୁ ପୋଛିଲେ ମଧ୍ୟ ଛୁଟି ଚାଲିଛି ଲୁହଧାର । ଦେହର ବସନ ଉପରେ ଟପ ଟପ ପଡ଼ିଛି ଅଶ୍ରୁବିନ୍ଦୁ । ସେ ଦେଖିଲେ, ଶ୍ୱେତପଦ୍ମା କାନ୍ଦୁଛି । ନୀଳା ପାଖରେ ଛିଡ଼ାହୋଇ ହାତ ଟାଣୁଛି ।

ଲୁହପୋଛି କହିଲେ, କ'ଣ ହେଲା ମା’ କାହିଁକି କାନ୍ଦୁଛୁ ? କେଉଁଠାକୁ ଯିବୁ ?

ନୀଳା କହିଲା, ବାପା କ'ଣ ହେଲା ତୁମର, କାହିଁକି କାନ୍ଦୁଛ ?

–ନା କାନ୍ଦିବି କିଆଁ ? ଲୁହ ପୋଛି ପୁଣି କହିଲେ, ଏଇ ଦେଖ ମୁଁ କାନ୍ଦୁନାହିଁ ।

ନୀଳାକୁ ଟାଣିନେଇ କୋଳକୁ କହିଲେ ମନେ ମନେ, ଏହି ଦି’ଟୋପା ଲୁହ ତୋ ମା’ର ସ୍ମୃତିକୁ ଧୋଇ ଦେଇ ପାରିବି ନାହିଁ ନୀଳା । ଦି’ଟୋପା ଲୁହ ତୋର ମା'ର ଜୀବନର ମୂଲ୍ୟ ମୁଁ କ'ଣ ଜଗତର ଲକ୍ଷ ଜୀବନ ମଧ୍ୟ ଦେଇ ପାରିବ ନାହିଁ ।

–ବାପା, ମା’ କୁଆଡ଼େ ଗଲା, ଦୁଧ ଦେବ କେତେବେଳେ ?

ଏପରି ବେଦନାଭରା କଥା ଶୁଣି କାଞ୍ଚନବାବୁ ବିଶେଷ ଦୁଃଖ ଅନୁଭବ କଲେ । କହିଲେ, ତୋର ମା’ ତୋ'ପାଇଁ ସରଗର ଚାନ୍ଦ ଆଣିବାପାଇଁ ଯାଇଛି । କହିଛି, ଆଣୁ ଆଣୁ ବରଷେ ଲାଗିଯିବ । ଆଉ ସେ......କଥା ମୁହଁରେ ଅଟକି ଗଲା । ଶକ୍ତି ହେଲା ନି ତାଙ୍କର ବାକ୍ୟଟି ପୂରଣ କରିବାକୁ । ଶ୍ୱେତପଦ୍ମାକୁ ନିଜର ଛାତି ଉପରେ ଆଉଜାଇ ନେଇ କହିଲେ, ଶ୍ୱେତପଦ୍ମା ତୋ ମା’ କହିଛି ତୁ ବଡ଼ ହେବୁ, ମଣିଷ ହେବୁ, ସଂସାର ବୁଝିବୁ । ତେଣୁ ତା'ସହିତ ଯିବାର ବେଳ ତୋର ହୋଇ ନାହିଁ ।

ଶ୍ୱେତପଦ୍ମା ଜିଦ୍ ଧରି ବସିଲା, ଯିବି ଯିବି କହି ।

ମୁଁ ଯିବି ତା’ ସଙ୍ଗରେ ବାପା ।

ଅଶ୍ରୁପୂର୍ଣ୍ଣ ଚକ୍ଷୁ ଦୁଇଟାକୁ ଉପରକୁ କରି ବାପ କହିଲେ କୁଆଡ଼କୁ ଯିବୁ ମା । ଦଇବ ଯାହାକୁ କହେ ଆସିବାକୁ, ସେ ଯାଏ ସିନା । ଏତେ ତରତର କାହିଁକି ମା’ । ଯିବାର ସମୟ ହେଲେ, କେହି କାହାକୁ ରଖିପାରିବେ ନାହିଁ ।

 

ବହୁ ବର୍ଷତଳର ଘଟଣା କାଞ୍ଚନ ଜେନାର ଚକ୍ଷୁ ଆଗରେ ଉଦ୍‍ଭାସିତ ହୋଇ ଉଠିଲା । ଏହି ସଞ୍ଜବେଳେ । ପ୍ରଥମ ସାକ୍ଷାତରେ ଚାରିଚକ୍ଷୁର ମିଳନ ଘଟିଥିଲା । ଏହିପରି ଗୋଟିଏ ସନ୍ଧ୍ୟାରେ ଆତ୍ମା ଆଡ଼କୁ ଆତ୍ମା ଟାଣିହୋଇ ଥିଲା । ବୟସ ଚାହିଁଥିଲା ତାକୁ । କାରଣ ସେଦିନ ସୁହାସିନୀ ଥିଲା ସୁନ୍ଦରୀ ଯୁବତୀ ।

 

କିନ୍ତୁ ଆଜିର ସନ୍ଧ୍ୟା–ମିଳନର ନୁହେଁ, ଯୌବନର ନୁହେଁ । କେବଳ ଅଶ୍ରୁରେ ଆଚ୍ଛାଦିତ ଛନ୍ଦହରା ଏକ ବିଚ୍ଛେଦର ଅଶୁଭ ଲଗ୍ନ । ଜୀବନଟି ହାହୁତାଶରେ ପୋଡ଼ିଯିବା ପାଇଁ ଏ ସନ୍ଧ୍ୟାର ଆଗମନ ।

 

ଏହିପରି ଅନେକ ସନ୍ଧ୍ୟା ବିତି ଯାଇଛି । ସନ୍ଧ୍ୟାର ଅବଗୁଣ୍ଠନ ତଳେ ଦୁଃଖେ ସୁଖେ ବିତି ଯାଇଛି ଅନେକ ଦିନ । ସୁହାସିନୀ ମରିଯିବାର ତିନି ମାସ ହୋଇ ଗଲାଣି । ଲୋକେ କହନ୍ତି ସମୟରେ ସୁଅ ମୁହଁରେ ମଣିଷ ଯେତିକି ଭାସି ଗଲେ ତା’ର ଅତୀତକୁ ସେ ସେତିକି ଭୁଲି ଯାଏ, ଅତୀତର ସ୍ମୃତି ସେତିକି ପୁରୁଣା ହୁଏ । ସ୍ମୃତି ଆଲୁଅର ଶିଖା ବଡ଼ରୁ ଛୋଟ ହୁଏ । ଶେଷରେ ନିଭିଯାଏ । ବର୍ତ୍ତମାନର ମନନିବେଶ କରେ ମଣିଷ, ଅତୀତକୁ ଭୁଲିଯାଇ ।

 

ନୂଆ ସଂସାର ଗଢ଼େ ।

 

କିନ୍ତୁ କାଞ୍ଚନ ଜେନା ସୁହାସିନୀର ସ୍ମୃତିକୁ ହୃଦୟୁ ପୋଛିଦେଇ ନାହାନ୍ତି । ତାକୁ ସେ କେବେ ଭୁଲି ପାରିବେ ନାହିଁ । ତା’ର ସ୍ମୃତିକୁ ଆଡ଼େଇ ଛିଡ଼ା ହୋଇ ପାରିବେ ନାହିଁ ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଏ ଅବସ୍ଥାର ପିଣ୍ଡରେ ପ୍ରାଣଥିବ । ନୀଳା ଓ ଶ୍ୱେତକୁ ବିଧାତା ଯେତେଦିନ ଯାଏଁ ରଖି ଥିବେ ସେତେଦିନ ଯାଏଁ କାଞ୍ଚନ ଜେନାର ଆଖିରୁ ଅଶ୍ରୁ ଝରୁଥିବ ସ୍ମୃତିର ପୂଜାରୀ ହୋଇ ।

 

ଅନ୍ଧାର ହୋଇ ଆସୁଛି । ଆରାମ ଚୌକିରେ କାଞ୍ଚନ ଜେନା ବସି କେତେ କ'ଣ ଭାବୁଛନ୍ତି । ଘରର ଗୋଟିଏ ନିଭୃତ କୋଣରେ ଶ୍ୱେତପଦ୍ମା କାନ୍ଦୁଛି । ଘରେ ଅନେକ ଦିନର ପୁରୁଣା ଚାକର ଭିଖୁ । ରନ୍ଧା ବଢ଼ା କରେ । ଭିତର ବାହାର ଘରର ଯାବତୀୟ କାମଦାମ କରେ ସେ । ଅନ୍ୟାନ୍ୟ ଚାକରମାନଙ୍କୁ ମାଲିକଠୁଁ ପାଉଣା ଆଣି ଦେବା କାର୍ଯ୍ୟଠାରୁ ସମୟ ଅସମୟରେ ତାଙ୍କଠାରୁ କାମ ହାସଲ କରିବା ସଙ୍ଗେ ସଙ୍ଗେ, ଛୁଆମାନଙ୍କର ପରିଚର୍ଯ୍ୟା ନେବା କାମ ନିଜ ମୁଣ୍ଡରେ ବହିଛି । ସେ ଏକରକମର ଘରର ଦ୍ଵିତୀୟ ମାଲିକ, ସର୍ବେ ସର୍ବା । ତା’ଉପରେ ଅବିଶ୍ୱାସ କାହାରି ନ ଥାଏ । ଏପରିକି ଭଣ୍ଡାର ଘରର ଚାବି ତା'ପାଖରେ ମହଜୁଦ ଥାଏ । ଅର୍ଥାତ୍ ଆଜିକାଲି କାଞ୍ଚନବାବୁ ଏହି ପାରିବାରିକ ଚିନ୍ତାନେଇ ଅମୁହାଁ ହୋଇ ପଡ଼ିଛନ୍ତି ।

 

–ବାବୁ ଚା', ଭିଖୁ ଆସି ଡାକଦେଲା ।

 

କିଛି ଉତ୍ତର ନାହିଁ । ଆଖି ବନ୍ଦକରି କାଞ୍ଚନବାବୁ ନିଜ ଚିନ୍ତାରେ ବିଭୋର । ଦୁଇଥର ଡାକିଲା । ଆଉଥରେ ବଡ ପାଟିରେ ଡାକ ଛାଡ଼ିଲା–ବାବୁ ଚା' ନିଅ ।

 

ଏ ଥରକ ସେ ଆଖି ଖୋଲିଲେ । କହିଲେ, ଆରେ ଭିଖୁଦାଦା ଟିକିଏ ଘୁମେଇ ପଡ଼ିଥିଲି । ଚା’ ଆଣିଛୁ, ରଖିଯା । ନୀଳା ଗଲା କୁଆଡ଼େ । ସେହି ବାହାର ଘରେ ବସି କାନ୍ଦୁଛି । ଯେତେ ବୁଝାଇ କହିଲେ ବି ଆସୁନି । ତାକୁ ଧରି ଆସ ।

 

ଭିଖୁ ଚାଲି ଯାଉଥିଲା । ନିଜ ମାଲିକ ଡାକରେ ଫେରି ଚାହିଁଲା ।

 

ଚା'ରେ ଭଲ ଚିନି ଲାଗିନି, ଆଉ ଟିକିଏ ଆଣି ଦେଲୁ । ତା’ପରେ ଦୁଇଝିଅଙ୍କୁ ପାଖରେ ଆଣି ବସାଇଲେ । ଚିନି ସହିତ ଆଉ ଦିକପ୍ ଚା’ ଧରି ଭିଖୁ ଆସି ଉପସ୍ଥିତ ହେଲା ।

 

ସେ ପଚାରିଲେ, ହଇଲୋ ଶ୍ୱେତ ତୋତେ କିଏ କ’ଣ କଲାକି ଯେ ଏତେ କାନ୍ଦୁଛୁ ?

 

କଥା ଛଡ଼ାଇ ନେଇ ଭିଖୁ କହିଲା, କେତେବେଳଠୁଁ କାନ୍ଦୁଛି । ତମକୁ କ'ଣ ମାଲୁମ ଅଛି-। ତମ ଦୁନିଆଁ ନେଇ ସପନର ଜାଲ ଭିତରେ ତମେ ବନ୍ଦୀ । କ'ଣ ଜାଣିବ ?

 

'ଭିଖୁଦାଦା' ଜହ୍ନ ମାମୁଁକୁ ନୀଳା ଦେଖି କହିଲା 'ମା ଜହ୍ନମାମୁଁ ଆଣିଲେ ମୁଁ ଶ୍ୱେତକୁ ଦେବି ନାହିଁ । ମୁଁ ମୋର ପୁଅଟିକୁ ଦେବୀ । ଶ୍ୱେତ ମୋତେ ମାରୁଛି ।

 

କାଞ୍ଚନବାବୁ ଓ ଭିଖୁ ଉଭୟେ ତା'ର କଥା ଶୁଣି ଚକିତ ହୋଇ ତାକୁ ଚାହିଁ ରହିଲେ ।

 

ଭିଖୁ କିଛି ଉତ୍ତର ଦେଇ ପାରିଲା ନାହିଁ ।

 

କୋଳକୁ ଆସି ଶ୍ୱେତ କହିଲା, ମା’ କେବେ ଆସିବେ ଦାଦା ? ସେ ଆମକୁ ଛାଡ଼ି ଯାଇଛି କାହିଁକି ? ଆମେ ତା’ ପାଇଁ କେତେ କାନ୍ଦୁଛୁଁ ସେ କ'ଣ ଆମ ପାଇଁ କାନ୍ଦୁଥିବ ?

 

କଥାର ମୋଡ଼ ବଦଳେଇ ଦେଇ ଭିଖୁ କହିଲା, କେତକୀ ବନାନୀ, ସବିତା, ସୁଦ୍ଧା ସମସ୍ତେ ସାଥିରେ ଖେଳିବାକୁ ଆସିଲେଣି । ଯାଅ ବେଗେ । ବଗିଚାରେ ଖେଳିବ । ଦୂରକୁ ଯିବନି ।

 

ଦୁହେଁ ଚାଲିଗଲେ ।

 

ସେହି ସ୍ଥାନରେ କ୍ଷଣିକ ପାଇଁ ନିସ୍ତବ୍‍ଧତା ବିରାଜମାନ କଲା । ଭିଖୁ କ'ଣ କହିବି କହିବି ହେଉଥିଲା । କହି ପାରୁ ନ ଥିଲା ।

 

ନା–ସେ ଆଜି ନିଶ୍ଚୟ ତା’ର ମନକଥା ଖୋଲି କହିବ । ମାଲିକ ଘରୁ ତାକୁ ତଡ଼ିଦେଲେ ମଧ୍ୟ ଆଜି ସେ ତା’ର ମନକଥାଟି ଫୁଟାଇଦେଇ ଯିବ । ଏହି ଘର ଉପରେ ତା’ର ହକ୍ ଅଛି । ବର୍ଷେନୁହେଁ, ଦି’ବର୍ଷ ନୁହେଁ, ବହୁବର୍ଷ ଧରି ଏହି ଘରର ପାଣି ପବନରେ ତା’ର ଦେହ ପୁକ୍ତା ହୋଇଛି । ଏହି ଘରେ ଆସି ସେ ବୁଢ଼ା ହେଲାଣି । ମାଲିକର ଦୁଃଖ ସେ ଆଉ ସହି ପାରିବ ନାହିଁ । ମାଲିକ ଆଖିରେ ଲୁହ ଦେଖିଲେ ତା’ର ଆଖି ମଧ୍ୟ ଓଦା ହୋଇଯାଏ । ମାଲିକ ହୃଦୟରେ ବେଦନାଠାରୁ ତା’ର ହୃଦୟର ବେଦନା କିଛି କମ ହେବ ନାହିଁ ବା କମ ନୁହେଁ ।

 

ଭିଖୁ ଆଖିରୁ ଲୁହ ପୋଛିଲା ।

 

ମନରେ ଦମ୍ଭ ଆସିଲା । ଘରଣୀ ମାରିବା ଦିନଠୁଁ ମାରିବା ଦିନଠୁଁ ତା’ ପକ୍ଷରେ ଯାହା ସମ୍ଭବ ଯାହା ହବାର କଥା, ତାହା କରି ଆସିଛି ଓ ଆସୁଛି । କେବଳ ମାଲିକର ମନ ବଦଳାଇବା ପାଇଁ । ଇତି ମଧ୍ୟରେ ସେ ଗୋଟିଏ କଥା ଭାବି ରଖିଛି । କେବେ ସେ ବ୍ୟକ୍ତ କରିନାହିଁ । ଯଥା ସମୟରେ ଆସିଯାଇଛି । ଆଜି ନିଶ୍ଚୟ ତା’ର ମନର ଓଲଟପାଲଟ ମନଗଢ଼ାଣିଆ ଦି’ପଦ କଥା କହିବ ।

 

–ବାବୁ, ସଙ୍କୋଚ କରି ଡାକିଲା ।

 

ଆଖିରୁ ଲୁହ ପୋଛି କାଞ୍ଚନବାବୁ ଉତ୍ତର ଦେଲେ, କ'ଣ କିଛି କହିବାର ଅଛି କି ଭିଖୁଦାଦା ? କ'ଣ ଅସୁବିଧା ହେଲା କି ?

 

ସେମିତି କିଛି ନୁହେଁ ଯେ ମନ କେଉଁଠି ହେଲେ ଲାଗୁନାହିଁ । ଦେହ ମନ ସବୁ ଶୂନ୍ୟ ଶୂନ୍ୟ ଲାଗୁଛି । ମନ ଅନ୍ଧାର ଦେଖୁଛି । ତା’ ଛଡ଼ା ଏତେବଡ଼ ଘର ଝିଁ ଝିଁ ସାଁ ସାଁ କରୁଛି । ବୋଧ ହେଉଛି ଏତେ ବଡ଼ ଉଆସ ହଜେଇ ଦେଇଛି କିଛି ଅମୁଲ୍ୟ ସମ୍ପଦ । ସତେ ଯେମିତି ସଦାବେଳେ ସିଁ ସିଁ ହୋଇ ଖୋଜି ବୁଲୁଛି । ପାଉ ନାହିଁ । କାନ୍ଦୁଛି ।

 

ଆହା ହା, କି କବିତ୍ଵ । ସାବାସ୍ କବି ସମ୍ରାଟ । କେବେଠୁଁ ଏ ବୁଢ଼ା ମୁହଁରେ କବିତାର ଜନ୍ମ ।

 

ଯେବେଠୁଁ ମୁଁ ତୁମକୁ କିଛି କହିବାକୁ ସାହସ ବାନ୍ଧିଲି । ଆଶା କରୁଛି ମୋ କଥା ମାନିବ-। ଛୁଆଟିପରି ଅମାନିଆ ହବନାହିଁ । ପୂର୍ବର ଦେହ ଆଉ ଛୁଆମାନଙ୍କର ନାହିଁ । ଅନ୍ତର ଭିତରେ ଯାହା ଦୁଃଖ ତାଙ୍କର ଜମାଟ ବାନ୍ଧିରହିଛି, ହୁଏତ ତାହା ପ୍ରକାଶ କରିବାକୁ, ତାଙ୍କ ପାଖରେ ଭାଷାର ଅଭାବ । ଭିତରେ ବାହାରେ ଖୋଜି ଖୋଜି ସେମାନେ କିଛି ପାଉ ନାହାନ୍ତି । ମନ ତାଙ୍କର କାନ୍ଦି ଉଠୁଛି । ହେଲେ ଛୁଆ ତାଙ୍କର ଢଳ ଢଳ ନୟନ ଆଉ ସେଥିରୁ ଗଡ଼ିପଡ଼ୁଥିବା ଅଶ୍ରୁଧାର ସବୁକଥା ବଖାଣି ଦେଉଛି । ବୁଝି ପାରୁନ ? ତାଙ୍କ ଆଖିର ଲୁହ ପୋଛିବା ପାଇଁ ବାପ ଯଥେଷ୍ଟ ନୁହେ କାଞ୍ଚନବାବୁ ସେଥିପାଇଁ ମା’ ଲୋଡ଼ା ମା', ଯେ କି ଦଶମାସ ଗର୍ଭରେ ଧାରଣ କରି ଜନ୍ମଦିଏ ସନ୍ତାନ-। ମା’ ସିନା ସୁଖର ନିର୍ଝରିଣୀ । ସନ୍ତାନ ମୁହଁରେ ଅମୃତ ଦେବାକୁ ମା'ର ଜନ୍ମ । ନୀଳପଦ୍ମା ଓ ଶ୍ୱେତପଦ୍ମା ଆଜି ମା'ର ଆସିବା ବାଟକୁ ଚାହିଁ ବସିଛନ୍ତି । ତାଙ୍କୁ ମା’ ଦିଅ କାଞ୍ଚନବାବୁ, ତାଙ୍କୁ ତାଙ୍କର ମା'କୁ ଫେରେଇ ଦିଅ । ବେଶ୍ ସେମାନେ ସବୁ କିଛି ପାଇଯିବେ ।

 

କିନ୍ତୁ ସେ ଚାଲିଯାଏ, ସେ ତ ଆଉ ଫେରେନି ଭିଖୁଦାଦା ।

 

ମୁଁ ଜାଣେ କାଞ୍ଚନବାବୁ । ମା’ ଚାଲିଯାଇଛନ୍ତି ଚିରଦିନ ପାଇଁ । ସେଥିପାଇଁ ତ ଏତେ କଥା, ଏତେ ଦୁଃଖ, ଏତେ କଳ୍ପନା । ସେଥିପାଇଁ ତ ସାରାପରିବାର ଦୁଃଖୀ–ସେମାନେ, ତମେ ମୁଁ ସମସ୍ତେ ଦୁଃଖୀ । ମୁଁ ଚାହେଁ ଆମରି ପରିବାର ସୁଖର କିନାରାରେ ଆସି ଲାଗୁ । ଯେଉଁ ଖେଦର କଲା ବାଦଲ ଏ ପରିବାରକୁ ଢାଙ୍କି ରହିଛି, ତାହା ଫାଟି ଯାଉ । ଆଉ ସେଥିରୁ ସୁଖର ସୂର୍ଯ୍ୟ ଉଦୟ ହେଉ ସିନ୍ଦୁରା ଫଟାଇ । ନୀଳା ଓ ଶ୍ୱେତପଦ୍ମା ଦୁହେଁ ପୁର୍ନଲାଭ କରନ୍ତୁ ତାଙ୍କର ମଲା ମା'କୁ । କଅଁଳ ବୟସ ହୋଇଛି ତାଙ୍କର । କହିବେ, ମା’ ଆମର ନୂତନ ରୂପଧରି ଆସିଛି । ମା'କୋଳରେ ପୁଣି ସ୍ୱର୍ଗସୁଖ ପାଇବେ । ମଳିନ ମୁଖ ତାଙ୍କର ସତେଜ ହୋଇ ଉଠିବ । ଆଉ ତୁମେ ପାଇବ ତୁମର ବିଗତ ସୁହାସିନୀ ନୂତନ ବାନ୍ଧବୀ ରୂପରେ । ସବୁ ଦୁଃଖ, ସବୁ ଯତ୍ନର ଅବସାଦ ଘଟିବ । ଦୁଃଖର ଦୁନିଆର ମୁଣ୍ଡକାଟ ହେବ ଓ ସୁଖର ସଂସାର ଚେଇଁ ଉଠିବ ପୁଣି ।

 

ଭିଖୁଦାଦା ମୁହଁରେ ଲଗାମ ଲଗଉନୁ । ପରୋକ୍ଷ ଭାବରେ କହିବାକୁ ଚାହୁଁ ଯେ ମୁଁ ଦ୍ଵିତୀୟବାର ବିବାହ କରିବି ? ନା–ନା–ନା । ତାହା କଦାପି ହୋଇପାରିବ ନି । ସୁହାସିନୀର ଜୀବନ୍ତ ସ୍ମୃତି ଉପରେ ଚାବୁକ ମାଡ଼ଦେଇ ହୃଦୟରୁ ମୋର, ତାକୁ କଦାପି ଅନ୍ତର କରି ପାରିବି ନାହିଁ-

 

ଶେଷଥରକ ପାଇଁ ବିବାହ କଲେ କ'ଣ କ୍ଷତି ହେବ କହିଲ ? ତୁମକୁ କ'ଣ କେହି ଝିଅ ଦେବେ ନି । ଆଜିର ଦୁନିଆ ଆଖିରେ ଟଙ୍କା ତ ସବୁକିଛି ।

 

ଦେହ ଶୀତେଇ ଉଠିଲା ମୋର । ଛାତିରେ କୋହ, ଆଖିରେ ଲୁହ । ସମ୍ଭାଳି ପାରିଲି ନାହିଁ । ଦୁଃଖରେ କହିଲି, ଦାଦା ତୁ ଯାହା କହୁଛୁ ତା’ର ମୂଲ୍ୟ ମୋ ପାଖରେ କିଛି ନୁହେଁ । ଯେଉଁ ଘରର କାନ୍ଥବାଡ଼, ଗଛପତ୍ର ସବୁଥିରେ ମୋର ସୁହାସିନୀର ମଳିନ ମୁଖ କାନ୍ଦ କାନ୍ଦ ଦିଶୁଛି, ଯେଉଁ ଆକାଶ ପବନରେ ତା’ର ଅଶ୍ରୁପୂର୍ଣ୍ଣ ନେତ୍ର ମୋତେ ସର୍ବଦା ଚାହିଁ ରହିଛି, ସେହି ଘରକୁ ଆଉ ଗୋଟିଏ ସ୍ତ୍ରୀ ଆଣିବି ? ନା ଏ ପବିତ୍ର ଗୃହକୁ କଳଙ୍କିତ କରିପାରିବି ନାହିଁ । ଦୁଃଖ ଭଗବାନଙ୍କର ଆଶୀର୍ବାଦ । ତାହା ହିଁ ଯଦି ପ୍ରତିଫଳିତ ହୋଇଛି ମୋ'ଉପରେ, ବେଶ୍‍ ଭଲ କଥା । ସୁହାସିନୀ ମୋର ଆଖି ସାମ୍ନାରୁ ଚାଲିଯାଇଛି ସତ, ହେଲେ ହୃଦୟର ଅନ୍ତରତମ ପ୍ରଦେଶରୁ ଦୂର ହୋଇନାହିଁ-। ତା’ର କଥା ମନେ କଲେ ଅତୀତର ଗୋଟି ଗୋଟି ସବୁ କଥା ମନେ ପଡ଼େ । ଆଖି ଆଗରେ ଅନ୍ଧାର ପୁଣି ଜମାଟ ବାନ୍ଧି ରହେ ଆଉ ଭିତରେ ତା’ର ଅଶ୍ରୁ ବିଗଳିତ ଆଖିଟା ତେଜି ଉଠେ-

 

ହଁ ତା’ ମୁଁ ଜାଣେ । ଆଉ ବି ଜାଣେ ଯେ ତୁମେ ବର୍ତ୍ତମାନ ଅବସ୍ଥାର ରଥଚକ୍ର ତଳେ ନିଷ୍ପେଷିତ ହୋଇପଡ଼ି ରହିଛି । ଭବିଷ୍ୟତକୁ କ'ଣ ଖିଆଲ ଅଛି ? କିଛି ନାହିଁ, ତୁମେ ଚାହଁ ଏତେବଡ଼ ଜେନାବଂଶର ମୁଳୋତ୍ପାଟନ ଘଟୁ ଏଇଠି । ବଂଶ ବୁଡ଼ିବ ତମରିଠୁ ? କାଞ୍ଚନବାବୁ ଏହା ତମର ଘୋର ପାପ । ବଂଶର ମୂଳପୋଛ କରିବା କ'ଣ ପାପ ନୁହେଁ । ତୁମେ ବିବାହ କର । ସୁଖର ଦୁନିଆଁ ଗଢ଼ । ଭଗବାନ କରିବେ, ପୁଅ ଜନ୍ମ ହେବ । ତା’ପରେ ବଂଶ ଲମ୍ବିଯିବ ଅନନ୍ତ କାଳ ପର୍ଯ୍ୟନ୍ତ । ମୁଁ ତୁମର ଗୋଡ଼ ତଳେ ପଡ଼ୁଛି ମୋର କଥାରକ୍ଷା କର । ତମରି ପାଇଁ ନ ହେଲେ ଅନ୍ତତଃ ନୀଳା ଓ ଶ୍ଵେତା ପାଇଁ ମୋ କଥା ଟିକକର ମର୍ଯ୍ୟାଦା ବୁଝ ।

 

ଆଖିପତା ମୋର ଓଦା ହୋଇ ଆସିଲା । କହିଲି, ଭିଖୁଦାଦା ତମର ବୟସ ଆସି ଦି’କୋଡ଼ି ପନ୍ଦର ହେଲାଣି । ତମର ଦେହ ସଂସାରର ସୁଖ–ଦୁଃଖରେ ଭାଜି ହୋଇଛି । ସନରକୁ ହାଡ଼େ ହାଡ଼େ ଚିହ୍ନିଛି । ତୁମେ ଜାଣ ମୋର ଝିଅ ଦୁଇଟି ଅଛନ୍ତି । ଯଦି ମୁଁ ଆଉ ଗୋଟିଏ ବିବାହ କରେ, ତୁମେ କ'ଣ ବିଶ୍ୱାସ କର, ସେମାନେ ସୁଖରେ କାଳଯାପନ କରିପାରିବେ ? ଦୁଃଖ ନିଅଣ୍ଟ ହେବ ତାଙ୍କପାଇଁ ? ନୀଳା, ଶ୍ୱେତପଦ୍ମାର ସେ ଗର୍ଭଧାରୀ ମାତା ହବ ନାହିଁ, କାହୁଁ ବୁଝିବ ସେ ତାଙ୍କର ମନର ବ୍ୟଥା, ତା’ର ହୃଦୟରେ ମାତୃ ସ୍ନେହ ଆସିବ କେଉଁଠୁ ? ନା ନା ଭିଖୁଦାଦା, ଏ ଜୀବନରେ କାହାକୁ ବିବାହ କରି ମୁଁ ସୁଖୀ ହୋଇ ପାରିବି ନାହିଁ, କି ସୁଖୀ କରାଇ ପାରିବି ନାହିଁ ।

 

ପୁଣି ଆଖିରୁ ଲୁହ ଗଡ଼ାଇ କହିଲି, ସୁହାସିନୀ କହିଛି ନୀଳା ଓ ଶ୍ଵେତାର ମନରେ ଦୁଃଖ ଆସିଲେ ସେ ସ୍ଵର୍ଗରେ ଥାଇ ମଧ୍ୟ ସୁଖ ଲାଭ କରି ପାରିବ ନାହିଁ । ହୁଏତ ଅନ୍ୟ ସ୍ତ୍ରୀ ଗ୍ରହଣ କରି ମୁଁ ତା’ର ସ୍ମୃତି ହଜେଇ ବସିବି । ଯୌବନର ସୁହାସିନୀ ସହିତ ମୁଁ ସଂସାର ତିଆରି କରିଥିଲି, ଆଉ ଆଜି ତା’ର ସ୍ମୃତିର ସହିତ ଭବିଷ୍ୟତ ତିଆରି କରିବି । ସୁହାସିନୀର କାମନା ଆଗରେ ମୁଁ ସବୁ କିଛି ଅର୍ପଣ କରି ସାରିଛି । ଆଉ ମୋ ପାଖରେ କିଛି ନାହିଁ ଯା'କୁ ନେଇ ଗର୍ବ କରିବି ଓ ସୁଖୀ ହୋଇ ପାରିବି ମୋର ଭବିଷ୍ୟତ ବାନ୍ଧବୀକୁ ନେଇ । ସଂସାରର ଜାଲ ଭିତରେ ଫନ୍ଦି ହୋଇ ରହିବାକୁ ମୁଁ ଚାହେଁନି ଦାଦା । କାହାରି ଜୀବନର ସାଥି ହେବାକୁ ମୋତେ କାହାଣୀ ଦାଦା । ତୋର ଅନୁରୋଧ ରକ୍ଷା କରି ପାରିବି ନାହିଁ । ମୋତେ କ୍ଷମାକର । କାହଁକି ମୁଁ ତୋର ଅନୁରୋଧ ରଖିବାକୁ ପ୍ରସ୍ତୁତ ନୁହେଁ ତା’ ହୁଏତ ତୁ ଜାଣି ପାରିଲୁ । ଏ ସବୁ ବିଷୟ ନେଇ ଆଉ କିଛି ନ କହିଲେ ମୁଁ ବିଶେଷ ଖୁସି ହୁଅନ୍ତି ।

 

ମୋର ନିଜ ଭାଗ୍ୟର ମନ୍ଦଗତି ଦେଖି କେଜାଣି କାହଁକି ନିଜେ ଅଭିମାନ କଲି । ଛାତି ଭିତରେ ମୋର କିଏ ଯେପରି ଆଘାତ କଲା ।

 

ଦୁଃଖର ସହିତ ଭିଖୁ ଉତ୍ତର ଦେଲା, ହଉ ଯେ ଚାଖେ ସେ ପରଖେ ଖଟାମିଠା । ସପନରେ ସୁଦ୍ଧା କେବେ ଭାବି ନ ଥିଲି ତୁମେ ମୋତେ ହତାଶ କରିବ ବୋଲି । କଥାଟାକୁ ବୁଝି ନ ପାରିଲେ ମଣିଷ କରିବ କ'ଣ ? ଆଶା କରିଥିଲି ଭଲଝିଅଟିଏ ଦେଖି, ତା’ର ହାତ ଧରି ପୁଣି ତୁମେ ଫେରି ଆସିବ ତୁମର କର୍ମ ଭୂଇଁକୁ । ମାଙ୍କଡ଼ ହୁରୁଡ଼ା ପାଟି ଯାହା ମନକୁ ଆସିଲା କହିଦେଲି-। ଜୀବନର ସୁଆଦ ଟିକକ ଯଦି ବୁଝି ପାରୁନ ଏ ବୟସରେ ତାହା କ'ଣ ଆଉ ବୁଢ଼ାକାଳେ ବୁଝିବ-? ଜୀବନର ଆଗପଛ କଥା ଯେ ବୁଝେ ନାହିଁ, ବଂଶରକ୍ଷା କରିବା ଯାହାର ଲକ୍ଷ୍ୟ ନୁହେଁ ତାକୁ ଆଉ କେତେ ବୁଝାଇବି । ଛାତି ଭିତରର ଛାପିଲା କଥା ତମରି ଆଗରେ ଖୋଲି ଦେଲି । ଭାବିଥିଲି ମୋର ଆଶା ନିରାଶ ହବନି । କିନ୍ତୁ କ'ଣ ନ କହିଛ ତମେ ! ହେଲେ ଯାହା ଭାବିଛ ତାହା ହିଁ କର-। ଆଖିବୁଜି ଅଶ୍ରୁ ଗଡ଼ାଇବା ଯଦି ତମର ପଣ ସେଥିରେ ମୁଁ ବାଧା ଦେବାକୁ କିଏ ?

 

ଭିଖୁ ଉଠି ଛିଡ଼ା ହେଲା । କହିଲା ଉଛୁର ହେଲାଣି । ଯାଉଛି । କହି ସେ ଚାଲିଗଲା ।

 

 

କେଇଟି ବରଷ ତଳେ–ଦୁଃଖ ସୁଖର ସମିଶ୍ରଣର ଏକ ଝଞ୍ଜା । ତା’ ଭିତରେ ମୁଁ ଆଉ ସୁହାସିନୀ, ଦୁଇଟି ପ୍ରାଣୀ ସୃଷ୍ଟିର ଦୁଇଟି ଜୀବନ । ଏହି ଝଞ୍ଜା ଭିତରେ ଆମେ ପ୍ରଥମଥର ପାଇଁ ହୋଇଥିଲୁ ମିଳିତ । ମିଳନର ପ୍ରଥମ ପାହାଚ ଚଢ଼ିବା ପରେ କେତେ ସୁନେଲି ସ୍ୱପ୍ନ ଦେଖିଥିଲୁ । ଉତ୍ତଲା ମନ ଧାଇଁ ଯାଇଥିଲା ଥରକୁ ଥର ପରସ୍ପର ଆଡ଼କୁ । ଆଲିଙ୍ଗନର ମୋହ ଦିହିଁଙ୍କ ପାଗଳ କରି ଦେଇଥିଲା । ଅଗଣିତ ଥର ହାତ ଏକାଠି ବନ୍ଧାହୋଇ ବହୁବାର ଶପଥ କରିଥିଲୁ । ମୁଁ ତା’ର ଯୌବନରେ କାଞ୍ଚନ, ତା’ର ସ୍ୱାମୀ ଆଉ ସେ ମୋର ଯୌବନରେ ସୁହାସିନୀ, ମୋର ସ୍ତ୍ରୀ । ଉଠିଆସୁଥିବା ଜହ୍ନଆଡ଼କୁ ଚାହିଁ ବହୁବାର ତାକୁ ମୋର ଛାତି ଉପରେ ଆଉଜାଇ ଆଣିଥିଲା । ଉଭୟଙ୍କର ପ୍ରେମର ଜୁଆର ଲକ୍ଷ ଅତ୍ୟାଚାର କୋଟି ପ୍ରଲୋଭନକୁ ଭ୍ରୂକ୍ଷେପ ନ କରି ଅବରୋଧର ପାହାଡ଼କୁ ଚୂର୍ଣ୍ଣ କଲା । ଯେଉଁଦିନ ସୁହାସିନୀ ମୋ' କୋଳରେ ମଥା ନୁଆଁଇ କହିଥିଲା–ମୁଁ ତୁମର, ତୁମେ ମୋର । କେବଳ ଏହି ଜନ୍ମପାଇଁ ନୁହେ, ଯୁଗ ଯୁଗ ପାଇଁ । ମୋର ଶରୀର ତୁମର ପବିତ୍ର ପରଶ ପାଇଛି ଏବଂ ସେହି ଦେହକୁ ଚିରଦିନ ପାଇଁ ତୁମକୁ ଅର୍ପଣ କରୁଛି ।

 

ମୁଣ୍ଡ ମୋର ପାଗଳ ହୋଇଗଲା । ବାରଚାଉଳିଆ କଥା ଆସି ମଥାକୁ ଭାରାକ୍ରାନ୍ତ କଲା । ଚୌକିରେ ଆଉ ଥୟ ଧରି ବସି ପାରିଲି ନାହିଁ । ଉଠି ପଡ଼ି ଉଦ୍ୟାନ ଆଡ଼କୁ ଦୃଷ୍ଟି ନିକ୍ଷେପ କଲି । ଦେଖିଲି ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ନୀଳା ଓ ଶ୍ୱେତପଦ୍ମା ଖେଳିବାରେ ମନ ବଳେଇଛନ୍ତି-। ମନେହେଉଛି, କ୍ଷଣିକ ପାଇଁ ଉଭୟଙ୍କର ହୃଦୟରୁ ଦୁଃଖ ଅପସରି ଯାଇଛି ।

 

ପ୍ରାୟ କେତୋଟି ବର୍ଷର ଘର କରଣାପରେ ଆଜି ମୁଁ କିଏ । ଆଉ କେତୋଟି ବର୍ଷର ତଳେ, ଯେଉଁ ସୁହାସିନୀର ଆତ୍ମା ସହିତ ମୋର ଆତ୍ମା ମିଶି ଯାଇଥିଲା, ଚାରୋଟି ଆଖି ଅବନତ ହୋଇଥିଲା, ତା’ର ଲୁହଭିଜା ଓଠରେ ଓଠ ଲଗାଇ ପକେଇଥିଲି । ଯଦିଓ ଅନେକ କଥା ସହିବାକୁ ପଡ଼ିଥିଲା । ତା’ପରେ ତା’ର ପ୍ରେମରେ ମୁଁ ନିଜେ ହଜି ଯାଇଥିଲି । ପ୍ରେମର ସୁଅରେ ଆମର ସବୁ ଦୁଃଖ ଯତ୍ନ ଭାସି ଯାଇଥିଲା । କିନ୍ତୁ କିଏ ଜାଣିଥିଲା ସେହି ଦୁଃଖ ନିର୍ଯ୍ୟାତନା ପୁଣି ନୂତନ ରୂପ ଧରି ଆବିର୍ଭାବ ହେବ । ଆଉ ବୈବାହିକ ଜୀବନରେ ମଧ୍ୟ ସୁହାସିନୀ ସୁଖ ଦୁଃଖର ଅନନ୍ତ ସାଗର ଅତିକ୍ରମ କରି ମୋର ବାହୁତଳେ ରହିଆକୁ ସର୍ବଦା ଚେଷ୍ଟା କରିଥିଲା । ମୋର ସେବା ଥିଲା ତା’ର ବ୍ରତ । ମୋର ଆନନ୍ଦ ଥିଲା ତା’ର ଆନନ୍ଦ । ମୋ ଦେହର ପରଶକୁ ସେ ମଣୁଥିଲା ଅମୃତ । ଆଉ ମୁଁ ମଧ୍ୟ ମନେକରିଥିଲି ମୋର ଏ ଦେହ, ଏ ବୟସ ଏ ଯୌବନ, କେବଳ ତା’ରି ପାଇଁ ।

 

ନା–ନା, ଏ ଅବଶ ଦେହ ଏ ମଉଲା ଯୌବନକୁ ସୁଦ୍ଧା କାହାରି ଆଗରେ ବିକ୍ରୟ କରି ପାରିବି ନାହିଁ । ବଳିଦେଇ ପାରିବି ନାହିଁ ତା’ର ସ୍ମୃତିକୁ । ଅନ୍ୟ ସ୍ତ୍ରୀ ଗ୍ରହଣ କରି ହୁଏତ ତା’ର ଯୌବନର ମାଦକତାରେ ଉତ୍ତେଜନାରେ ସୁହାସିନୀକୁ ଭୁଲିଯାଇ ପାରେ । ତା’ହେଲେ କେଉଁଠି ରହିବ ମୋର ଶପଥ । ମାନ, ମହତ ମୁଁ ବିକି ଖାଇବି ନାହିଁ ତ ? କେଉଁଠି ରହିବ ତାର ପ୍ରେମର ମର୍ଯ୍ୟାଦା ଓ ସ୍ୱାମୀ ସ୍ତ୍ରୀର ଚିରନ୍ତନ ବନ୍ଧନ । ହୁଏତ ସ୍ମୃତି ବଞ୍ଚି ରହିଲେ ସୁହାସିନୀ ବଞ୍ଚି ରହିବ ମୋର ମାନସ ପଟରେ ।

 

ରୂପ ଥିବାଯାଏ ରୂପର ମାଦକତା ଆସ୍ଵାଦନ କରିବାକୁ ମଣିଷ ସର୍ବଦା ବ୍ୟାକୁଳ । ତାହା ହିଁ ଘଟିଥିଲା ଆମ ଦୁହିଁଙ୍କର ପ୍ରଥମ ମିଳନରେ । ମୁଁ ଆଗେଇ ଆସିଥିଲି ଆଉ ସେ ମଧ୍ୟ । ପରିଚିତ ସ୍ୱର ଟାଣି ଆଣୁଥିଲା ପରସ୍ପରକୁ ଚାରି ଚକ୍ଷୁର ଆଧାର ସ୍ଥଳକୁ । ଏହିପରି ଖେଳ କୌତୁକ ସହିତ ବର୍ଷ ବର୍ଷ ବିତି ଯାଇଛି, ତାକୁ ଚିରଦିନ ପାଇଁ ମନରୁ ପୋଛି ଦେଇ ଏ ପବିତ୍ର ଘରକୁ ଅନ୍ୟର ହାତ ଧରି ଅପବିତ୍ର କରି ପାରିବି ନାହିଁ । କାହାରି ଛାତି ଉପରକୁ ମୁଣ୍ଡ ନୁଆଁଇ ଦେଖିବାର ସେ ସାହସ ନାହିଁ । ଭିଖୁ ଦାଦା କହିଲେ କ'ଣ ହେବ ? ତା’ର କଥାର କି ମୂଲ୍ୟ ଅଛି ମୋ ପାଖରେ । ଏହି ରକ୍ତମାଂସ ଶରୀରର ସୁଖପାଇଁ ମୋର ସ୍ଵର୍ଗବାସିନୀ ସୁହାର ଆତ୍ମାକୁ ଦୁଃଖ ଦେଇ ପାରିବି ନାହିଁ । ସଜ–ଦୁଃଖର ଅଗ୍ନିଶିଖାରେ ଚିର ଜୀବନକୁ ପୋଡ଼ି ଜାଳି ଧ୍ୱଂସ କରିଦେବି, ଦହଗଞ୍ଜରେ ସନ୍ତୁଳି ହେବି, କିନ୍ତୁ ମଲା ସ୍ତ୍ରୀର ସ୍ମୃତିକୁ ନୂତନ ସ୍ତ୍ରୀର ପ୍ରେମର ଯୁଆରରେ ଭସାଇ ଦେଇ ପାରିବି ନାହିଁ । ସେ ଆଉ ନାହିଁ ଯାହା ପାଖରେ ଏ ଦେହର ମୂଲ୍ୟ ଥିଲା ।

 

ଆଉ ବଂଶ, ତାହା ଗୋଟିଏ ଅତି ସାମାନ୍ୟ କଥା । ସ୍ମୃତି ରକ୍ଷା ସମ୍ମୁଖରେ ବଂଶରକ୍ଷାକୁ ମୁଁ ଉଚ୍ଚ ସ୍ଥାନ ଦେଇ ପାରିବି ନାହିଁ । ଏ ବଂଶ ଗଲେ ଯାଉ । ଭାଗ୍ୟେ ଥିଲେ ଅର୍ଜିତ ସମ୍ପତ୍ତି ପଡ଼ି ରହିବ । ମଲା ଶେଯରେ ଦୁନିଆଁର ମଙ୍ଗଳ ପାଇଁ ସବୁ ଅର୍ପଣ କରିଦେବି । ଅଧିକରୁ ଅଧିକତର ପାପରେ ଭାରାକ୍ରାନ୍ତ ହେଉଛି ଏ ଦୁନିଆଁ । ଦିନେ ଆସିବ ଦୁନିଆଁର ଅନ୍ତିମ ସମୟ । ସେତେବେଳେ କୁଆଡ଼େ ଉଭାଇଯିବ ଏହି ମଣିଷ ଗଢ଼ା ସମାଜ, ହାତଗଢ଼ା ବଂଶ । ପୁଅ, ଝିଅ ସ୍ୱାମୀ, ସ୍ତ୍ରୀ, ଯାହାକୁ ମଣିଷ କହେ ମୋର, ସେତେବେଳେ ଦଇବ କହିବ କାହାରି ନୁହେଁ, ମୋର କେବଳ ମୋର । ଲୌକିକତାର ସଂସାରର ଧ୍ୱଂସ ଏହି ଲୌକିକତାରେ ହିଁ ହେବ ।

 

ନୀଳପଦ୍ମା ଓ ଶ୍ୱେତପଦ୍ମା ମା’ ଛେଉଣ୍ଡ । ଆଜି ସେମାନେ ଶିଶୁ । ଯେତେବେଳେ ଯୌବନରେ ପଦାର୍ପଣ କରିବେ, ସେତେବେଳେ ସେମାନେ ଚାହିଁବେ ଯାହା ପ୍ରକୃତି ଚାହେଁ । ତାଙ୍କ ଆଖିର ପାଣି ପୋଛିବାକୁ ହେଲେ ଆଜି ଏପରି ଅବସ୍ଥାରେ ହୁଏତ ମାତ୍ର ଉପସ୍ଥିତ ନିତାନ୍ତ ଦରକାର-। କିନ୍ତୁ ଜନ୍ମ କଲା ମା’ ନ ହେଲେ ତାଙ୍କର ଏ ଅଶ୍ରୁର ନିର୍ଝରିଣୀ କ'ଣ ସହଜରେ ବନ୍ଦ ହୋଇ ପାରିବ ? ନା ! ବରଂ ଦୁଃଖର ଜୁଆରରେ ସେମାନେ ଯିବେ ଭାସି । ଘରେ ହେବ ଦୁଃଖର ଅଶ୍ରୁ ବର୍ଷଣ । ଏହି ଦୁଃଖର ସଂସାର ସୂତ୍ରପାତ ପାଇଁ ଦାୟୀ ହେବ କିଏ ? ମୁଁ–ମୋର ଲାଳସା-। ତା’ପରେ । ତା’ପରେ ଏ ଦୀନ ଜୀବନ ହେବ ଅଭିଶପ୍ତ । ସେମାନେ ସୁଖୀ ହୋଇ ପାରିବେ ନାହିଁ କି ମୁଁ ମଧ୍ୟ ସୁଖୀ ହୋଇ ପାରିବି ନାହିଁ । ତା’ପରେ ପାଗଳ ପରି ମନକୁ ମନ ଚିତ୍କାର କଲି–ନା, ନା ଭିଖୁ ଦାଦା ମୁଁ ବିବାହ କରି ପାରିବି ନାହିଁ । ଅନ୍ୟାୟକୁ ପ୍ରଶୟ ଦେଇ, ଦୁଃଖକୁ ଦ୍ୱିଗୁଣିତ କରିବା ଛଡ଼ା ଏ ଦ୍ଵିତୀୟ ବିବାହର ଅର୍ଥ ଆଉ କିଛି ନୁହେଁ । ଆଜି ମୁଁ ଅନ୍ଧ ନୁହେଁ, ଅନ୍ଧ ନୁହେଁ ମୋର କ୍ଷୁଦ୍ର ଜୀବନ । ଏଥିପାଇଁ ପ୍ରବଳ ଇଚ୍ଛା ଓ ଅନୁରାଗ କିଛି ନାହିଁ ଭିଖୁଦାଦା । ନୀଳା ଓ ଶ୍ୱେତପଦ୍ମାର ସୁଖ କାମନା କରିବାକୁ ହେଲେ ବିବାହର ପ୍ରସ୍ତାବ ଆଗତ କରନା । ବରଂ ତୁମେ ମୋତେ ମାରିଦିଅ ଯଦି ମୋର ରକ୍ତରେ ନୀଳା ଓ ଶ୍ୱେତପଦ୍ମାର ସୁଖ ବିଧାନ ହୁଏ । ଏଥିପାଇଁ ମୁଁ ପ୍ରସ୍ତୁତ ଅଛି । –କହ ଅନାଇଲି । ତୁନି ରହିଲି । ନିଜକୁ ସମ୍ଭାଳି ପାରିଲି ନାହିଁ । ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ୁଥିଲା-

 

ମୋର ଚିତ୍କାରରେ କେତେବେଳୁ ଭିଖୁଦାଦା ଆସି ପାଖ ଦୁଆର ମୁହଁରେ ଛିଡ଼ା ହୋଇଛି । ସନ୍ଦେହର ଆବିଳତା ମଧ୍ୟରେ ବୁଡ଼ି ରହି ସବୁ କଥା ଶୁଣୁଥିଲା । ଦେଖିଲି ତାକୁ ଭାବିଲି ମୋ ଆଖିରେ ଲୁହ ଦେଖି ହୁଏତ ନିଜର ଦୋଷ ପାଇଁ କିଛି ଅନୁତାପ କରୁଛି ହୃଦୟରେ କିନ୍ତୁ ମୋର ସ୍ୱଚ୍ଛ, ଲଗାମଟଣା ଉତ୍ତର ଶୁଣି ରାଗରେ ସେ କୃତଜ୍ଞ ନୁହେଁ ମୋ ପାଖେ ।

 

କହିଲା–ହେ ଭଗବାନ, ହେ ଆରତତ୍ରାଣ, ଏହି ପରିବାର ଉପରେ ଟିକିଏ ନଜର ରଖିଥାଅ ପ୍ରଭୋ । ବଡ଼ବାବୁଙ୍କୁ ମୋର ଶକ୍ତି ଦିଅ, ସାମର୍ଥ୍ୟ ଦିଅ, ଯେପରି ଦୁଃଖର ଅନ୍ଧାର ଭିତରେ ଆଲୁଅ ଜାଳି ସୁଖର ସନ୍ଧାନ ପାଇଁ ପାରିବେ । ତା’ପରେ ଅଶ୍ରୁ ମିଶା କଣ୍ଠରେ ଉତ୍ତର ଦେଲି, ଭିଖୁଦାଦା ଭଗବାନଙ୍କର ଅଭିଶାପ ଘେନି ମୋର ଜନ୍ମ । ପୂର୍ବ ଜନ୍ମର ପାପ ଏ ଜନ୍ମରେ ଲାଘବ ହେବାର ସମ୍ଭାବନା ନାହିଁ ।

 

ଜହ୍ନ ଟିକିଏ ଉପରକୁ ଉଠିଲାଣି ସେତେବେଳେ । ବଗିଚା ଭିତରେ ଝାପ୍‍ସା ଜହ୍ନ ଆଲୁଅ ପଡ଼ିଛି ଯେଉଁଠି ମୁଁ ଆଉ ଭିଖୁଦାଦା ଠିଆ ହୋଇଥିଲୁ ।

 

ଏତିକିବେଳେ ପଶି ଆସିଲେ ନୀଳା ଓ ଶ୍ୱେତପଦ୍ମା । ନୀଳା କାନ୍ଦୁଚି । ତା’ର ହାତକୁ ଧରିଛି ଶ୍ୱେତପଦ୍ମା । ହାତଗୋଡ଼ ଧୂଳି ମଳି ହୋଇ ଯାଇଛି ।

 

ପଚାରିଲି, କ'ଣ ହେଲାକି ଶ୍ୱେତପଦ୍ମା ? କ'ଣ ପାଇଁ କାନ୍ଦୁଛୁ କହିଲୁ । ନୀଳା, ହଇଲୋ ନୀଳା । କହୁନୁ କିଆଁ ? ନୀଳା କାନ୍ଦି କାନ୍ଦି କହିଲା, ବାପା ! ତୁମେ କହୁଥିଲ ନା ମା' ଜହ୍ନମାମୁଁ ଆଣିବାକୁ ଯାଇଛି । ବନାନୀ କହିଲା ତୋ ମା' ତୋର ପାଖକୁ ଆଉ କେବେହେଲେ ଆସିବ ନାହିଁ କି ଜହ୍ନମାମୁଁ ଆଣିବ ନାହିଁ । ସେ ମରିଗଲା । ତୋ' ମା' ଆଉ ନାହିଁ । ମୋ' ମା' ଅଛି । ତୁମକୁ କିଏ ଖୁଆଇବ ? ଏଇ ଦେଖ୍‍ ! ମା' ମୋର ଚକୋଲେଟ ଦେଇଛି । ମା’ କହିଛି ଆଜି ଆମେ ସିନେମା ଦେଖିଯିବୁ । ତୋ ମା' ନାହିଁ ଯିବୁ କାହା ସାଥିରେ ? ବାପା, ଭିଖୁଦାଦା, ମରିଗଲା ବୋଇଲେ କ'ଣ ବାପା ? ମା' ମରିଗଲା ବୋଲି ସେ କ'ଣ ଆଉ ଆସିବ ନାହିଁ ? ମା' ତ କହିଛି ସେ ଆସିବ ଜହ୍ନମାମୁଁକୁ ଘେନି । ସେ ମରିଗଲେ ମଧ୍ୟ ଆସିବ ? ବାପା ! ଯେ ମରିଯାଏ ସେ କେବେ ଆସେ ? ତୁମେ କାନ୍ଦୁଛ କିଆଁ ବାପା ? ମା' ଆସିବାକୁ ଡେରି କରୁଛି । ତୁମେ ଆଜି ମରିଯାଇ ମା' କୁ ସାଙ୍ଗରେ ଯାଇଁ ଘେନି ଆସ ବାପା, ଏଇଲାଗେ ଯାଅ । ଡେରି କରନା ।

 

ବରଷାର ଧାରା ପରି ଅଶ୍ରୁ ନିର୍ଗତ ହେବାକୁ ଲାଗିଲା ଦୁଇ ଆଖିରୁ । ନୀଳାର କଥା ଶୁଣି ଭିଖୁଦାଦା ନ କାନ୍ଦି ଆଉ ରହି ପାରିଲା ନାହିଁ । ଗୋଡ ତା’ର ଥରି ଉଠିଲା । ମୁଁ ଭାବିଲି–'ଆହା ! ଶିଶୁ ହୃଦୟ କି ବିଚିତ୍ର ? କି ଉପାଦାନରେ ଗଢ଼ା, କି ଶାନ୍ତିକାମୀ ମାନସ ଏ ଶିଶୁର ! ଯାହାର ହୃଦୟରେ ନାହିଁ ଅନ୍ୟପ୍ରତି ଅଭିମାନ, ଅହଙ୍କାର, ସେ କି ବୁଝିବ 'ମରଣ' ପରି ଚିତ୍ରଗୁପ୍ତ ପଞ୍ଜିକାର ଏକ ଭୟଙ୍କର ଶବ୍ଦ ।

 

ଆଖିରୁ ଲୁହ ପୋଛି ନୀଳାକୁ କୋଳକୁ ଆଣି କହିଲି, ତୋର ମା' ପାଖକୁ ମୁଁ ନିଶ୍ଚୟ ଯିବି ମା' ! ହେଲେ ବିଶ୍ୱ ସ୍ରଷ୍ଟାର ଅନୁମତି ନେଇ । ଯେଉଁଦିନ ଦଇବ ମୋତେ ନେବାପାଇଁ ଦୁଇ ଗୋଡ଼ରେ ଛିଡ଼ା ହେବ, ସେ ଦିନ ଯିବାକୁ ପଡ଼ିବ ତୋର ମା' ପାଖକୁ ।

 

ଏ ଦୁନିଆ ବନ୍ଧା । ସେଥିରୁ ମଣିଷ କେତେ କ'ଣ ଭାବେ । କିଛି ହୋଇ ପାରେ ନା–

 

ଚିନ୍ତାକରି କିଛି ଲାଭନାହିଁ । କାଞ୍ଚନ ଜେନା । ବିରାଟ ଭବିଷ୍ୟତ ପଡ଼ିରହିଛି । ଅନୁଶୋଚନାର ସଙ୍ଗେ ସଙ୍ଗେ କର୍ମ କରିଚାଲ ।

 

ସରକାର ମାସକର କଣ୍ଟଦେଲେ । ଇତିମଧ୍ୟରେ ଋଣପରିଶୋଧ କରି ନ ପାରିଲେ ଜମିବାଡ଼ି, ରହିବା ବସା, ସମସ୍ତ ସମ୍ପତ୍ତି ନିଲାମ ହେବ ।

 

ଦିନପରେ ଦିନ ଗଡ଼ି ଚାଲିଛି । ସମୟର ସୁଅ ମୁହଁରେ ମଣିଷ କିଛି ନୁହେଁ ।

Unknown

 

ଦିନକୁ ଦିନ କାଞ୍ଚନ ଜେନାର ଚିରନ୍ତନ ଆତ୍ମା କାନ୍ଦି ଉଠୁଛି । ଇତି ମଧ୍ୟରେ କାଞ୍ଚନ ଜେନା ଟଙ୍କାପାଇଁ ଶତ ଚେଷ୍ଟା କରିଛନ୍ତି । ବନ୍ଧୁ ବର୍ଗଙ୍କୁ ହାତପାତି ଭିକ୍ଷା ମାଗିଛନ୍ତି । ହେଲେ ନିର୍ବାକ ନିଷ୍ପନ୍ଦ ହୋଇଉଠିଛି ତାଙ୍କର ଚକ୍ଷୁ ଆଗରେ ଏ ସଂସାର । ଲକ୍ଷାଧିକ ଟଙ୍କା ବର୍ତ୍ତମାନ ଅବସ୍ଥାରେ ତାଙ୍କୁ ଧାର ଦେବ କିଏ ? ଟଙ୍କା ପରିବର୍ତ୍ତରେ ଭିକ୍ଷା ପାତ୍ରରେ ଅଗ୍ନି ବର୍ଷଣ ହୋଇଛି । ଆଜି କାଞ୍ଚନ ହୁଏତ ବୁଝିପାରିଥିବେ ଏ ଛୋଟ ଦୁନିଆଁରେ କେହି କାହାରି ନୁହନ୍ତି । ଲୌକିକତାର ସଂସାର ଏ । ଚାରିଦିନର ଚହଟ ଚାନ୍ଦିନୀ । ବିଶ୍ୱାସଘାତକତାର ଦୁନିଆ । ମଣିଷର ସହସ୍ର ଆଖି ବୁଜିହୋଇ ଯାଏ । ସେତେବେଳେ ଜଣାଯାଏ ଭଗବାନଙ୍କର ସୃଷ୍ଟ ମର କଳେବର ଭିତରେ ଯେଉଁ ପାର୍ଥକ୍ୟ ରହିଛି ତାହା କେତେ ଘୃଣ୍ୟ, କେତେ କଦର୍ଯ୍ୟ ।

 

ହୁଏତ ଋଣ ପରିଶୋଧ କରି ନ ପାରିବା କାଞ୍ଚନ ଜେନାର ଅବହେଳାର ଏକ ଶ୍ରେଷ୍ଠ ନିଦର୍ଶନ । ଦିନ ଥିଲା ଯେତେବେଳେ ଲକ୍ଷାଧିକ ଟଙ୍କାକୁ ସେ କେଉଁ ଖେତର ମାଟି ଗୋଡ଼ି ବୋଲି ଭାବିଥିଲେ । କିନ୍ତୁ ଆଜିର ଚାରିବର୍ଷର ଝିଅ କାଲି ଏକ ଷୋଡ଼ଶୀ ହୋଇ ଘରକୁ କଳଙ୍କିତ କରିପାରେ ଏହା ମଣିଷର ଛୋଟ ମୁଣ୍ଡରେ ପଶେ ନାହିଁ । ଛୋଟ ବାଲି ମଣିଷ ଯାହାକୁ ଭାବେ, ବଡ଼ ହୋଇ ତାହା ତା’ର ଜୀବନର ରାହାକୁ ବଦଳାଇ ଦେଇ ପାରେ ।

 

ଚିନ୍ତା ଜ୍ୱରରେ ଦେହ ତାଙ୍କର ଅବଶ ହୋଇ ଗଲାଣି । ମନମାରି ବସିଛନ୍ତି । ପାଖରେ ଶ୍ୱେତପଦ୍ମା କେତେ କ'ଣ ନେଇ ବୁଝାଉଛି–ସୃଷ୍ଟିରେ ଦଇବ ଛପି ଛପି ବୁଲେ, ଯାହାକୁ ଆଗରେ ପାଏ, ତା’ର ସର୍ବନାଶ କରେ । ଆଉ କେତେ କ'ଣ ବକି ଯାଉଛି । ମଧୁର କଥା ତା’ର ଆଜି କାହିଁକି କାଞ୍ଚନ ଜେନାଙ୍କୁ ଶାନ୍ତି ଦେଇ ପାରୁନି । କପାଳ ଉପରେ ହାତ ନ ରଖିବାକୁ କେତେଥର ମନା କରିଛି ସେ । ବାପ ପାଖରେ କାନ୍ଦିଛି, ଛୁଆଟି ପରି । ପଣତ କାନିରେ ବାପର ଲୁହ ବାର ବାର ପୋଛୁଛି । ବାପାଙ୍କର ହିଆର ଅଜଣା ଅନ୍ଧାରି ମୁଲକର ଅଭିମାନିଆ ନିଆଁକୁ ଦବେଇବାକୁ ଶତବାର ଚେଷ୍ଟା କରୁଛି ।

 

କାଞ୍ଚନ ଜେନାର ଅସ୍ଥିରତା ଭାଙ୍ଗିନାହିଁ । ଚିନ୍ତା ତିଳେ ହେଲେ ଲାଘବ ହୋଇନାହିଁ । ନୀଳା କାନ୍ଦେ । ଶ୍ୱେତର ଆଖିରୁ ମଧ୍ୟ ଝରେ ଲୁହ । ମନେ ମନେ, ଅନ୍ତର ଭିତରେ ଦୁଃଖର ଢେଉ ଛୁଟେ । କିନ୍ତୁ ପିତାର ଅଗୋଚରରେ । ଦୁନିଆର ରଙ୍ଗ ଉପରେ ତାଙ୍କର ଆସେ ଘୃଣା, ରାଗ ଶେଷରେ ଅଭିମାନ । ତାଙ୍କରି ଜନ୍ମ ଦିବସରେ ପ୍ରଥମ ଥର ପାଇଁ ଏହି ବୁଢ଼ା ବାପା ଅଜସ୍ର ଟଙ୍କା ଜାଣିଶୁଣି ଆନନ୍ଦ ଭିତରେ ହଜେଇ ଦେଇଥିଲେ ।

 

ଠାକୁର ଆଗରେ ସହସ୍ର ଲୁହଧାରର ପୁରସ୍କାର କ'ଣ ଏହି ଦିନ ଅବସ୍ଥାର ଚାପ ?

 

ପରମେଶ୍ୱର ପାଖରେ ସେ ହାତପାତି ଭିକ୍ଷା ମାଗିଛନ୍ତି । ଅନୁରୋଧ କରିଛନ୍ତି–ହେ ଭଗବାନ ତୁମକୁ ଆମେ ଜୀବନଦେଇ ଭଲ ପାଇଁଛୁ । ତା' ବଦଳରେ ଆମ ଅନୁରୋଧ ରଖିବାକୁ ହେବ । ଏ ଛୋଟିଆ ସଂସାରର ମୂଳଦୁଆ ଭୁସୁଡ଼ି ଯାଉଛି ପ୍ରଭୋ ! ନୂଆ କରି ସଜାଡ଼ି ଦିଅ, କେବଳ ଏଥର ପାଇଁ । ମୁଁ ଆଉ ଏପରି ଭୁଲ ଜୀବନରେ କେବେହେଲେ କରିବି ନାହିଁ । ରକ୍ଷାକର ହେ ଜଗତର ପିତା ।

 

ଆଖିରୁ ଲୁହ ଗଡ଼େ । ନୀଳା ଚାହେଁ ଶ୍ୱେତପଦ୍ମା ଆଡ଼କୁ, ସେ ଚାହେଁ ତାକୁ । ଚାରି ଆଖିରୁ ଗଡ଼େ ଲୁହ । ପୋଛିଲେ ମଧ୍ୟ ଗଡ଼ି ଚାଲିଥାଏ ଅଶ୍ରୁ ।

 

ଦିନପରେ ଦିନ ଗଡ଼ି ଚାଲିଲା–

 

ଦି'ଦିନ ବାକି ଅଛି । ଯଥା ସମୟରେ ଟଙ୍କା ପରିଶୋଧ କରିବାକୁ ପଡ଼ିବ ।

 

ରାତି ତିନିଘଡ଼ି ପାର ହୋଇ ଗଲାଣି । ନିଜ ଶୋଇବା ଘରେ ବିଛଣା ଉପରେ ବସିଛନ୍ତି-। ଲଗାଲଗି ଅନ୍ୟ ଛୋଟିଆ କୋଠରୀରେ ନୀଳା ଓ ଶ୍ୱେତପଦ୍ମା ଶୋଇଛନ୍ତି । କାଞ୍ଚନ ବସି ଭାବୁଛନ୍ତି–ଘର ସଙ୍ଗେ ମାନମହତ ସବୁ ନିଲାମ ହେବ । କେବଳ ବାକି ରହିବ ଏ ଶରୀର-। ଶେଷରେ ଦଇବ ହାତରେ ଏହା ମଧ୍ୟ ନିଲାମ ହେବାକୁ ବାଦ ଯିବନାହିଁ । ଦୁନିଆଁରେ ଯାହାର ରହିବା ପାଇଁ ଖଣ୍ଡେ ବସା ନାହିଁ, ସେ ବାରଦ୍ୱାର ବୁଲା କୁକୁର ସଙ୍ଗେ ସମାନ ।

 

ନିଜର ଦୁର୍ବଳତା ଦେଖି ନିଜ ଉପରେ ଘୃଣା ଆସେ । ସରକାରଙ୍କର ନୈତିକ ଦୃଷ୍ଟି ଥାଉ, ତାଙ୍କର ଦୋଷ ଥାଉ ନ ଥାଉ କାଞ୍ଚନର ଏଥିରେ କମ୍‍ ଦୋଷ ନାହିଁ । କାହା ଉପରେ ଅଭିମାନ କରିବେ, ରାଗରୋଷ ରଖିବେ ? ନିଜ ଉପରେ । ଏହି ଦୁଃଖ ଦୁର୍ଦ୍ଦଶା ପାଇଁ କେବଳ ସେ ଦାୟୀ । ନୀଳା ଓ ଶ୍ୱେତପଦ୍ମା ଯଦି ପଥର ଭିକାରି ହୁଅନ୍ତି ତା’ ହେଲେ କାହା ଦୋଷରୁ ? ତାଙ୍କର ଅଭିମାନ, ରାଗରୋଷରେ କାହାର କିଛି ଲାଭକ୍ଷତି ନାହିଁ । ଲୋକେ ଦେଖିବେ ଏ ଦୂରବସ୍ଥା ମୁହଁରେ ହାତ ଦେଇ ହସିବେ । ତୁଣ୍ଡବାଇଦ ବୁଲିଆସିବ କୁମ୍ଭାର ଚକ ପରି । ଲୋକେ କହିବେ କେବଳ ବାପ ପାଇଁ ଯୁବତୀ ଝିଅ ଦି'ଟାର ଆଜି ଏ ଅବସ୍ଥା ।

 

କାନ୍ଥରେ ଟଙ୍ଗା ହୋଇଥିବା ସତୀ ସାବିତ୍ରୀ ପରି ସୁହାସିନୀର ଚିତ୍ରପଟକୁ ଦେଖି, କାନ୍ଦି କାନ୍ଦି କହିଲେ ସେ–ସୁହାସିନୀ ମୋର, ମଝି ଦରିଆରୁ ନାଆକୁ ମୋର କିନାରା ଦିଅ, ଲକ୍ଷ୍ମୀ । ମୁଁ ଦୋଷୀ । ମୋ ପାଇଁ ଝିଅ ଦୁଇଟାର ଅବସ୍ଥା ଏପରି, କ’ଣ କରିବି ସୁହା ? ମୋତେ ଶକ୍ତି ଦିଅ । ଉପାୟ ଦିଅ । ଏ ଗରିବକୁ ଦୟାକର ସୁହା ।

 

ନୀଳା ଓ ଶ୍ୱେତାର ଚିତ୍ରପଟକୁ ଦେଖି ଲୁହ ଗଡ଼ାଇ କହିଲେ, ନୀଳା ମୋର ଶ୍ୱେତପଦ୍ମା ମୋର, ମୋତେ କ୍ଷମା ଦିଅ ତୁମରି ସୁଖର ପାତ୍ରରେ ମୁଁ ଦୁଃଖ ବାଢ଼ିଛି । ଆଜି ଯଦି ଏ ହୀନ ପ୍ରାଣ ବଦଳରେ ତମର ଶାନ୍ତି ବିଧାନ ହୁଅନ୍ତା ଅକପଟରେ ପ୍ରାଣ ବଳିଦାନ ଦେବାକୁ ପ୍ରସ୍ତୁତ ଅଛି ।

 

ଉଭୟ ଚିତ୍ରପଟ ରାଗରେ ସତେ ଯେପରି ଉତ୍ତର ଦେଲେ, ବାପା !

 

ଜନ୍ମଦାତା ହୋଇ ନିଜର ସନ୍ତାନର ଭବିଷ୍ୟତକୁ ଅବହେଳା କରିଛ ତୁମେ । ଯଦି ଚାହିଁଥାନ୍ତ, ଟିକିଏ ନଜର ରଖିଥାନ୍ତ ଆମରି ଭବିଷ୍ୟତ ଉପରେ, ତା' ହେଲେ ହୁଏତ ଏ ଦୂରବସ୍ଥାର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା । ଦୁଃଖ ଅଜାଡ଼ି ଦେଇ ତୁମର କ'ଣ ଲାଭ ହେଲା ବାପା ? ତୁମେ, ତୁମେ ହିଁ ଆମର ଭାଗ୍ୟ ବିପର୍ଯ୍ୟୟ ପାଇଁ ଦାୟୀ ।

 

କାନରେ ହାତ ଦେଇ ହଠାତ ସେ ଚିତ୍କାର କରି ଉଠିଲେ ଧୀର କଣ୍ଠରେ, ନା ନା ନୀଳା, ଶ୍ୱେତପଦ୍ମା ମୁଁ ତୁମର ଦୁଃଖ ଦେଖି ପାରିବି ନାହିଁ । ମୁଁ ପ୍ରକୃତରେ ଦୋଷୀ । ଏହାର ଶ୍ରେଷ୍ଠ ପୁରସ୍କାର ପ୍ରାଣଦଣ୍ଡ । ମୋତେ ମରଣ ଦେଉନ କାହିଁକି ଭଗବାନ୍‍ ! ଭଗବାନ୍‍ ! ଏମାନଙ୍କର ଦୁଃଖ ଦେଖିବା ଠାରୁ ବହୁ ଦୂରକୁ ମୁଁ ଚାଲିଯିବି । ଆତ୍ମହତ୍ୟା କରିବି । ଆତ୍ମହତ୍ୟା ଛଡ଼ା ଏ ହୀନ ଜୀବନରେ ଅନ୍ୟ ପଥ ନାହିଁ । ଏ ଜୀବନକୁ ଜଳାଞ୍ଜଳି ଦେଇ ଅନ୍ତତଃ ଦୁଇଟା ପ୍ରାଣୀର ଦୁଃଖ ବେଦନା ଦେଖିବାଠାରୁ ଦୁରେଇ ରହିବି । ପୁଷ୍ପ ହାର ସଜାଇ ରଖ ସୁହାସିନୀ ମୁଁ ତୁମ ପାଖକୁ ଯାଉଛି । ଜୀବନରୁ ମାୟା ତୁଟିଛି । ବନ୍ଧନର ବାହାରେ ମୁଁ ।

 

ଆତ୍ମହତ୍ୟା ! ଆତ୍ମହତ୍ୟା !! ଆତ୍ମହତ୍ୟା !!!

 

କାନ୍ଥ ଆଲମିରାରୁ ବିଷ ଶିଶିଟି ଆଣି ହାତରେ ଧରିଲେ । ଭାବିଥିଲେ ଢକ କରି ପିଇଯିବେ । କିନ୍ତୁ ମନରେ ତାଙ୍କର ଭାବାନ୍ତର ଜାତ ହେଲା । ସତେ ଯେପରି ମୂକ ସୁହାସିନୀର ଚିତ୍ର ଫଳକ ପ୍ରତ୍ୟୁତ୍ତର ଦେଉଛି, ସ୍ୱାମୀ ! ଏ କି ପାପାଚର । ଏହାଠୁଁ ବଳି ପାପ ଓ ଗୁରୁତର ଅଧର୍ମ ମଣିଷ କ'ଣ କରିପାରେ । ନର୍କରେ ପଡ଼ିବାକୁ ମଣିଷ କଦାପି ଚାହେଁ ନାହିଁ । ଝିଅ ଦୁଇଙ୍କୁ ଇହଧାମରେ ଛାଡ଼ି ଏକାକୀ ଚାଲିଯିବ ? ଏ କି ସନ୍ତାନ ବାତ୍ସଲ୍ୟର ପରିଚୟ । ଭଗବାନଙ୍କର ପବିତ୍ର ପ୍ରେମକୁ କଳଙ୍କିତ କରନା । ତାଙ୍କୁ ରାସ୍ତା ଦେଖେଇବା କ'ଣ ତୁମର କର୍ତ୍ତବ୍ୟ ନୁହେଁ ? ଆଜି ନୀଳା ଓ ଶ୍ୱେତ ଯୁବତୀ । ଏତେ ସହଳ ଚାଲିଯିବାକୁ ବସିଛ ତୁମେ ? ଏବେ ସୁଦ୍ଧା ତୁମେ ତୁମର କର୍ତ୍ତବ୍ୟ ପୂରଣ କରି ପାରିନ । ମଣିଷର କର୍ମ ତାତ୍ପରତାର ପରଖ ହୁଏ ଏହି ବୟସରେ । କନ୍ୟା ଦ୍ୱୟଙ୍କୁ ବୟସର ଦରିଆ ମଝିରେ ଛାଡ଼ି ଚାଲିଯିବ । ଅର୍ଥ ନିଜହାତରେ ସନ୍ତାନର ଗଳା ଚାପିଦେବା-। ମୋର ଅନୁରୋଧ, ତୁମେ ଏପରି କୁକର୍ମ କରନା । ମଣିଷ ଜୀବନର ମୂଲ୍ୟ ଅଛି । ସାମାନ୍ୟ କାଣି କଉଡ଼ି ପାଇଁ ଏତେ ଅମୁଲ୍ୟ ଜୀବନ ହରେଇ ଦେବା ଜଗତର ଶ୍ରେଷ୍ଠ ଜୀବନ ମଣିଷ ପାଖରେ ଶୋଭା ପାଏନା । ବିଚିତ୍ର ସୃଷ୍ଟିରେ ପଥର ଭିକାରୀର ମଧ୍ୟ ମୂଲ୍ୟ ଅଛି । ତୁମକୁ ମନୁଷ୍ୟ ଧର୍ମ ବଜାୟ ରଖିବାକୁ ହେବ । ନିଜ ପ୍ରତି ଓ ପରପ୍ରତି କର୍ତ୍ତବ୍ୟ କରିବାକୁ ପଡ଼ିବ । ହୃଦୟକୁ ପଥର କରି ପାରିଲେ ଅର୍ଥର ମୋହ ତମର କାୟା ସୁଦ୍ଧା ସ୍ପର୍ଶ କରି ପାରିବ ନାହିଁ । ହେ ସ୍ୱାମୀ ! ନିଜର ଯଥୋଚିତ କର୍ତ୍ତବ୍ୟ କର । ସେଥିରେ ଝିଅ ଦୁଇଙ୍କର ସୁଖ ଅଛି । ଏତିକି ମୋର ମାଗୁଣି ।

 

କେତେବେଳୁଁ ବିଷ ଶିଶିଟି ପଡ଼ି ଚୁର୍ଣ୍ଣ ବିଚୁର୍ଣ୍ଣ ହୋଇ ତଳେ ପଡ଼ି ଯାଇଛି ତାଙ୍କୁ ଜଣା ନାହିଁ ।

 

ସେ ବଞ୍ଚିବେ । ନିଜପାଇଁ ନ ହେଲେ ଅନ୍ତତଃ ନିଜର ନୀଳା ଓ ଶ୍ୱେତ ପାଇଁ । ବଞ୍ଚି ରହି ଦୁନିଆଁର ଶତ ସହସ୍ର ନିର୍ଯାତନା ଲକ୍ଷ ଅତ୍ୟାଚାର ବିରୁଦ୍ଧରେ ଯୁଦ୍ଧ ଚଳେଇବେ ।

 

ରାତି ପାହିବାକୁ ବସିଥିଲା–

 

 

ଦଇବର ଆବର୍ତ୍ତରେ ମଣିଷର କାବଦସ୍ତ ରହେ ନାହିଁ । କାଞ୍ଚନ ଜେନାର ଅଗଣାରେ ଲୋକାରଣ୍ୟ । ନିଲାମ ହୋଇ ଶେଷ ହେଲା । ଏତେ ବଡ଼ ସହର କିଏ କାହାକୁ ପଚାରେ । ଘର ପରେ ଜମି, ଜମି ପରେ ସର୍ବସ୍ୱ ନିଲାମରେ ପରହାତକୁ ଗଲା । ଆଉ କିଛି ଅଛି ଭଳିଆ ଜିନିଷ ନିଜ ପାଖରେ ନାହିଁ । ଯାହା ଅଛି ସେଥିରେ ଚଳିବା ମୁସ୍କିଲ ।

 

ମଣିଷ ଅବସ୍ଥାର ଦାସ । ସମୟର ଦାସ । ଦିନେ ଯେ ପାଞ୍ଚଜଣଙ୍କୁ କିଛି ଦେଇ ସନ୍ତୁଷ୍ଟ କରି ପାରୁଥିଲା, ଆଜି ତା’ ପାଖରେ କିଛି ନାହିଁ ଦେବାକୁ । ସେ ନିଜେ ସନ୍ତୁଷ୍ଟ ନୁହେଁ । କେଉଁ ମୁହଁରେ ସେ ସେଠି ରହିବ । ମଣିଷର ଲାଜ ଅଛି, ସରମ ଅଛି । ବିରାଟ ମହଲର ସବୁଦିନ ରହି ଆସିଥିଲା ଯେ, ଆଜି ଗୋଟିଏ ଘରଭଡ଼ା ନେଇ ଚଳୁଛି ।

 

ଦୁଃଖ ପରେ ସୁଖ ଆସିଲେ ତାହା ଭଗବାନଙ୍କର ଆଶୀର୍ବାଦ । ଧନୀ ହୋଇ ପରେ ଗରିବ ହେଲେ ମଣିଷକୁ କେତେ ନ ବାଧେ । ପ୍ରତିପଦେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ପିଣ୍ଡରେ ପ୍ରାଣ ଥାଇ ସୁଦ୍ଧା ନ ଥିଲା ପରି । ପ୍ରକୃତରେ ଦାରିଦ୍ର୍ୟ ଚିରନ୍ତନ ଅଭିଶାପର ଏକ ରୂପାନ୍ତର ମାତ୍ର ।

 

ଦିନ ପରେ ଦିନ ବିତି ଚାଲିଛି–

 

କାଞ୍ଚନ ଜେନା ଗରିବ । ହାତରେ ଦି’ ପଇସା ନାହିଁ । ସେ ଚାହାନ୍ତି ନି ପରର ଗୋଲାମ ହୋଇ, ସ୍ୱାଧୀନତା ହରାଇ ଦି’ ପଇସା ରୋଜଗାର କରିବାକୁ । ହେଲେ ଯେତେବେଳେ ଯାଏଁ ଏ ପିଣ୍ଡରେ ପ୍ରାଣ ଅଛି, ତାଙ୍କୁ ବଞ୍ଚିବାକୁ ହେବ । ସେଥିପାଇଁ ତାଙ୍କର ଚିନ୍ତା । ସର୍ବଦା ଆଖି ଛଳଛଳ । ଝିଅଙ୍କ ଆଗରେ କଳ୍ପିତ ହସ । ଅନ୍ତର ସର୍ବଦା କାନ୍ଦୁଥାଏ । ନିଜ ଭାଗ୍ୟ ପାଇଁ, ଅବସ୍ଥା ପାଇଁ । ବିଶେଷତଃ ଝିଅ ଦୁଇଙ୍କ ପାଇଁ । କ'ଣ କରିବେ ?

 

ମଣିଷର ଅବସ୍ଥା ସର୍ବଦା ସମାନ ନ ଥାଏ । ସୁଧୁରି ଯାଏ । ସେଥିପାଇଁ ଚାକିରି କରିବାକୁ ପଡ଼ିବ ତାଙ୍କୁ । ପରଠାରେ ଗୋଲାମୀ କଲେ ଦି’ ପଇସା ଆସେ । ବାଃ ଭଗବାନ କେତେ ରଙ୍ଗରେ ସଜାଇଛୁ ଏ ଦୁନିଆ । ଛି, ଦଇବ, ମଣିଷକୁ ଏତେ ସାଧୁ କାହିଁକି ? କ'ଣ ବା ତୋର ଲାଭ ହୁଏ ।

 

ତିନି ପରାଣୀ । ବାପଝିଅ–ଛୋଟ ସଂସାର । ନୀଳା ଶ୍ୱେତପଦ୍ମା ଉଭୟେ ଶିକ୍ଷିତା । ଉଭୟେ କଳାକାର । କଳାକାର ଆଖିରେ ଛୋଟ ସଂସାରର ମଧ୍ୟ ମୂଲ୍ୟ ଅଛି । କଳାର ଉପାସକ ରୂପେ ସେମାନେ କଦାପି ଚାହାନ୍ତି ନି ଯେ ବାପ ପରିଶ୍ରମ କରିବ ଏବଂ ସେମାନେ ବସି ଖାଇବେ ଝିଅ ହିସାବରେ ବୃଦ୍ଧ ବାପ ପାଖରେ ତାଙ୍କର କିଛି କର୍ତ୍ତବ୍ୟ ଅଛି । ତାଙ୍କର ଶିକ୍ଷା ବେଶ୍‍ ସାହାଯ୍ୟ କରିବ ଦି’ ପଇସା ରୋଜଗାର କରିବା ପାଇଁ । ଆଉ, ବେଶ୍‍ ସୁଖରେ ଚଳି ଯିବାକୁ । କିନ୍ତୁ କେତେଦିନ ପାଇଁ ?

 

ଏ ହିଆରେ ପ୍ରାଣ ଥିବା ଯାଏଁ ଯୁବତୀ ଝିଅଙ୍କୁ ବାପ ପଠାଇବ କାମ କରିବା ପାଇଁ ଆଉ ବସି ଖାଇବ ସେ ? ଏହା କାଞ୍ଚନ ଜେନାଙ୍କ ମନକୁ ମାନେ କେତେ । ଦରବୁଢ଼ା ହେଲେ ବି ଚାରିପଇସା ରୋଜଗାର କରିବା ପାଇଁ ଦେହରେ ତାଙ୍କର ଶକ୍ତି ଅଛି । ମନରେ ତାଙ୍କର ବଳ ଅଛି । ଶାରୀରିକ ବଳ କ୍ଷୀଣତର ହେଲେ ବି ମଣିଷର ନୈତିକ ବଳ ଥିଲେ ଐଶି ଶକ୍ତି ଆସେ ଅସୁବିଧାର ସମ୍ମୁଖୀନ କରିବାକୁ । ତାଙ୍କର ବାପାଙ୍କୁ ତାଙ୍କର ଏପରି ଦୁର୍ଗତିଗ୍ରସ୍ଥ ହେବାକୁ ପଡ଼ିଥିଲା । ଖାଇବାକୁ ଦାନା ନଥିଲା, ପରେ ଭାଗ୍ୟ ବଦଳି ଗଲା । ଦାରିଦ୍ର୍ୟ ନିଭିଗଲା ଆସ୍ତେ ଆସ୍ତେ ପ୍ରଦୀପର ଶିଖାପରି-। ସୌଭାଗ୍ୟ ତାଙ୍କର । ସେ ହେଲେ ଠିକାଦାର । ଦୁଃଖ ପରେ ସୁଖ ଆସିଲା । ଭାଗ୍ୟର ବିପର୍ଯ୍ୟୟ ହେତୁରୁ ଆଜି କାଞ୍ଚନ ଜେନାକୁ ସେହି ପୂର୍ବଦଶା ଗ୍ରାସ କରିଛି । ତା' ସହିତ ଯୁଦ୍ଧ କରିବାକୁ ପଡ଼ିବ-। ହୁଏତ ସୁଖର ସଂସାର ପୁଣି ଚେଇଁ ଉଠିପାରେ । ବିଧାତାର ମନ ଜାଣିବା ମୁସ୍କିଲ ।

 

ଆଜି ଯଦି ଶ୍ୱେତ ଓ ନୀଳାକୁ ସେ ମୁକ୍ତ ଆକାଶର ବିହଙ୍ଗମ କରି ଛାଡ଼ି ଦିଅନ୍ତି, ତା’ହେଲେ ହୁଏତ କାଲି ସେମାନଙ୍କର ବିରୁଦ୍ଧରେ ତୁଣ୍ଡ ବାଇଦ ବାଜି ଉଠିବ । ନାରୀର ନାରୀତ୍ୱ ପଦାରେ ପଡ଼ିଲେ, ତା’ର ଆଉ ସମାଜରେ ସ୍ଥାନ ନାହିଁ । ସେ ନିର୍ଦ୍ଦୋଷୀ ହୋଇ ଥାଉନା କାହିଁକି, ତୁଣ୍ଡ ବାଇଦ ବଡ଼ ଟାଣ । ତୁଣ୍ଡ ବାଇଦ କୁମ୍ଭାରର ଚକାପରି ନିମିଷକ ମାତ୍ରେ ଘୁରି ଆସେ । ତୁଣ୍ଡ ବାଇଦ–ଦୁଇକାନରୁ ଚାରିକାନ, ଚାରିକାନରୁ ଛ’, ଛ’ରୁ ଆଠ ।

 

ଏତିକିବେଳେ ଶ୍ୱେତପଦ୍ମା ଆସି ପହଞ୍ଚିଲା–ବାପା, ଗୋଟିଏ କଥା ପଚାରିବାକୁ ଆସିଛି-

 

ହଁ ପଚାର ମା' । ଆଖିରୁ ଲୁହ ପୋଛିଲି ।

 

ଦୁଃଖର ଘାତ ପ୍ରତିଘାତ ଆଉ କେତେ ସହିବା ବାପା । ଏହାର କ'ଣ ପ୍ରତିକାର ନାହିଁ ! ଦୁଃଖକୁ ସୁଖରେ ପରିଣତ କରିବା ପାଇଁ କ'ଣ ବାଟ ନାହିଁ । ତମେ ତ କହିଥିଲ, ମଣିଷର ଜୀବନ ଶୁଦ୍ଧ ସୁବର୍ଣ୍ଣ ପରି ଜାଜ୍ୱଲ୍ୟମାନ ହୁଏ ଯେତେବେଳେ ସେ ଦୁଃଖ ବିରୁଦ୍ଧରେ ଛିଡ଼ା ହୋଇ କରେ ଯୁଦ୍ଧ । ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବାପା । ମୁଁ ଚାହେଁ କେବଳ ତୁମରି ଅନୁମତି । ଆଉ ତା’ ସଙ୍ଗେ ସଙ୍ଗେ ତୁମର ଆଶୀର୍ବାଦ ।

 

ଲୁହପୋଛି କହିଲି ଶିରୀଷ ପୁଷ୍ପ ଅଣଚାଶ ପବନ ବିରୁଦ୍ଧରେ ଯୁଦ୍ଧ କଲେ, ତା’ର ଶେଷ ପରିଣାମ ମୁଣ୍ଡ ନୂଆଇଁବା ଛଡ଼ା କ’ଣ ହୋଇପାରେ ମା’ । ତୁ ଶିକ୍ଷିତା । ମନେକରେ ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର । ମୁଁ ଡରୁଚି, ଜୀବନ ଯୁଦ୍ଧର ଶିକ୍ଷା ତୋର କୌଣସି ସହାୟକ ହୋଇ ପାରିବ ନାହିଁ-। ଜୀବନ ଧାରଣ କରିବାର ଅବଲମ୍ବନ ଏକମାତ୍ର ଶିକ୍ଷା ନୁହେଁ ତୋ ପକ୍ଷରେ । ଆଉ କିଛି ଅଛି-। ତୁ ଇଣ୍ଟରଭିଉ ଯା ନା ମା । ଦି’ ପଇସା ଆଣିଲେ ଦୁଃଖ ଯିବ ଭାବିଛୁ ? ହେଲେ ମାନସିକ ଦୁଃଖ ଏ ପରିବାରକୁ ଛାଡ଼ିବ ବୋଲି ମୋର କାହିଁ ବିଶ୍ୱାସ ହେଉନାହିଁ । ନା ନା, ମୋ ପିଣ୍ଡରେ ପ୍ରାଣଥିବା ଯାଏଁ, ମୋ ଗୋଡ଼ରେ ଚାଲିବାକୁ ଶକ୍ତି ଥିବା ପର୍ଯ୍ୟନ୍ତ, ତୁମକୁ ପରଠାରେ କାମ କରିବାକୁ ପଡ଼ିବ ନାହିଁ । ଲୋକେ କ'ଣ କହିବେ ? ବାପ ଖାଉଛି ଝିଅ କମାଉଛି । ବାପ ଶୋଇଛି ଯୁବତୀ ଝିଅ କାମ କରିବାକୁ ଯାଉଛି । ଏପରି ହେବାକୁ ମୁଁ କଦାପି ଦେବି ନାହିଁ । ମୋ ଜୀବନ ଚାଲିଗଲା ପରେ ତୁମେ ଯାହା କରିବ । କିଛି ଜାଣିବି ନାହିଁ । କିଛି ଶୁଣିବ ନାହିଁ । ମନରେ ଦୁଃଖ ଦେବ ନାହିଁ-

 

କହୁ କହୁ ଆଖିରୁ ଦି’ ଧାର ଲୁହ ଗଡ଼ିଗଲା । ଲୁହ ପୋଛୁ ପୋଛୁ ଶ୍ୱେତପଦ୍ମା କହିଲା, ଛି ବାପା କାନ୍ଦୁଛ ? ତୁମେ ଯେବେ କହୁଚ ମୁଁ ଯିବିନି । ମୋର ଶିକ୍ଷା ମୋତେ ଅମାନିଆ ହେବାକୁ କେବେ ଶିକ୍ଷା ଦେଇ ନାହିଁ । ତା’ ଛଡ଼ା ସମାଜ ପ୍ରତି ମୋର ଅଭିମାନ ଓ ରାଗ ଜାଗ୍ରତ ହୋଇଛି । ନିମକ୍‍ହାରାମ ଏ ଲୋକ ଗୁଡ଼ାକ । କ'ଣ ନ କରିଥିଲ ଏ ସମାଜ ପାଇଁ, କ'ଣ ନ ଦେଇଥିଲ, କ'ଣ ନ ଖାଇଥିଲା ଏ ସମାଜ । ଦାନ ଦେବାରେ ଦିନେ ହେଲେ ତୁମେ ଟିକିଏ ଦ୍ଵିଧା ରଖି ନ ଥିଲ । ପରକୁ ଆପଣାର ମଣି ଦେଇଥିଲ ଅଯାଚିତ ଦାନ । ତା’ର ପ୍ରତିଦାନ କ’ଣ ଦେଲା ଏ ସମାଜ ଦେଖିଲ ତ ବାପା ? କଟା ଘା'ରେ ଚୂନ ଦେବା ଛଡ଼ା ଏ ହୀନ ସମାଜର ଏକ ବିଶିଷ୍ଟ ଧର୍ମ ଛଡ଼ା କ୍ଷତି କ'ଣ ? ଆମକୁ ଦି’ଓଳି ଦି’ ଗୁଣ୍ଡା ଭାତ ଦେଉ ନାହିଁ ଏ ସମାଜ ଯା ପାଇଁ କି ନିଜର ସ୍ୱାଧୀନତାର ବଳିଦାନ ଦେବୁ । ନିଜ ପରିବାର ପେଟରେ ଦାନ ଦେବାପାଇଁ ଯଦି ପରଦ୍ୱାରରେ ଚାକିରି କରେ ସମାଜର କ’ଣ ଅଧିକାର ଅଛି ମୋର ବିରୁଦ୍ଧରେ ଛିଡ଼ା ହେବ, ଅଯଥା ଅର୍ଥହୀନ କଳଙ୍କ ଲଗାଇବ ମୋ ମଥାରେ । ସମାଜର ତୁଣ୍ଡ ବାଇଦ ସହସ୍ର କୋଶକୁ ଶୁଭେ । ହେଲେ କ୍ଷୀର ସମୁଦ୍ର ପାର ହୋଇ ଭଗବାନଙ୍କର ଅନନ୍ତ ଶୟନ କକ୍ଷକୁ ପହୁଁଚି ପାରୁନା । ସେଥିପାଇଁ ମୋର ଭୟ ନାହିଁ ବାପା । ଏହିପରି ଜୀବନ ଯାପନ କରି ମୁଁ ଯଦି ସମାଜର ଦୋଷ ଦୁର୍ବଳତାକୁ କିଛି ପରିମାଣରେ ମୂଳପୋଛ କରିପାରେ, ତାହାହେଲେ ଭଗବାନଙ୍କର ନ୍ୟାୟ ଦରବାରରେ ମୁଁ ଅନ୍ୟାୟୀ ହେବି ନାହିଁ ।

 

ଶ୍ୱେତପଦ୍ମା ଏକ ନିଶ୍ୱାସରେ ଏତକ କହିଦେଇ ଗଲା । ସମାଜ ପ୍ରତି ହୃଦୟରେ ତା’ର ରାଗ, ମନରେ ଅଭିମାନ । ସମାଜର ଅନ୍ୟାୟ ବିରୁଦ୍ଧରେ ହସ୍ତ ଉତ୍ତୋଳନ କରିବାକୁ ସେ ଆଜି ଶକ୍ତି ପାଇଛି । ପାରିବାରିକ ଦୁଃଖ ତା’ର କୋମଳ ହୃଦୟକୁ ପଥର କରିଛି । ପାଦର କଣ୍ଟାକୁ କେବଳ କଣ୍ଟା ସାହାଯ୍ୟରେ ବାହାର କରାଯାଇ ପାରେ–ସେ ଭଲ ଭାବରେ ହୃଦୟଙ୍ଗମ କରି ପାରିଛି ।

 

ତା’ର ପୃଷ୍ଠଦେଶରେ ହାତ ରଖି ସାନ୍ତ୍ୱନାପୂର୍ଣ୍ଣ ବାଣୀରେ କହିଲି, ଥୟ ଧର ମା । ନ୍ୟାୟ ସମ୍ମୁଖରେ ଅନ୍ୟାୟ ନିଶ୍ଚୟ ଦିନେ ମୁଣ୍ଡପାତି ଛିଡ଼ା ହୁଏ । ସର୍ବଶେଷରେ ସତ୍ୟ ନିଶ୍ଚୟ ଜୟଲାଭ କରେ । ଭଗବାନଙ୍କର ସୃଷ୍ଟି ବୁଝିବା ବଡ଼ କଠିନ । ସୃଷ୍ଟି ଘଡ଼ି ଘଡ଼ିକେ ଆନ । ମୁଁ ଜାଣିଛି–ଆଜି ସାମାଜିକ ପାଣି ପବନ ବିଷାକ୍ତ ହୋଇ ଯାଇଛି । ଉପଯୁକ୍ତ ରାସ୍ତାକୁ ଆଣିବାକୁ ହେଲେ ବିଦ୍ରୋହ ଦରକାର । ଛାଡ଼ ସେ କଥା ଯାହାର ମୂଲ୍ୟ ଆମ ପାଖରେ କିଛି ନୁହେଁ ।

 

ନା ବାପା, ସାମାଜିକ ଜୀବ ହିସାବରେ ଆମକୁ ବହୁତ କିଛି କରିବାକୁ ପଡ଼ିବ ।

 

ଏତିକି କହି ଶ୍ୱେତପଦ୍ମା ଘର ଭିତରକୁ ଚାଲିଗଲା । ନୀଳା ଭିତରେ ଥାଏ । ଏକା ବସି ଭାବିଲି–ବହୁବର୍ଷ ତଳର ସେହି କାଳରାତ୍ରି । ସୁହାସିନୀ ଶଯ୍ୟା ଶାୟିତ । ପାଖରେ ମୁଁ । ମୋ ଉଭୟ ପାର୍ଶ୍ୱରେ ନୀଳା ଓ ଶ୍ୱେତପଦ୍ମା । ନିକଟରେ ବିଜୟ ବାବୁ । ପୁଅ ପାଖରେ ଛିଡ଼ା ହୋଇଛି । ବଡ଼ ଆଶା ନେଇ ସୁହାସିନୀ ବିଜୟବାବୁଙ୍କୁ ପୁଅ ସହିତ ଡାକି ପଠାଇଲେ । ସେ ଆମର ଜ୍ଞାତି କୁଟୁମ୍ବ । ଉଭୟ ପରିବାର ଭିତରେ ଅବାଧ ମିଳାମିଶା ରହିଛି । ସୁହାସିନୀ ଡାକିଲା । ବିଜୟ ବାବୁ ପାଖେଇ ଆସିଲେ । ମୁଁ ମଧ୍ୟ ଗଲି । ସେ ଆଖି ଛଳଛଳ କରି ବିଜୟ ବାବୁଙ୍କୁ କିଛି କହିଲା । ବିଜୟ ବାବୁଙ୍କର ଚକ୍ଷୁ ଲୋତକରେ ପୁରିଗଲା । ବିଜୟବାବୁର ପୁଅ ସରୋଜର ହାତରେ ଶ୍ୱେତପଦ୍ମାର ହାତ ନିଜ ବେକର ସ୍ଵର୍ଣ୍ଣହାର ବାହାର କରି ସରୋଜର ଗଳାରେ ପିନ୍ଧାଇ ଦେଲା କହିଲା–ମଲା ବେଳକୁ ଏତିକ ଆଶା ରଖି ଯାଉଛି । ଯେପରି ବ୍ୟର୍ଥ ନ ହୁଏ । ଶ୍ଵେତକୁ ପାଇଲ । ସେ ତମର ବୋହୁ । ସରୋଜର ବାନ୍ଧବୀ । ମୋର ଆତ୍ମା ଯେପରି ନିରାଶ ନ ହୁଏ । ତମର ଦରମଲା ଭାଉଜର ଦି’ପଦ କଥା ରକ୍ଷା କରିବ । ମୁଁ ଦେଖିବି, ମୋର ଆତ୍ମା ଦେଖିବ ଆକାଶରେ ଥାଇ ।

 

ଆଖିରେ ଅଶ୍ରୁ ଭରି ବିଜୟ ବାବୁ ଜବାବ ଦେଲେ 'ମୁଁ ଶପଥ କରି କହୁଛି, ତମର କଥା ଅନ୍ୟଥା ହେବ ନାହିଁ । ଶ୍ୱେତପଦ୍ମା ମୋର ବୋହୂ । ସରୋଜ ତୁମର । ଯେଉଁ ଆଶାର କଢ଼ିଟିକୁ ମୋର ହୃଦୟର ଅନ୍ତର ଭିତରେ ରଖିଥିଲି ତାହା ଆଜି ଫୁଟେଇ ଦେଇଛ ତୁମେ । ତୁମର ଆଶୀର୍ବାଦ ଥାଉ ଉଭୟେ ଆନନ୍ଦରେ ରହନ୍ତୁ । ଚିରଜୀବୀ ହୁଅନ୍ତୁ ।

 

ଗଭୀର ଦୁଃଖ ମିଶ୍ରିତ ଗଳାରେ ସୁହାସିନୀ କହିଲା, ମା’ର ନୟନ ଯେଉଁଥିପାଇଁ, ଯାହା ଦେଖିବାକୁ ସଦା ବ୍ୟାକୁଳ, ତାହା ଦେଖି ପାରିବି ନାହିଁ । ମୁଁ ଯାଉଛି । ବେଶୀ ଦୂର ନାହିଁ । ପାଖେଇ ଆସୁଛି ।

 

ସେ ଚାଲିଗଲା । ଗର୍ବରେ ଛାତି ଫୁଲାଇ । ଆନନ୍ଦରେ । ମଣିଷ ଦେଖେ ମନ ନୟନରେ ସବୁକିଛି–ଭବିଷ୍ୟତ । ମାରିବା ଆଗରୁ ସେ ଦେଖିଥିବ ତା’ର ଆଖି ସାମନାରେ ବିବାହ-। ସରୋଜ ଓ ଶ୍ୱେତର । ଦେଖିଥିବ ଲୋକଗହଳି । ତା'ଭିତରେ ବର କନ୍ୟା । ଶ୍ୱେତପଦ୍ମା-ସରୋଜ-। ଶ୍ୱେତପଦ୍ମା ଚାଲିଥିବ ଆଗରେ । ପଛରେ ସରୋଜ । ସୃଷ୍ଟିର ଦୁଇଟି ପ୍ରାଣୀ । ଅଭେଦ ଆତ୍ମା-। ସେତେବେଳେ ସୁହାସିନୀର ଆଖିରୁ ଝରିଥିବ ଲୋତକ । ଆନନ୍ଦାଶ୍ରୁ ମଧ୍ୟରେ ଲୁଚିଥିବ ବିରହର ବେଦନା । ଆଉ ତା’ ଭିତରେ ଆଶୀର୍ବାଦର ଝଙ୍କାର ।

 

ସବୁଶେଷ–

 

ସୁହାସିନୀ କିଛି ଦେଖି ପାରିଲା ନାହିଁ ପ୍ରକୃତରେ । ମଲା ପୂର୍ବରୁ ସେ ଏତିକି ଭାବିଛି । ସ୍ଵପ୍ନ ଦେଖିଛି । ତା' ପାଖରେ ସ୍ଵପ୍ନଟି ଥିଲା ସତ୍ୟ । ଅବାସ୍ତବତାର ଛତ୍ରତଳେ ବାସ୍ତବତାର କେବଳ ଗୋଟିଏ ଝଲକ ଦେଖି ଥିଲା ସେ ।

 

ତା’ପରେ–ଛୁଆଟି ବେଳୁ ବିଜୟ ବାବୁଙ୍କଠୁଁ ଶ୍ୱେତପଦ୍ମା ପାଇଛି ଆଦର । ବଧୂରୁପେ ପାଇଛି ପାରିବାରିକ ସମ୍ମାନ । ସରୋଜର ସ୍ନେହ ମମତା ଭିତରେ ଛୁଆଟି ଦିନୁ ବଢ଼ି ଆସିଛି ଶ୍ୱେତ-। ପ୍ରେମର ବନ୍ଧନ ଉଭୟଙ୍କର ଆତ୍ମାକୁ ବାନ୍ଧି ଦେଇଛି । ବନ୍ଧନ ହୋଇଛି ସମୟର ସୁଅରେ ନିଗୁଢ଼ରୁ ନିଗୁଢ଼ତର ।

 

ଅନ୍ତଫାଡ଼ି ଯେ ଜନ୍ମ ଦେଇଛି ତା’ର ଆତ୍ମାକୁ ଚିରିତାର୍ଥ କରିବା ପାଇଁ ମୋତେ ସବୁକିଛି କରିବାକୁ ପଡ଼ିବ । ଶ୍ୱେତପଦ୍ମାର ବୟସ ହେଲାଣି ବାହା ହେବାର । ସରୋଜ ମଧ୍ୟ ବଳବାନ ସୁସ୍ଥ ଯୁବକ । ଉଭୟେ ଉଭୟଙ୍କର ଜୀବନର ଜୀବନ । ଏହା ଚାକ୍ଷୁସ ପ୍ରମାଣ ।

 

ମନସ୍ଥ କଲି ଆଜି ବିଜୟ ବାବୁଙ୍କ ଘରକୁ ଯିବି । ସବୁକଥା ଖୋଲିକି କହିବି । ଜବାବ ଆଣିବି ତାଙ୍କଠୁଁ । ବିବାହ–ଲଗ୍ନ ଠିକ୍ ହୋଇଯିବ । ଗ୍ରୀଷ୍ମ ଛୁଟିରେ ଆସିବ ସରୋଜ । ସବୁ ଠିକ୍‍ ହୋଇଯିବ ।

 

ମୋର ମନରେ ଅସୁବିଧାର ଧାରଣା ମଧ୍ୟ ଆସିଲା ନାହିଁ । ପେଟ ପୁରି ଉଠିଲା ଆନନ୍ଦରେ, ଗର୍ବରେ । ନୀଳା ଘର ଭିତରେ ଥିଲା । ଡାକ ଦେଲି । ପାଖକୁ ଆସି ବସି ପଡ଼ିଲା । । କହିଲା, କଥା କ'ଣ ବାପା ? ଦେଖିଲି ତା’ର ଶୁଖିଲା ମୁହଁରେ ହସ । ମୋର ମଧ୍ୟ ଶୁଖିଲା ମୁହଁରେ ଦରହାସ୍ୟ ଖେଳିଗଲା । କହିଲି ଗୋଟିଏ କଥା ତୋତେ ପଚାରିବାକୁ ଡାକିଲି ଶାନ୍ତି ।

 

ଚକିତ ହୋଇ ଚାହିଁ ରହିଲା ସେ ମୋର ମୁହଁକୁ ।

 

ସବୁକଥା ଫୁଟାଇ କହିଲି, ନୀଳା । ଭାବିଛି କାଳିଜାଇ ସରୋଜର ବାପାଙ୍କ ଆଗରେ ଶ୍ୱେତର ବିବାହ ପ୍ରସ୍ତାବ ବାଢ଼ିବି । ତୁ ତ ଜାଣୁ ମୋ ମୁଣ୍ଡରେ କେତେ ବୋଝ ଲଦି ହୋଇଛି । ଝିଅ ବୋଝ ଭାରି ମୁସ୍କିଲ । ସମ୍ଭାଳି ନ ପାରିଲେ ଦୁର୍ଘଟଣା ଆସେ । ଏଥିରେ ତୋର ମତ କ’ଣ ?

 

ଲାଜରେ ମୋର ମୁହଁ ଲାଲ ହୋଇଗଲା । ମୁହଁ ଶୁଖିଗଲା । ରହି, ରହି ଉତ୍ତର ଦେଲି, ଭଲ କଥା । ଯାହା ଭାବିଛ, ତାହା କର । ସବୁ ତ ଠିକ୍ ହୋଇ ସାରିଛି । କେବଳ ବିବାହ–ଲଗ୍ନ ଠିକ୍ କରିବାକୁ ପଡ଼ିବ । ବଡ଼ ଆଶ୍ଚର୍ଯ୍ୟ ଲାଗେ ବାପା, ଆମର ଏପରି ଭାଗ୍ୟ ବିପର୍ଯ୍ୟୟ ବେଳେ ବିଜୟ କକା ଟିକିଏ ସାହାଯ୍ୟ ହେଲେ କଲେ ନାହିଁ । ଆଜିକାଲି ତ ଏ ଆଡ଼କୁ ଆଖି ଫେରାନ୍ତି ନାହିଁ-। ନଚେତ ତାଙ୍କର କ'ଣ ନାହିଁ । ଚାହିଁଥିଲେ କ'ଣ ସାମାନ୍ୟ କେତେହଜାର ଟଙ୍କା ଦେଇ ପାରି ନ ଥାନ୍ତେ ! ଏ କି ବନ୍ଧୁତାର ପରିଚୟ ବାପା ? ବନ୍ଧନ ସମ୍ମୁଖରେ ଧନ ତାଙ୍କର ବଡ଼ ହେଲା । ହୁଏତ ଆମର ଇଜ୍ଜତର ଦାମ ବୁଝି ପାରିଲେ ନାହିଁ । ମନୁଷ୍ୟ ସ୍ଵଧର୍ମ ପରିତ୍ୟାଗ କଲେ ସେ ପଶୁ ସଙ୍ଗେ ସମାନ ହୁଏ । ତାଙ୍କର ଟଙ୍କା ସହିତ ତମରତାଙ୍କର ସମ୍ବନ୍ଧକୁ ଓଜନ କଲେ, ମନେକରେ, ସମ୍ବନ୍ଧଠୁଁ ଟଙ୍କା କଦାପି ବଳିଯିବ ନାହିଁ । ଏପରି ଲୋଭାଶକ୍ତି ମଣିଷ ସେ । ଗରିବ ଲୋକ ଦରକାର ପଡ଼ିଲେ ପର ପାଇଁ ଆନନ୍ଦରେ ଉପବାସ ରହିପାରେ । କିନ୍ତୁ ବିଜୟ କକାଙ୍କ ପରି ଲୋଭୀ ଧନ ଆୟତ୍ତ କରିବା ପାଇଁ ଉପବାସ ରହିପାରେ । ଛି ଛି ଏପରି ମଣିଷ କେଉଁ କାଳରେ ଜନ୍ମ ହୁଅନ୍ତି କି-?

 

ସହିବାର ଗୁଣ ଯାହା ପାଖରେ ଅଛି ସେ ଦୁନିଆରେ ପୂଜ୍ୟ । ଆମକୁ ସେଥିରୁ କ'ଣ ମିଳିବ । ସବୁ ମନରେ ମାରି ରହିଥିଲେ ଦୁଃଖର ସାଗରରେ ସୁଖର ଅମୃତ ଝରେ ମା’ । ସରୋଜ ଭଲ ପିଲା । ପରର ହୃଦୟ ଭିତରକୁ ତା’ର ପଶିବାର ଶକ୍ତି ଅଛି । କୋମଳ ହୃଦୟର ମଣିଷ ସେ । ଶ୍ୱେତପଦ୍ମା ଯେପରି ସରୋଜ ସେପରି । ମୁଁ ଚାହେଁ ଶ୍ୱେତପଦ୍ମା ଭଲରେ ରହୁ ସୁଖରେ ଜୀବନ ଯାପନ କରୁ । ସରୋଜ ଶ୍ୱେତପଦ୍ମା ଜୀବନର ଚିରଦିନର ସାଥୀହୋଇ ସୁଖର ସଂସାର ଗଢ଼ୁ । ବଡ଼ ଲୋକ ହେଉ । ଏତିକି ମୋର କାମ୍ୟ । ତୁମରି ମୁହଁରେ ଅସରନ୍ତି ହସ ଦେଖିବି ବୋଲି କେତେ ଦୁଃଖ କଷ୍ଟ ସହି ବଞ୍ଚିରହିଛି ।

 

ଭାବିଲି–ସରୋଜ ଏବଂ ଶ୍ୱେତପଦ୍ମା ସୁଖ ଦୁଃଖର କେତେ କଥା ଭାବିଥିବେ । ଭବିଷ୍ୟତ ନେଇ ଚିନ୍ତା କରିଥିବେ କେତେ । ମନଭିତରେ କେତେପ୍ରକାର ଦୁଃଖ ଆଙ୍କିଥିବେ ।

 

ମନରେ ସାହସ ହେଲା । ଉତ୍ସାହ ଆସିଲା ପ୍ରାଣରେ । ଶ୍ୱେତ ଓ ସରୋଜର କଥାଭାଷା ସତେଯେପରି ମୋର କାନରେ ଟପ୍‍ ଟପ୍‍ ବାଜିଲା ।

 

ନୀଳପଦ୍ମା ମଉନରେ ବସିଥାଏ । ମନଟା ଭିତରେ ସ୍ଵପନର ରାଇଜ । ଗହୀର ହୃଦୟରେ ଭାବନାର ଦ୍ଵନ୍ଦ୍ଵ । ତା’ର ଡାହାଣ ଆଖିପତା ଉଠିଲା ପଡ଼ିଲା ଦି’ ଥର । ଦେହ ଶିହରୀ ଉଠିଲା । ଚଞ୍ଚଳ ହୋଇ ଉଠିଲା ତା’ର ମନ । ହୃଦୟ ଭିତରୁ ମୁନିଆଁ ତୀର ପରି ଛୁଟି ଆସିଲା ଗୋଟିଏ ପ୍ରଶ୍ନ–ଯଦି ଯୌତୁକର ପ୍ରଶ୍ନ ଉଠେ ? ଲୋଭାଶକ୍ତ ମଣିଷର ଅଭିସାର ଏ ଗରିବ ପରିବାର କ’ଣ ପୂରଣ କରି ପାରିବ ବାପା ? ଯା' ପାଖରେ ଅଛି ଲକ୍ଷ ଲକ୍ଷ ଟଙ୍କା, ତାକୁ କ'ଣ ଦେଇ ଆମେ ସନ୍ତୁଷ୍ଟ କରିପାରିବା ।

 

କେବଳ ଗୋଟିଏ ମଣି ମୁକ୍ତାର ଗଳାହାର ଦେଇ । ଯା'ର ଦାମ କୋଟି କୋଟି ଟଙ୍କା । ମୋର ଶ୍ୱେତ କୋଟିକରୁ କମ ହେବ ନାହିଁ । ପିତାମାତା ପାଖରେ ସନ୍ତାନର ମୂଲ୍ୟ ଅତୁଳନୀୟ ହଁ–ଯୌତୁକର ପ୍ରଶ୍ନ ଉଠିପାରେ । ଆଶାକରେ, ସବୁ ଠିକ୍ ହୋଇଯିବ । ମୁଁ ଜାଣେ ବିଜୟବାବୁଙ୍କର ଝଗଡ଼ା କରିବାର ପ୍ରକୃତି ନାହିଁ । ଛିଦ୍ର ଖୋଜିବା ତାଙ୍କର ଅଭ୍ୟାସ ନୁହେଁ । କେଡ଼େ ଆଗ୍ରହର କଥା ଭଲ ହେବ । ଆଜି ଯଦି ସୁହାସିନୀ ବଞ୍ଚିଥାନ୍ତା ମୋତେ ଏ ସବୁ କଥା ଭାବିବାକୁ ପଡ଼ନ୍ତା ନାହିଁ ।

 

ଦୁଃଖରେ କଣ୍ଠ ରୁଦ୍ଧ ହେଲା ଯେପରି । କାଞ୍ଚନଜେନା ଉଠି ଚାଲିଗଲେ ବାହାରକୁ । ନୀଳା ଗୁମ ହୋଇ ବସିଛି । ଆଙ୍ଗୁଠିରେ ଗାରଉଛି ମାଟି ଉପରେ । ଏତିକିବେଳେ ଓଠରେ ମଉଳା ହସ ଫୁଟାଇ ଉପସ୍ଥିତ ହେଲା ଶ୍ଵେତ ।

 

କିଲୋ କ'ଣ ଚିନ୍ତା ପଡ଼ି ଯାଇଛି । ହୃଦୟରେ ବେଦନା କେଉଁଥିପାଇଁ ?

 

ଖତେଇ ହୋଇ ନୀଳା କହିଲା, ବିଚ୍ଛେଦ ଲୋ ବିଚ୍ଛେଦ । ଆଜିଠୁଁ ବିଚ୍ଛେଦ ଜନିତ ଦୁଃଖ ମୋର ପ୍ରାଣକୁ ଘାରି ଦେଲାଣି ।

 

ନୀଳପଦ୍ମର ଆଖିରେ ଦେଖାଦେଲା ଟିକିଏ ଲୁହ । ଲୁହ ଭିତରେ ମିଶିଛି ଆନନ୍ଦ ଓ ଦୁଃଖ ।

 

କଥା କ’ଣ ବୋଲି ଶ୍ୱେତପଦ୍ମା ଜିଦଧରି ବସିଲା । ଆଖିରେ ତା’ର ମଧ୍ୟ ଲୁହ ଭରି ଆସିଲା । ମୁହଁ ଶୁଖେଇ କହିଲା, ଯଦି ମୋତେ ତୁ ପ୍ରକୃତରେ ସ୍ନେହ କରୁ, ଆଜି ତୋର ଅଶ୍ରୁ ଭିଜା କଥା ନିଶ୍ଚୟ କହିବୁ ।

 

ଭାବିବାକୁ ଗଲେ ମୋ ପାଇଁ ବଡ଼ କଥା । କଥାଟି ହେଉଛି ବିଚ୍ଛେଦ । ତୋର ମୋର ଭିତରେ । ଅତି ନିକଟ ଭବିଷ୍ୟତରେ ବନ୍ଧନ ଦେଉଳର ମୁଣ୍ଡ ମାରିବାକୁ ଆଉ କେଇଟି ଦିନ । ରାମ ଆସିବେ, ଶିବଧନୁ ଭାଙ୍ଗି ସୀତାଙ୍କୁ ବରଣ କରିବେ । ଦୁଷ୍ମନ୍ତ ଜଳପାନ ଛଳନାରେ ଶକୁନ୍ତଳାକୁ ଆପଣାର କରିବେ । କିନ୍ତୁ ପ୍ରିୟମ୍ବଦାର ବିରହ ବେଦନା ବୁଝୁଛି କିଏ । ଆଉ...ଆଉ ସରୋଜ ଭାଇନା ଆସିବେ । ଆମ ଶ୍ୱେତପଦ୍ମାକୁ ଚିରଦିନପାଇଁ ବରଣକରି ତା’ ପ୍ରିୟସଖିଠୁ ଛଡ଼ାଇ ନେବାକୁ-। ତା’ପରେ ନୀଳାର ଛାତିତଳେ ସୃଷ୍ଟି ହେବ କୋହ । ଭରସା ହେବ କେବଳ ଆଖିର ଲୁହ-। ମୋତେ ଏକାକିନୀ କରି ଛାଡ଼ିଯିବୁ ଶ୍ୱେତ ? ସେଥିପାଇଁ କ୍ଷଣିକ ଲାଗି କ୍ଳାନ୍ତ ମଥା ଉପରେ ପଡ଼େ ପଥର । ଛାତି ଭିତରେ ବିଜୁଳି ମାରେ । ମନଚାହେଁ ମୁଁ ତୋତେ ଜୀବନରେ କେବେହେଲେ ଅଲଗା ହୋଇ ଦେଖନ୍ତନି । ମୋଠୁ ତୋତେ ଦେବତା ଛଡ଼ାଇ ନେବାକୁ ତତ୍ପର ହେଲେ ମଧ୍ୟ ଛାଡ଼ନ୍ତି ନାହିଁ ।

 

ସାଂସାରିକ ନିୟମ ଏ । ଏହାରି ବିରୁଦ୍ଧାଚରଣ କରିବାକୁ ମନ ବଳେ ନାହିଁ କାହାର । ନାରୀର ଜନ୍ମ ସୃଷ୍ଟି ରକ୍ଷା କରିବା ପାଇଁ । ସେଥିପାଇଁ ପରଘରକୁ ଯାଏ ଝିଅ କ୍ଷଣିକ ପାଇଁ ମା' ବାପର ଧୈର୍ଯ୍ୟର ଟାଣଖୁଣ୍ଟ ଟଳମଳ ହୁଏ । ଦି’ଘଡ଼ି ପାଇଁ ଦୁଃଖ ଆଉ ନୈରାଶ୍ୟରେ ଭାଗ ନେବାକୁ ହୁଏ ସମସ୍ତଙ୍କୁ । ଏହା ହିଁ ଦୁନିଆର ରୀତିନୀତି । ସଂସାରଯାକ ସମସ୍ତେ ବନ୍ଧା ଏ ନିୟମରେ ।

 

ଶ୍ୱେତପଦ୍ମା ଉତ୍ତର ଦେଲାନାହିଁ । ଆଖିରୁ ଝରିଲା ଲୁହ । ନଇଁ ପଡ଼ିଛି ନୀଳା କୋଳରେ-। ମନେ କରୁଛି ଯାହା ସେ କରିଛି, ଯାହା ସେ କହିଛି । ଚମକି ଉଠିଲା ସେ ନୀଳାର କଥାରେ ।

 

ତୁ କାନ୍ଦୁଛୁ ?

 

ନାଇଁ ତ !

 

ବୁଝିଲି–କେଉଁ କଥା ନେଇ ଅଜାଣତରେ କ'ଣ ଗୁଡ଼ାଏ ବକି ଦେଇଗଲି । ଯାହା ଲୋଡ଼ା ନାହିଁ, ତାହା କହି ଦେଲି ଦି’ପଦ । ଭଲପଣିଆ ଦେଖେଇ ହେଲି । କ୍ଷମା ଦେବୁ । କିନ୍ତୁ ତୁ ଅନ୍ୟର ହାତଧରି ଚାଲିଗଲେ ମୋତେ ନିଶ୍ଚୟ ବାଧିବ–ଏ ହିଆରେ ଆଘାତ ଲାଗିବ । କିଛିଦିନ ପାଇଁ ଦୁଃଖର ସୁଅ ମୁହଁରେ ଭାସିଯିବି । ଗଛ, ଖୁଣ୍ଟ ପ୍ରତ୍ୟେକ ଜିନିଷରେ ଦେଖିବି ତୋର ଗୋରା ତକତକ ମୁହଁ । ଦେହରେ ଉଡ଼ୁଥିବ ଫର ଫର ଲୁଗା । ଅସହିଷ୍ଣୁତାରେ ଭୁସୁଡ଼ିଯିବ ମୋର ଧୈର୍ଯ୍ୟ-। କଇଁ କଇଁ କାନ୍ଦିବି । ଆଖିରୁ ଦି’ ଧାର ଲୁହ ଗଡ଼ିବ । ପାଖରେ ପୋଛିବାକୁ କେହି ନ ଥିବେ-। ଆଗକୁ ଅନାଇଲେ ବି ଯାହା ପଛକୁ ଅନାଇଲେ ବି ତାହା । ଚତୁର୍ଦ୍ଦିଗ ଦିଶିବ ଶୂନ୍‍ ଶାନ୍‍-। ସ୍ୱପ୍ନର ବସ୍ତୁ ହୋଇ ପଡ଼ିବୁ ତୁ । ସେତିକି ମୋର ଦୁଃଖ । ଶ୍ୱେତପଦ୍ମାର ଆଖିରୁ ଝର ଝର ଲୁହ ଗଡ଼ୁଛି-

 

ନିଜ ଆଖିରୁ ନୀଳା ଲୋତକ ପୋଛିଲା ଅଞ୍ଚଳରେ । କହିଲା ଆଲୋ ପାଗଳୀ । କାନ୍ଦୁଛୁ କିଆଁ ? ଏ ତ ଅତି ଆନନ୍ଦର କଥା । ମୋର କହିବା କଥାରେ ମୋର ଆଖିର ଅଶ୍ରୁ ପଛରେ, ଏ ଦୁଃଖିନୀର ଅନ୍ତର ଭିତରେ ତୋର ଏ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗର୍ବ ଅଛି, ଆନନ୍ଦ ଅଛି, ଓ ବିଶ୍ୱାସ ଅଛି । ଯାହା ଦେଖିବା ପାଇଁ ମନମୋର ଉଡ଼ି ବୁଲୁଥିଲା, ତା’ ଦେଖି ଏ ନୟନଯୁଗଳ ସାର୍ଥକତା ଲାଭ କରିବ । ତୋର ଆଉ ସରୋଜ ଭାଇନାର ମନ ଭିତରେ ଯେଉଁ ଚକାଭଉଁରୀ ଖେଳୁଥିଲା ଅଳ୍ପ ଦିନ ଭିତରେ ମିଳିଯିବ ଏକାଠି । ଶତ ଯାମିନୀର ସୁନେଲି ସ୍ଵପ୍ନ ସାର୍ଥକତା ଲାଭ କରିବ । ଆଶାଦେବୀ ପୂରଣ କରିବେ ଉଭୟଙ୍କର ବାସନା । ସରୋଜ ତୋର ଜୀବନର ଜୀବନ । ତୋର ମଲା ପିଣ୍ଡରେ ପ୍ରାଣ ଦେବେ । ସେଇ ଜଣକର ସ୍ନେହ ତୋର ଦଉଲତର ପସରା । ଜୀବନରେ ଅମୃତର ଧାରା । ଯାହା ପାଖରେ ଜୀବନ ବଳି ଦେଇଛି, ତା’ର ନିକଟକୁ ଯିବୁ ତୁ । ସବୁଦିନ ପାଇଁ କିଣିନେବ ସେ । ଚିରସମ୍ବନ୍ଧର ନିଖୁଣ ରଜ୍ଜୁରେ ବାନ୍ଧି ହୋଇ ସ୍ୱାମୀତପନର ଆଲୋକରେ ମଥାର ସିନ୍ଦୁର ତୋର ଝଟକି ଉଠୁଥିବ । ତାହାଦେଖି କାହା ମନରେ ଆନନ୍ଦର ଜୁଆର ନ ଛୁଟିବ । କିଆଁ ସୁଖୀ ନ ହେବି ମୁଁ । ତୋର ବର୍ଷବର୍ଷର ସେବା ଭକ୍ତି ପ୍ରେମ ଲାଭ କରିବ ଅମୃତର ଫଳ, ଆଉ ମୁଁ କରିବି ଦୁଃଖ ? ଭାଗ୍ୟ ପଛେଇଲେ ମଣିଷ ମନରେ ଖେଦ ଆସେ, ତାହା ଆମ ଭାଗ୍ୟରେ ଘଟିଥିଲେ ବି, ତୋର ବିବାହ ଆମକୁ ସବୁ ଭୁଲେଇ ଦେବ ।

 

ବାପା କହୁଥିଲେ ଭଲ ତିଥିବାର ଦେଖାଇବାକୁ ସେ ବିଜୟ କାକାଙ୍କ ଘରକୁ ଯିବେ । ତା’ପରେ ହେବ ବାହାଘରର ଆୟୋଜନ । ଆଉ–

 

‘ସର୍ବନିୟନ୍ତା ପରି କ'ଣ ଗୁଡ଼ାଏ ବକି ଯାଉଛୁ–ସତେକି ସବୁକଥା ଆଖି ସାମନାରେ ଝୁଲି ଯାଉଛି । ମୁଁ କିଛି ଶୁଣୁ ନାହିଁ । କହିଲା ଶ୍ୱେତ ।

 

ଛାତିରେ ହାତ ପକାଇ ହସି ହସି ଖତେଇ ହେଇ ଉତ୍ତର ଦେଲା ନୀଳା ଆହା ହା ! କେଡେ ସୁଆଗ, ଶୁଣି ନ ଶୁଣିଲା ପରି ହେଉଛି । ଦେହ ମନ ଭିତରେ ଭିତରେ ଗଜା ହୋଇ ଉଠୁଥିବ ଏପରି ବିବାହର କଥା ଶୁଣିବାକୁ । ଆଉ ବାହାର ଆଡ଼କୁ ଦେଖେଇ ହୋଇ ଆମ ସରୋଜର, ଶ୍ଵେତବର୍ଣ୍ଣ କହୁଛି–ମୁଁ କିଛି ଶୁଣି ନାହିଁ, ଦି’କାନ ଡେରି ଶୁଣିବାକୁ ତର ନାହିଁ । କି ପାଟି ସୁଆଦ । ଆଲୋ ସରୋଜ ନାଁ' ଟି ତ ତୁଣ୍ଡରେ ଧଇଲେ କ’ଣଟା କହିଲୁ ବୋଲି ବାର ବାର ପଚାରି ବସୁ । ଆଉ ସରୋଜ ହାତରେ ତୋର ହାତକୁ ଦି’ ହାତ କଥା ଶୁଣିବାକୁ ତ ସବୁ ଇନ୍ଦ୍ରିୟଙ୍କୁ ଏକାଠି ଠୁଲ କରେଇଥିବୁ । ଆଉ କହୁଛୁ ନା–

 

ଶ୍ୱେତପଦ୍ମା ମନେ ମନେ ହସୁଥାଏ–

 

ଗୁମୁରି ଗୁମୁରି ହସ ମୋତେ ମଧ୍ୟ ଆସେ ଲୋ, ଚିହ୍ନିବି ଜାଣେ । ମୋତେ ଆଉ ଲୁଚାନା-। ହେଲେ....

 

ସେତେବେଳେ କୁଆଡ଼କୁ ଯାଇଥିଲେ କାଞ୍ଚନ ଜେନା । ଘରେ ସଞ୍ଜ ଆଲୁଅରେ ବସି ଦି’ ଚାରିପଦ ହସଗେଲରେ କଥା ଲାଗୁଥିଲେ ଦୁହେଁ । ନୀଳାର କଥାରେ ଶ୍ୱେତପଦ୍ମା ଲାଜକୁଳି ଲତାପରି ତା’ କୋଳରେ ଲୋଟି ଯାଇଥାଏ । କୋଳରୁ ନିଜ ଦେହକୁ ଉଠାଇନେଇ କହିଲା ଶ୍ୱେତପଦ୍ମା ହଁଲୋ କଥା କହିବା ପାଇଁ ସମୟ ତୋ ପାଖରେ ଉବୁଡ଼ା ପଡ଼ିଛି । ତୋର ମଧ୍ୟ ଏପରି ଦିନ ଆସିବ ଯା'ର ସୁବିଧାନେଇ ମୁଁ ମଧ୍ୟ ଉଚିତ ଶିକ୍ଷା ଦେବି ତୋତେ ଆଉ ବରଷେ । ତା’ ମଧ୍ୟ ନୁହେଁ–କେଇଟି ମାସ । ତା’ପରେ ତୁ ମଧ୍ୟ ହେବୁ କାହା ଅର୍ଦ୍ଧାଙ୍ଗିନୀ, ସେତେବେଳେ ମୋର ପାଳି ଆସିବ ନାହିଁ କି ?

 

ସେତେବେଳକୁ ଦେଖାଯିବ । ସମୟ ତ ଆସିନାହିଁ । ମଣିଷ ବେକରେ ଦଇବ ଦଉଡ଼ି ବାନ୍ଧି ଯେଉଁଠିକି ନିଏ ମଣିଷ ସେଇଠିକି ଯାଏ । ମୁଁ ମରିଗଲେ ତୁ କାନ୍ଦିବୁ ତୋ କଥା ନେଇ । ସେଥିଲାଗି କହନା ଲୋ କହନା । କଥା ଲାଗୁ ଲାଗୁ ଏ ଘଟରୁ ପ୍ରାଣ ଚାଲିଯାଏ । କେହି ରଖି ପାରନ୍ତି ନାହିଁ ।

 

ହଁ ହଁ ଆଉ ସେତିକି ତୋର ଦର୍ଶନ ଶାସ୍ତ୍ର–ଅଗାଧ ସମୁଦ୍ର ଭିତରେ ବୁଡ଼ି କିଛି ଲାଭ ନାହିଁ । ଦର୍ଶନ ଶିକ୍ଷା ଲୋଡ଼ା ନାହିଁ ଆମର ।

 

ଦର ହସିଲା ମୁହଁରେ ନୀଳା ଉତ୍ତର ଦେଲା, ଘରୁଆ ଦର୍ଶନ ନ ଜାଣିଲେ ଚଳିବୁ କିପରି-? ସୁର ଭାଇନା ରାଗି ଯିବେ ଯେ । ତୋ ଦେହର ପରଶରେ ତାଙ୍କ ଦେହର ତାପ ଯିବ । ପ୍ରେମ ଜମାଟ ବାନ୍ଧିବ । ସ୍ୱାମୀର ଶାସନ ତଳେ ସ୍ତ୍ରୀ ମୁଣ୍ଡ ନୁଆଁଇଲେ ସ୍ତ୍ରୀ ପାଏ ସୁଖ । ସ୍ୱାମୀର ଅଭିମାନିଆଁ କଥା ଦି’ପଦରେ ବି ଥାଏ ପ୍ରେମ ଓ ଉନ୍ମାଦନାର ଶିହରଣ । ଘୃଣାର କାରଣ ଆଉ ନ ଥାଏ । ସ୍ତ୍ରୀର ତ୍ରୁଟି ମଧ୍ୟ ଭଲ ପାଇବାରେ ରୁପାୟିତ ହୁଏ । ଜାଣିଲୁ, ତା’ପରେ ପ୍ରେମ ଫୁଟି ଉଠେ-। ସତର୍କ ଥା । ହେଲେ ସରୋଜ ଭାଇନା ଦୁଷ୍ଟ ପ୍ରକୃତିର ଲୋକ ନୁହଁନ୍ତି ଯେ, ସେ କେବେଠୁଁ ତୋର ଆପଣାର ହୋଇ ସାରିଛନ୍ତି । ମିଳନର ନୀରବ ନିମନ୍ତ୍ରଣ ଗ୍ରହଣ କରି ଅନେକ ଦିନଠୁଁ ଆପ୍ୟାୟିତ ହୋଇ ସାରିଛନ୍ତି ସେ ।

 

ବିବାହିତ କର୍ମମୟ ଜୀବନରେ ସ୍ୱାମୀର ଆଦର ପାଇବାକୁ ହେଲେ ବୁକୁଚିରି ହୃଦୟର ଦେବତା ପାଖରେ ସବୁକିଛି ଅର୍ପଣ କରିବାକୁ ପଡ଼ିବ । ହୃଦୟର ଦେବତା ବିଶାଳ ସଂସାର–ମନ୍ଦିରର ଦେବତା । ନିଜ ସ୍ୱାମୀଙ୍କୁ ସନ୍ତୁଷ୍ଟ କରି ପାରିଲେ ଜଗତର ସ୍ୱାମୀ ସନ୍ତୁଷ୍ଟ ହୁଅନ୍ତି । ସ୍ୱାମୀର ଅର୍ଚ୍ଚନାରେ ମହାନ ସ୍ୱାମୀର ଆସନ ମଧ୍ୟ ଟଳମଳ ହୁଏ ।

 

ଶ୍ୱେତପଦ୍ମାର ପିଠିରୁ ନୀଳା ହାତ ଖସାଇ ନେଲା । ଶ୍ୱେତର ମୁହଁକୁ ଚାହିଁଲା ପ୍ରଶ୍ନିଳ ମୁଖମଣ୍ଡଳ ତା’ର । ଲାଜକୁଳୀ ଲତା ପରି ଶୁଖିଲା ବଦନ । ସେ କିଛି କୁହନ୍ତା କିନ୍ତୁ ଯୌନ ଆକର୍ଷଣର ଉତ୍ତେଜନା ହେତୁରୁ ସେ କହି ପାରୁ ନାହିଁ କିଛି । ନୀଳାର କଥା ତା’ର ମନରେ ଆହୁରି ଉତ୍ତେଜନା ଆଣି ଦେଇଛି । ମନରେ ମାଦକତା ଖେଳିଛି । ମୁହୂର୍ତ୍ତକ ପାଇଁ ମନ ହୋଇଛି ତା’ର ଉଷତ । ଶୁଖିଲା ମୁହଁ, ଶୁଖିଲା ଦେହରେ ଶିହରଣ ଖେଳିଛି । ପୁଲକିତ ତନ୍ମୟ ଆଖି ଦିଓଟି ତା’ର କିଛି କୁହନ୍ତା ।

 

ତାଙ୍କରି ଘର ବାରଣ୍ଡାରେ ବସିଥିଲେ ସେମାନେ । ଆଖି ସାମନାରେ ନିଜ ହାତରେ କରିଥିବା ଛୋଟିଆ ଫୁଲ ବଗିଚାଟିଏ । ଫୁଲ ଗଛମାନ ଲାଗିଛି ରଙ୍ଗ ବେରଙ୍ଗରେ । ଦେଶୀ ବିଦେଶୀ ସବୁ ପ୍ରକାର । ଏ ବଗିଚାଟି ନୀଳାର ଜୀବନ । ବହୁ କଷ୍ଟରେ ବଢ଼ାଇଛି ଚାରିଧାଡ଼ି ମଲ୍ଲୀ ବୁଦା । ଘରକୁ ବେଶ ମାନୁଛି । ଭୁରୁ ଭୁରୁ ଗନ୍ଧ ଭାସି ଆସୁଛି ହୁଲୁହୁଲିଆ ପବନରେ । ଚାରିଆଡ଼େ ଜହ୍ନ ଆଲୁଅ । ଉପରେ ପୂର୍ଣ୍ଣମୀର ଚାନ୍ଦ । ଯୌବନଭରା ପାଗଳା ମନକୁ ଆହୁରି ପାଗଳ କରି ପକାଉଛି । ସୁମଧୁର ଗନ୍ଧରେ ମନ ଗୁମୁରି ଉଠୁଛି । ଉଡ଼ି ବୁଲୁଛି ଦେହର ଲୁଗା । ସମ୍ଭାଳି ନେଉଛି ଯୁବତୀ ।

 

ଥାନା ଘଣ୍ଟାରେ ବାଜିଲା ଆଠ ।

 

ଶ୍ୱେତପଦ୍ମାର ମନେପଡ଼ିଗଲା । ନିଜ ଉପରେ ନିହିତ କାମରେ ହାତ ଦେବାକୁ ପଡ଼ିବ । ରୋଷାଇ କରିବାର ସମୟ ଗଡ଼ିଗଲାଣି ପ୍ରାୟ । ବାପା ଯାଇଛନ୍ତି ବାହାରକୁ ଏଇଲାଗେ ଫେରିବେ-। ଦଶଟା ତାଙ୍କର ଭୋଜନର ସମୟ । ଯଥା ସମୟରେ ନ ଖାଇଲେ ତାଙ୍କ ଦେହ ହୁଏ ଖରାପ-। ସେ ଗପୁଥିବ–ଗପୁ ଗପୁ ବେଳ ଗଡ଼ିଯିବ । ଘର ଭିତରକୁ ଯିବାର ବେଳ ହେଲାଣି । ଜହ୍ନ ଆଲୁଅ ଖାଇବାକୁ ସମୟ ନାହିଁ । ଯାହା ନାରୀର କର୍ତ୍ତବ୍ୟ, ତା’ପାଖରେ ଏ ଚାନ୍ଦ ଆଉ ମଳୟ ସ୍ପର୍ଶର ମୂଲ୍ୟ କିଛି ନୁହେଁ ।

 

ଶ୍ୱେତପଦ୍ମା ଉଠି ଚାଲିଯିବାକୁ ବସିଲା । ଏତିକିବେଳେ ଆକାଶିଆ ପବନ ଝାପ୍‍ସାଏ ବୋହିଗଲା । ହଲାଇ ଦେଲା ଶିରୀଷ ପୁଷ୍ପ ପରି ଶ୍ୱେତପଦ୍ମାର ତନୁକୁ । ସେ ପିନ୍ଧିଥିଲା ଗୋଟିଏ ପତଳା ରେଶମୀ ଶାଢ଼ୀ । ଗଦାଏ ପବନରେ ଶ୍ୱେତର ଛାତିରୁ ଉଡ଼ିଗଲା ଲୁଗା । ଏତିକିବେଳେ ନୀଳା ଧାଇଲା ତାକୁ ଜାକି । ଛାତିରେ ତା’ର ହାତ ବାଜିଗଲା । ଛାତିରେ ପଶିଲା ଶିହରଣ । ଶ୍ୱେତର ଲାଜୁଆ ମୁହଁରେ ମୁରୁକି ହସ ଉକୁଟି ଉଠିଲା । ପାଖରେ କେହି ନ ଥିଲେ ।

 

ଆକାଶର ଛାତି ଉପରେ ଉଡ଼ି ବୁଲୁଥିଲା ହସି ହସି ଖଣ୍ଡେ ବଉଦ । ପବନ ଦେବତାର ସୁକୋମଳ ପରଶ ଲାଗିଛି ଶ୍ୱେତର ସର୍ବାଙ୍ଗରେ । ଯୌବନ–ଉଦ୍‍ଭାସିତ ମୁହଁ ହୋଇଛି ଗୋଲାପୀ-

 

ପ୍ରେମ ଓ ସରାଗର ଅମୀୟ ଧାରା ପାନ କରିଛି ଶ୍ୱେତପଦ୍ମା ।

 

ହୃଦୟରେ ସ୍ପନ୍ଦନ ଖେଳିଛି ।

 

ନିମିଷକ ପାଇଁ ଆଖି ପତା ତା’ର ଖୋଲି ହେଉନାହିଁ ।

 

ଭିତର କୋଠରୀଟି ନୀଳା ଓ ଶ୍ୱେତପଦ୍ମାର ଶୋଇବା ଘର । ବାହାର କୋଠରୀରେ ଶୟନ କରନ୍ତି କାଞ୍ଚନ ଜେନା । କୋଠରୀ ଦିଓଟି ମଝିରେ ଗୋଟିଏ କବାଟ–ତା' ଦେଇ ଯା’ ଆସ ହୁଏ । ଘର ଭିତରେ ନୀଳା ଓ ଶ୍ୱେତପଦ୍ମା ଇଭୟେ ଖଟ ଉପରେ ଆସୀନ । ଗୃହର ଯାବତୀୟ କର୍ମର ଚାପ ହେତୁରୁ ନୀଳା ଓ ଶ୍ୱେତର ଦେହରେ ଆସିଥାଏ ଆଳସ୍ୟ । ଖଟରେ ପଡ଼ିଲା ମାତ୍ରକେ ମାଡ଼ିଆସେ ଆଖିପତା ଉପରେ ନିଦ । ସୁଖନିଦ୍ରା ଓ ନାନା ପ୍ରକାର ମଧୁମୟ ସ୍ଵପ୍ନରେ କଟିଯାଏ ଲମ୍ବା ରାତି ।

 

ନୀଳା କଡ଼ ମୋଡ଼ି ଶୋଇଛି । ଆର ଖଟରେ ଶ୍ୱେତପଦ୍ମ ଚକ୍ଷୁମୁଦ୍ରିତ ଅବସ୍ଥାରେ ଚିତହୋଇ ସୋଇଛି ।

 

ଝରକା ଗୁଡ଼ାକ ବନ୍ଦ ଥିଲା । ସେ ଦିନ ଥିଲା ପୂର୍ଣ୍ଣମୀର ଯାମିନୀ । ଝରକାଗୁଡ଼ାକ ମେଲେଇ ଦେବାକୁ ଗଲା ଶ୍ୱେତ । ଆମ୍ବରେ ଫୁଟିଛି ଜହ୍ନ ଗୋରା ତକ ତକ ଉଜ୍ଜ୍ୱଳ, ସତେଜ, ସୁନ୍ଦର । ତଳେ ଜ୍ୟୋତ୍ସ୍ନା ବିଧୌତ ସଂସାର । ତା’ଭିତରେ ଏହି ତିନି ପ୍ରାଣୀର ଏକ ଛୋଟ ସଂସାର-

 

ଝରକା ପାଖରେ କିଛି କ୍ଷଣ ଛିଡ଼ାହେଲା ଶ୍ୱେତପଦ୍ମା । ଦେହ ତା’ର ଧୋଇ ହୋଇ ଯାଉଛି ଜହ୍ନର ଆଲୁଅରେ । ମୁହଁର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇ ଉଠୁଛି । ଗୋଲାପୀ ବର୍ଣ୍ଣର ମୁହଁରେ ଛୋଟ ଛୋଟ ଦିଓଟି ଆଖି । ଆଖିରେ ଲାଗିଛି କଜ୍ଜଳର ଗାର । ଦୂରଦେଶରୁ ଦେଖିଲେ ଜଣାଯାଏ ସତେ ଯେପରି ସ୍ଵର୍ଗର ଶ୍ରେଷ୍ଠ ସୁନ୍ଦରୀ ଏକ ଅଭିସାରିକା ବାତାୟନ ପାଖେ ଦଣ୍ଡାୟମାନ-

 

ବାହାରେ ପୁଷ୍ପର ସମ୍ଭାର । ହୁଲୁହୁଲିଆ ପବନରେ ନର୍ତ୍ତକୀର ଛଟା ଛୁଟି ଚାଲିଛି ତନ୍ ମଧ୍ୟରେ ।

 

ସେଦିଗକୁ ଶ୍ୱେତପଦ୍ମା ଚାହିଁ ରହିଛି ସତୃଷ୍ଣ ନୟନରେ । ବେନିନୟନ ତା’ର ପୂର୍ଣ୍ଣ ପ୍ରସ୍ଫୁଟିତ ପୁଷ୍ପ ସଙ୍ଗେ ଆଳାପ କରୁଛି ସତେ ଯେପରି । ଦୋଳାୟିତ ପୁଷ୍ପର ସୌରଭ ଅଛି, ମନମୁଗ୍‍ଧ କରିବାର ଅକ୍ଷୟ ଶକ୍ତି ଅଛି କାରଣ ତା’ରି ଦେହରେ ଖେଳୁଛି ଯୌବନର ଲହରୀ ।

 

ଏତାଦୃଶ ଶିହରଣ, ଯୌବନର ଜୁଆର ଅନୁଭବ କରୁଛି ଶ୍ୱେତପଦ୍ମା । ସେହିଦିନଠୁଁ ଯେଉଁଦିନ ଯୁବକ ସରୋଜର ଅଦେଖା ହାତରୁ ପାଇଛି ପରଶ । ସେହିଦିନୁ ତା’ର ଦେହରେ ଛୁଟିଛି ପୁଲକରେ ପ୍ରବାହ । ହାଡ଼େ ହାଡ଼େ ଅନୁଭବ କରିଛି ମଦନ କାଉଁରୀର ପରଶ । କାମଧେନୁର ବାଣ ବାଜିଛି ତା’ର କୋମଳ ହୃଦୟର ଅନ୍ତର ତମ ପ୍ରଦେଶରେ ।

 

କେତେବେଳୁ ବାରଟା ବାଜିଗଲାଣି ଜଣାନାହିଁ ତାକୁ । ବସିଛି ସେ ଝରକାରେ ଆଉଜି ହୋଇ । ମନପବନ ଉଡ଼ି ବୁଲୁଛି ବାର ଆଡ଼କୁ–ଜଣା ନାହିଁ ତାକୁ ସେ କେଉଁଠି, ବସିଛି ନା ଛିଡ଼ା ହୋଇଛି ।

 

କେବଳ ସେ ବିରହିଣୀ ପକ୍ଷୀପରି ଭାବନାର ଗୋଟିଏ ଡାଳରୁ ଉଡ଼ିବୁଲୁଛି ଅନ୍ୟଡାଳକୁ-। ମନେ ମନେ କାହାକୁ ଖୋଜୁଛି, ପାଉନାହିଁ-

 

କଜ୍ଜଳ ରଙ୍ଗିଆ ଆଖିଦି’ଟା ତା’ର ଫୁଲକୁ ପଚାରୁଛି–ସେ ମୋର, କୁଆଡ଼େ ଗଲେ ? ଏଇଠି ଥିଲେ, ଏଇଠି ନାହାନ୍ତି–ଚାନ୍ଦର ପଛପଟେ ଲୁଚିରହି କେତେ ଖତେଇ ହେଉଛନ୍ତି । ଡାକିଲେ ଆସୁ ନାହାନ୍ତି । ଶୁଣି ହେଉଛନ୍ତି ନ ଶୁଣିଲା ପରି । ଛି ମରଦ ମାନଙ୍କର ହୃଦୟ ବଡ଼ କଠୋର, ପଥର ପରି ଟାଣ । ବିରହିଣୀ ପ୍ରେମିକାର ଦି’ଟୋପା ଲୁହରେ ନିଷ୍ଠୁର ହୃଦୟ ତାଙ୍କର ବିଗଳିତ ହୁଏନାହିଁ ।

 

ମୁଣ୍ଡହଲାଇ ଉତ୍ତର ଦେଉଛି ପୁଷ୍ପ–ସତେଲୋ ସତେ, ଅଙ୍ଗେ ନିଭେଇଛି । ଏହି ଯୌବନଭରା କୋମଳାଙ୍ଗର ପରଶ ପାଇଁ ଦୌଡ଼ି ଆସନ୍ତି ଅଗଣିତ କଜ୍ଜଳ ରଙ୍ଗିଆ ଭ୍ରମର । ପ୍ରେମର ଗୁଞ୍ଜନେ ହୁଏ ମୋର ମନ ଉଚ୍ଛନ୍ନ ଢଳିପଡ଼େ ଅଙ୍ଗ ସୁକୁମାରର କୋଳେ । ତା’ପରେ ଗାଲ ମୋର ହୁଏ ଗୋଲାପୀ । ଚୁମ୍ବନ ଚର୍ଚ୍ଚିତ ଗାଲରେ ହାତମାରି ଅମୃତଭରା ଭାଷାର ଫରୁଆ ଭିତରୁ ପ୍ରେମର ଜୁଆର ଛୁଟିଚାଲେ । ମୁଁ ହୁଏ ବିଭୋର । କିଛି କହିପାରେ ନାହିଁ । ଢଳ ଢଳ ଯୌବନର ପାଖୁଡ଼ାକୁ ମେଲେଇ ଦିଏ ତାଙ୍କରି କୋଳରେ । କୋଳରେ ମୁହଁ ଲୁଚାଇ ଭାବେ–ସେ ମୋର ସବୁ କିଛି–ଭୂତ ଭବିଷ୍ୟତ, ଏକାଳ ସେକାଳ ଅନ୍ତରର ବିରହ ବେଦନାର ଉପଶମ କରିପାରିବେ କେବଳ ସେ ।

 

ବେଳ ଗଡିଯାଏ । କେତେବେଳେ ସେ ମୋଠୁ ଚାଲିଯାନ୍ତି । ଜାଣି ପାରେ ନା । ହଲି ହଲି କେତେ କାନ୍ଦେ । ଅଶ୍ରୁ ବିଗଳିତ ନୟନରେ ଦେଖେଁ ସେ ଆଉ ଜଣକର ଅଙ୍କଶାୟୀ । ଏ ଦି’ ଦିନର ଦୁନିଆ ବଡ଼ ଧୋକାବାଜ । ତା’ ଭିତରେ ଏ ମରଦର ସମାଜ ଆହୁରି ଧୋକାବାଜ । ମଧୁର କଥାର ଅନ୍ତରାଳରେ ତାଙ୍କର ଘୃଣାର କଟାକ୍ଷ । ଅମୃତର ପାତ୍ର ଉପରେ ବିଷର ପିଆଲା । ଅଙ୍ଗ ସୁକୁମାରୀ ଜାଣିପାରେନି ତାହା–ବିଶ୍ୱକୁ ପାନକରେ ଅମୃତ ମଣି । ଚାତକୀପରି ଚାହିଁ ବସିଥିବା ପ୍ରେମର ଉପାସୀ ଜୀବନରେ ନୂତନ ସ୍ପନ୍ଦନ, ନବ ଜାଗରଣ ଓ ନୂଆ ପ୍ରେରଣା ପରିବର୍ତ୍ତରେ ଆସେ ସୁଷୁପ୍ତି ।

 

କ'ଣ ସେ ନ ଭାବିଥାଏ–ଆକାଶ ନୂତନ ରୂପ ଧରେ ତା’ର ଆଖି ଆଗରେ । ପ୍ରେମିକର ପଦଧୂଳି ମୁଣ୍ଡରେ ମାରି ତରିଯିବି ବୋଲି ଭାବିଥାଏ ସ୍ୱାମୀ ତା’ର ସ୍ଵର୍ଗ, କ୍ଷମାର ଅବତାର । କିନ୍ତୁ ପୁରୁଷର ରଙ୍ଗ ଢଙ୍ଗ କ'ଣ ସତରେ ସତ ? ସେ ଚାହେଁ ଶତ ଶଯ୍ୟାର ନାୟକ ହେବାକୁ, ଗୋଟିକରେ ସନ୍ତୁଷ୍ଟ ନୁହେଁ ସେ । ଜୀବନ ଯୌବନର ମୂଳନୀତି ଧରିବସେ ରସ ଆସ୍ୱାଦନ ଓ ବ୍ୟୁହରଚନା । ତା’ପରେ ତା’ର ପ୍ରେମିକକାକୁ ଦିଏ ଧୋକା । ସେ କାନ୍ଦି କାନ୍ଦି ମରେ । ତା’ର ଜୀବନ ଦୀପର ତେଲ ସରିଆସେ । ଆସ୍ତେ ଆସ୍ତେ ପୋଡ଼ିଯାଏ ସଳିତା । ସତରେ ଚିରଦିନପାଇଁ ନିଭିଯାଏ–

 

ଅର୍ଦ୍ଧାଂଶରେ ରହିଯାଏ ପ୍ରେମର ଇତିହାସ । ସପନ ବି ସତ ହୁଏ ନାହିଁ । ବୁଝିଲ ତୁମେ ଯାହାକୁ ଖୋଜୁଛ, ତାକୁ ତୁମେ ପାଇପାରିବ ନାହିଁ । ଅମୃତର ବଚନ ସ୍ୱପ୍ନର ବସ୍ତୁ ହେବ । ହେଲେ ତୁମର ପ୍ରେମିକ ସେପରି ନୁହନ୍ତି । ପାଗଳ ପରି ସେ ତୁମକୁ ଖୋଜୁଥିବେ ।

 

ଶ୍ୱେତପଦ୍ମାର ମୁହଁ ମଳିନ ଦିଶିଲା । ଆତ୍ମା ହେଲା ବିଚଳିତ । ଓଠର ହସ ଓଠରେ ହିଁ ରହିଗଲା । ଆଉ ଫୁଟି ପାରିଲା ନାହିଁ । ଆଖିରୁ ଝରିଲା ଦି’ଧାର ଲୁହ । ସେ କାନ୍ଦୁଛି–ତାକୁ ଜଣାନାହିଁ । ଛିଡ଼ା ହୋଇଛି କେଉଁଠି, କେତେବେଳୁଁ ତା’ ମଧ୍ୟ ଜଣା ନାହିଁ ତାକୁ । ଝରକାରେ ଆଉଜି ହୋଇ ଘୂମେଇ ପଡ଼ିଛି କେତେବେଳୁ । ମନେ ମନେ କ’ଣ ଗୁଣୁ ଗୁଣୁ ହେଲା–ଏତେଦିନର ଇଚ୍ଛା ମୋର ପୂରଣ ହେବନି ? ସପନ ମୋର ସାର୍ଥକତା ଲାଭ କରିବ ନାହିଁ ? ସବୁ ତପସ୍ୟା କ'ଣ ପଣ୍ଡ ହୋଇଯିବ ? ନା, ନା ପ୍ରକୃତି କୋଳରେ ବିଶ୍ୱସ୍ରଷ୍ଟାର ପାଦତଳେ ଆଲୋକରେ ଟିକିଟିକି ଅନ୍ଧାର ଭିତରେ ପବିତ୍ର ହୃଦୟଧାରଣ ପୂର୍ବକ ଉଭୟେ ଶପଥ ଗ୍ରହଣ କରିଛି । ମୁଁ ପ୍ରତିଜ୍ଞା କରିଛି ଲକ୍ଷ୍ମୀର ସଂସାରରେ ଅଲକ୍ଷ୍ମୀ ହେବିନାହିଁ । ମୁଁ ତାଙ୍କର, ସେ ମୋର । ବିଧାତାର ନିୟମ ମାନି ଚଳି ଆସିଛୁ ଉଭୟେ, ଉଭୟଙ୍କର ଅଭିଳାଷ ପୂରଣ ଆଶାରେ ଈଶ୍ଵରର ପୟରରେ ପ୍ରେମର ପୁଷ୍ପାଞ୍ଜଳି ଦେଇ ।

 

ଶ୍ୱେତପଦ୍ମା ଦୀର୍ଘ ଦୁଇ ବର୍ଷଧରି ମନରେ ବହୁତ ଆଶା ପୋଷଣ କରିଛି । ଭାବିଛି, ନିଜ ହାତରେ ମୁଣ୍ଡ କୁଣ୍ଡାଇ, ମଥାରେ ସିନ୍ଦୁର ଟିକା ଲଗାଇ, ପାଦରେ ଅଳତା ଚିତ୍ରଣ କରି ନିଜ ହାତରେ ପତି ମନକିଣା ଶାଢ଼ୀ ପିନ୍ଧି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସରୋଜର ପାଦତଳେ ଜୀବନଟି କଟାଇ ଦେବ ।

 

ଏତିକିବେଳେ ନୀଳାର ନିଦ ଭାଙ୍ଗିଗଲା । ମଶାରୀ ଖୋଲି ଦେଖିଲା ଭିତରେ ନାହିଁ ଶ୍ୱେତପଦ୍ମା । ଖଟରୁ ଧଡ଼କରି ଉଠିପଡ଼ିଲା । ମନରେ ଶଙ୍କା ପଶିଲା । ଝରକା ଆଡ଼କୁ ବୁଲାଇ ଦେଖିଲା ଶ୍ୱେତପଦ୍ମା ନିଦ୍ରିତାବସ୍ଥାରେ ବସି ପଡ଼ିଛି ଝରକା ଉପରେ । ନୀଳା ହାତମାରିଲା ତା’ର କାନ୍ଧ ଉପରେ । ଜହ୍ନ ଆଲୁଅ ଭିଜା ସ୍ଵର୍ଗର ପରୀପରି ଦିଶୁଛି ଶ୍ୱେତ । ଶ୍ୱେତପଦ୍ମାର ନିଦ ଭାଜିଗଲା-। ଫେରି ଆସିଲା ସପନ ରାଇଜରୁ ଆକୁଳ ବିକଳ ଭୋକିଲା ମୁହଁରେ । ନୀଳାପଦ୍ମର ମୁହଁକୁ ଚାହିଁଲା । ନୀଳା ପଚାରିଲା, କିଲୋ କ'ଣ ହୋଇଛି ତୋତେ ? କାମ ରାକ୍ଷସ ଗ୍ରାସ କରିଛି କି-? ଦର୍ପଣରେ ମୁହଁଟି ଦେଖିଲୁ, କିମିତି ମରି ଯାଇଛି । ବାଳଗୁଡ଼ାକ ମୁଣ୍ଡର ଅଲରା ହୋଇ ପଡ଼ିଛି-

 

ମୁଁ କ'ଣ ଶୋଇଛି କି ? ବାର ଜାତୀୟା ଭାବନା ମୁଣ୍ଡରେ ଭରି ଭାବୁଛି ଖାଲି । ରାତି କେତେ ହେଲାଣି ?

 

ସାଢ଼େ ବାରଟା ହେଲାଣି ।

 

ଏତେ ସମୟ ମୁଁ ଏଠି କଟେଇ ଦେଲିଣି ? ଆଲୋ ଖଟ ପାଖକୁ ଚାଲ । ଆମ କଥାବାର୍ତ୍ତା ବାପାଙ୍କର କାନକୁ ଯାଉନାହିଁ ତ ? ନୋହିଲେ ସେ କ'ଣ ଭାବିବେ କହିଲୁ, ଅଧରାତିରେ ଏପରି ଗପସପ ହେବା ତାଙ୍କ ମନକୁ ପାଏ ନାହିଁ । କ'ଣ କୁହନ୍ତି ତା’ ତ ଜାଣୁ ।

 

ରାତ୍ରିର ଅବସାନ ହେଲା ।

 

ବାପଘରେ ଝିଅ ଗେଲାରେ ରହେ । ଆଉ କେବେ କେମିତି ସପନରେ କୁହୁଡ଼ି ପହଁରେ ଯେତେବେଳେ ଦେହରେ ବସନ୍ତ ଜୁଆର ଖେଳେ । କିଛି ପାଇବାକୁ ମନ ତା’ର ଉଡ଼ିବୁଲେ । ବାପମୁଣ୍ଡରେ ବୋଝ ପାଲଟି ଯାଏ ପରେ । ଦିନ ଆସେ ଶାଶୁଘରର ଲକ୍ଷ୍ମୀ ହୁଏ ସେ । ପ୍ରେମର ନିର୍ମଳ ସ୍ଵଚ୍ଛ ନିର୍ଝରିଣୀରେ ସ୍ନାନ କରେ । ହାତରେ ଧରେ କଇଁ ଫୁଲପରି ସନ୍ତାନ । ଆକଣ୍ଠ ପାନକରେ ଅମୃତ ।

 

କେଇଟା ଦିନ ପରେ–

 

କାଞ୍ଚନ ବାବୁଙ୍କର ମନ କୁଆଡ଼କୁ ଲାଗୁ ନ ଥାଏ । ଚିନ୍ତା ଉପରେ ଚିନ୍ତାର ମାଡ଼ । ଯିବି ଯିବି ବୋଲି ଭାବୁଛନ୍ତି କିନ୍ତୁ ଅସୁବିଧାବଶତଃ ଓ ଅବହେଳା ହେତୁରୁ ବିଜୟ ବାବୁଙ୍କର ଘର ଆଡ଼କୁ ଯାଇ ପାରୁନାହାନ୍ତି । ଇତି ମଧ୍ୟରେ ବାଟରେ ଥରେ ହଠାତ୍ ବିଜୟ ବାବୁଙ୍କ ସାଥୀରେ ଦେଖା ହୋଇଥିଲା । ବାଟ ଅବାଟ ସମୟ ଅସମୟରେ ବିବାହ ପରି ଅମୂଲ୍ୟ କଥା ଚାରିପଦ ଲାଗିଦେଇ ଯିବା ଆଦୌ ଠିକ୍ ବୋଲି ମନେକଲେ ନାହିଁ । ତଥାପି ସାଥୀରେ ଥିବା ଭିଖୁ ଓଲଟପାଲଟ କରି ପରୋକ୍ଷରେ ଦି’ପଦ ଚେକେଇ ଦେଇଛି । ସୁଖଦୁଃଖର ଦି’ ଚାରିପଦ କଥାବାର୍ତ୍ତା ଭିତରେ ସେଦିନ ଶ୍ୱେତପଦ୍ମାର ଦେହ ପା’, ଭଲମନ୍ଦ ବିଷୟ କିଛି ପକେଇ ନଥିଲେ ବିଜୟ ବାବୁ । ଦେଖିଲା ମାତ୍ରକେ ଯାହାର ମୁହଁରୁ ଭାବୀବଧୂର ଗୁଣଗାନ ଶୁଣାଯାଉଥିଲା, ସେ ସେଦିନ ନୀରବ ହୋଇ ପଡ଼ିଥିଲେ । ମୁହଁର ଭାବଭଙ୍ଗୀ ଚାଲିଚଳନ କଥାବାର୍ତ୍ତାରୁ ବେଶ ଜଣା ପଡ଼ୁଥିଲା ସତେ ଯେପରି ବିଜୟ ବାବୁଙ୍କ ପରିବାରଠୁଁ ଦୂରେ ବହୁଦୂରେ, ସମ୍ପୂର୍ଣ୍ଣ ଭାବରେ ପୃଥକ । ଯେପରି ଦି'ଟା ପରିବାର ଭିତରେ କିଛି ସମ୍ବନ୍ଧ ନାହିଁ ।

 

ଉପର ଓଳି–ଛାଇ ଲେଉଟା ବେଳ ।

 

କାଞ୍ଚନ ବାବୁ ଯିବାକୁ ତରତର ହେଉଛନ୍ତି । ହାତରେ ଗୋଟିଏ ବେତ ବାଡ଼ି । ଚିନ୍ତା ମଣିଷକୁ କ'ଣ ନ କରେ । ଦିନକୁ ରାତି କରେ, କଳା ବାଳକୁ ଧଳା କରେ । ଯୁବକ ହୁଏ ବୃଦ୍ଧ । ଶକ୍ତି ହୁଏ କ୍ଷୀଣ । ଚିନ୍ତା ଯୋଗୁଁ କାଞ୍ଚନ ଜେନାର ମୁଣ୍ଡର ବାଳ ପାଚିବାକୁ ବସିଲାଣି ।

 

ବଡ଼ ଯତ୍ନରେ ନୀଳା ଶ୍ୱେତପଦ୍ମାର ମୁଣ୍ଡବାନ୍ଧି ଦେଉଛି । କେତେ ଦିନର କେତେ କଥା ଆନନ୍ଦରେ ଗପୁଛନ୍ତି ।

 

କ'ଣ ବସି ଏତେ ଗପୁଛୁଲୋ ଶ୍ୱେତ ? ବାପର ଡାକରେ ତାଙ୍କର ଗପ ଭାଙ୍ଗିଲା । ପଛ ପଟକୁ ଚାହିଁ ଦେଖିଲେ–ବାପା ଛିଡ଼ା ହୋଇଛନ୍ତି ।

 

ଗଦାଏ ଖରାରେ କୁଆଡ଼କୁ ଯାଉଛ ବାପା ? ତମ ଦେହ ଖରା ସହେ ନାହିଁ । ପେଟ ଗରମ ହୁଏ । ଦେହ ଅସୁସ୍ଥ ହୁଏ । ଯଦି କୌଣସିଠାରୁ କିଛି ଡାକରା ଆସିଛି ତେବେ ବେଳ ଖସିଯାଉ ଯିବ ।

 

ଗରିବ ମଣିଷକୁ ଡାକରା ଆସିବ କେଉଁଠୁଁ ମା । ଦୁନିଆରେ ଧନ ଥିଲେ ମାନ । ଦାରିଦ୍ର୍ୟ ଗୋଡ଼ାଇଲେ ନିଜର ଆନ୍ତରିକ ବନ୍ଧୁବାନ୍ଧବ ମଧ୍ୟ ମୁହଁ ମୋଡ଼ି ଚାଲିଯାନ୍ତି । ନିଜର ଆତ୍ମା ମୋତେ ଆହ୍ୱାନ କରୁଛି ମା’ । କର୍ତ୍ତବ୍ୟ ମୋତେ ବ୍ୟସ୍ତ କରିଛି । ଆଜି ଶକ୍ତିଧରି ଛିଡ଼ା ହୋଇଛି । ଡେରି କରିବାକୁ ମନ ବଳୁନାହିଁ । ମୁଁ ବର୍ତ୍ତମାନ ବିଜୟ ବାବୁଙ୍କର ଘର ଆଡ଼କୁ ଯାଉଛି । ଭାବିଛି ବିବାହ ପ୍ରସ୍ତାବ ଆଗତ କରି ଶୁଭ ଦିନ ବାର ଲଗ୍ନ ଠିକ୍‍ କରି ଆସିବି । ଆଉ ସମୟ ଗଡ଼ାଇ କି ଲାଭ । ଜୀବନ ପାଣି ଫୋଟକା–ଆଜି ଅଛି କାଲି ନାହିଁ । କେତେବେଳେ ମୋର ଆଖି ମୁଦି ହୋଇଯିବ, ସେ କଥା କିଏ କହିବ ? ତମମାନଙ୍କର ସୁଖ ଦେଖିବାକୁ ଏ ଶୁଷ୍କ ପିଣ୍ଡରେ ପ୍ରାଣ ରଖିଛି । ମନ ସର୍ବଦା ଉଚ୍ଛନ୍ନ ହେଉଛି । ମୁଁ ଚାହେଁ ଖୁସିରେ ତମେ ଘର ସଂସାର ବସାଅ । ତୋ' ମା’ ତମ ପାଇଁ ଜୀବନ ଦେଉଥିଲା । ତା’ର ଭାରି ଆଗ୍ରହ ଥିଲା, ତମମାନଙ୍କର ହାତକୁ ଦି’ହାତ ହୋଇଥାନ୍ତା, କୋଳରେ ଟିକି ଚାନ୍ଦଟିଏ ଖେଳିଥାନ୍ତା । ଆଉ ତା’ ଦେଖି ଖୁସିରେ ସେ ଆଖି ବୁଝିଥାନ୍ତା । କିନ୍ତୁ ମଣିଷ ଯାହା ମନରେ ଭାବେ, ହୃଦୟରେ ଯେଉଁ ଆଶା ପୋଷଣ କରେ ଦଇବ ନ ଚାହିଁଲେ ସବୁହୁଏ ପଣ୍ଡ । ଦିନ ଗଡ଼ି ଚାଲେ ହୃଦୟ ଭିତରର ଘା' ଟି ଯନ୍ତ୍ରଣା ଦେଉଥାଏ । ଦୀର୍ଘ ସମୟରେ ଅବସାନ ପରେ ଘା' ଶୁଖେ, ହେଲେ ତା’ର ଦାଗ ରହିଯାଏ ଚିରଦିନ ପାଇଁ । ତୋ' ମା’ର ଛବି ତା’ର ଗୋଟିଏ ଗୋଟିଏ କଥା ଏ ପୋଡ଼ା ପ୍ରାଣରେ ଲାଖି ରହିଛି । ଏ ବୁଢ଼ା ବାପ ମୁଣ୍ଡରେ ସବୁ ଭାର, ତାକୁ ଓହ୍ଲାଇବା ପାଇଁ ନିଜର ହସ୍ତ ନେଇ ମୁଁ ଯିବି ମଶାଣି ଭୁଇଁର–ପବିତ୍ର ମାଟିରେ ମିଶି ଯିବାକୁ ।

 

ଛି ବାପା, ଏପରି ଅଶୁଭ କଥା ତୁଣ୍ଡରେ ଧରନା । ଛଳ ଛଳ ଆଖିରେ କହିଲା ଶ୍ୱେତପଦ୍ମା ।

 

ଆଚ୍ଛା ଗପୁ ଗପୁ ବେଳ ଗଡ଼ିଯିବ । ଅଧମାଇଲ ବାଟ । ବୁଢ଼ା ଲୋକକୁ ଅଧା ଘଣ୍ଟାରୁ କମ ଲାଗିବ ନାହିଁ । ସେଠି ପୁଣି କଥାବାର୍ତ୍ତା କରୁ କରୁ ସଞ୍ଜ ଲେଉଟିବ । ଆସିବାରେ ବିଳମ୍ବ ଘଟିଲେ ଭିଖୁ ଦାଦାକୁ ପଠେଇ ଦେବୁ !

 

କାହିଁକି ବାପା ଡେରି ହେଲେ ବିଜୟ କାକା କ'ଣ ଆପଣାର ଗାଡ଼ିରେ ଛାଡ଼ି ଦେଇ ଏ ଗରିବ କୁଡ଼ିଆ ଉପରେ ଆଖି ପକାଇ ଫେରି ଯିବେ ନାହିଁ ?

 

ଆରେ ହଁ ଠିକ୍ ତ– । ଆଚ୍ଛା ମା' ଯାଉଛି ।

 

ଚାଲି ଯାଉ ଯାଉ ପୁଣି ଅଗଣାରୁ କାଞ୍ଚନ ବାବୁ ଫେରି ଆସିଲେ । ଡାକିଲେ, ଆଲୋ ନୀଳା, ଶୁଣିଲୁ ମା’ । ଗୋଟିଏ କଥା ଅଛି । କହିବି କହିବି ବୋଲି ଭୁଲି ଯାଇଥିଲି । ସେତିକିବେଳେ ନୀଳା ରୋଷେଇ ଘରେ ପଶିଥିଲା । ଧୂଆଁ ଭିତରୁ ଆଖି ମଳି ମଳି ପଦାକୁ ଆସିଲା ।

 

ଧୀର ଗଳାରେ କାଞ୍ଚନ ବାବୁ କହିଲେ–ଇତି ମଧ୍ୟରେ ଗୋଟିଏ ଲଗ୍ନ ଅଛି ସରୋଜ, ପରୀକ୍ଷା ସମାପ୍ତ କରିବାର ଠିକ୍ ପରେ ପରେ । ଭଲ ଜାଣେ–ପାଞ୍ଜି ମଧ୍ୟ ଦେଖିଛି ।

 

ନା ବାବା ଶୀଘ୍ର ଭଲ ନୁହେଁ । ସହଳ କାମରେ ତ୍ରୁଟି ରୁହେ । ପୁଣି ଯେ ଗରିବ ମୁଣ୍ଡର ବୋଝ ଉପରେ ବିବାହଟି ନଳିତା ବିଡ଼ାପରି କଥା । ଆମେ ତ ଗରିବ, ଗହଣା ଭିତରେ ନିମ କାଠି ପରି । ବାହାଘର ଏତେ ଶୀଘ୍ର କରିବାକୁ ପଇସା କାହିଁ ? ଅନ୍ତତଃ ପାଞ୍ଚହଜାର ନ ହେଲେ ନ ଚଳେ–ତା’ ବି ନିଅଣ୍ଟ ।

 

ଅର୍ଥ ଅଭାବରେ ନିଷ୍ପେଷିତ ହେଲେ କୌଣସି କାମ ଉଠାଇବା ମୁସ୍କିଲ । ଆଚ୍ଛା ତାହା ହିଁ ହେଉ । ସରୋଜ ଭଲରେ ପରୀକ୍ଷା ଦେଇ ଫେରିଆସୁ । ଆଲୋ ମା’–ଯାଉଛି ମୁଁ ।

 

ବାରଣ୍ଡାରୁ ଛିଡ଼ାହୋଇ ଡାକଦେଲା ନୀଳା, ବିଜୟ କାକାଙ୍କୁ ଆମ ଦୁହିଁଙ୍କର ପ୍ରଣାମ ଶୁଣେଇଦେବ ।

ଏତିକିବେଳେ ଭିତରୁ ଶ୍ୱେତପଦ୍ମା ଆସି ନୀଳା ସାଙ୍ଗରେ ଯୋଗ ଦେଲା । ଉଭୟେ ଚାହିଁରହିଲେ ବାପାଙ୍କର ଯିବାବାଟକୁ ।

 

ଥାନା ଘଣ୍ଟାରେ ବାଜିଲା ଚାରି ।

 

ଦି'ଟା ବେଳୁ ଭିଖୁଦାଦା ବସ୍ତି ଯାଇଥିଲା । ବାବୁ ଚାଲିଯିବାର ପରେ ପରେ ଆସିଛି ଗୋଟିଏ ଖବରକାଗଜ ହାତରେ ଧରି । ଉଭୟଙ୍କର ହାତକୁ ଖବରକାଗଜଟି ବଢ଼ାଇଦେଇ ଦେଖେଇଦେଲା ସରୋଜ ବାବୁଙ୍କର ସୁନ୍ଦର ଫଟୋଟିକୁ । ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଲେଖା ଅଛି, ସରୋଜବାବୁ ବିପକ୍ଷ ଦଳକୁ ଇନଟର ୟୁନିଭରସିଟି କ୍ରିକେଟ ମେଚରେ ହରାଇ ଦେବାରେ ସଫଳତା ଲାଭ କରିଛନ୍ତି । ତେଣୁ ତାଙ୍କର ଉଚ୍ଚଧରଣର ଖେଳ ଓ ଷ୍ପୋଟିଂସ୍ପିରିଟ ପାଇଁ ନିଜ କଲେଜ ତରଫରୁ ସ୍ଵର୍ଣ୍ଣ ପଦକ ପୁରସ୍କାର ପାଇଛନ୍ତି ।

 

ଶ୍ୱେତପଦ୍ମା ଏକ ନିଶ୍ୱାସରେ ସବୁତକ ପଢ଼ିଦେଇ ଗଲା । ଅଗଣାରୁ ଘର ଭିତରକୁ ଆନନ୍ଦରେ ଦୌଡ଼ି ଆସି ଶ୍ୱେତପଦ୍ମା ଆଙ୍କିଦେଲା ସରୋଜ ବାବୁଙ୍କର ଫଟୋ ଉପରେ ଦିଓଟି ଉଷ୍ମ ଚୁମ୍ବନ ।

 

X X X

 

ପିଚୁରାସ୍ତା ଉପରେ କାଞ୍ଚନ ବାବୁ । ହଠାତ୍ କୌଣସି ବନ୍ଧୁଙ୍କ ସାଙ୍ଗରେ ଦେଖାହେବାରୁ ଗପସପରେ କଟିଗଲା କିଛି ସମୟ । ତେଣୁ ମନସ୍ଥକଲେ ଗୋଟିଏ ଟେକ୍‍ସିରେ ବସି ଶୀଘ୍ର ବାହାରିବେ ନିଜର ଲକ୍ଷିତ ସ୍ଥଳକୁ । ବିଜୟ ବାବୁଙ୍କ ଉଆସ ପହଞ୍ଚିବାକୁ ବେଶୀ ସମୟ ଆଉ ଲାଗିଲା ନାହିଁ ।

 

ପହଞ୍ଚିଲା ବେଳକୁ ରାତି ପନ୍ଦର ।

 

ଗୋଟିଏ ମସ୍ତବଡ଼ ମହଲା ଆଗରେ ଛାଡ଼ିହେଲା ଟେକ୍‍ସି । ଏହି ମହଲାର ତଳେ ଗୋଟିଏ ସୁସଜ୍ଜିତ ବ୍ୟୁକ୍‍ ଦିନେ ଛାଡ଼ି ଆସୁଥିଲା ଶ୍ୱେତପଦ୍ମାକୁ । ଏହି ସମ୍ମୁଖସ୍ଥ ପୁଷ୍ପଭରା ଉଦ୍ୟାନରେ, ଆକାଶରେ ତଳେ ଦିନେ ପ୍ରତିଷ୍ଠିତ ହୋଇଥିଲା ବନ୍ଧୁତା । ଆସ୍ତେ ଆସ୍ତେ ବନ୍ଧୁତା ହୋଇଥିଲା ଘନିଷ୍ଠରୁ ଘନିଷ୍ଠତର, କାଞ୍ଚନ ଜେନା ଓ ବିଜୟ ବାବୁଙ୍କର ଦି’ଓଟି ପରିବାର ଭିତରେ ।

 

କେତେ ନବୁରେ ?

 

ବାବୁ ଏକଟଙ୍କା ।

 

ତା’ର ଉପଯୁକ୍ତ ପ୍ରାପ୍ୟନେଇ ଚାଲିଗଲା ଟେକ୍‍ସିବାଲା ।

 

କାଞ୍ଚନ ଜେନା ଥରେ ଅନେଇଲେ ଚାରିଆଡ଼କୁ । ସବୁ ଶୂନ୍‍ଶାନ୍‍ । ଘର ପାହାଚ ଉପରେ ଗୋଡ଼ ପକାଇଲେ । ଲାଜରେ, ସରମରେ ଓ ଅଭିମାନରେ ଗୋଡ଼ ତାଙ୍କର ଥରିଉଠିଲା । କାରଣ ଭାଗ୍ୟ ବିପର୍ଯ୍ୟୟ ହେବାର ପରଦିନ ଠାରୁ ସେ ଏ ଘରର ପାହାଚ ଉପରେ ପାଦ ମାଡ଼ି ନ ଥିଲେ । ସତେ ଯେପରି ତାଙ୍କର ଆତ୍ମା ଆଜି ତାଙ୍କୁ ମନାକରୁଛି–କାହିଁକି ଯିବୁ ଗୋଟିଏ ଗରୀବର ଶରୀର ଧରି, ଦେହରେ ତୁଚ୍ଛ ନଗଣ୍ୟ ପୋଷାକ ମଡ଼େଇ । ଲକ୍ଷପତିର ଉଆସରେ ଗରିବ ପାଦର ମର୍ଯ୍ୟାଦା, ଜଳିପୋଡ଼ି ପାଉଁଶ ହେବ ଯେଉଁଠି ତୋର ଗହୀର ମନର ଅଭିଳାଷ, ସେଠାରେ ତୋର ମୂଲ୍ୟ କିଛି ନୁହେଁ । ଯେଉଁଠି ଗରିବର କ୍ଷୁଦ୍ର ଆତ୍ମାପାଇଁ, ଦୁଃଖପାଇଁ ଧନୀର ଆଖିରୁ ଗଡ଼େନାହିଁ ଦି’ ଟୋପାଲୁହ, ଗରିବର କ୍ଷୁଦ୍ର ସଂସାରକୁ ବିଭୂତି କରି ଯେଉଁ ଲକ୍ଷପତି ପାଏ ମନରେ ସନ୍ତୋଷ ହୃଦୟରେ ଶାନ୍ତି, ସେପରି ଏକ ଲକ୍ଷପତିର ଉଆସରେ ଗୋଡ଼ଦେଇ ନିଜକୁ ଲଜ୍ୟା ବିଭୂଷିତ କରନା । ଦୁନିଆଁରେ ଅପମାନ ଠାରୁ ବଳି ଆଉ ମାନସିକ ଦାହ, ଦୁଃଖ କିଛିନାହିଁ । ତୋରି ଦୁଃଖରେ ଯାହାର ହୃଦୟ ବିଗଳିତ ହୁଏନାହିଁ, ଯେଉଁ ବିଜୟ ବାବୁ ଇଚ୍ଛା କରିଥିଲେ ତୋତେ ୠଣମୁକ୍ତ କରି ପାରିଥାନ୍ତେ, ସେ କ'ଣ ତୋର ଏତେବଡ଼ ବାସନା ଚରିତାର୍ଥ କରି ପାରିବେ ? ସେ ଚାହେଁ ଦୌଲତ, ଯୌତୁକ । ନା ନା କାଞ୍ଚନ ତୁ ଫେରି ଯା, ଯା' ପାଖରେ ଯେଉଁ ଘରେ ଏ କ୍ଷୁଦ୍ର ଜୀବନର ମୂଲ୍ୟ କିଛି ନାହିଁ, ସେ ଘରେ ତୁ ସମ୍ମାନଲାଭ କରିବାର ଆଶା ପୋଷଣ କରନା ।

 

ଛି ଅଶୁଭ ଭାବନା–ଯା'ର ମୂଲ୍ୟ କିଛି ନାହିଁ, ଅର୍ଥ ନାହିଁ ।

 

କୁ ଚିନ୍ତାନେଇ କିଏ ଶୁଭକାର୍ଯ୍ୟରେ ହାତ ଦେଇଥାଏ । ବିଜୟ ବାବୁ ସରୋଜର ସବୁ–ବାପା, ମା’ । ଯେତେବେଳେ ସରକୁ ନ’ ବର୍ଷ ସେତେବେଳେ ତା’ର ମା’ ହେଲେ ସ୍ଵର୍ଗବାସିନୀ । ଲାଳନପାଳନ ଭାର ନ୍ୟସ୍ତହେଲା ବିଜୟ ବାବୁଙ୍କ ଉପରେ । ସରୋଜ, ନୟନର ପିତୁଳା, ଜୀବନର ଜୀବନ, ହୀରା ନୀଳାମୋତି ମାଣିକ୍ୟ ଆଉ ସବୁ କିଛି । ଏ ଘରର ସେ ସବୁ । ସରୋଜ ଜାଣିଲା ଦିନଠୁ ଶ୍ୱେତପଦ୍ମାକୁ ହୃଦୟର ଗଳାହାର କରି ଆସୁଛି । ଭଲପାଇ ଆସୁଛି । ବାଲ୍ୟକାଳରୁ ଶ୍ୱେତପଦ୍ମା ସରୋଜର । ଆଉ ଚିରଦିନ ପାଇଁ ମଧ୍ୟ ।

 

ସବୁ ଖୁଟୁଖୁଟିଆ ଭାବନା ମନରୁ ପୋଛି ସେ ମୁହଁରେ ହସ ଫୁଟାଇ ସିଧା ଘର ଭିତରକୁ ପଶି ଆସିଲେ । ଦେଖିଲେ ଆଗ ଅପେକ୍ଷା ଘରର ସାଜସଜ୍ଜା ଖୁବ୍ ବଦଳି ଯାଇଛି । ବଡ଼ ବଡ଼ ଫୁଲପକା ସୋଫାମାନ ଯଥା ସ୍ଥାନରେ ରଖାଯାଇଛି । ଅତରଦିଆ ଫୁଲଦାନୀ ଭିତରୁ ଫୁଲର ମହକ ଘର ଭିତରକୁ ଚହଟାଇ ଦେଉଛି ।

 

ପେଟ ତାଙ୍କର ପୁରିଉଠିଲା–ଲକ୍ଷପତି ଘରେ ତାଙ୍କର ଝିଅ ପଡ଼ିବ । ସୁଖରେ ରହିବ । ଦୁଃଖ କ'ଣ ଜାଣିବ ନି ସେ । ଧର୍ମକର୍ମ ହେତୁ ଝିଅ ତାଙ୍କର ଲୋକତୁଣ୍ଡରୁ ସୁନାମ ଏବଂ ଆଶୀର୍ବାଦ ପାଇବ । ଝିଅର ସୁଖ ଦେଖି ନିଜେ ସୁଖୀ ହେବେ । ହସି ହସି ଶେଷରେ ସେ ଆଖି ବୁଜିଦେବେ ।

 

ଡାକଦେଲେ, ଚହଟଚମ୍ପା, ଆଲୋ ଚମ୍ପା ବିଜୟବାବୁ ନାହାନ୍ତି ?

 

ଚହଟଚମ୍ପା ବିଜୟବାବୁଙ୍କ ଘରେ ଚାକରାଣୀ । ବୟସ କୋଡ଼ିକ ଉପରେ ସାତ ବର୍ଷ । ଯୌବନର ରଙ୍ଗ ଦେହରୁ ଛାଡ଼ି ନାହିଁ । ଯେଉଁ ବର୍ଷ ବିଜୟ ବାବୁଙ୍କ ସ୍ତ୍ରୀର ଦେହାନ୍ତ ହେଲା ତା’ର ଆସନ୍ତା ବର୍ଷ ଠାରୁ ବିଜୟବାବୁ ତାକୁ ଘରର ଯାବତୀୟ କାର୍ଯ୍ୟ ସମ୍ଭାଳିବା ପାଇଁ ଘରେ ରଖିନେଇଛନ୍ତି । ପ୍ରଥମେ ତା’ ସହିତ ଅନ୍ୟଜଣେ ବୃଦ୍ଧା କାମ ତୋଳେଇ ନେଉଥିଲା । କିନ୍ତୁ ସେ ଗଲା ମରି । ତା’ପରେ ଚହଟ ଚମ୍ପାବେଶ ଜମେଇ ଦେଇଛି ତା’ର ପ୍ରତିପତ୍ତି । ଏପରି ବିଶ୍ଵସ୍ତ ହୋଇ ପଡ଼ିଛି ଯେ ବିଜୟ ବାବୁ ଚହଟଚମ୍ପାକୁ ନ ପଚାରି ଘରୁଆ କାରବାର କିଛି କରନ୍ତି ନାହିଁ ।

 

ଚହଟ ଚମ୍ପା ମନ୍ଥରା ? ସାକ୍ଷାତ ମନ୍ଥରା–ଘର ବୁଡ଼ା, ଘର ଭଙ୍ଗା... ?

 

ଚହଟ ଚମ୍ପା–ତଳକୁ ଓହ୍ଲାଇ ଆସୁ ଆସୁ ରାଗମିଶା ହସ ମୁହଁରେ ଫୁଟାଇ କହିଲା, ଆରେ ବଡ଼ବାବୁ ଯେ, ଖବର ନାହିଁ ଟବର ନାହିଁ ଏକାକୀ ଚାଲି ଆସିଲେ ଯେ ?

 

ଅନେକ ଦିନ ହେଲା ଆସି ନ ଥିଲି ନଭାବିଲି ଆଜି ଯାଇ ପଚାରି ଆସିବି ଶୁଭାଶୁଭ ଦି' ପଦ କଥା । ତୁ ତ ଜାଣୁ ଚମ୍ପା, ଭାଗ୍ୟଚକ୍ର ଆଗରେ ମଣିଷର କାବୁଦସ୍ତ, କିଛି ରହେ ନାହିଁ । ହଁ ଭାରି ଜରୁରୀ କାମରେ ଆସିଛି । ବିଜୟ ବାବୁ କାହାନ୍ତି ?

 

ଆବରଣରଖି କଥା କହିବାରେ ଚହଟ ଚମ୍ପା ଭାରି ଧୁରନ୍ଧର । ଉତ୍ତର ଦେଲା–ଆହା ହା ଛାତିଫଟା କଥା ଆଉ କହନାହିଁ ବଡ଼ବାବୁ । ଦୁଃଖ ଭୋଗୁ ଭୋଗୁ ପୁଣି ସୁଖର ସନ୍ଧାନ ମିଳିଯାଏ ଯେ । ଗତକଥା ଭାବି ଆଉ ଲାଭ କ'ଣ ? ପୋଡ଼ି ଯାଉ ଗତକଥା । ଦେହସୁହା ହୋଇ ସାରିଲାଣି-

 

କାଞ୍ଚନ ବାବୁ ଟିକିଏ ଦୁଃଖ ପ୍ରକାଶ କଲେ ତା' କଥା ଶୁଣି ।

 

ମୋତେ କ୍ଷମାକର ବଡ଼ବାବୁ, ତୁମକୁ ମୁଁ ଦୁଃଖ ଦେଇଛି ।

 

ମାଇପୀ ବୋଇଲେ ଏ ଘରେ ଜଣେ । ଦି ମିନିଟ ମଧ୍ୟ ଫୁରସତ ନାହିଁ । ଶ୍ୱେତ ଓ ନୀଳାକୁ ଦେଖିବାପାଇଁ ମନ କ’ଣ ହୋଇ ଯାଉଛି । ତମ ମୁଣ୍ଡ ଉପରେ ଦୁର୍ଘଟଣା ପଡ଼ିବାବେଳେ, ଏଆଡ଼େ ବିଜୟ ବାବୁ ଘରେ ନ ଥିବାବେଳେ । ନ ହେଲେ ବିଜୟବାବୁ କ'ଣ ତୁନି ହୋଇ ରହିଥାନ୍ତେ ? ଯାବତୀୟ ଜିନିଷ ତମର ନିଲାମ ହେବାର ପରଦିନଠୁଁ ସହରର ରାସ୍ତାଗଳିରେ ମୁଣ୍ଡଟେକି ଛିଡ଼ାହେବାକୁ ସେ କୁଣ୍ଠାବୋଧ କରନ୍ତି ପରା ? ତମ ପ୍ରତି ଏପରି ତାଙ୍କର ପ୍ରଗାଢ଼ ପ୍ରେମ ଓ ବନ୍ଧୁତା । ଭୁଲି ହୁଏନା–

 

କଟାଘା' ରେ ଚୂନଦେବା ଭଳି କଥା ଚମ୍ପାକୁ ଭଲ ଆସେ । କାଞ୍ଚନ ବାବୁର ଦୁଃଖ, ବେଦନାରେ ଭାଗ ନେବାକୁ କଦାପି ଚାହିଁ ନାହାନ୍ତି ବିଜୟ ବାବୁ । ଛି ଛି ସବୁ ମିଥ୍ୟା । ସବୁ କୁତ୍ସାରଟନା । ଏହି ଚହଟ ଚମ୍ପାର ସତ ଯେ ତା’ ପରିବର୍ତ୍ତରେ ସମ୍ବନ୍ଧର ସୀମା କେତେ ସଂକୀର୍ଣ୍ଣ କରିଛନ୍ତି ବିଜୟ ବାବୁ ।

 

ମୋର ବହୁତ ଭୁଲ ହୋଇଛି ଚହଟ ଚମ୍ପା । ପ୍ରଥମରୁ ଅବହେଳା କରି ଆଜି ଏତିକି ଦୁଃଖର ଦାହ ସହିବାକୁ ପଡ଼ୁଛି । ସୁହାସିନୀର ମୃତ୍ୟୁ ପୂର୍ବରୁ ଟଙ୍କାପଇସା ପ୍ରତି ମୋର ଖାତିର ନ ଥିଲା । ସେ ଚାଲିଯିବା ପରେ ମୁଁ ହେଲି କାଠ ପାଷାଣ ପରି ନିର୍ଜୀବ ! ଭବିଷ୍ୟତ ଉପରୁ ଆଖି ଫେରେଇ ଆଣିଥିଲି । ତା’ପରେ–ସବୁକଥା ତ ଜାଣୁ ।

 

ହଁ ହଁ–ଭୁଲ ତ ନିଶ୍ଚୟ ହୋଇଛି । ମଣିଷ ଭୁଲ ନ କଲେ ସେ ଯେ କିଛି ଶିଖି ନ ପାରେ-। ସଂସାରରେ ମରିବା ପର୍ଯ୍ୟନ୍ତ ମଣିଷ ଶିଖୁଥାଏ, ଭୁଲ କରୁଥାଏ । ନିଜ ଭୁଲ ହେତୁରୁ ଆପଣ ନିଜେ କଷ୍ଟ ପାଇଛନ୍ତି ଓ କଷ୍ଟ ଦେଇଛନ୍ତି । ସେଥିପାଇଁ ଆପଣ ହୁଏତ ନିଜେ ଦୋଷୀ-

 

ବାହାରେ ମଟର ଗାଡ଼ି ଛିଡ଼ା ହେବାର ଶବ୍ଦ ଶୁଭିଲା । ଗାଡ଼ିରୁ ଓହ୍ଲାଇ ଆସିଲେ ବିଜୟ ବାବୁ । ଦେଖିଲେ, କାଞ୍ଚନ ବାବୁ ସୋଫା ଉପରେ ଆସୀନ । ପାଖରେ ଛିଡ଼ା ହୋଇଛି ଚମ୍ପା । କହିଲେ, କାଞ୍ଚନ କଥାବାର୍ତ୍ତା କରିଦେଇ ଯିବେ ।

 

ଏପରି କଥା ଓ ତାଙ୍କର ଢଙ୍ଗ ରଙ୍ଗ ଅଙ୍ଗଭଙ୍ଗୀ ଦେଖି ଛାତିରେ ତାଙ୍କର ଛନକା ପଶିଲା-। ଛାତି ଭିତରେ ଅଜଣା ଭୟର ଧକ୍‍କା ପହୁଞ୍ଚିଲା ।

 

ନିଜକୁ ସମ୍ଭାଳି ନେଇ କାଞ୍ଚନ ବାବୁ କହିଲେ, ଶୁଭର କଥା ଦି’ଚାରି ପଦ ହେବାପାଇଁ ଆସିଛି । ସେ ଦିନ ଆପଣଙ୍କ ସାଥୀରେ ବାଟରେ ଦେଖା ହେଲା, କିନ୍ତୁ ଏ ବିଷୟ ନେଇ କିଛି କହିବା ପାଇଁ ଉଚିତ ମନେ କଲି ନାହିଁ । ସେଥିପାଇଁ ଆଜି ସିଧା ଏଠାକୁ ଚାଲିଆସିଲି ।

 

ହଉ ମୁଁ ଆସୁଛି କହି ଉପରକୁ ଚାଲି ଆସିଲି ।

 

ସରୋଜ–ଶ୍ୱେତପଦ୍ମା । ଶୈଶବରୁ ପରସ୍ପରର ! ଏକାଠି ଖେଳା କୌତୁକ । ଦୁଃଖ ସୁଖର ଭାଗୀ । ନିଜ ହାତରେ ବାଲି ଉପରେ ବିବାହ ମଣ୍ଡପ ନିର୍ମାଣ କରି କେତେ ଥର ବରକନ୍ୟା ରୂପେ ବରଣ ମାଳାର ଆଦାନ ପ୍ରଦାନ ହୋଇଛି । ସେହି ବାଲୁକାମୟ ସ୍ତୁପ ଶକ୍ତ ପ୍ରସ୍ତରର ବିବାହ ମଣ୍ଡପରେ ପରିଣତ କରି ଚିରଦିନ ପାଇଁ ଯୁବକ ସରୋଜ ଓ ଯୁବତୀ ଶ୍ୱେତପଦ୍ମାର ମିଳନ ଆଗ୍ରହର ହୁତାଶରେ ଶାନ୍ତିର ଆହୁତି ଦେଇ ବାପ ମୁଣ୍ଡର ବୋଝ ଉତାରିବାକୁ ସେ ଆସିଛନ୍ତି । ସୁହାସିନୀ ଯା' ର ସ୍ମୃତିକୁ ଧରି ସେ ଏତେ ଦିନଯାଏଁ ବଞ୍ଚି ରହିଛନ୍ତି ତା’ର ସୁକ୍ଷ୍ମ ଆଶାଟିର ପୂରଣାର୍ଥେ ବୁଢ଼ା ବାପ ଧାଇଁ ଆସିଛି ।

 

ଦେହରେ ରାତ୍ରି ପୋଷାକ ଆବୃତ କରି ଉପସ୍ଥିତ ହେଲେ ବିଜୟ ବାବୁ । ବସି ପଡ଼ିଲେ ଅନ୍ୟ ଏକ ସୋଫା ଉପରେ । ସମ୍ମୁଖରେ କାଞ୍ଚନ ଜେନା ଅପରାଧୀଟି ପରି ବସିଛନ୍ତି–ଯେପରି ସେ କିଛି ଭୁଲକରି ଆସିଛନ୍ତି ।

 

କିଛି ସମୟ ପର୍ଯ୍ୟନ୍ତ ସେ ନିଜର ଦୁଃଖର ଇତିହାସ ବଖାଣିବାକୁ ଲାଗିଲେ ।

 

ବିଜୟ ବାବୁଙ୍କର ହୃଦୟରେ ପ୍ରଫୁଲ୍ଲତାର ସୂଚନା ନାହିଁ ।

 

ସରୋଜ ଇତି ମଧ୍ୟରେ ଚିଠିପତ୍ର ଦେଇଥିଲା କି ? କିପରି ଅଛି ସେ ? ତା' ପରୀକ୍ଷା କେବେ ହବ ? –ଇତ୍ୟାଦି ଅନେକ କଥା ପଚାରିଲେ ଓ ତା’ର ଯଥାଯଥ ଉତ୍ତର ମଧ୍ୟ ପାଇଲେ ।

 

ଦି'ମିନିଟ ଖଣ୍ଡେ ନିସ୍ତବ୍‍ଧତାର ରାଜ୍ୟ ବିରାଜମାନ କଲା । ଉପରୁ ଓହ୍ଲାଇ ଆସିଲା ଚହଟ ଚମ୍ପା । ପାଖରେ ବସିବାକୁ କହିଲେ କାଞ୍ଚନ ଜେନା । କାନ୍ଥ ଘଣ୍ଟାରେ ବାଜିଲା ସାତ–

 

କାଞ୍ଚନବାବୁ ଆରମ୍ଭ କଲେ କଥା–ବିଜୟ ବାବୁ ମୁଁ ଗୋଟିଏ ବହୁତ ବଡ଼ କାମ ତୁଲେଇ ନେବାକୁ ଆସିଛି । କହନ୍ତୁ, ବାପାର କର୍ତ୍ତବ୍ୟ ଏଠାକୁ ମୋତେ ଟାଣିଓଟାରି ନେଇ ଆସିଛି । ଏତେ ବଡ଼ କର୍ତ୍ତବ୍ୟର ବୋଝ ନେଇ ବୁଢ଼ାବାପ ଆଉ ବାଟ ଚାଲି ପାରୁନାହିଁ । ଆଗରୁ ପଛରୁ ସଦାବେଳେ ସେ ଯେପରି କର୍ତ୍ତବ୍ୟର ଚାପ ଅନୁଭବ କରୁଛି । ସାଂସାରିକ ଜୀବନରେ ଝିଅ ଜନ୍ମ ହେଲା ମାତ୍ରକେ ବୋଝ ଉପରେ ଥୋଇ ହୋଇଥାଏ ନଳିତା ବିଡ଼ା । ଜଗତରେ ଅତି ବଡ଼ ବୋଝ ଯଦି କିଛି ଥାଏ, ତା’ହେଲେ ସେଇଟା ହେଉଛି ଝିଅ ।

 

ବିଜୟ ବାବୁ ଗମ୍ଭୀର ହୋଇ ବସିଛନ୍ତି । ଥରେ ଥରେ ମୁଣ୍ଡ ଉପରକରି ଭ୍ରୂଲତା ଉତ୍ତୋଳନ ପୂର୍ବକ ଚତୁର୍ଦ୍ଦିଗକୁ ଚାହୁଁଥାନ୍ତି ।

 

ପୁଣି ଆରମ୍ଭ କଲେ, ଆପଣଙ୍କର ମନେ ଥିବ ସୁହାସିନୀର ଶେଷ କଥା ଦି’ପଦ । ଆଜି ସୁଦ୍ଧା ମୋର ହିଆ ଭିତରେ ଲାଖିରହିଛି ତା’ର ଲୁହ ଓ ଦରଦ ଭିଜା ଚକ୍ଷୁ ଦି’ଟା ଯାହା କହିଥିଲା ଓ ଦେଖିବାକୁ ବ୍ୟଗ୍ରତାର ସହ ଚାହିଁ ରହିଥିଲା ଯାହା । ସରୋଜ ବଡ଼ ହେଲାଣି । ଆତଯାତ ଦୁନିଆକୁ ବୁଝିବାର ଶକ୍ତି ହେଲାଣି । ଆଉ ଶ୍ୱେତପଦ୍ମା ଯେ କି ସରୋଜର ପାଦପଦ୍ମେ ନିଜର ସବୁ କିଛି ତର୍ପଣ କରିବାକୁ ପ୍ରସ୍ତୁତ ଅଛି, ସେ ଆଜି ଆପଣଙ୍କର ଏ ପବିତ୍ର ଗୃହର ମାଟି ଉପରେ ଲକ୍ଷ୍ମୀରୂପରେ ଗୋଡ଼ ପକାଇବାକୁ ଉପଯୁକ୍ତା । ଏତିକି ମାତ୍ର ଅଭିଳାଷ ରଖି ଆସିଛି ଆପଣଙ୍କର ଦୁଆରକୁ ।

 

ବିଜୟ ବାବୁ ସୋଫାରୁ ଉଠି ପଡ଼ିଲେ, କହିଲେ, ଅର୍ଥାତ ?

 

ଅର୍ଥାତ....ସରୋଜ ଓ ଶ୍ୱେତପଦ୍ମାର ବିବାହ ପ୍ରସ୍ତାବ ଆଗତ କରିବା ସଙ୍ଗେ ସଙ୍ଗେ ବିବାହର ଶୁଭଲଗ୍ନ ଠିକ୍ କରିବାକୁ ଆସିଛି ।

 

କାଞ୍ଚନ ଜେନାର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବିଜୟ ବାବୁ ଚାହିଁନେଲେ ଥରେ । ମନରେ ତାଙ୍କର ଗର୍ବ । ମୁଣ୍ଡ ଉପରେ ମୋହର ଝଣ୍ଡା । ସେ ଧନୀ ସେଥିପାଇଁ ମନରେ ଏତେ ବଡ଼ ହିଂସା, ଅଭିମାନର ଜମାଟ । ଥରେ ଚାହିଁଲେ ଚମ୍ପା ଆଡ଼କୁ । ଅଜାଣତରେ ମୁଣ୍ଡରେ ହଲାଇ କ’ଣ ସୂଚନା ଦେଲା ସେ । ଜଣାଯାଉଥିଲା ଚମ୍ପା ଓ ବିଜୟ ବାବୁଙ୍କ ମଧ୍ୟରେ ଆଗକୁ କିଛି ନିଷ୍ପତ୍ତି ହୋଇ ଯାଇଛି-। ବିଜୟ ବାବୁ ଉପରକୁ ଚାଲିଗଲେ । ପୁଣି ମିନିଟକ ପରେ ଫେରି ଆସିଲେ । ସୋଫାରେ ବସିପଡ଼ି କହିଲେ, ଦେଖନ୍ତୁ କାଞ୍ଚନ ବାବୁ, ଆପଣ ଯେଉଁ ବିଷୟ ଉପରେ ମୋ’ଠାରୁ ମତାମତ ଜାଣିବାକୁ ବ୍ୟଗ୍ର ତାହା ବର୍ତ୍ତମାନ ମୁଁ ପ୍ରକାଶ କରିବାକୁ ଅକ୍ଷମ, କାରଣ ଇତିମଧ୍ୟରେ ଏତେକଥା ମୁଁ କେବେହେଲେ ଭାବି ନ ଥିଲି । ମୋତେ ଭାବିବାକୁ ସମୟ ଦିଅନ୍ତୁ । ଅତୀତରେ ପିଲା ପରି ଯେଉଁସବୁ କଥା ମୁଁ କରି ଯାଇଛି, ସେ ସବୁ ସମ୍ପୂର୍ଣ୍ଣରୂପେ ଭୁଲିଯିବାକୁ ଚାହେଁ । ଯାହା ମୋ ପାଖରେ ଅର୍ଥହୀନ, ବଡ଼ ସମସ୍ୟା ନୁହେ ତା’ର ସ୍ମୃତିକୁ ବର୍ତ୍ତମାନ ଜୀବନରେ ଉପସ୍ଥାପିତ କରିବାକୁ ମୁଁ ଆଦୌ ପସନ୍ଦ କରେନା ।

 

ମୁଣ୍ଡର ଝାଳ ପୋଛୁଁ ପୋଛୁଁ କାଞ୍ଚନ କହିଲେ, ସରୋଜ ଓ ଶ୍ୱେତପଦ୍ମାର ଭବିଷ୍ୟତ ତମରି ଉପରେ ନିର୍ଭର କରେ ବିଜୟ ବାବୁ ।

 

ହସ ମାଡ଼ିଲା । ବିଜୟ ବାବୁ କହିଲେ, ହଉ ଭାବି ଠିକ୍ କରିବି । ଆପଣଙ୍କର ଶେଷ କଥା ଶୁଣିଲି । ମୁଁ ମୋର ଶେଷ କଥା ଆପଣଙ୍କୁ କହିବି । ମୁଁ ପିଲା ନୁହେ, ଭଲମନ୍ଦ ବୁଝିବାର ଅଧିକାର ଓ ବିଚାର ଶକ୍ତି ମୋର ମଧ୍ୟ ଅଛି ।

 

ଉଦ୍‍ବିଗ୍ନତାର ସହ ମୌଲା ହସିଦେଇ କହିଲେ କାଞ୍ଚନ ବାବୁ, ଏଥିରେ ପୁଣି ଅପେକ୍ଷାର ପ୍ରଶ୍ନ । ଆପଣଙ୍କର ଜବାବ ଦେବାରେ ବିଳମ୍ବ ଘଟିବା ଏ ସବୁ ତ ମୁଁ କିଛି ବୁଝିପାରୁ ନାହିଁ । ଭାବନ୍ତୁ ଭଲା ଅତୀତକୁ ଫେରି ଯାଇ । ଭାବିଲେ ଗୋଟି ଗୋଟି ହୋଇ ସବୁକଥା ମୋର ଚକ୍ଷୁ ଆଗରେ ଉଦ୍‍ଭାସିତ ହୋଇ ଉଠୁଛି । ସରୋଜ ଓ ଶ୍ୱେତ–ସ୍ୱାମୀ ଓ ସ୍ତ୍ରୀ । ଜଣକର ଆଖିରେ ଲୁହ ଦେଖିଲେ ଆର ଜଣକର ମନରେ ଦୁଃଖ ଆସେ । ଆଜି ସିନା ସରୋଜ ପଢ଼ିବାକୁ ଯାଇ ଦେଢ଼ବର୍ଷ ବିତିଯାଇଛି । ଉଭୟେ ପରସ୍ପରଠାରୁ ବହୁ ଦୂରେ–ଜଣେ ପାଶ୍ଚାତ୍ୟ ଦେଶରେ, ଆଉ ଜଣେ ନିଜର ମାତୃଭୂମିରେ । ହେଲେ ଉଭୟଙ୍କର ଆତ୍ମା ଏକ । ଅତି ଦୂରରେ ଥିଲେ ବି ଜଣାଯାଏ ଅତି ପାଖରେ ଅଛନ୍ତି ସେମାନେ । ଦୁହିଁଙ୍କର ରୂପଯୌବନ ଖେଳକୌତୁକ ସବୁ ମନେ ପଡ଼ି ଯାଉଛି । ସରୋଜ ଅବୁଝା ପୁଣି ମନଭୁଲାଣିଆ । ଶ୍ୱେତ ମଧ୍ୟ ସେପରି । ଆପଣଙ୍କୁ ତ ଏସବୁ କଥା ଆଉ ଅଛପା ନାହିଁ । ସରୋଜ ଲେଖିଛି ଏହି ଦେଢ଼ ଦି’ ମାସ ଭିତରେ ଫେରିଆସିବ । ଇତି ମଧ୍ୟରେ ଲଗ୍ନ ଠିକ୍‍ କରି, ପରୀକ୍ଷା ପରେ ଶୀଘ୍ର ଫେରିଆସିବାକୁ ତାକୁ ପତ୍ରଦେଲେ କ୍ଷତି କ’ଣ ? ଆଉ ଅବସର ନେଇ ଆପଣ ଏତିକିରୁ ଅଧିକା କ'ଣ ଭାବି ଠିକ୍ କରିବେ–ମୁଁ କିଛି ବୁଝି ପାରୁନାହିଁ ।

 

ସିଧାସଳଖ ଭାବେ କହିଲେ ବିଜୟ ବାବୁ–ଆପଣ କିଛି ବୁଝି ପାରିବେ ନାହିଁ । ମଣିଷ ଯାହା ମନରେ ଭାବେ, ସତରେ ଫଳୁଥିଲେ ଏ କାଠର ଦିଅଁ ଦେବତାଙ୍କୁ ଆଉ ମଣିଷ ପୂଜା କରନ୍ତା କାହିଁକି ? ଦୁଃଖ କଲେ ମୁଁ କ'ଣ କରିବି, ନିୟତିର ଇଚ୍ଛା ଯାହା, ତାହା ହିଁ ହବ ।

 

କୃତଜ୍ଞତା ସହ କାଞ୍ଚନ ବାବୁ ଜବାବ ଦେଲେ, ନିୟତିର ଇଚ୍ଛା ତ ନିଜେ ସେ ଦିନ କହିଦେଇଛି ବିଜୟ ବାବୁ, ଯେଉଁଦିନ ସୁହାସିନୀର ମଲା ଶେଯ ଉପରେ ଶ୍ୱେତପଦ୍ମାକୁ, ସୁହାର ଅନୁଗ୍ରହ ରକ୍ଷାପୂର୍ବକ, ନିଜର କୁଳବଧୂ କରିବାପାଇଁ ଶପଥ କରିଥିଲେ । ସେହି ତ ନିୟତିର ଇଚ୍ଛା ଏବଂ ନିୟତିର ଇଚ୍ଛା ପୂରଣ କରି ପାରିବ ତୁମେ–କେବଳ ତୁମେ ।

 

ଦେଖନ୍ତୁ ଆଉ ବେଶି କିଛି କହିବାର ନାହିଁ, ମୁଁ ଆପଣଙ୍କୁ କହି ଦେଇଛି ଅଳ୍ପଦିନ ଭିତରେ ମତାମତ ବା ଜବାବ ଦେବି । କ୍ଷମା କରିବେ, ମୋର ଦେହ ଅସୁସ୍ଥ ଅଛି । ଡାକ୍ତର ମନା କରିଛି ବେଶି ସମୟ କଥାବାର୍ତ୍ତା କରିବା ପାଇଁ । ଚମ୍ପା ବସିଛି, କଥାବାର୍ତ୍ତା ବାକିଥିଲେ କରନ୍ତୁ । କହି ସେ ଉପରକୁ ଚାଲିଗଲେ ନମସ୍କାର କରି ।

 

କିଛି ସମୟ ପରେ କାଞ୍ଚନ ବାବୁ ମୁହଁମାରି ଯିବାକୁ ଛିଡ଼ାହେଲେ ।

 

ଯିବା ଦେଖି ଚମ୍ପା କହିଲେ, ଟିକିଏ ଅପେକ୍ଷା କରନ୍ତୁ ଚା' ପିଇଦେଇ ଯିବେ ।

 

ନା, ମୋର ଅଭ୍ୟାସ ନାହିଁ ଆଜିକାଲି । ରାତିରେ ଚା' ପାନ କଲେ ପେଟରେ ବ୍ୟଥା ଅନୁଭବ କରେ ।

 

କାନ୍ଥ ଘଣ୍ଟାରେ ବାଜିଲା ଆଠ ।

 

ହଉ ଉଛୁର ହେଲାଣି । ସମୟ ଗଡ଼ି ଯାଉଛି । ମୁଁ ଚାଲିଲି । ମୋର ଅନୁଗ୍ରହ ଚମ୍ପା, ବାବୁଙ୍କୁ ବୁଝାଇବୁ ଆଉ ଅତିଶୀଘ୍ର ଖବର ପଠାଇବୁ । ତା’ପରେ ଠିକ୍ କରିବା ଶୁଭଲଗ୍ନ । ବିଜୟ ବାବୁଙ୍କର ମୁଣ୍ଡ ଭଲ ନାହିଁ ବର୍ତ୍ତମାନ । ଆଚ୍ଛା ମୁଁ ଯାଉଛି, ତେଣେ ଘରେ ଚହଳ ପଡ଼ିଯାଇ ଥିବଣି । କହିଥିଲି ସୂର୍ଯ୍ୟାସ୍ତବେଳକୁ ଫେରି ଆସିବି, ନ ହେଲେ ସାତଟାରେ ନିଶ୍ଚୟ ଫେରିବି ।

 

ସେ ପଦାକୁ ଆସିଲେ । ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ସତେ ଯେପରି ଆକାଶ ତାଙ୍କ ଉପରେ ଖସିଯିବା ଉପରେ । ଅନ୍ଧାର ଭିତରେ ଆଖିରୁ ତାଙ୍କର ଝରିପଡ଼ିଲା ଲୁହ । ଛାତି ଭିତରେ ଦୁଃଖର କୋହ ଉଠୁଥାଏ ବିଜୟ ବାବୁଙ୍କର । ରଙ୍ଗଢଙ୍ଗ ଛଳନାତ୍ମକ ଭାବ ଓ ଭାଷା ଶୁଣି ତାଙ୍କର ମନରେ ଅମାବାସ୍ୟାର ଅନ୍ଧାର ଘୋଟିଆସିଲା । ସେ ଚାଲି ଚାଲି ଯିବାକୁ ସାହସ କଲେ ନାହିଁ, ମନଟା ତାଙ୍କର କଲା ଢାଙ୍କିଥିବା ଦୁନିଆଁ ଭିତରେ ହଜିଯାଇଛି । ଚିନ୍ତାର ଦାଉ ତାଙ୍କର ହାତପଞ୍ଜରାକୁ ଅସ୍ଥିର କରି ପକାଉଛି । ଶେଷରେ ତାଙ୍କର ମନକୁ ସାନ୍ତ୍ୱନା ବାଣୀ ଛୁଇଁଲା–ବିଜୟ ବାବୁ ରାଜପୁତ । ପ୍ରାଣ ଚାଲିଯିବ କିନ୍ତୁ ବଚନ ଭାଙ୍ଗିବେ ନାହିଁ, ଏହା ରାଜପୁତର ନୀତି । ସରୋଜର ଅଛି ପବିତ୍ର ପ୍ରେମ–ରାଜପୁତ ସନ୍ତାନ ପାଖରେ ପ୍ରେମର ମର୍ଯ୍ୟାଦାର ଦାମ ସ୍ୱଜୀବନର ଦାମ ଠାରୁ ବହୁଗୁଣରେ ବେଶି । ହୃଦୟରେ ତାଙ୍କର ଦମ୍ଭ ଆସିଲା ।

 

ହେଲେ ବଜ୍ରପଡ଼ିଲା ପରି ବିଜୟ ବାବୁଙ୍କର କଥା ଗୁଡ଼ାକ କାଞ୍ଚନ ଜେନାକୁ ବଡ଼ ଅସ୍ଥିର କରି ପକାଇଛି । କିନ୍ତୁ ବଜ୍ର ମଧ୍ୟ ଶୁଭକାର୍ଯ୍ୟରେ ବିନିଯୋଗ ହୁଏ । ବଜ୍ର ସାହାଯ୍ୟରେ ଭଗବାନ ଦୁଷ୍ଟକୁ ସଂହାର କରି ସୃଷ୍ଟିର ଗୁରୁଭାର ଲାଘବ କରନ୍ତି ।

 

କଳିଯୁଗ–

 

ବିଜୟ ବାବୁଙ୍କର ମନରେ କ'ଣ ଅଛି ସେ ବା ଜାଣିବେ କିପରି ? ନରମାୟା ନାରାୟଣ ମଧ୍ୟ ଜାଣି ପାରନ୍ତି ନାହିଁ ।

 

 

ରାତି ସାଢ଼େ ନ'ଟା ହେଲାଣି । ଏଣେ ବାପା ଫେରି ନାହାନ୍ତି । ଶୁଭ ଅଶୁଭ ତ ଲାଗି ରହିଛି । ସେଥିପାଇଁ ଶ୍ୱେତ ଓ ନୀଳା ଉଭୟଙ୍କ ମୁଣ୍ଡରେ ବାର ଚାଉଳିଆ କଥା ପଶିଛି, ମନ ଘାଣ୍ଟି ହେଉଛି । ଭିଖୁଦାଦା ମଧ୍ୟ ଅଧଘଣ୍ଟା ହେଲା ଗଲାଣି କେଉଁ ବାଟ ଧଇଲା କେଜାଣେ, ସେ ମଧ୍ୟ ଏତେବେଳେ ଯାଏଁ ଫେରି ନାହିଁ । ବଡ଼ ସହର, ରାସ୍ତାଘାଟ ଲୋକାରଣ୍ୟ । ଯାନବାହାନ ଭିତରେ ମନୁଷ୍ୟର ଅସ୍ତିତ୍ୱ ଲୋପ ପାଇଯାଏ । ଏକେ ରାତି । ରାତି ହେବାମାତ୍ରକେ କେବେ କୁଆଡ଼େ ଥିଲେ ମଧ୍ୟ ବାପା ଠିକ୍ ଛ'ଟା ଭିତରେ ଫେରି ଆସନ୍ତି । କାରଣ ଆମ ପାଇଁ ତାଙ୍କ ମୁଣ୍ଡରେ ଗୋଟିଏ ବଡ଼ ଚିନ୍ତା ଥାଏ । ଅବିଶ୍ୱାସର ଦୁନିଆଁରେ ସେ ନିଷ୍ପେସିତ ହୋଇ ଦୁନିଆଁ ଉପରୁ ଗୋଟିଏ ପ୍ରକାର ଆସ୍ଥା ଉଠେଇ ନେଇଛନ୍ତି । ଥାନା ଘଣ୍ଟାରେ ବାଜିଲା ଦଶ । ଦୁହିଁଙ୍କର ମନ ଆହୁରି ଉଚ୍ଛନ୍ନ ହେଲା । ପ୍ରଶ୍ନ ପରେ ପ୍ରଶ୍ନ–ସାତଟାରେ ଫେରିବା କଥା ଯାଇ ସାଢ଼େ ନ'ଟା ହେଲାଣି । ଏଣେ ଭିଖୁଦାଦାର ମଧ୍ୟ ଦେଖା ନାହିଁ । ବଢ଼ିଲା ଝିଅ । ପାଖରେ କେହି ନାହାନ୍ତି । ଉଭୟଙ୍କର ଛାତି ଥରୁଛି । ଉଠୁଛି ପଡ଼ୁଛି । ହେଲେ ଦମ୍ଭହୀନା ହୋଇ ଜୀବନ ଯାପନ କରିବା ନୀଳାର ଜୀବନର ମୂଳମନ୍ତ୍ର ନୁହେଁ । ନୀଳାର ମନ ଉଡ଼ି ବୁଲୁଛି–ସେ ଦୌଡ଼ିଯାନ୍ତା ବିଜୟ କକାଙ୍କ ଘରକୁ, ପଚାରନ୍ତା, ବାପା କାହିଁକି ଫେରିବାରେ ଡେରି କରୁଛନ୍ତି । ତା’ର ପୂର୍ଣ୍ଣ ବିଶ୍ୱାସ, ସତ୍ୟ, ନ୍ୟାୟ ଓ ପବିତ୍ରତାର ବିରୁଦ୍ଧାଚରଣ କରି ଜୀବ ପାତାଳଗାମୀ ହୁଏ । ମଣିଷ ଗଢ଼ା । ନୀତି ନିୟମର ହାଡ଼ ପଞ୍ଜରା ଉପରେ ସମୟ ପଡ଼ିଲେ ସେ ମାଡ଼ି ଦଳି ଚାଲି ଯିବାର ଝିଅ । ଯେଉଁ ଦୁନିଆଁ ନିମକ ହାରାମ ତା’ପାଇଁ ଯେ କନ୍ୟାର ସ୍ୱାଧୀନତା ଉପରେ ଚାପ ପକାଇପାରେ ସେହି ଦୁନିଆକୁ ପଶୁର ଦୁନିଆ ବୋଲି ଆଖ୍ୟାଦେଲେ କିଛି ହିଁ ମନୁଷ୍ୟତ୍ୱର ହାନୀ ନାହିଁ । ଏଣେ ଶ୍ୱେତପଦ୍ମା ଲାଜକୁଳି ଲତାର ଏକ ବିଶେଷ ଦୃଷ୍ଟାନ୍ତ । ପୁଣି କଥା କହି ପାଞ୍ଚଥର ମୁଣ୍ଡ ପୋତିବା ଯାହାର ଅଭ୍ୟାସ, ସେପରି ଝିଅ ହୋଇଥାଏ କବିର କବିତା ପାଇଁ ମୁଖ୍ୟ ବସ୍ତୁ, କଳାକାରର ଏକମାତ୍ର କାମ୍ୟ । ଦୁନିଆ ବିରୁଦ୍ଧରେ ଛିଡ଼ାହେବା ତା’ର ମଧ୍ୟ ଏକ ମାନସିକ ପ୍ରବୃତ୍ତି । ଯଦିଓ ସେ ଶିକ୍ଷିତା, ହେଲେ ରାଜନୀତିର ଆବାହୱାରେ ପଶିବା ତା’ର ଇଚ୍ଛା ନୁହେଁ ।

 

ଭିଖୁଦାଦାର ଯିବା ପରେ ମଝିଦୁଆର କବାଟ ବନ୍ଦକରି ଦେଇଥିଲେ । ସେତିକିବେଳେ ଏକ ମୋଟର ଆସିବାର ଶବ୍ଦ ଶୁଣାଗଲା । ମୋଟରର ଆଲୋକ ଅଗଣାର କାନ୍ଥ ଉପରେ ବିଛେଇ ହୋଇ ପଡ଼ିଲା । ଶବ୍ଦ କ୍ରମଶଃ ପାଖେଇ ଆସିଲା । ହଠାତ୍ ଦ୍ଵାରଦେଶରେ ବନ୍ଦ ହେଲା । ନୀଳା ଓ ଶ୍ୱେତପଦ୍ମା ଉଭୟେ ଚମକି ପଡ଼ିଲେ । ତାଙ୍କର ମୁହଁକୁ ଘୋଡ଼ାଇ ଥିବା ଦୁଃଖର ଆବରଣ ଭାଙ୍ଗିଲା-। ଭାବିଲେ, ରାତି ଅଧିକ ହେବାରୁ ବିଜୟ କାକା ତାଙ୍କ ନିଜ ମୋଟରରେ ବାପାଙ୍କୁ ଛାଡ଼ି ଆସିଛନ୍ତି-। ନୀଳା ହାତରେ ଲଣ୍ଠନଟି ଧରି ଦ୍ୱାର କବାଟ ଉନ୍ମୁକ୍ତ କରିବାକୁ ଆସିଲା । ଶୁଣି ପାରିଲା, ଭିଖୁଦାଦାର ଦରଦଭରା ଡାକ–ମା’ ଶ୍ୱେତ ।

 

ଉତ୍ତର ଦେଲା, ଆସୁଛି ।

 

ବାଟ ଖୋଳୁଁ ଖୋଳୁଁ ମିନିଟିଏ ଖଣ୍ଡେ ଲାଗିଯାଏ । ନୀଳା ଭିତରୁ ଡାକ ଛାଡ଼ିଲା, ଏତେ ଉଛୁର କାହିଁକି ଯେ ହେଲା, ମୁଁ କିଛି ବୁଝି ପାରୁନାହିଁ । ମୁଁ ଜାଣିଥିଲି, ଅଧିକ ଉଛୁର ହେଲେ ବିଜୟ କାକା ନିଜର କାରରେ ଯେ ବାପାଙ୍କୁ ଛାଡ଼ି ଆସିବେ ।

 

କିନ୍ତୁ ଉନ୍ମୁକ୍ତ ଦ୍ୱାର ଦେଶରେ ଛିଡ଼ା ହୋଇ ଯାହା ଦେଖିଲା ସେଥିରେ ନୀଳା ଚେତନା ଶୁନ୍ୟ ହେଲା ପରି ବୋଧ ହେଲା ।

 

ଦ୍ଵାରଦେଶରେ ହସପିଟାଲର ୱେମ୍ବୁଲାନ୍ସ ଗାଡ଼ି । ଭିଖୁ ଓ ଅନ୍ୟ ଏକ ସାହାଯ୍ୟକାରୀ ସୁପ୍ତ, କାଞ୍ଚନ ଜେନାଙ୍କ ଗାଡ଼ିରୁ ଓହ୍ଲାଇ ଆଣୁଛନ୍ତି ।

 

ନୀଳାର ହାତରୁ ଲଣ୍ଠନଟି ଖସିପଡ଼ିଲା । ଆର୍ତ୍ତ ଚିତ୍କାର କରି ଗାଡ଼ି ପାଖକୁ ଦୌଡ଼ିଗଲା-। ତା’ର କରୁଣ ଆର୍ତ୍ତ ଚିତ୍କାର ଶ୍ୱେତପଦ୍ମାର କାନରେ ବାଜିଲା । ପାଗଳୀ ପରି ଧାଇଁ ଆସି ଯାହା ଦେଖିଲା ସେଥିରେ ମୁଣ୍ଡ ଘୁରିଗଲା ।

 

ସୁପ୍ତ କାଞ୍ଚନ ଜେନାଙ୍କ ଗାଡ଼ିରୁ ଓହ୍ଲାଇ ଘର ଭିତରକୁ ନେଲେ । ଏପଟେ ସେପଟେ ବିଛଣାକୁ ପାରିଦେଇ ଦ୍ଵାରଦେଶରେ ଖୋଲା ପବନରେ ଶୁଆଇ ଦେଲେ । ଘର ଭିତରେ ଏକ ଅକୁହା ବିଷାଦର ଲହଡ଼ି ଭାଙ୍ଗିଲା । ଭିଖୁ ଖଟର ଗୋଟିଏ କୋଣରେ ବସି କ'ଣ କରିବାକୁ ଲାଗିଲା ।

 

ଠିକ୍‍ ହେଲା ସୁହାସିନୀ ପକ୍ଷରେ ଏହା ଭଲ ହେଲା–ଦାରିଦ୍ର୍ୟର ତାଡ଼ନାରେ ନିଷ୍ପେସିତ ଏହି ପରିବାର ବର୍ଗଙ୍କର ଦୁଃଖ ଦେଖିବା ଠାରୁ ସେ ଆଜି ଦୂରେ ବହୁ ଦୂରେ । କିନ୍ତୁ ଉପରେ ଛିଡ଼ାହୋଇ ତା’ର ଟିକି ଆତ୍ମା ମିଟିମିଟି କରି ଏ ଦାରୁଣ ଦୁଃଖ ଓ ତାଡ଼ନା ଅବଲୋକନ କରୁଥିବ ନିଶ୍ଚୟ । ହେଲେ ସ୍ୱର୍ଗ ଓ ମର୍ତ୍ତ୍ୟ ଭିତରେ ପ୍ରଭେଦର ମାର୍ଗ ଅକଳନୀୟ, ଆକାଶ ଓ ପାତାଳ ମଧ୍ୟରେ ବହୁତ ତଫାତ । ଭିଖୁଦାଦାର ଆଖିରୁ ଝରଣାପରି ଗଡ଼ୁଛି ଅଶ୍ରୁ ।

 

ନୀଳପଦ୍ମା ଓ ଶ୍ୱେତପଦ୍ମାର ନୟନ ଲୋତକରେ ହୋଇଛି ପୂର୍ଣ୍ଣ । ଚକ୍ଷୁର ଝରୁଛି ଅଶ୍ରୁର ଝର । ଝରୁଛି ନିରନ୍ତର ନୀରଧାର । ସଂସାର ଦିଅଶୁଛି ଅନ୍ଧାର । କ'ଣ ଏହି ହୃଦୟ ବିଗଳିତ ଛାତିଫଟା ଦୃଶ୍ୟ ଦେଖିବାପାଇଁ ନୀଳା ଧାଇଁ ଆସିଥିଲା ଦ୍ଵାରଦେଶକୁ ?

 

ଆଶା ପଛରେ ନିରାଶାର ଅଗ୍ନିଶିଖା ଦେଦୀପ୍ୟମାନ, ସୁଖ ପଛରେ ଦୁଃଖର ଚାଞ୍ଚଲ୍ୟକର ଆବିର୍ଭାବ ଏହା ନୀଳା କେବେହେଲେ ଭାବି ନ ଥିଲା । ଭାବିଥିଲା ବାପା ଯେଉଁ ଶରୀର ନେଇ ଘରୁ ଗୋଡ଼ କାଢ଼ିଥିଲେ ସେହି ଶରୀର ନେଇ ଫେରିବେ, ତାଙ୍କର କୁଆଁରୀ ଆଶା ପ୍ରସ୍ପୁଟିତ ହୋଇ ଫେରିବ ସୁଗନ୍ଧ ଘେନି ଭୋକିଲା ପେଟ ଧରି ଯାଇଥିଲେ ସେ ପୁରିଲା ପେଟ ଧରି ଆସିବେ ।

 

କିନ୍ତୁ ସବୁ ଭାବନା ତା’ର ଯେମିତି ଓଲଟ ପାଲଟି ହୋଇଗଲା । ତା' ମୁଣ୍ଡରେ କିଛି ନାହିଁ, କିଛି ବୁଝିପାରୁନାହିଁ ସେ । ଅନୁମାନ କରିବା ତା’ର ଶକ୍ତି ନାହିଁ । ଯେଉଁ ଥାଳିରେ ଦଇବ ଅନ୍ନଦାନ କରେ, ସେଥିରେ ପୁଣି ଅଶ୍ରୁ ବାଢ଼ିବା ମଧ୍ୟ ତା’ର ଏକ କର୍ତ୍ତବ୍ୟ ।

 

ଦି' ସପ୍ତାହ ଇତି ମଧ୍ୟରେ ଗଡ଼ିଗଲାଣି । ସରୋଜ ଖବର ଦେଇଛି ସେ ଆସିବ ଦି' ମାସ ଭିତରେ । ସରୋଜ ଏକ କୁଳବନ୍ତର ସନ୍ତାନ । ବାରିଷ୍ଟର ହୋଇ ଫେରିବ । ବିଜୟ ବାବୁଙ୍କର ଛାତି କୁଣ୍ଢେମୋଟ । ମାଟି ଉପରେ ଗୋଡ଼ ଲାଗୁନାହିଁ । ଏ ରାଜପୁତ ବଂଶର ପ୍ରଥମ ସନ୍ତାନ ସରୋଜ ଲଣ୍ଡନ ଫେରନ୍ତା । ସହରର ଲୋକେ ଜାଣିବେ ଶୁଣିବେ ସୁନାମ ଗାନ କରିବେ । ବଡ଼ ବଡ଼ ଘରୁ ବିବାହ ପ୍ରସ୍ତାବ ଆସିବ । ବିଜୟ ବାବୁ ନା ମଞ୍ଜୁର କରିବେ । କାରଣ ଧନ ଦୌଲତ ଆଜି ଅବୁଝା ମଣିଷର ଦେବତା । ପୁଅର ପାଠ ପଢ଼ାରେ ସେ ଢାଳିଛନ୍ତି ପାଣି ପରି ଅଜସ୍ର ଟଙ୍କା । ଏକାଥରକେ ତାହା ବିଜୟବାବୁ ଆଦାୟ କରିବାକୁ ଚାହାନ୍ତି–ସରୋଜର ବିବାହରେ । ମନ ମୁତାବକ ଯୌତୁକ ନ ଦେଲେ ସରୋଜର ହାତକୁ ଦି’ହାତ କରିବା ଅସମ୍ଭବ । ଏକ ପାର୍ଶ୍ୱରେ ଦୌଲତର ପ୍ରଶ୍ନ, ଅନ୍ୟ ଦିଗରେ କାଞ୍ଚନ ବାବୁଙ୍କର ଆଗତ ପ୍ରସ୍ତାବ । ଦରଦଭରା ଚାହାଣୀ, ଅଶ୍ରୁଭିଜା ଅନୁଗ୍ରହ ଭିକ୍ଷା ।

 

କିନ୍ତୁ କାଞ୍ଚନ ଜେନା ପାଖରେ ଅଛି କ'ଣ ? ଯା' ଦେଇ ସନ୍ତୁଷ୍ଟ କରି ପାରିବେ ବିଜୟ ବାବୁଙ୍କର ମନ । ଗରିବର ସମ୍ବଳ ମନୁଷ୍ୟତା, ଆତ୍ମମର୍ଯ୍ୟାଦା ହିଁ ତା’ର ସବୁ କିଛି । ସେ ବା କ'ଣ ଦେଇପାରିବ । କେବଳ ସୁମଧୁର ଭାଷା, ଇଜ୍ଜତ କରିବାର ଏକ ନିଖୁଣ ପ୍ରୟାସ, ଯାହା ହୁଏତ ସମାଜର ଧନୀ ବର୍ଗଙ୍କ ଠାରେ ଅତି ବିରଳ । ସୁହାସିନୀ ମରିଲା ଶେଯ ଉପରେ କନ୍ୟାପରି କୋଟି କୋଟି ଟଙ୍କାର ଅମୁଲ୍ୟ ସମ୍ପଦ ବିଜୟ ବାବୁଙ୍କୁ ଅର୍ପଣ କରି ସେ ପାଇଛି ଅଭୁଲା ସୁଖର ଆତ୍ମପ୍ରସାଦ । ଏହାହିଁ କ'ଣ କରିବ ପକ୍ଷରେ ବେଶି ନୁହେଁ । ତା'ଠୁ ଅଧିକ ଆଉ କ'ଣ ଆଶା କରାଯାଇ ପାରେ । ଏ ଦୁନିଆରେ ଧନୀ ଓ ଗରିବ ନାମର ଛିଦ୍ରିତ ଅସଲ ଛିଦ୍ର । ଧନୀ ଚାହେଁ ନିଷ୍ପେସିତ ଗରିବର ରକ୍ତରେ ହୋରୀ ଖେଳିବାକୁ । ଆଉ ଗରିବ ମୁଣ୍ଡପାତି ସବୁ ଦେଖେ, ସହ୍ୟ କରେ ଓ ପ୍ରଶୟ ଦେବା ଛଡ଼ା ଦ୍ୱିତୀୟ ବାଟ ଆଉ କିଛି ଖୋଜି ପାଏନା । ଯେଉଁ ଧନପତି ଗରୀବର ନ୍ୟାର୍ଯ୍ୟ ମର୍ଯ୍ୟାଦା, ଆତ୍ମସମ୍ମାନକୁ ମାଡ଼ିଦଳି ଚାଲିଯାଏ, ସେ କ'ଣ ସତରେ ମଣିଷ ?

 

ଗରିବ–ଗରିବ, କାଞ୍ଚନ ବାବୁ ଗରିବ । ହେଲେ ସେ ରାସ୍ତାର ଭିକାରୀ ନୁହନ୍ତି । ଦି’ଓଳି ଭିକ୍ଷା ମାଗିବା ଭଳି ଅବସ୍ଥାରେ ସେ ସମ୍ମୁଖୀନ ହୋଇ ନାହାନ୍ତି । ଗରିବ ହୋଇ ଗରିବକୁ ଦି' ମୁଠା ଚାଉଳ, ଚାରୋଟି ପଇସା ଦେବା ତାଙ୍କର ଶକ୍ତିର ଅନ୍ତର୍ଗତ । ଏତିକି ଖେଦର ବିଷୟ ଯେ ଉଚ୍ଚତାର ସୀମାରୁ ନିଚ୍ଚତାରେ ପଦାର୍ପଣ କରି ନିଜର ଦୋଷ ପାଇଁ ଅନୁତାପ କରୁଛନ୍ତି ସେ । ମଖମଲ ଉଆସର ଦିନେ ସେ ଥିଲେ ମାଲିକ, ଆଜି ଗୋଟିଏ ଘର ଭଡ଼ା ନେଇ ବାସ କରିବା ଭାଗ୍ୟରେ ଘଟିଛି । କାରଣ ମଣିଷ ସର୍ବଦା ଅବସ୍ଥାର ଦାସ । କାଳର ଆବର୍ତ୍ତରେ ଘୁରି ଘୁରି ମଣିଷ ସର୍ବଦା ମ୍ରିୟମାଣ ହୁଏ । ସେ ସେଠିକି ଯାଏ ଯେଉଁଠିକି ନିଏ ତାକୁ ଦଇବ । ଦୁଃଖର ଅଗ୍ନିଦାହ ମଧ୍ୟରେ ମଣିଷ ଜଳିପୋଡ଼ି ଶୁଦ୍ଧ ସୁବର୍ଣ୍ଣପରି ଜାଜ୍ଜ୍ଵଲ୍ୟମାନ ହେଲେ, ସେ ମନୁଷ୍ୟତ୍ୱର ଚରମ ସୀମାରେ ଉପନୀତ ହୋଇପାରେ । ତା’ପରେ ସେ ଭାବେ ଦୁଃଖହୀନ ତା’ର ଭୋଗ୍ୟ ବସ୍ତୁ, ତା’ର ସର୍ବସ୍ଵ ।

 

ଟଙ୍କା, ଟଙ୍କା, ଟଙ୍କା–ଟଙ୍କା ହିଁ ବିଜୟ ବାବୁଙ୍କର ମାନ ମହତ ଇଜ୍ଜତ ମୋଟରେ କହିବାକୁ ଗଲେ ଜୀବନ ମଧ୍ୟ । ମନେ ରଖିଥାଅ ଧନୀ ସର୍ଦ୍ଦାର ସାମାନ୍ୟ କେତେଶହ ଟଙ୍କାରେ ତୁମେ ପାପୀ ମନ କିଣିପାର, ଯାହା ଦୁନିଆର ନର୍ଦ୍ଦମାର ମାଟି ଓ କାଦୁଅ । ପବିତ୍ର ପ୍ରେମ ଓ ଜୀବନକୁ ସାମାନ୍ୟ କାଣି କଉଡ଼ିରେ କିଣିବାର ପ୍ରୟାସ କରିବା କେବଳ ଏକ ପ୍ରଳାପର ଝଙ୍କାର ମାତ୍ର । ଯାହା ଦୁନିଆକୁ ଦେଇ ପାରିନାହିଁ ଶାନ୍ତି, ଯାହା କଦର୍ଯ୍ୟ ମନକୁ କରିପାରେ ଆହୁରି ବିଷାକ୍ତ-। ତାକୁ ବିଜୟ ବାବୁ ଜୀବନର ମହାପ୍ରୟାଣର ମାର୍ଗ ପ୍ରଦର୍ଶକ ବୋଲି ଧରି ନେଇଛନ୍ତି-। ରାତ୍ରି କ'ଣ ପାହିବ ନାହିଁ, ସବିତା ଉଇଁବ ନାହିଁ ଚକ୍ରବାଳର ଶୀର୍ଷଦେଶରୁ ?

 

ଆଲୋକ ମହଲ । ବିଜୟ ବାବୁଙ୍କର ଘର । ସାଜସଜ୍ଜାର କମ୍‍ ନାହିଁ । ହେଲେ କମ୍‍ ଅଛି କିଛି । ଉପର ମହଲାର ଅଫିସ ଘରେ ବିଜୟବାବୁ କିଛି ଲେଖିବାରେ ବ୍ୟସ୍ତ । ଏତିକିବେଳେ ଚହଟ ଚମ୍ପା ରାତ୍ରି ଭୋଜନ ଧରି ଉପସ୍ଥିତ ହେଲା । ଚମ୍ପା ମଧ୍ୟ କମ୍‍ ନୁହେଁ । ଦେଖିଲେ ଆଖି କ୍ଷଣିକ ପାଇଁ ଲାଖି ରୁହେ । ମୋହ ଓ ଆଖି । ପାପୀ କିଏ କହି ହୁଏନି । ଯୌବନର ବେଶ୍‍ ମାଦକତାଭରା ମଳୟ ପବନ ଆଜି ସୁଦ୍ଧା ଚମ୍ପାର ଦେହକୁ ଛାଡ଼ିନି । ଦେହକୁ ସଜେଇଛି ସେ କେଡ଼େ ରଙ୍ଗରେ, ସତେ ଯେପରି ଅଭିସାରିକା ରୂପେ କୁଆଡ଼କୁ ସେ ବିଜେ କରିବ ।

 

ବୃଦ୍ଧ ବିଜୟ ବାବୁଙ୍କର ଆଖି ପଡ଼ିଲା ଚମ୍ପାର ଉପରେ । ଆଖିରୁ ଚଷମା କାଢ଼ି ହାତରୁ କଲମ ରଖି, ସିଗାରେଟ ଟାଣୁ ଟାଣୁ ଗରମରେ କହିଲେ ନା–ନା ଯେଉଁ ଚିନ୍ତାର ଗୋଡ଼ନାହିଁ କି ମୁଣ୍ଡ ନାହିଁ ତାକୁ ମୁଣ୍ଡରେ ପୁରାଇ କି ଲାଭ ? ଦୁଶ୍ଚିନ୍ତାରେ ସାଦରେ ଆମନ୍ତ୍ରିତ କରି ସାଦରେ ଅଭ୍ୟର୍ଥନା କରିବା ମୋ ଭାଗ୍ୟରେ ନାହିଁ । ଆକାଶ କୁସୁମ ପଛରେ ଧାଇଁବାକୁ ପସନ୍ଦ କରିବା ହୁଏତ କାଞ୍ଚନ ବାବୁଙ୍କର ଠିକ୍‍ ହୋଇନାହିଁ । ସେ ବୋଧହୁଏ ଜାଣନ୍ତିନି ଯେ ତାଙ୍କର ମୋର ଭିତରେ ଥିବା ବନ୍ଧୁତା ତୁଟି ଯାଇଛି ଅନେକ ଦିନରୁ । କ'ଣ କହୁଛୁ ଚମ୍ପା ?

 

ଟେବୁଲ ଉପରେ ଭୋଜନର ପାତ୍ରଟି ରଖିଦେଲା । ଗୋଟିଏ ଖବରକାଗଜ ଥାଳିଆ ଉପରେ ଘୋଡ଼ାଇ ଦେଇ ମଧୁର ଗଳାରେ କହିଲା, କାହା କଥା କହୁଛଟି ବଡ଼ବାବୁ । କ'ଣ କାଞ୍ଚନର ମିଠାକଥା ଗୁଡ଼ାକ ମନକୁ ଘାଣ୍ଟୁଛିକି ? ଆହା, ଆଜି ଜବାବ ପଠାଇ ଦେଉନ–ଚିଠି ପାଇଲା ମାତ୍ରକେ ମୁହଁ ମିଠା କରନ୍ତୁ । ବିବାହ ପ୍ରସ୍ତାବ ଗୃହୀତ ହେଲା । ସରୋଜ ଆସୁଛି । ଲଗ୍ନ ଠିକ କରିବାକୁ ପଣ୍ଡିତ ଡାକି ପଠାନ୍ତୁ । ତା’ ନ ହୋଇ ଭଲ ହେବ ବଡ଼ବାବୁ, ଯଦି ନିଜେ ଯାଇ ଶ୍ଵେତପଦ୍ମା ହାତରେ ସୁନା ଚୁଡ଼ି ପିନ୍ଧେଇ ଦେଇ ଆସନ୍ତ ।

 

ବିଜୟ ବାବୁ ଟିକିଏ ରାଗିବା ଜଣା ପଡ଼ିଲେ । ସିଗାରେଟଟିକୁ ଫୋପାଡ଼ି ଦେଇ ଉଠି ପଡ଼ିଲେ ଚୌକିରୁ । ଏ ବିବାହ କଦାପି ହୋଇ ପାରିବ ନାହିଁ ଚହଟ ଚମ୍ପା । ନିଜର ଇଜ୍ଜତ ମହତ, ମାନ ସମ୍ମାନ ଉପରେ କୁଠାରଘାତ କରିପାରିବି ନାହିଁ । ମୁଁ ' ଠିକାଦାର' କାଞ୍ଚନ ଜେନାର ଝିଅ ଶ୍ୱେତପଦ୍ମାକୁ କୁଳବଧୂ କରିବାର ପ୍ରୟାସ କରିଥିଲି, କହିଲେ, ଶପଥ ମଧ୍ୟ କରିଥିଲି । କିନ୍ତୁ କାହିଁ ସେହି କାଞ୍ଚନ ଜେନା, କାହିଁ ସେହି ରାଜଦୁଲାଳୀ କନ୍ୟା ଶ୍ୱେତପଦ୍ମା ? କାହିଁ, କାହିଁ ସେହି କାଞ୍ଚନ–ମଣିମୁକ୍ତା । କିଛି ନାହିଁ । ଯାର ମୋହ ଦିନେ ହୁଏତ ମୋତେ ତାଙ୍କ ସହିତ ବନ୍ଧୁତା କରିବାକୁ କରିଥିଲା ବାଧ୍ୟ । ସେ' କାଞ୍ଚନ ଆଜି ନାହିଁ, ଦୂର ବହୁଦୂରରେ । ସେ ଦରିଦ୍ର, ସାମାନ୍ୟ କେତୋଟି ଟଙ୍କାପାଇଁ ପରର ଗୋଲାମୀ କରିବାକୁ ପଶ୍ଚାତ୍‍ପଦ ହୋଇନାହିଁ । ତା'ର ସହିତ ମୋର କି ସମ୍ବନ୍ଧ-। କାହିଁ ସରୋଜ କାହିଁ, ଶ୍ୱେତପଦ୍ମା, କାହିଁ ବିଜୟ କାହିଁ କାଞ୍ଚନ, କାହିଁ ଚାରି ମହଲା କୋଠା, କାହିଁ ଭଡ଼ା ଘରର ଅନ୍ଧାରୀ ମୂଲକ । ନା, ନା ଏ ବନ୍ଧନ କଦାପି ସମ୍ଭବ ନୁହେ । ଦୌଲତ ଆଜି ମୋତେ ସମାଜରେ କେତେ ବଡ଼ ସ୍ଥାନ ଦେଇଛି । ସେହି ଦୌଲତର ଅପୂରଣୀୟ ପେଟକୁ ପୁରାଇବା ପାଇଁ ମୋତେ ଏ ସମ୍ବନ୍ଧ ତୁଟାଇବାକୁ ପଡ଼ିବ । ଏତେକ କଥା ସେ ଗୋଟିଏ ନିଶ୍ୱାସରେ କହି ଦେଇଗଲେ ।

 

ଚମ୍ପାର ମୁହଁଟି କିଞ୍ଚିତ ହର୍ଷୋତ୍‍ଫୁଲ୍ଲ ଦେଖାଗଲା । ଟେବୁଲ ଉପରେ ସେମିତି ଥୁଆ ହୋଇଛି ଭୋଜନ ।

 

ଏତିକିବେଳେ ଡ୍ରାଇଭର ଆସି ଖବର ଦେଲା–ଗାଡ଼ି ଠିକ ଅଛି । ଚମ୍ପା ପଚାରିଲା–କୁଆଡ଼େ ଯିବାର ଅଛି କି ବଡ଼ବାବୁ ?

 

ସେତେବେଳକୁ ବିଜୟ ବାବୁଙ୍କର ମନ ଶାନ୍ତ ହୋଇ ଆସିଥିଲା । ଚୌକିରେ ବସୁ ବସୁ କହିଲେ, ହଁ ଚହଟ ଚମ୍ପା, କଥାଟିଏ କହିବା ପାଇଁ ଭୁଲି ଯାଇଥିଲି । ଆଜି ସକାଳେ ମିଲ ଶ୍ରମିକମାନଙ୍କୁ ବୋନସ ଟଙ୍କା ଦେବା ଭିତରେ ଦୁଇ ତିନି ହଜାର ଟଙ୍କା ଗଣିଲାବେଳକୁ ଟ୍ରେଜେରୀରୁ ଏ ପାଖ ସେପାଖ ହୋଇ ଯାଇଛି । କିନ୍ତୁ ବିନା ପ୍ରମାଣରେ ଖୋଜ ଖବର ନେବା ଅର୍ଥାତ ଶ୍ରମିକ ଧର୍ମଘଟ ନୋଟିସ ପାଇବା । ହଁ କିଛିଦିନ ପାଇଁ ମୋର ବାହାରକୁ ଯିବାର ଅଛି । ନିତ୍ୟାନ୍ତ ଜରୁରୀ । ତୋତେ ଆଗରୁ ଜଣାଇବାକୁ ଭୁଲିଗଲି । ଅତିଶୀଘ୍ର ଯିବାର ବନ୍ଦୋବସ୍ତ କରି ଦେ । ଉଛୁର ହେଲେ ଗାଡ଼ି ଫେଲ ମାରିବା ଛଡ଼ା କିଛି ନୁହେଁ । ଖାଇବାକୁ ବସିଲେ ।

 

କାନ୍ଥଘଣ୍ଟାରେ ବାଜିଲା ନ'–

 

ତର ତର ହୋଇ ଭାତ ଦି’ଗଣ୍ଡା ଖାଇଦେଇ ଡାକ ଛାଡ଼ିଲେ ଡ୍ରାଇଭରକୁ ।

 

ଟ୍ରେନ ଛାଡ଼ିବାରେ ଆଉ କେତେ ସମୟ ଅଛି ?

 

ସାର ଆଉ କୋଡ଼ିଏ ପଚିଶ ମିନିଟ ଅଛି ।

 

ଆଚ୍ଛା ଚମ୍ପା ଘର ଉପରେ ନଜର ରଖିଥିବୁ । ଯେଉଁଠାରେ ଥିଲେ ମଧ୍ୟ ମନ ମୋର ସର୍ବଦା ଘରଆଡ଼କୁ ଥାଏ । ଏତେବଡ଼ କୋଠା ପୁଣି ରାଘୁ ନାହିଁ କି ସାଧୁ ନାହିଁ । ବଣ୍ଡ୍‍ କାଗଜଗୁଡ଼ାକ ଆଲମିରାରେ ଅଛି । ଗୋଟିଏ କିଛି ଗୁମ୍‍ ହେଲେ ବିପଦରେ ପଡ଼ିବାକୁ ହେବ । ହଁ ଗଲାବେଳକୁ ଆଉ ଗୋଟିଏ କଥା ମନେ ରଖ–ଟେବୁଲ ଉପରେ ଗୋଟିଏ ଚିଠି ରହିଛି ତା' ଉପରେ ଠିକଣା ଲେଖା ହୋଇଛି । ଚାରିଆଡ଼କୁ ଦୃଷ୍ଟି ରଖିବାକୁ ହେବ । ଚାଲିଲି–ଚିଠିଟି ଚାକର ହାତରେ ପଠାଇ ଦେବୁ ।

 

ସେ ଚାଲିଗଲେ । କେବେ ଫେରିବେ କହି ନାହାନ୍ତି । କେଉଁଠାକୁ ଗଲେ ଜଣାନାହିଁ ।

 

ଚହଟ ଚମ୍ପା ଟେବୁଲ ପାଖକୁ ଯାଇ ଫୋନ ରିସଭରଟିକୁ ଉଠାଇ ନମ୍ବର ଟିପିଲା । ସେତେବେଳେକୁ ହେବ ସାଢ଼େ ନ'ଟା । ହାତରେ ଫୋନଧରି ଡାକିଲା, ହାଲୋ, କିଏ ଉର୍ମିଚାନ୍ଦ ମେମଦି....

 

ଅନ୍ୟ ପକ୍ଷରୁ ଖବର ଆସିଲା.. ହଁ ଉର୍ମି.. ଓ ତୁମେ.... ହଁ, ହଁ..କିନ୍ତୁ ଏଠାରେ ବହୁତ କାମ ପଡ଼ି ରହିଛି । ମୁଁ ଦୁଃଖିତ ଯେ ଆସି ପାରୁନି ଆଜି ଛାଡ଼ିଲେ କାଲି ତା’କୁ କ'ଣ ପାଇବି ? ତୁମେ ନିଜେ... ଆସି ଯାଉନା... ହୋ...କ'ଣ ଅଛି ସେଥିରେ । ସାହେବ ଜାଣି ପାରିବେ ନାହିଁ ।

 

ଚମ୍ପା ଘରର ଚାରିଆଡ଼େ ଅନାଇଲା ଥରେ । ପାଖରେ କେହି ନାହାନ୍ତି । ଉପରେ ପୂଜାରୀ ଅଛି ରୋଷେଇ ଘରେ । ଦରୱାନ ନିଜ ସ୍ଥାନରେ ବିଡ଼ି ପିଇବାରେ ବ୍ୟସ୍ତ । ଦରୱାନ ଭାରି କଡ଼ା ଲୋକ । କାଳେ କିଛି ଖୋଜ ଖବର କରି ବସିବ । ଠିକ ସମୟରେ ଚମ୍ପା ଯେତେବେଳେ କୁଆଡ଼କୁ ଯାଏ, ସେ ତାକୁ ଆଖି ଫାଡ଼ି ଫାଡ଼ି ଦେଖେ । ଏହି ସବୁ ସମସ୍ୟା ନେଇ କିଛି ସମୟ ଭାବି ଚମ୍ପା ଉତ୍ତର ଦେଲା–ନା.. ନା ମୁଁ ଆଜି କୌଣସିମତେ ଯାଇ ପାରିବି ନାହିଁ । ସାହେବ କୌଣସି କାମରେ ସହର ଛାଡ଼ି ଯାଇଛନ୍ତି । ତୁମେ ଏଠିକି ଚାଲି ଆସ । କେବଳ ଏକୁଟିଆ ନୁହେଁ, ଜଣକୁ ସାଙ୍ଗରେ ଧରି । ଏଠାରେ କିଛି ଅସୁବିଧା ହେବ ନାହିଁ । ମୁଁ ସବୁ ଠିକ କରି ଦେଉଛି । କିନ୍ତୁ ସାବଧାନ ତୁମର ସାଜସଜ୍ଜା ଓ ମୁହଁ ଦେଖି ଦରୱାନ ଯେପରି ଚିହ୍ନି ନ ଯାଏ । ଆଜି ରାତିକ ପାଇଁ କେବଳ ଭୋକିଲା ଭ୍ରମର ମାନଙ୍କୁ ବିଶ୍ରାମ ନେବାକୁ କହି ନିଜର ବ୍ୟବସାୟ ବନ୍ଦ କର । ଆସିବ.....ଦୟାକରି ଚାଲିଆସ । ....ସୁବର୍ଣ୍ଣ ସୁଯୋଗ । ବହୁତ କିଛି କଥାବାର୍ତ୍ତା ଅଛି, ସୁବିଧା ହେଲେ ଚୁକ୍ତି କରିନେବା ।

 

ତା'ହେଲେ...ମୁଁ ଆସୁଛି.....ଅଧଘଣ୍ଟା ଭିତରେ । ମୁଖଶାଳାରେ ଅପେକ୍ଷା କରିଥିବ । ଗଳି ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମୁଁ ଫୋନ୍‍ କରିବି । ଫୋନ୍‍ କରିବାର ପନ୍ଦର ମିନିଟ ଭିତରେ ତୁମ ପାଖରେ ପହୁଞ୍ଚିବି । କିଛି ଜିନିଷ କିଣିବା ଉଦ୍ଦେଶ୍ୟରେ, ଦୂର କୌଣସି ଏକ ଦୋକାନକୁ ଦରୱାନକୁ ପଠାଇ ମୋତେ ଅପେକ୍ଷା କରିଥିବ । ଯେପରି ତା’ର ଅନୁପସ୍ଥିତିରେ ମୁଁ ପହୁଞ୍ଚିବି ।

 

ହଉ, ହଉ ତାହା ହିଁ ହବ.....ତୁମେ ଶୀଘ୍ର ଆସିବାକୁ ଚେଷ୍ଟାକର । ଏତିକି କହି ସୋଫା ଉପରେ ବସି ପଡ଼ିଲା ଚମ୍ପା, କ'ଣ ପଢ଼ିବାକୁ ଲାଗିଲା । ପଢ଼ାରେ ମନ ହେଉଛି କେତେ ? ଉର୍ମିଚାନ୍ଦର ଉପସ୍ଥିତି ସର୍ବଦା ମନେ କରୁଛି । ଯେପରି ଜାଗ୍ରତ ଅବସ୍ଥାରେ ସେ ଦେଖୁଛି ସ୍ଵପ୍ନ–ଆଖି ଆଗରେ ହଜାର ଟଙ୍କାର ସ୍ତୁପ । ପାଖରେ ଉର୍ମିଚାନ୍ଦ କହୁଛି, ଦେଖ ଟିକିଏ ଭାବି ଦେଖ ଚହଟ ଚମ୍ପାଏପରି ସୁଯୋଗ ଆଉ ତମ ଭାଗ୍ୟରେ ଆସିବ ନାହିଁ । ମୋର ଇଜ୍ଜତ ବିକି ଏହି ଟଙ୍କା କମେଇଛି । ନିଜର ରକ୍ତ ଢାଳି ଏହି ଟଙ୍କାର ସ୍ତୁପକୁ ଖରିଦ କରିଛି । ସମାଜ ମୋତେ ଟଙ୍କା ଦେଇଛି, ମୋଠୁଁ କିଛି ନେଇ । ଦୁନିଆଁର ଶତ ସହସ୍ର ଆଖି ଆଗରେ ନୁହେଁ, ଲୁକାଚୋରା ଭାବେ । କାରଣ ଦୁନିଆଁ ଜାଣିବ ନାହିଁ କିଛି, ଅଥଚ ସବୁକାମ ପଟିଯିବ । ତୁମେ ମୋ ପାଖକୁ ଖସି ଆସିଛ ଚହଟ ଚମ୍ପା–ଏହା ତୁମର ସାହେବ ଜାଣି ନାହାନ୍ତି । ଦୁନିଆଁ ଆଖିରେ ତୁମେ ଚତୁରତାର ସହିତ ଧୂଳି ଦେଇଛ । କେବଳ ଜୀବନର ସ୍ୱାଦୁ ଟିକକ ଅନୁଭବ କରିବା ପାଇଁ । ଦୁନିଆଁ କହେ ତୁମେ ଏ ଘରର ଲକ୍ଷ୍ମୀ । କିଏ ଜାଣେ ସତ୍ୟର ଜୁଆର ମାଡ଼ି ଆସି ଅଚଳ ଅଟଳ ମିଥ୍ୟାର ବନ୍ଧକୁ ଭଙ୍ଗେଇ ଦେବ ଭବିଷ୍ୟତରେ । ସାରା ଜୀବନ ଧରି ଏ ଘରେ ତୁମେ କାମ କଲେ ମଧ୍ୟ ଏତେ ଟଙ୍କା ଅର୍ଜନ କରି ପାରିବ ନାହିଁ । ତୁମେ ମୋଠୁଁ ଟଙ୍କା ନିଅ, ହଜାର ସଂଖ୍ୟାରେ, ମୁଁ ଦେବାକୁ ରାଜିଅଛି, ଯଦି ତୁମେ ମୋର ସର୍ତ୍ତ ମଞ୍ଜୁର କରିବ ।

 

ଏତିକିବେଳେ ଫୋନ ଘଣ୍ଟି ବାଜି ଉଠିଲା । ରିସିଭର ହାତରେ ଧରି ଦି'ପଦ କଥାବାର୍ତ୍ତା ହେବା ପରେ ଚମ୍ପା ଦରୱାନକୁ ଡାକିଲା । ଦରୱାନ ଆସି ଠିଆ ହେଲା । କହିଲା, ଦେଖ ମୋର ଦେହ ଭଲ ନାହିଁ । ଏହି କାଗଜଟି ନେଇ ଔଷଧ ନେଇ ଆସ ।

 

ଦରୱାନ ଚାଲି ଯାଉଥିଲା । ଚମ୍ପାର ଡାକରେ ଛିଡ଼ାହେଲା ।

 

ହଁ ଅଜଫରଲ୍ଲି ଔଷଧ ଦୋକାନରୁ ଆଣିବ ।

 

ଔଷଧ ଦୋକାନଟି ଦି’ ମାଇଲରୁ ଅଧିକ ହେବ ।

 

ଦରୱାନ ଚାଲିଗଲା । ଚମ୍ପା କାନ୍ଥଘଣ୍ଟାକୁ ଅନାଇଲା । ଦଶଟା ବାଜିବାକୁ ପନ୍ଦର ମିନିଟ-। ନିଃଶ୍ୱାସଟାଏ ମାରି ବସିପଡ଼ିଲା ସୋଫା ଉପରେ ।

 

ଦଶଟା ବାଜିବାକୁ ଏକ ମିନିଟ ଅଛି । ଗେଟରେ କଳା ଟେକ୍‍ସିଟାଏ ଆସି ଲାଗିଲା । ବାହାରି ଆସିଲେ ଧୂସର ବସ୍ତ୍ରରେ ଆଚ୍ଛାଦିତ ଜଣେ ଯୁବତୀ ଓ ଅନ୍ୟ ଜଣେ ବୃଦ୍ଧ ।

 

ମୋଟର ଶବ୍ଦ ଶୁଣି ହଠାତ ଉଠିଯାଇ ଚମ୍ପା ସେମାନଙ୍କୁ ସ୍ୱାଗତ କଲେ । ଆଶ୍ଚର୍ଯ୍ୟାନ୍ୱିତା ହୋଇ ହସି ପଚାରିଲା, ବେଶ୍‍ ଏ ପୋଷାକରୁ ତ ଚିହ୍ନି ହେଉନି । ଶେଷରେ ଅଭାଗିନୀ ବିଧବାର ପରିଚ୍ଛେଦରେ ଦେହକୁ ସଜେଇ ପାରିଲ ? ଆହା ଦି'ମାସ ହୋଇଛି ଜଣେ ହିନ୍ଦୁ ଘରଣୀ ଯେପରି ବିଧବା ହୋଇଛି । କପାଳରେ ନାହିଁ ସିନ୍ଦୁର, ଅଲରା ବାଳ, ଦେହରେ ଧୋବ ଫର ଫର ଶାଢ଼ୀ । ଏ ପୋଷାକରେ ତୁମକୁ ଦେଖିଲେ କିଏ କହିଦେବ ଟି...

 

କ’ଣ ?

 

କଲିକତାର ବିଖ୍ୟାତ ବେଶ୍ୟା ଉର୍ମିଚାନ୍ଦ । ସୁନ୍ଦରନ ଷ୍ଟ୍ରୀଟର ଖ୍ୟାତନାମା ଗୋଲାପ । ସବୁ ପୁଷ୍ପର ସୌନ୍ଦର୍ଯ୍ୟ, ଆଭା ଆସି ତା'ରି ମୁହଁରେ । ପିପାସିତ ଭ୍ରମରମାନେ ଆଘ୍ରାଣ କରନ୍ତି ଏହି ଉର୍ମିର ଶୋଇଲା ମୁହଁରେ ଆକଣ୍ଠ ମାଦକତା ଓ ଅମୃତ । ଉର୍ମିର ନିଃଶ୍ୱାସ ଯେତେବେଳେ ଭୋକିଲା ଭ୍ରମର ମୁହଁ ଉପରେ ପଡ଼େ, ସେତେବେଳେ ସେ ଭାବେ ତା'ର ନିଶ୍ୱାସରେ ରହିଛି ସୌରଭର ସାଗର, ମୁରୁକି ମୁରୁକି ଲାଜରା ମୁହଁରେ ସେ ଦେଖେ ମାଡ଼ି ଆସୁଥିବା ସମୁଦ୍ରର ଢେଉ ପରି ଅମୃତ ଓ ପ୍ରଫୁଲ୍ଲତା, ଆଉ ତା’ ମନରେ ଛୁଟେ ପୁଲକର ପ୍ରବାହ । ସେ ଭାବେ ଏହି ଫୁଲଟି ତା’ର ପ୍ରତ୍ୟେକ ଯାମିନୀ ପାଇଁ ସୁନ୍ଦର, ଅମଳିନ, ସତେଜ । କିନ୍ତୁ ସେ ଭୁଲିଯାଏ । ସେ ଯାହାକୁ ଭାବେ ସୁନ୍ଦର ଅମଳିନ ସତେଜ ଓ ତା’ର ନିଜର, ସେ ନାରୀ କେବଳ ଜଣେ ବ୍ୟବସାୟୀ । ଦରଦାମ ଅନୁସାରେ ବ୍ୟବସାୟ କରେ । ଏତାଦୃଶ ବ୍ୟବସାୟ ପକ୍ଷପାତୀ କିଏ ସମାଜ ? ବିଶ୍ୱାସ କରାଯାଇ ପାରିବ ?

 

ଉର୍ମି–ଜଣେ ବେଶ୍ୟା, ସମାଜର କଳଙ୍କ । ସେ ପ୍ରକୃତ ଦୋଷୀ (?) ସେ ଚାହିଁଛି ସହସ୍ର ଓଠର ଶୀତଳତା । ତା’ର ରଙ୍ଗଲଗା ସୌରଭ କ'ଣ ନ କରିଛି ? ହିନ୍ଦୁ ଘରଣୀ ଠାରୁ ଛଡ଼ାଇ ନେଇଛି ତା’ର, ସରଗର ନିଧି ସ୍ତ୍ରୀର କେବଳ ଅଶ୍ରୁ ହୋଇଛି ସାର । ଘରଣୀ ମୁହଁରେ କ'ଣ ଆଭା ନାହିଁ, ନିଃଶ୍ଵାସରେ ସୌରଭ ନାହିଁ, ମନରେ ପୁଲକର ପ୍ରବାହ ନାହିଁ ? ତା'ରି ଲାଜରା ମୁହ ମଧ୍ୟ ନଇଁ ଯାଏ, ଅଟକି ଯାଏ ଲାଜରେ, ସଙ୍କୋଚରେ । ସ୍ୱାମୀର ନିଃଶ୍ୱାସ ବାଜେ ତା’ର ଗୋଲାପୀ–ମୁହଁରେ । ଆଖି ଖୋଲି ପାରେ ନା ସେ । ଏହା ସତ୍ତ୍ୱେ ମଧ୍ୟ ସେ ଦେଖେ ଅଶ୍ରୁ ବିଗଳିତ ନୟନରେ ସ୍ୱାମୀ ତା’ର ଘରକୁ ଫେରେ ଅଧରାତିରେ । ମନକୁ ମାରି ଆଖିରୁ ସେ ଦି’ଟୋପା ଲୁହ ଗଡ଼ାଏ କେବଳ । ଏହି ଶସ୍ତା ପ୍ରେମିକା ଉର୍ମିର ରକ୍ତାଧର, ସ୍ଵର୍ଣ୍ଣଘନ ସମବକ୍ଷ, କେତେ ସଂସାର ନ ଭାଙ୍ଗିଛି-। ସେପରି ଏକ ନାରୀ ପୁଣି ଆଜି କେଉଁ ଆଶା ନେଇ ଆସିଛି ଜଣକର ସଂସାର ସଜାଡ଼ିବାକୁ-?

 

ହେମାଙ୍ଗିନୀ ଉର୍ମିଚାନ୍ଦର କନିଷ୍ଠା ଭଉଣୀ । ବୟସ ସତର ଅଠରଠୁ ପାର ହୋଇ ନାହିଁ-। ଦେହରେ ଯୌବନର ଲହରୀ, ମନରେ ମାଦକତା, ତା’ର ଚକ୍ଷୁ ପଲକର ନାହିଁ ଅଶ୍ଳିଳତା । ଯଦିଓ ହେମାଙ୍ଗିନୀ ଗୋଟିଏ ବେଶ୍ୟାର ଭଉଣୀ ବୋଲି ପରିଚିତା, ତଥାପି ତାକୁ ଆଜି ପର୍ଯ୍ୟନ୍ତ ତାକୁ ବେଶ୍ୟାଳୟରେ କେହି ଦେଖି ନାହାନ୍ତି । ପଙ୍କରେ ମଧ୍ୟ ପଦ୍ମ ଫୁଟି ଭଗବାନଙ୍କର ସ୍ନେହାଧୀନ ହୁଏ-। ହେମାଙ୍ଗିନୀ ଉର୍ମି । ଆକାଶ ପାତାଳ ପ୍ରଭେଦ । କାହିଁ ହେମ କାହିଁ ଉର୍ମି । କାହିଁ ପଳାସ ପୁଷ୍ପ ଓ କାହିଁ ସୁନାର ଚମ୍ପା ।

 

ପାର୍ଥକ୍ୟର ବିରାଟ ଗଭୀରତା । କିନ୍ତୁ ଆଜିର ଦୁନିଆଁରେ ପଥର ଛିଦ୍ର ଖୋଜି ବାହାର କରିବା ମଣିଷର ଦୈନନ୍ଦିନ କାର୍ଯ୍ୟକ୍ରମ । ସେଥିରେ ତା’ର ଅତୃପ୍ତ ଆତ୍ମା ହୁଏ ତୃପ୍ତ । ପର ଆଖିରେ ଦି'ଟୋପା ଅଶ୍ରୁ ଗଡ଼ାଇ ପାରିଲେ, ତା’ର ଆତ୍ମା ବେଶ୍‍ ସୁଖ ପାଏ । ଏପରି ଅତୃପ୍ତ ଆତ୍ମା କ'ଣ ହେମାଙ୍ଗିନୀର ତୃପ୍ତ ଆତ୍ମା ଭିତରକୁ ପଶି ପାରିଛି ? ନା–ତଥାପି ଦୁନିଆଁର ପାପୀ ଆଖିରେ ବେଶ୍ୟାର ଭଉଣୀ ବେଶ୍ୟା । ତା' ଛଡ଼ା ସେ କିଛି ନୁହେଁ ।

 

ବହୁ ଆତିଥ୍ୟସତ୍କାର ପରେ ଚହଟ ଚମ୍ପା ଓ ଉର୍ମିଚାନ୍ଦ ମଧ୍ୟରେ କଥୋପକଥନ ଆରମ୍ଭ ହେଲା । ଚାରିଆଡ଼କୁ ଥରେ ଅନେଇ ଉର୍ମିଚାନ୍ଦ କହିଲା, ଦେଖ ଚମ୍ପା ! ମୁଁ ଯେମିତି ଧରା ନ ପଡ଼େ-। ହେମାଙ୍ଗିନୀ କଥା ତୁମେ ତ ଜାଣ । ହୁଏତ ଦୁନିଆଁଟାକୁ ବେଶ୍ୟାର ଭଉଣୀ କହିବା ଆଗରୁ ମୁଁ ଏ ଦୁନିଆଁରେ ନ ଥିବି । ହେମ ମୋର ଭଉଣୀ, ଏହା ଦୁନିଆଁ ବିଶ୍ୱାସ କରେ । ସେ ବଡ଼ହେଲା ଦିନଠୁଁ ମୁଁ ତାକୁ ମୋର ଘରେ ସ୍ଥାନ ଦେଇନାହିଁ । କାହିଁକି ତା’ ହୁଏତ ତୁମେ ଜାଣିଥିବ । ଦିନ ଥିଲା ଯେତେବେଳେ ସୁଦୂର କଲିକତା ସହରରେ ମୁଁ କିଏ ? ମୋର ବ୍ୟବସାୟ କ’ଣ ? ହେମା ଜାଣି ନ ଥିଲା । ମୁଁ ଯେତେବେଳେ ଥରେ ଘରଆଡ଼କୁ ଯାଏଁ, ମୋ ପାଖରେ ସେ ଜିଦ ଧରି ବସେ ଯେ କଲିକତାରେ ମୋ ସାଙ୍ଗରେ କିଛି ଦିନ କଟାଇ ନେବାପାଇଁ । ମୁଁ, ତୁମ ପାଖରେ କିଛି କଥା ଅଛପା ରଖିବାକୁ ଚାହେଁ ନାହିଁ, ଗତ ଦି'ବର୍ଷ ତଳେ ଯେତେବେଳେ ଲୁହ ପୋଛି ମଧ୍ୟ ତା’ ଆଖିରୁ ଝରଣା ପରି ଲୁହ ଗଡ଼ିବାକୁ ଲାଗିଲା ମୋ ସାଙ୍ଗରେ ଥରେ କଲିକତା ଆସିବା ପାଇଁ ସେତେବେଳେ ତାକୁ ବାଧ୍ୟହୋଇ ଦି'ଦିନ ପାଇଁ ଏଠାକୁ ନେଇ ଆସିଥିଲି । କିନ୍ତୁ ଭଲ କୁହ ବା ମନ୍ଦ, ସେହି ଦି' ଦିନ ଅବସର ମଧ୍ୟରେ ତାକୁ ଅଛପା ରହିଲା ନାହିଁ–ମୁଁ କିଏ, ମୋର ବ୍ୟବସାୟ କ'ଣ ଏବଂ ସେ କିଏ-? ତା'ପରେ ସେ ଚାଲିଗଲା ନିଜ ଗାଁକୁ । ଆଶ୍ଚଯ୍ୟର କଥା ମୋର ଏହି ଦଦରା ଜୀବନ ପ୍ରତି ତା’ର ବିଶେଷ ଅନୁତାପ, ସହାନୁଭୂତି ଓ ଦୁଃଖ ରହିଛି । ମୋର ବ୍ୟବସାୟ ତା’ର ହୃଦୟରେ ସମାଜ ବିଦ୍ରୋହୀ ନିଆଁ ଜଳେଇ ଦେଇଛି । ସେ କହିଛି, ଉଚ୍ଚିଷ୍ଟତା ମଧ୍ୟରେ ମଧ୍ୟ ଲୁଚି ରହିଥାଏ ପବିତ୍ରତା । ଛାଡ଼ ସେ କଥା, କହିଲେ ରାତି ପାହିଯିବ । ହଁ ଚମ୍ପା ସରୋଜ ହାତରେ ହେମାକୁ ଅର୍ପଣ କରିବାପାଇଁ ସେତିକି ମୋର କାମ୍ୟ । ମୋର ପ୍ରାଣର ପ୍ରତିଦାନରେ ସେ ଯଦି ସୁଖୀ ହୋଇ, ଘର ସଂସାର କରି ରହନ୍ତା, ତା’ହେଲେ ମୋର ଏ ବିଦ୍ରୋହୀ ଆତ୍ମା ଶାନ୍ତି ପାଇ ଯାନ୍ତା, ଆତ୍ମା ଆଉ ତା'ପାଇଁ ଚିନ୍ତା କରି କାନ୍ଦନ୍ତା ନାହିଁ ।

 

ଠନ ଠନ ଏଗାର ବାଜିଲା । ଚମ୍ପା ଗୁମ ହୋଇ ବସିଥାଏ । ମନରେ ଗର୍ବର ଆଭା । ଛାତିରେ ଛନକା । ମୁଣ୍ଡରେ ପଥର । ପୁଣି ଟଙ୍କାର ମୋହ । ଏତିକିବେଳେ ଦରୱାନ ଡାକ ଛାଡ଼ିଲା-। ଡାକରେ ଉର୍ମିର ଛାତିରେ ଛନକା ପଶିଲା । ଚମ୍ପାର ଯିବାକୁ ଅପେକ୍ଷା ନ କରି ହଠାତ୍‍ ପଶି ଆସିଲା । ଟେକ୍‍ସିରେ ଯାଇଥିଲି, ଔଷଧ ନିଅ । ' ସେ ଚାଲିଗଲା । ତା’ପରେ ପୁଣି ଉଭୟେ ବହୁ ସତର୍କତା ସହିତ କଥାବାର୍ତ୍ତା ଆରମ୍ଭ କଲେ ।

ଲୋଭାଶକ୍ତ ଚକ୍ଷୁ ଦି'ଟା ଉପରକୁ ଟେକି ଚମ୍ପା ଆରମ୍ଭ କଲା, ତୁମେ ଚିନ୍ତା କରନାହିଁ ମିସ୍‍ ଚାନ୍ଦ, ଠିକ ହୋଇଯିବ । କେବଳ ଏତିକି ଚିନ୍ତା ଯେ ଚାରିଆଡ଼କୁ ନଜର ରଖିଥାଅ । ଯେପରି ଅଧବାଟରେ ସବୁ ଉପାୟ ଫସର ଫାଟିଯାଇ ମୋରି ଭାଗ୍ୟ ବିପର୍ଯ୍ୟୟ ନ ଘଟେ । ହାତ ହଲେଇ ଉତ୍ତର ଦେଲା ଉର୍ମି, ଚିନ୍ତା କରନାହିଁ ।

ଆଚ୍ଛା ତା’ହେଲେ ସର୍ତ୍ତ ବିଷୟରେ କ'ଣ ହେଲା । ଦେଖ ଚାନ୍ଦ, ପ୍ରଥମେ ମୁଁ ଚାହେଁ ମୋର ସର୍ତ୍ତ ମଞ୍ଜୁର । ଆଉ ମୁଁ ଜାଣେ, ତୁମ ପରି ବ୍ୟବସାୟୀ । ଏପରି ସର୍ତ୍ତକୁ ଖାତିର କରିବେ ନାହିଁ । କୁହ, ତୁମେ କେତେ ଟଙ୍କା ଚାହଁ ।

ମୁଁ ଚାହେଁ ସେତିକି ଟଙ୍କା ଯାହା ମୋର ଭବିଷ୍ୟତ ଜୀବନକୁ ବିନା ଅନାଟନରେ ଚଳେଇ ନେବ । ବେଶ୍‍ ସେତିକି ।

ଗମ୍ଭୀର ହୋଇ ଚାନ୍ଦ ଉତ୍ତର ଦେଲା, ହଁ ଠିକ୍‍ କଥା । ଦାମ କାମ କରି ନିଅ–ଦୁଇ ହଜାର, ଚାରି ହଜାର, ଛ' ହଜାର ।

ସେତିକିରେ ଏ ବିବାହ ହୋଇ ପାରିବ ନାହିଁ । ଉର୍ମିଚାନ୍ଦ ।

–ଆଚ୍ଛା ଶେଷକଥା–ଦଶ ହଜାର ଦେବାକୁ ମୁଁ ରାଜି ଅଛି ।

‘ନା ଉତ୍ତର ଦେଲା ଚମ୍ପା ।

ଚାରିଆଡ଼କୁ ଥରେ ଆଖି ବୁଲାଇ ଚମ୍ପା ପ୍ରଶ୍ନକଲା, 'ବାର' ହଜାର ନା

ପନ୍ଦର ହଜାର

ନା, ନା,

ଅଠର ହଜାର

ନା, ନା, ନା

'କୋଡ଼ିଏ ହଜାର'

ଅନ୍ତତଃ ତୁମର ଭଉଣୀର ସୁଖବିଧାନ ସକାଶେ ପଚିଶ ହଜାର ଟଙ୍କା ଦେବାକୁ ରାଜି ହୋଇଯାଅ ଚାନ୍ଦ । ବରଂ–

ଚାନ୍ଦ ଉତ୍ତର ଦେଲା, ମୋ ଭଉଣୀର ଜୀବନଠାରୁ ପଚିଶ ହଜାର ଟଙ୍କା ବଡ଼ ନୁହେଁ ଚମ୍ପା । ଏହା କିଛି ବିଚିତ୍ର ନୁହେଁ । ଆଜି ତୁମକୁ ପଚିଶ ହଜାର ଟଙ୍କାଦେଲେ କାଲି ପଚିଶ ହଜାର ଟଙ୍କା ଆମଦାନୀ କରିବାର ମୋର ଶକ୍ତି ଅଛି । ମୋର ଏ ବ୍ୟବସାୟର ଦାମ ଯେ ବହୁତ ବେଶୀ ଚମ୍ପା ।

 

ସୁଖପ୍ଳୁତ ହୋଇ ଚମ୍ପା ଉତ୍ତର ଦେଲା, ଏ ଛୋଟିଆ ଦରଦାମ କିଛି ନୁହେଁ । ଦିନକର ଆମଦାନୀ । ଯେ କି କଲିକତାର ସାରା ବେଶ୍ୟାଳୟକୁ ଆୟତ୍ତ କରି ପାରିଛି, ତା’ ପକ୍ଷରେ ଏହା ବେଶି କିଛି ନୁହେଁ । ଆଉ ଗୋଟିଏ କଥା ମିସ ଚାନ୍ଦ, ଯୌତୁକ ଦେବା ନେବା କଥା ପକ୍‍କା ନ ହେଲେ ଆମ ବଡ଼ବାବୁ ଯେ ଏକାବେଳେ ନାରାଜ ହେବେ । ତିଳେ ମାତ୍ର ସନ୍ଦେହ ନାହିଁ । ମାନ ଅପେକ୍ଷା ଧନ ଯେ ତାଙ୍କର ପ୍ରିୟ ବସ୍ତୁ । ଟଙ୍କା ମନକୁ କିଣି ନ ପାରିଲେ ଏ ବିବାହ ଅସମ୍ଭବ । ହେଲେ କି ଲଗାମ ଲଗାଇ ଏ ପାଖ ସେ ପାଖ କରି ତାଙ୍କମନକୁ ଟାଣି କିଣିବାକୁ ପଡ଼ିବ । ତଥାପି ମୋର ଅନୁମାନରେ.....

 

ସେ ଯାହାହେଉ । ତୁମର ବଡ଼ବାବୁଙ୍କର ମନ କିଣିବା ପାଇଁ ଯାହା ଦରକାର ତା’ ମୁଁ ଆଗରୁ ଠିକ୍‍ କରି ରଖିଛି । ହେଲେ ମନେରଖ ମୁଁ କ୍ରୋଡ଼ପତି ଯେ ନୁହେଁ ।

 

ଆରେ ତା' କି ସମ୍ଭବ ହୋଇପାରେ ! ମୁଁ ଯେ ଅଛି । ତୁମର କୌଣସି ଅସୁବିଧା ହେବ ନାହିଁ । ଯେପରି ହେଉ ଲଗ୍ନ ଅତିଶୀଘ୍ର ଠିକ୍ କରି ବିବାହଟା କରିଦେବା ଭଲ ।

 

କାନ୍ଥ ଘଣ୍ଟାରେ ବାଜିଲା । ସାଢ଼େ ବାର ।

 

ଚମ୍ପା ଅନୁଗ୍ରହ ସହକାରେ କହିଲା, ବହୁତ ଉଛୁର ହେଲାଣି । ବଡ଼ ବାବୁ ଥିଲେ ସବୁ ତୁଟି ଯାଇଥାନ୍ତା । ବର୍ତ୍ତମାନ ଏତେବାଟ ଯିବା ଭଲ ନୁହେଁ । କଲିକତା ସହର । ପାହାନ୍ତିଆ ଆଗରୁ ଚାଲିଗଲେ ଭଲ ହେବ ।

 

ଅନିଚ୍ଛା ସତ୍ତ୍ୱେ ରାତିକପାଇଁ ଉର୍ମିଚାନ୍ଦ ରହିଯିବା ପାଇଁ ରାଜି ହେଲେ । କିଛି ସମୟ ପରେ ଉଭୟେ ଚମ୍ପାର ଶୋଇବା ଘରକୁ ପଶିଲେ । ସେତେବେଳେ ଏକ ବାଜିବା ଉପରେ । ଚମ୍ପାର ମନେ ପଡ଼ିଲା ସେତେବେଳ ପର୍ଯ୍ୟନ୍ତ କାହିଁ ବଡ଼ ବାବୁଙ୍କୁ ପହୁଞ୍ଚାଇବା ପାଇଁ ଯାଇଥିବା ଡ୍ରାଇଭର ମୋଟର ସହିତ ଫେରିନାହିଁ । କ'ଣ ବଡ଼ବାବୁ ଗଲେ ନି କି ? ରାତି ଆସି ଏକଟା ହେବ ଏତେବେଳ ପର୍ଯ୍ୟନ୍ତ ମଟର ଫେରିନାହିଁ । ଏହିପରି ଚିନ୍ତା ରାଜ୍ୟରେ ଚମ୍ପା ଘୂରି ବୁଲୁଥିବା ବେଳେ ଗେଟ ପାଖରୁ ଆବାଜ ଆସିଲା–ମୋଟର ଶବ୍ଦ । ଝରକା ଦେଇ ଚମ୍ପା ଦେଖିଲା, ଅର୍ଦ୍ଧବୃଦ୍ଧ ବିଜୟବାବୁ ଘର ମୁହଁର ପାହାଚ ଚଢ଼ିଲେଣି । ହଠାତ୍ ଚମ୍ପା ଉର୍ମିଚାନ୍ଦକୁ ପାଖକୁ ଡାକି କହିଲା ବଡ଼ ବାବୁ ଆସୁଛନ୍ତି, କୌଣସି କାରଣ ବଶତଃ ସେ ଆଜି ଟ୍ରେନ ଧରି ନାହାନ୍ତି । ଠିକ୍ ଅଛି ମନରୁ ଚିନ୍ତା ଯିବ । ପ୍ରସ୍ତୁତ ରୁହ । ବିଜୟ ବାବୁ ଉପରକୁ ଚଢ଼ିଲେ । ଚମ୍ପାର ଶୋଇବା ଘର ଆଡ଼କୁ ଯାଇ ଡାକଦେଲେ–ଚମ୍ପା ।

 

ଆରେ ବଡ଼ବାବୁ ଆପଣ ଫେରିଆସିଲେ ଯେ । ଯା' ହେଉ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଉଦ୍‍ବିଗ୍ନ ସହକାରେ କହିଲା ଚମ୍ପା ।

 

ହଠାତ୍ ବିଜୟ ବାବୁଙ୍କର ଆଖି ପଡ଼ିଲା ଉର୍ମିଚାନ୍ଦ ଉପରେ । ଆଶ୍ଚର୍ଯ୍ୟ ହୋଇ ଚମ୍ପାକୁ ପ୍ରଶ୍ନକଲେ ଆସିଛନ୍ତି କିଏ ମୁଁ ତାଙ୍କୁ କେବେ ଦେଖିନି ।

 

ମୁଁ ସବୁ କହୁଛି । ଆସନ୍ତୁ ଉର୍ମିଦେବୀ ।

 

ଗୋଟିଏ କୋଣକୁ ଡାକି ନେଇ ଚମ୍ପା ବଡ଼ବାବୁଙ୍କୁ କହିଲା ସରୋଜ ପାଇଁ ଆସିଛନ୍ତି । ବର୍ତ୍ତମାନ ଏହି ସାଢ଼େ ତିନିଟା ଗାଡ଼ିରେ ଆପଣଙ୍କୁ ନ ଦେଖି ଚାଲିଯାଇ ଥାନ୍ତେ । ଭଲ ହେଲା ଆପଣ ଆସିଗଲେ ସୁବିଧା ଅନୁସାରେ ଘରଦ୍ୱାର ଯୌତୁକ ଓ ପାତ୍ରୀ ଇତ୍ୟାଦି ବିଷୟରେ ସବୁ ନିଷ୍ପତ୍ତି କରିଦେବା ଭଲ । ଝିଅ ଦେଖି, ପୁଅ ସରୋଜ ଆସିଲେ ଅତିଶୀଘ୍ର ବିବାହ ମଣ୍ଡପରେ କାମ ଫତେ କରିଦେଲେ ଗୋଟିଏ ବିରାଟ ପର୍ବତ ଚଢ଼ିବା କାମରୁ ପାର ହୋଇଯିବା । କାଞ୍ଚନ ଜେନା ଚାହିଁ ବସିଥିବେ । ସେଥିରେ ଆମର କ'ଣ ଅଛି । ସୌଦା ଭଲ ଅଛି, ଖରିଦ କରିନେବା । ଆଗନ୍ତୁକାଙ୍କ କଥାବାର୍ତ୍ତାରୁ ଜଣା ପଡ଼ୁଛି ସେ ବହୁ ସମ୍ପତ୍ତିର ଅଧିକାରିଣୀ କିଛି ଦେବା ନେବାର ଶକ୍ତି ଅଛି । ଦେଖାଯାଉ । ଆପଣ ଏଠି ବସନ୍ତୁ । ମୁଁ ତାଙ୍କୁ ନେଇ ଆସୁଛି ।

 

ସେତେବେଳେ ଘରେ ବସି ଉର୍ମି ଚାନ୍ଦ କ'ଣ ବସି ଭାବୁଥିଲେ । ତାଙ୍କର ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା । ଗୋଟିଏ ନିଷ୍କଳଙ୍କ ଆତ୍ମାର ଜ୍ୟୋତିରେ ତାଙ୍କର ଏ ଶରୀର ଭସ୍ମ ହୋଇ ଯିବ କାହିଁକି ? ଏପରି ପବିତ୍ର ମାଟି ଉପରେ କାହିଁକି ଏ ସେ ପାଦ ପକାଇଲା, କେଉଁ ସାହସ ଧରି ବିଜୟ ବାବୁଙ୍କ ଆଗରେ ସେ କଥା ଲାଗିବ ?

 

Unknown

ଏତିକିବେଳେ ଘର ଭିତରୁ ପଶି ଆସି ଚମ୍ପା ଧୀର ଅଥଚ ସ୍ପଷ୍ଟ ଗଳାରେ କହିଲା ମୁଁ ସବୁ କଥା ଜମେଇ ଦେଇଛି । ତୁମକୁ କେବଳ ପରିଚୟ ଦେଇ ଏପାଖ ସେପାଖ ଦି' ଚାରି ପାଦ କଥା କହିବାକୁ ପଡ଼ିବ । ସମୟ ଉଛୁର ହେଲାଣି । ମୁଁ କହି ରଖୁଛି ତୁମେ ଆସନ୍ତା ଟ୍ରେନରେ ଚାଲିଯିବ ।

 

ତା’ପରେ ଚମ୍ପା ଉର୍ମିକୁ ଧରି ବିଜୟ ବାବୁଙ୍କ ପାଖରେ ଉପସ୍ଥିତ ହେଲା । ଉର୍ମି ନିଜର ମିଥ୍ୟା ପରିଚୟ ଦେଇ ସବୁ କଥା ବଖାଣିଲା । ପରିଚୟ, ବାସସ୍ଥାନ, ବଂଶ, ବିବାହ ଓ ପରିଶେଷରେ ଯୌତୁକ ବିଷୟରେ କଥାବାର୍ତ୍ତା କରୁ କରୁ ପ୍ରାୟ ଅଢ଼େଇଟା ବାଜିଗଲା ।

 

କାନ୍ଥ ଘଣ୍ଟାକୁ ଦେଖି ଉର୍ମିଚାନ୍ଦ କହିଲେ, ଚମ୍ପାଦେବୀ ତୁମେ ଏ ଘରର କରିବା ଧରିବା ଲୋକ । ତୁମ ଉପରେ ସବୁ ରହିଲା । ସାଢ଼େ ତିନିଟା ଗାଡ଼ିରେ ଚାଲି ଯିବା ନିତାନ୍ତ ଦରକାର । ଘରଲୋକେ ମୋତେ ଅପେକ୍ଷା କରିଥିବେ । ମୁଁ ବଡ଼ ଭାଗ୍ୟବତୀ ଯେ ଏଡ଼େ ମହାନ ପରିବାରର ସମ୍ମାନ ଯୋଗ୍ୟ ହୋଇ ପାରିଛି । ମୋର ପେଟ ପୁରି ଯାଇଛି । ଆଜି ମୋର ଭିକ୍ଷାର ଝୁଲି ଭରି ଯାଇଛି । ଯେଉଁ ଆଶା ଧରି ଘରୁ ଗୋଡ଼ କାଢ଼ିଥିଲି, ତାହା ଆଜି ପୂରଣ ହୋଇଛି । ହଁ ଗୋଟିଏ କଥା, ଇତି ମଧ୍ୟରେ ଖବର ଦେଲେ ମୁଁ ଲୋକ ପଠାଇବି । କନ୍ୟା ଦେଖି ଆସିବା ନିତାନ୍ତ ଦରକାର-

 

ବିଜୟ ବାବୁ ଉତ୍ତର ଦେଲେ, ନିଶ୍ଚୟ ନିଶ୍ଚୟ ମୋର ଭାବି ବଧୂକୁ ଦେଖିବାକୁ ଯିବି । ଆପଣଙ୍କ ପରି ପରିବାର ସହିତ ମୋର ବନ୍ଧୁତା ହୋଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ନ ଦେଇ ରହିପାରୁନି । ଆପଣ ନିଶ୍ଚିନ୍ତ ରହନ୍ତୁ । ସୁବିଧା ହେଲେ ଆସନ୍ତା ପନ୍ଦର, କୋଡ଼ିଏ ଦିନ ଭିତରେ ନିର୍ବନ୍ଧ କରିବାକୁ ଆମେ ଯିବୁ । ଏହା ଭୁଲିବା କଥା ନୁହେଁ । ଦୁଃଖର ବିଷୟ ଯେ ଆପଣ ରାତିକ ପାଇଁ ମଧ୍ୟ ରହିଲେ ନାହିଁ । ଅତିଥି ସତ୍କାର କରିବା ପାଇଁ ମଧ୍ୟ ଆମକୁ ସୁବିଧା ଦେଲେ ନାହିଁ ।

 

ନା ରହିବାକୁ ମୋର ଆପତ୍ତି ନଥିଲା ହେଲେ ସେଠାରେ ଅନେକ କାମ ପଡ଼ି ରହିଛି । ମୁଁ ନ ଗଲେ କ୍ଷତିରେ ପଡ଼ିବାକୁ ହେବ । ଦୟାକରି ଅନୁମତି ଦିଅନ୍ତୁ ।

 

ଚମ୍ପା ଉତ୍ତର, ଦେଲା' ନା ନା ' ଆପଣଙ୍କୁ କ୍ଷତିରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ-। ଯାଇ ଆପଣଙ୍କ ପରିବାରଙ୍କୁ ଏହି ସୁଖ ଖବର ଦିଅନ୍ତୁ । ଦୁହେଁ ଘର ଭିତରକୁ ପଶିଲେ-

 

ଚାରିଆଡ଼କୁ ଆଖି ଫେରାଇ ଉର୍ମି କହିଲା, ଚମ୍ପା ତୁମରି ଉପରେ ସବୁ ଭାର ଦେଇଗଲି-। ମୁଁ ପ୍ରକୃତରେ ଅତି ଅଳ୍ପ ଦିନ ଭିତରେ କଲିକତା ଛାଡ଼ିବି ଚିରଦିନ ପାଇଁ । ମୋର ବ୍ୟବସାୟ ବୋଧହୁଏ ଚିରଦିନପାଇଁ କଲିକତାରେ ମୃତ୍ୟୁଲାଭ କରିବ । ଆଜି ଅବଶ୍ୟ ସାଢ଼େ ତିନିଟା ଗାଡ଼ିରେ ଗାଁକୁ ଯାଉଛି । ମୋ ପାଖରେ ଯଥେଷ୍ଟ ଟଙ୍କା ଅଛି । ଜୀବନ ଗଡ଼େଇ ନେବା ପାଇଁ କିଛି ଅସୁବିଧା ହେବ ନାହିଁ ବା ଯଦି ସୁବିଧା ହୁଏ ଦେଖାଯିବ ବିରାଟ ଦୁନିଆ ପଡ଼ି ରହିଛି । ହେମାଙ୍ଗିନୀ ଓ ସରୋଜର ବିବାହ ତୁମରି ଉପରେ ନିର୍ଭର କରେ । ମୁଁ ଚାଲିଲି, ତୁମର ସର୍ତ୍ତ ମୁଁ ଭୁଲିନାହିଁ-। ଯେବେ ଚାହଁ ନେଇପାର ।

 

ଚମ୍ପା ଡାକ ଛାଡ଼ିଲା ବଡ଼ବାବୁ ଆସନ୍ତୁ, ଯିବାକୁ ବାହାରିଲେଣି ।

 

ବିଜୟ ବାବୁ ନିଜର ଶୋଇବା ଘରୁ ବାହାରି ଆସିଲେ । ନମସ୍କାର ଆଦାନ ପ୍ରଦାନ ପରେ ଉର୍ମିଚାନ୍ଦ ଟେକ୍‍ସିରେ ବସିଲା । ବୃଦ୍ଧ ମଧ୍ୟ ଭିତରେ ପଶିଲେ ।

 

ପାଖରେ ଛିଡ଼ା ହୋଇଛନ୍ତି ଚହଟ ଚମ୍ପା ଓ ବିଜୟ ବାବୁ । ବିଜୟ ବାବୁ ଆଶ୍ଵସନାମୟ ବାଣୀରେ କହିଲେ, ନିଶ୍ଚୟ ଦେଖିବାକୁ ଯାଉଛୁଁ । ମୋର କଥା ପଥରର ଗାର ।

 

ବୃଦ୍ଧ କହିଲେ ଆମର ଅହୋଭାଗ୍ୟ ଆଜ୍ଞା । ଉର୍ମିଚାନ୍ଦ ଆଡ଼କୁ ଚାହିଁ ଚମ୍ପା କହିଲା, ମୁଁ ଅଛି, ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ଏ ସମ୍ବନ୍ଧ କ୍ଷଣିକର ନୁହେଁ ଚିରଦିନର । ପରସ୍ପର ଭିତରେ ଶେଷ ଥରକପାଇଁ ନମସ୍କାର ଆଦାନ ପ୍ରଦାନ ହେଲା ।

 

ଥାନା ଘଣ୍ଟାରେ ବାଜିଲା ତିନ୍‍ ।

 

ଡ୍ରାଇଭର ମୋଟର ବେଗ ବଢ଼ାଅ । ଟ୍ରେନ ଧରିବାକୁ ହେବ ପୁଣି ।

 

ଜି ମେମ ସାହେବ ।

 

ଗାଡ଼ି ଚାଲିଲା ସୁନ୍ଦରନ୍‍ ଷ୍ଟ୍ରୀଟ ଅଭିମୁଖରେ । ପାଖ ଛକରେ ବୃଦ୍ଧ ଓ ଉର୍ମି ଓହ୍ଲାଇଗଲେ-। ଟେକ୍‍ସି ଚାଲିଗଲା । ପନ୍ଦର ମିନିଟ ମଧ୍ୟରେ ସଜବାଜ ହୋଇ ଜିନିଷପତ୍ର ଧରି ବୃଦ୍ଧ ସଙ୍ଗେ ଉର୍ମିଚାନ୍ଦ ନିଜ ଘରୁ ବାହାରି ପଡ଼ିଲେ । ଅନ୍ୟ ଏକ ଟେକ୍‍ସିରେ ବସି ଚାଲିଲେ ଷ୍ଟେସନ ଅଭିମୁଖରେ ।

 

ସାତ ଦିନ ପରେ । ଉପର ଓଳି ଚାରିଟା ସମୟ । ନୀଳା ଚା' ଖାଉଛି ବାପା ସାଥୀରେ । ଭିଖୁଦାଦା ସହିତ ରୋଷାଇ ଘରେ ଅଛି ଶ୍ଵେତପଦ୍ମା । ଆଜିକାଲି କାଞ୍ଚନବାବୁର ଦେହ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଗଲାଣି । କିନ୍ତୁ ମୁହଁଟି ସଦାସର୍ବଦା ଦରଦଭରା । ଝାଉଁଳି ପଡ଼ିଛି । କେଇଟା ଦିନ ଭିତରେ ଚିନ୍ତାର ସୁଅ ମାନସିକ ଦ୍ଵନ୍ଦ୍ୱ ତାଙ୍କୁ ଆକୁଳ କରି ପକାଇଛି । ସେ' ଦିନଠୁ ସେ ଆଉ ବିଜୟ ବାବୁଙ୍କ ଘର ଆଡ଼କୁ ଯାଇ ନାହାନ୍ତି । କିମ୍ବା ବିଜୟ ବାବୁ କୌଣସି ଖବର ପଠାଇ ନାହାନ୍ତି ।

 

ଭିଖୁଦାଦା ଆଉ ଗୋଟିଏ ଚା' ଆଣି ଟେବୁଲ ଉପରେ ଥୋଇଲା । ତାକୁ ଶେଷ କରିଦେଇ କାଞ୍ଚନ ବାବୁ ନୀଳା ଆଡ଼କୁ ଆଖି ଫେରେଇ କହିଲେ ବିଜୟ ବାବୁ କାହିଁକି ଆଜି ପର୍ଯ୍ୟନ୍ତ ଚୁପହୋଇ ରହିଲେ ତା’ର ଧାରଣା ମଧ୍ୟ କରି ପାରୁନି । ତାଙ୍କର ଦେହ ଖରାପ ଥିଲା ବୋଲି କହୁଥିଲେ । ଯାଇ ଭଲମନ୍ଦ ବୁଝି ଆସିବା ଆମ ପରି ବନ୍ଧୁଙ୍କର ବିଶେଷ କର୍ତ୍ତବ୍ୟ । ଯାଇ ପାରିଲି ନାହିଁ । ଦେହ ଖରାପ ହେଲା । ଭାବୁଛି ବର୍ତ୍ତମାନ ତାଙ୍କ ଘର ଆଡ଼କୁ ଯାଇ ସବୁ କଥା ବୁଝି ଆସିବି ।

 

ନୀଳପଦ୍ମା ବସିଛି । ଆଖି ଆଗରେ ନାନା ପ୍ରକାର ଫୁଲଗଛ । ଭ୍ରମରଟିଏ ମଲ୍ଲୀଫୁଲ ଉପରେ ବସିବାକୁ ଚେଷ୍ଟା କରୁଛି । ଶ୍ଵେତପଦ୍ମା ଘର ଭିତରେ ଅଛି । ନୀଳା ଉତ୍ତର ଦେଲା, ହଁ ବାପା ଯିବା ଉଚିତ ।

 

ହେଲେ ମୋ ରାଣ, ତୁମେ ଯିବା ସମୟରେ ଭିଖୁଦାଦାକୁ ସାଙ୍ଗରେ ନେଇଯିବ । ଦେହରୁ ଦୁର୍ବଳତା ଯାଇନି । ମୋତେ ଭାରି ଡରମାଡ଼େ ।

 

ଆଚ୍ଛା ମା’ ପାନ କେଇଟା ଭାଙ୍ଗିଦେ । ସମୟ ଗଡ଼ିଯିବ । ଚାରିଟା ହେଲାଣି । ଶୀଘ୍ର ଗଲେ ଶୀଘ୍ର ଫେରି ଆସିବି । ଭିଖୁ ଗଲା କୁଆଡ଼େ । କିନ୍ତୁ ମା’ ତୁମ ଦୁହିଁଙ୍କୁ ଛାଡ଼ି ଭିଖୁ ମୋ ସାଙ୍ଗରେ ଯିବ କିପରି । ଆସୁ ଆସୁ କାଳେ ରାତି ହୋଇଯିବ ।

 

ମୁଁ ଅଛି ବାପା, ତୁମେ ଚିନ୍ତା କରନା । ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋ ଗୋଡ଼ ଦି’ଟାରେ ବଳ ଅଛି । କହି ନୀଳା ଭିଖୁଦାଦାକୁ ଡାକି ବାପାଙ୍କ ସାଥୀରେ ଯିବାକୁ କହିଲା । ଏତିକିବେଳେ କାହାର ଡାକ ଶୁଭିଲା ବାହାରେ । ଦେଖିଲା ବେଳକୁ ଆଉ କେହି ନୁହଁ । ମାନସରୋବରେ ବିଜୟ ବାବୁଙ୍କ ଗୋଟିଏ ଚାକର । ହାତରେ ଗୋଟିଏ ଚିଠି । ତା' ପାଟି ଶୁଣି ଭିଖୁଦାଦା ଯାଇ ତାକୁ ଦେଖି ଆସିଲା । ମାନସରୋବର ଆସି ଚିଠିଟି ବଢ଼ାଇ ଦେଲା କାଞ୍ଚନ ବାବୁଙ୍କ ହାତକୁ । ଦି' ଧାଡ଼ିର ଗୋଟିଏ ଛୋଟିଆ ଚିଠି । ଲେଖା ଅଛି–

 

କାଞ୍ଚନ ବାବୁ

 

ତମର ପ୍ରସ୍ତାବିତ ବିବାହରେ ମୁଁ ରାଜି ନୁହେଁ । ସରୋଜର ମଧ୍ୟ ମତ ନାହିଁ । ସେଥିପାଇଁ କ୍ଷମା ଦେବ ।

 

। ଇତି ।

ବିଜୟ କୁମାର ରାଠୋର ।

 

ଚିଠି ଉପରେ ଆଖି ବୁଲାଇ ଚିତ୍କାର କରି ଏକ ନିଶ୍ୱାସରେ କହି ଉଠିଲେ, ଭିଖୁଦାଦା, ନା ନା ଏହା କଦାପି ସମ୍ଭବ ନୁହେଁ । ଏହା ବିଜୟ ବାବୁଙ୍କର ଲେଖା ନୁହଁ । ବୁଦ୍ଧିମତୀ ଚମ୍ପାର ମଧ୍ୟ ଏଥିରେ ହାତ ନାହିଁ । ନିଶ୍ଚୟ ଏହା ତୃତୀୟ ଜଣକର ଚାଲବାଜି । ଏତିକିରେ ତାଙ୍କର କ୍ଷୀଣ ବୃଦ୍ଧ ଶରୀର ଥରିଗଲା । ଚାରିଆଡ଼ ଅନ୍ଧାର ଦିଶିଲା । ମୁଣ୍ଡରୁ ଗମ ଗମ ଝାଳ ବୋହି ପଡ଼ିଲା । ତାଙ୍କର ଧୈର୍ଯ୍ୟର ଟାଣ ଖୁଣ୍ଟ ଟଳମଳ ହେବାକୁ ଲାଗିଲା । ମଳିନ ମୁହଁ ଉପରେ ଚାବୁକ ମାଡ଼ ପିଟିଲା ପରି ଦି’ଟା ଗାଲ ଉପରେ ଗଡ଼ିବାକୁ ଲାଗିଲା ଦରଦଭରା କୋରଡ଼ ଆଖିରୁ ଅଜସ୍ର ଅଶ୍ରୁ ।

 

ନୀଳପଦ୍ମାର କଣ୍ଠ ରୁଦ୍ଧ ହୋଇ ଆସିଲା । ଆବେଗରେ ଚିଠିଟି ଉଠାଇ ନେଇ ପଢ଼ିଲା । କହିଲା ନା ସରୋଜ ଭାଇନା ଉପରେ ଅଯଥାରେ ଦୋଷାରୋପ କରା ହୋଇଛି । ନିଷ୍କଳଙ୍କ ଆତ୍ମାରେ କଳଙ୍କର କାଳିମା ବୋଳି ଦେବାକୁ ସାହସ କରା ହୋଇଛି ମାତ୍ର । ସରୋଜ ଭାଇନା ଉପରେ ମୋର ଭରସା ଅଛି । ଶ୍ୱେତକୁ ଆପଣାର କରି ପାଦରେ ପରେ ଦଳିଦେବାର ମଣିଷ ସେ ନୁହନ୍ତି ।

 

ବାପାଙ୍କର ଚିତ୍କାରରେ ଶ୍ଵେତପଦ୍ମା ଦୌଡ଼ି ଆସିଛି ଘର ଭିତରୁ । କବାଟ କୋଣରୁ ଯାହା ଶୁଣିଲା ସେଥିରେ ତା’ର ଧୈର୍ଯ୍ୟ ରହିଲା ନାହିଁ । ଗୋଡ଼ ଥରିବାକୁ ଲାଗିଲା । ମୁଣ୍ଡ ନଇଁ ଆସିଲା । ଅଶ୍ରୁ ଭରା ନୟନ ଯୁଗଳ ମୁଦି ହୋଇ ଆସିଲା । ନୀର ସମୁଦ୍ରର ଧାର ଛୁଟି ଚାଲିଲା ତା' ଆଖିରୁ । ଛାତି ଦମକି ଉଠିଲା, ଆଖିର ଲୁହଧାର ଯେତେବେଳେ ଛାତିର ବ୍ଲାଉଜ ଭିତରକୁ ପଶେ, ସେତେବେଳେ କେଉଁ ମନରେ, କେଉଁ ଭାବନାରେ ସେ ସ୍ଥାନରୁ ଅନ୍ତର୍ଧ୍ୟାନ ହୋଇ ଯାଇଛି ଘର ଭିତରକୁ । ବସି ପଡ଼ିଲା ଚୁଲି ମୁଣ୍ଡରେ, କେ ଜାଣେ କ’ଣ ଭାବିଲା–ପ୍ରେମର ଦୁଇଟି ତରଙ୍ଗ ମଝିରେ ପ୍ରକାଣ୍ଡ ପ୍ରତିବନ୍ଧକ ରୁପେ ଛିଡ଼ା ହୋଇଛି ଗୋଟିଏ ଜୀବନ୍ତ ମଣିଷ ।

 

ଭିଖୁ ଆଖିରୁ ଲୁହ ପୋଛିଲା । କାଲିପରିକା କଥା, ଯେଉଁ ବିଜୟ ବାବୁ ଶ୍ଵେତକୁ ନ ଦେଖିଲେ ରହି ପାରୁ ନ ଥିଲେ, ସେ ପୁଣି ଆଜି ମୁହଁ ମୁଡ଼ା ହୋଇ ପଡ଼ିଛନ୍ତି । ଆଜି ଶ୍ୱେତପଦ୍ମା ତାଙ୍କର କେହି ନ ହେଲା । ଏହି ପରିବାରକୁ ନିରାଶ୍ରୟ ବାଟର ଅନାଥ କରିବାକୁ ଶେଷରେ ତାଙ୍କର ମନ ଡାକିଲା ? ଏହା ସତ ନା ପ୍ରଳାପ ? ଏଥିରେ କିଛି ଗୂଢ଼ ରହସ୍ୟ ନିଶ୍ଚୟ ଛୁଁପି ରହିଛି । ନା ବଡ଼ବାବୁ ତାଙ୍କର ଘରକୁ ବର୍ତ୍ତମାନ ଯିବାକୁ ହେବ । ଏ ଚିଠିଟି ହୋଇଛି ଆମର କାଳ । ଏହାକୁ ଦମନ ନ କଲେ ଆଖିରୁ ଅଶ୍ରୁ ଗଡ଼ି ରହୁଥିବ । କାନ୍ଦନା ବଡ଼ବାବୁ । ଏଇନେ ଚାଲ ବିଜୟ ବାବୁଙ୍କ ଘରକୁ । ଦେହରେ ବଳ, ହୃଦୟରେ ସାହସ ନ ବାନ୍ଧିଲେ ଆମେ ଆଉ ଆଗେଇ ପାରିବା କିପରି ? ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ କରିବାର ଶକ୍ତି ଯେ ବିଲୋପ ହେବ ।

 

ଏପରି ଛାତିଫଟା ଚିଠି ପଢ଼ିଲେ ମୋ ପରି କେଉଁ ବାପର କାଠ ପାଷାଣ ହୃଦୟ ବିଗଳିତ ନ ହେବ । ହେଲେ ତୁ ଠିକ୍ କହିଛୁ ଭିଖୁ । ମୁଁ ଦୁନିଆଁ ପ୍ରତି ଅଭିମାନ କରି ଯେତିକି ଆଖିରୂ ଲୁହ ଗଡ଼ାଇଛି, ଦୁନିଆଁ ସେତିକି ମୋତେ ଦମ୍ଭହୀନ ପାଗଳ କରି ଦେଇଛି । ମଣିଷ ଅନ୍ୟାୟକୁ ଯେତେ ପ୍ରଶ୍ରୟ ଦେବ ସେ ସେତିକି ବଢ଼ି ଚାଲିବ । ବିଜୟ ବାବୁଙ୍କର ଦୌଲତର ଓଜନ ଆଉ ତାଙ୍କର ମନ ମୁତାବକ କାର୍ଯ୍ୟକଳାପ ବିରୁଦ୍ଧରେ ମୋତେ ଲଢ଼େଇ କରିବାକୁ ହେବ । ଏତିକି ବି ସେ ବୁଝି ପାରୁ ନାହାନ୍ତି ଯେ ତାଙ୍କର ଧନ ସମ୍ପତ୍ତି, ଟଙ୍କା ପଇସା ମୋ ଝିଅର ମୂଲ୍ୟ ଠାରୁ ଯେ ବହୁପରିମାଣରେ କମ । ମୋ' ଝିଅର ଇଜ୍ଜତ ଉପରେ ଯଦି ଆଞ୍ଚ ଆସେ, ସେ କ'ଣ ଭରିଦେଇ ପାରିବେ ? ନା କଦାପି ନୁହେଁ, ଶ୍ବେତପଦ୍ମାର ଇଜ୍ଜତ ବାହାରେ ପଡ଼ି ସଢ଼ିବା କଦାପି ଦେଖିବାକୁ ମୁ ରାଜି ନୁହେଁ ।

 

ଆଜି ଅଶ୍ରୁ ଦେଇଛି କାଞ୍ଚନ ବାବୁଙ୍କୁ ସାମର୍ଥ୍ୟ, ବୃଦ୍ଧତ୍ୱ ଲାଭ କରିଛି ଯୌବନର ଶକ୍ତି । କାରଣ ସେ ଲଢ଼େଇ କରିବେ ଅନ୍ୟାୟ ବିରୁଦ୍ଧରେ ।

 

ନୀଳା ଚାଲିଗଲା ଭିତରକୁ । ଶ୍ୱେତପଦ୍ମା ଆସି ସାଙ୍ଗରେ ଯୋଗଦେଲା । ତୃଷାତୁର ଯୁଗଳ ମୂର୍ତ୍ତି କାଞ୍ଚନ ଓ ଭିଖୁ ଆକାଶର କଳା ବାଦଲ ତଳେ ଚାଲିଲେ ନିଜର ଗନ୍ତବ୍ୟ ପଥରେ । ଆଜି ସେମାନେ ବିଜୟ ବାବୁଙ୍କ ଠାରୁ ଶେଷ ଜବାବ ଆଣିବେ ।

 

X X       X

 

କାଞ୍ଚନ ଜେନା ଓ ଭିଖୁ ବିଜୟ ବାବୁଙ୍କର ଘର ବାରଣ୍ଡାରେ ଚଢ଼ିଲେ । କାଞ୍ଚନାବାବୁଙ୍କର ହୃଦୟରେ ରାଗ ନାହିଁ ରହିଛି କୋମଳତା, ତା’ ଭିତରେ ଦୁଃଖର ଢେଉ । ତାହାହିଁ ତାଙ୍କୁ ଟାଣି ଓଟାରି ଆଣିଛି ବିଜୟ ବାବୁଙ୍କର ଘର ପର୍ଯ୍ୟନ୍ତ । ସେ ଭିକ୍ଷା ମାଗିବେ, ଅଳି କରିବେ । ବିଜୟ ବାବୁଙ୍କୁ ଫେରେଇନେବେ ଅତୀତକୁ–କହିବେ ସୁହାସିନୀର କାତର ପ୍ରାର୍ଥନା, ଆବେଦନ ଆଉ ତାଙ୍କର ଶପଥ । ଏଣୁ ଭିଖୁର ମୁଣ୍ଡ ଗୋଳମାଳ ହୋଇ ଯାଉଛି । ରାଗରେ ନିଆଁ ଜଳୁଛି ଛାତି ଭିତରେ । ସାପ ହୋଇଥିଲେ ଗରଳ ଢାଳି ଦିଅନ୍ତା ବିଜୟ ବାବୁର ମୁହଁରେ ।

 

ହଠାତ୍ ଏ ଦୁହିଁଙ୍କର ଆସିବାକୁ ଦେଖି ବିଜୟ ବାବୁ ଆରାମ ଚୌକିରୁ ଉଠି ଆଶ୍ଚର୍ଯ୍ୟର ସହିତ କହିଲେ, ଓଃ କାଞ୍ଚନ ବାବୁ ! ଯେଉଁଥିପାଇଁ ଆପଣ ଏଠି ଫୌଜ ଧରି ପଦାର୍ପଣ କରୁଛନ୍ତି ତା' ମୁଁ ଜାଣେ । କିନ୍ତୁ ଏ ଫୌଜ ମୋ ମନକୁ ଜିଣି ପାରିବ ନାହିଁ । ମୋର ଦୋଷ କିଛି ନାହିଁ । ମୁଁ ଆଗରୁ ନିଜର ମନ୍ତବ୍ୟ ପ୍ରକାଶ କରି ସାରିଛି, ଏ ବିବାହ ହେବନାହିଁ । ସତ ଚେଷ୍ଟା ସତ୍ତ୍ୱେ ଓ ହବ ନାହିଁ ।

 

ବିଜୟ ବାବୁ, ତା' ହେଲେ ଆପଣ କ'ଣ ଏ ଚିଠି ନିଜ ହାତରେ ଳେଖିଥିଲେ । ନା, ନା, ବିଜୟ ବାବୁ ଏ ଗରିବ ପ୍ରତି ଦୟା କରନ୍ତୁ । ଏ ଘରର ଇଜ୍ଜତ ରଖନ୍ତୁ । ଗତ ଚଉଦ ବର୍ଷରୁ ଶ୍ୱେତପଦ୍ମା ଏ ବଂଶର କୁଳବଧୂ ହୋଇ ସାରିଛି । କେବଳ ବାକି ଅଛି ତା' କପାଳରେ ସିନ୍ଦୁର ଟୋପା । ସୁହାସିନୀର ମୁହଁକୁ ନିଜର ଆଖି ଆଗରେ ରଖି ଆପଣାର ଶପଥକୁ ମନେ ପକାନ୍ତୁ । ଥରିଲା ସ୍ୱରରେ ଏତିକି କହି କଟାଗଛ ପରି ବିଜୟ ବାବୁଙ୍କର ଗୋଡ଼ତଳେ ପଡ଼ିଗଲେ । ପୁଣି ପାଗଳପରି ତାଙ୍କ ମୁହଁକୁ ଚାହିଁ ଥଙ୍ଗେଇ ଥଙ୍ଗେଇ କହିଲେ, ଏ ବନ୍ଧନ ଭାଙ୍ଗିଯିବା ଶୁଣି ତା’ ଜୀବନ ଯୌବନର ଗତକଥା ଭାବି ଭାବି କଳା କାଠ ପଡ଼ିଯିବ, ତା' ଜୀବନର ଆଶା ଆଉ ରହିବନି, ମୁଁ ଜାଣେ ତାକୁ ବଞ୍ଚାଇ ନିଅନ୍ତୁ ବିଜୟ ବାବୁ । ଆପଣ ହିଁ ତା’ର ସବୁ ବାପ ମା', ଜୀବନ ରକ୍ଷକ ।

 

ରାଗରେ ଗର୍ଜିଉଠି ବିଜୟ ବାବୁ କହିଲେ, ତା’ର ବଞ୍ଚିବା, ମରିବା କ'ଣ ଥାଏ–ମୁଁ ରାଜପୁତ, ମୋର ଜବାବ ଗୋଟିଏ । କହୁଁ କହୁଁ କାଞ୍ଚନ ବାବୁଙ୍କୁ ନିଜ ଗୋଡ଼ରୁ ଛିଞ୍ଚାଡ଼ି ଦେଇ ଗୋଟିଏ କୋଣରେ ଛିଡ଼ା ହେବା ପାଇଁ ହେଲେ । ଉପରେ ଛିଡ଼ା ହୋଇ ଚହଟ ଚମ୍ପା ବିକ୍ଷୋଭ ପ୍ରଦର୍ଶନ କରି ମୁରୁକି ମୁରୁକି ହସୁଥାଏ ।

 

ଦୁଇ ହାତରେ ମୁହଁ ଲୁଚାଇ କାନ୍ଦଣା ସ୍ୱରରେ କାଞ୍ଚନବାବୁ କହିଲେ, ମୋର ସୁହାସିନୀ ମରିଛି–ତୁମେ ମନାକଲେ ମୋର ସଂସାର ସରିଯିବ । ବିଜୟ ବାବୁ, ଗୋଟିଏ ମଉଳା ଫୁଲରେ ସରାଗ ଭରିଦେଲେ ଆପଣଙ୍କର କ'ଣଟା ସରିଯିବ ?

 

ଆପଣଙ୍କର ବନ୍ଧୁ ସୁଆଗ ନିଜ ପାଖରେ ରଖିଥା'ନ୍ତୁ କାଞ୍ଚନ ବାବୁ । ମୁଁ ପାଞ୍ଚଟା ବାପାର ସନ୍ତାନ ନୁହେଁ ଯେ ପାଞ୍ଚ ଜବାବିଆ ହେବି । ଆପଣ ଏଠୁ ଚାଲି ଯାଇ ପାରନ୍ତି ।

 

ସେତେବେଳ ପର୍ଯ୍ୟନ୍ତ ଦମ୍ଭ ଧରି ଛିଡ଼ା ହୋଇଥିଲା ଭିଖୁ । ଭାରି କାବ୍ୟ ପୂର୍ଣ୍ଣ ତା’ର ଭାଷା । ଗ୍ରନ୍ଥ ପୁରାଣର ପ୍ରଭାବ । ତାଙ୍କର କଥା ଶୁଣି ସାପପରି ଗର୍ଜିଉଠି କହିଲା–ଆପଣ ରାଜପୁତ, ଦୌଲତର ସର୍ଦ୍ଦାର । ଆପଣ ଭୁଲି ଯାଉଛନ୍ତି ଯେ ଆଜି ରାଜପୁତର ଲକ୍ଷ୍ମୀସ୍ଵରୂପିଣୀ ମା'ର ମଥାରେ କଳଙ୍କ ଲଗାଉଛନ୍ତି । ମୁଁ ଆଜି ବେଶ୍‍ ବୁଝି ପାରିଛି, ଆପଣ ଗତ ଚଉଦ ବର୍ଷ ତଳର ବିଜୟ ବାବୁ ନୁହନ୍ତି । ଗୋଟିଏ ମଣିଷ ଖୋଳ ପିନ୍ଧା ସଇତାନ । ଦୌଲତର ଭକ୍ତ । ଆପଣଙ୍କର ଦେହକୁ ପାପ ଛୁଇଁଛି, ଧର୍ମ କର୍ମ ସବୁ ନଷ୍ଟ ହୋଇଛି ଆପଣ ଜାଣି ପାରୁନାହାନ୍ତି ଯେଉଁ ଟଙ୍କାର ମୋହ ଆପଣଙ୍କ ସାଙ୍ଗରେ ଲୁଚକାଳି ଖେଳୁଛି, ସେ ଦିନେ ଆପଣଙ୍କୁ ନର୍କରେ ନ ପକାଇ ଛାଡ଼ିବ ନାହିଁ ।

 

ଭିଖୁ ଭୁଲି ଯାଉଛୁ ତୁ ଜଣେ ଚାକର । କଡ଼ା ଜବାବ ଦେଲେ ବିଜୟ ରାଠୋର ତାଙ୍କର ମୁହଁରୁ ଗରଳ ପଡ଼ୁଥାଏ ରାଗରେ ।

 

ଗୋଟିଏ ସାଧାରଣ ଚାକର ହିସାବରେ ନୁହେଁ, ଛୋଟବାବୁର ଗରିବ ପରିବାରର ଜଣେ ମଣିଷ ହିସାବରେ ମୁଁ ଚାହେଁ ଆମର ଦାବୀ ପୂରଣ, ଆପଣଙ୍କର ଶପଥର ମର୍ଯ୍ୟାଦା । ପାଞ୍ଚଟି ବାପର ସନ୍ତାନ ହେବା ଠାରୁ ବଞ୍ଚିଯାନ୍ତୁ ବିଜୟ ରାଠୋର ।

 

ମୁହଁରେ ଲଗାମ ଦେ ଭିଖୁ, ଗର୍ଜି ଉଠିଲା ଚହଟ ଚମ୍ପା ।

 

ଆଖିରୁ ଲୁହ ପୋଛି, ଛାତିରେ ସାହସ ଧରି ଧୀର ଗଳାରେ କହିଲେ କାଞ୍ଚନ ଜେନା–ଗତ ଜୀବନର କଥା ଭାବି ଦେଖନ୍ତୁ ବଡ଼ବାବୁ । ତିନି ବର୍ଷ ତଳେ ଏହି ଦାଣ୍ଡର ଦୁଆରେ ଛିଡ଼ା ହୋଇ ଆପଣ ମୋତେ କହିଥିଲେ–ଯେତେବେଳେ ଶ୍ୱେତପଦ୍ମା ସରୋଜର ହୋଇ ସାରିଛି ତାଙ୍କର ଅବାଧ ମିଳାମିଶା ବିରୁଦ୍ଧରେ ଆମ୍ଭେମାନେ ଛିଡ଼ା ହେବା ହିଁ ସେମାନଙ୍କର ସ୍ୱାଧୀନତାର ବାଧା ଦେବା । ଏହା ଯୁକ୍ତିସଙ୍ଗତ ହେବ ନାହିଁ । ସେ' ଦିନଠୁ ମୁଁ ଶ୍ୱେତପଦ୍ମାକୁ କିଛି କହିନାହିଁ । ବୁଝିଥିଲି ଶ୍ୱେତର ଆଖିରେ ସରୋଜ ତା’ର ଦେବତା, ତା’ର ସ୍ୱର୍ଗ । ତେଣୁ ଯୁବତୀ ଝିଅର ବାଟ ଅବରୋଧ କରିନି । ସରୋଜ ଡାକେ–ଶ୍ୱେତପଦ୍ମା ରାତି ଅଧରେ ଚାଲି ଆସେ । ମୁଁ ଜାଣେ କେତେ ଯାମିନୀ ଧରି ଯୌବନର ଆକର୍ଷଣରେ ଝିଅ ମୋର ନିଜକୁ ଆହୁତି ଦେଇଛି କେବଳ ଆଶା ରଖି–ସେ ହେବ ଦିନେ ସରୋଜର ଜୀବନ ସାଥୀ । କିଛି ଅସାମାଜିକ ହେଲେ ସରୋଜ ଚଳେଇ ନେବ । ବର୍ତ୍ତମାନ ତା’ ହୁଏତ ଆଖି ଆଗରେ ଆପଣଙ୍କର ସବୁ ସଫା ଦିଶୁଥିବ । କିନ୍ତୁ ଆପଣ ଆଜି ବୁଝି ନ ବୁଝିଲା ପରି, ଜାଣି ନ ଜାଣିଲା ପରି କାହିଁକି ? କୁହନ୍ତୁ ଭଲା–ଭୟରେ, ରାଗରେ, ଲାଜରେ, ଅନୁତାପରେ, ସମାଜର କଡ଼ାକଥା, ସମାଲୋଚନା ଏଡ଼ିଦେଇ ଧାଇଁ ଆସିଛି ଝିଅ ମୋର ସରୋଜ ପାଖକୁ ପାଗଳୀ ପରି । ସରୋଜର ଦେହ ହୋଇଛି ତା’ର ଦେହ, ହସ ହୋଇଛି ତା’ର ମୁକ୍ତା, ଅଶ୍ରୁ ହୋଇଛି ତା’ର ବିଷାଦ । ଆଜି କେଉଁ ମୁହଁରେ, କେଉଁ ସାହସରେ ଝିଅ ମୋର ସମାଜ ଆଗରେ ଛିଡ଼ା ହେବ । କାହାକୁ ଆଶ୍ରାକରି ।

 

ବିଜୟବାବୁ ଗମ୍ଭୀର ହୋଇ ଉତ୍ତର ଦେଲେ, କିନ୍ତୁ କାଞ୍ଚନ ବାବୁ ସରୋଜ ମୋର ସନ୍ତାନ । ତା'ପାଇଁ ଉପଯୁକ୍ତ ପାତ୍ରୀ ବାଛି ବାହାର କରିବା ମୋର କର୍ତ୍ତବ୍ୟ । ଶ୍ୱେତପଦ୍ମା ମୋର ଭାବି କୁଳବଧୂ ଅର୍ଥାତ ମୋର ସନ୍ତାନ ସରୋଜର ଅର୍ଦ୍ଧାଙ୍ଗିନୀ ବୋଲି କାହିଁ କେଉଁଠି ମୁଁ ଲେଖି ଦେଇନି ତୁମକୁ । ଏତିକି କହି ସେ ଫୋନ ପାଖରେ ଛିଡ଼ାହେଲେ ।

 

ହଠାତ୍ ଛୁରୀ ଚାଲିଲା ପରି କଥା ଶୁଣି ଭିଖୁ ଉତ୍ତର ଦେଲା । ଗୋଟିଏ ପ୍ରଶ୍ନର ଜବାବ ଦେଇ ପାରିବେ କି ବିଜୟ ବାବୁ ? ସମାଜ ଯେତେବେଳେ ଠୋ ଠୋ ହସି ଶ୍ୱେତପଦ୍ମାକୁ କହିବ–ତୁ କଳଙ୍କିନୀ ଚରିତ୍ରହୀନା । ସେତେବେଳେ କ'ଣ ଆପଣ ଦାୟୀ ନୁହନ୍ତି ? ଆପଣଙ୍କର ଯୁବକ ପୁଅ ସରୋଜ ଦାୟୀ ନୁହଁ ? କହି ପାରିବେ କ୍ରୋଡ଼ପତିର ସନ୍ତାନ ସରୋଜ ତା'ହେଲେ କାହିଁକି ପାଗଳାମି ଖିଆଲରେ ଏକ ନିରୀହା ସରଳା ଯୁବତୀ ଝିଅର ଜୀବନ ଓ ଭବିଷ୍ୟତ ନଷ୍ଟକରିବା ପାଇଁ ପ୍ରେମର ନାଟକ ରଚିଥିଲା ? କାହିଁକି ? ହଁ–ହଁ ମୁଁ ଜାଣେ । ସମାଜ ଦେଖିଛି ଜୁଳୁଜୁଳିଆ ପୋକ ପରି ମନପବନକୁ ଅଟକାଇ ନ ପାରି ଶ୍ୱେତ ଓ ସରୋଜ ଦୁହେଁ କେତେ ରାତ୍ରି ମିଳନ ରଚିଛନ୍ତି । ଅନ୍ଧାର ମଝିରେ, ଦୂର ନଦୀ ତଟରେ, ଉଦ୍ୟାନର ଫୁଲ ମହକ ଭିତରେ ଉତ୍ତଲା ମନର ସଉକ ମେଣ୍ଟେଇଛନ୍ତି ଏମାନେ, ଚାରୋଟି ଆଖି ଅବନତ ହୋଇଛି । ସ୍ଵାତନ୍ତ୍ର୍ୟ ଲୋପ ପାଇଛି ରକ୍ତ ମାଂସର ଶରୀର ଚାହିଁଛି ଆଲିଙ୍ଗନ । ଦେଖାଦେଇଛି ପ୍ରଲୋଭନ । ଗୋଟିଏ କଥା କହିବାକୁ ଗଲେ ଦୁହିଁଙ୍କ ହୃଦୟରେ ସୃଷ୍ଟି ପାଇଛି ଅତୁଟ ପ୍ରେମ । ନିରୀହ ଶ୍ୱେତପଦ୍ମା ପ୍ରାଣଠୁ ବଳି ଭଲପାଇଛି ସରୋଜକୁ, ଘଡ଼ିଏ ନ ଦେଖି ବଣା ହୋଇଛି । ଭଗବାନଙ୍କ ପାଖରେ ଏ ସବୁ ଅଛପା ନାହିଁ ବିଜୟ ବାବୁ ବରଂ ବିରାଟ ଆତ୍ମାରୁ ଏ ଜଗତର ଦିଓଟି କ୍ଷୁଦ୍ର ଆତ୍ମା ପାଇଛନ୍ତି ଆଶୀର୍ବାଦ, ପ୍ରେମ ପଥରେ ଆଗେଇ ଯିବାକୁ ପ୍ରେରଣା । ଏସବୁ ସମାଜ ଆଖିରେ ଅଛପା ନାହିଁ ।

 

ସେତେବେଳକୁ ବିଜୟ ବାବୁଙ୍କର ଧୈର୍ଯ୍ୟ ନ ଥିଲା ଭିଖୁର ନିଆଁ ବାଣ ପରି କଥା ଶୁଣିବା ପାଇଁ । କିନ୍ତୁ ସେ ନାଚାର । ଗମ୍ଭୀର । ମୁକପରି ରାଗରେ ମୁହଁରୁ ଗରଳ କାଢ଼ୁଥିଲେ ।

 

ଚହଟ ଚମ୍ପା ସବୁକଥା ହୃଦୟ ପଥରକରି ଶୁଣି ଯାଉଥିଲା ।

 

ସମାଜ ରଟିଛି ଦୁର୍ନାମ, ତୁଣ୍ଡ ବାଇଦ ଏ ମୁଣ୍ଡରୁ ସେ ମୁଣ୍ଡଯାଏ ବାଜିଛି । କିନ୍ତୁ ଧୀରେ ଅତି ଧୀରେ ! ସମାଜ ଆପଣଙ୍କ ଆଗରେ ପଚାରିଲା ଆଖିରେ ଛିଡ଼ା ହୋଇଛି । ସମାଜର ସାହସ ନ ଥିଲା କି ଆଜି ପର୍ଯ୍ୟନ୍ତ ନାହିଁ, ମୁହଁ ଦି' ଚାରି ପଦ ଆପଣଙ୍କୁ ଶୁଣାଇ ଦେବ । କାରଣ ଆପଣ କ୍ରୋଡ଼ପତି,ଭୋଟ କିଣିବାର ଆପଣଙ୍କର ଶକ୍ତି ଅଛି, ଗୁଣ୍ଡା ଯୋଗାଡ଼ କରିବା ଆପଣଙ୍କ ପରି ଟଙ୍କା ତିଆରି କରିବା ମଣିଷର ପକ୍ଷରେ କିଛି ଅସମ୍ଭବ ନୁହେଁ । ସେଥିପାଇଁ ସମାଜର ତୁଣ୍ଡ ବାଇଦ ଆଉ ଉଠି ପାରିନି । ଆଜି ଯଦି ଏ ସମ୍ବନ୍ଧ ଆପଣ ଭାଙ୍ଗି ଦିଅନ୍ତି,ତା'ହେଲେ ଏ ଗରିବ ପରିବାର ଅବସ୍ଥା କ'ଣ ହେବ ଜାଣନ୍ତି ? ନିର୍ଦ୍ଧନ କାଞ୍ଚନ ଜେନାର ଅଳିଅଳ ଝିଅ ମିଃଣ୍ଡଟେକି ସମାଜ ଆଗରେ ଚାଲିପାରିବ ତ ? ଲୋକ ମୁହଁ ବନ୍ଦ କରିବାକୁ କାଞ୍ଚନ ବାବୁର ଆଉ ସେ ଟଙ୍କାର ସ୍ତୁପ ନାହିଁ, ବିଜୟ ବାବୁ । ଗୋଟିଏ ଯୁବତୀ ଝିଅର ଜୀବନ ଭବିଷ୍ୟତ ଆପଣଙ୍କ ଉପରେ ନିର୍ଭର କରେ ।

 

ମୁଁ ପୁଣି ଥରେ କହିବି, ତୁମ୍ଭେମାନେ ଏଠୁଁ ଚାଲିଯାଅ । ଶ୍ୱେତପଦ୍ମା ମୋର କେହି ନୁହେଁ-। ବିଲାତ ଫେରନ୍ତା ବାରିଷ୍ଟର ସରୋଜକୁମାର ଗରିବ ପରିବାରର ଝିଅ ସଙ୍ଗେ ଜୀବନଯାତ୍ରା କରି ପାରିବ ନାହିଁ ।

 

ଏତିକିରେ କାଞ୍ଚନ ଜେନାର ହୃଦୟରେ କ୍ରୋଧ ସଞ୍ଚାର ହେଲା । ବିଦ୍ରୋହର ବହ୍ନିରେ ଉଦ୍‍ଭାସିତ ହୋଇ ଉତ୍ତର ଦେଲେ ସେ–ବାରବୁଲା ଗାଈ ପରି ବୁଲି ବୁଲି ତେର କିଆରୀର ଘାସ ଖାଇଲା ପରି କେଉଁ ଜୀବନଟା କେତେ ସୁଆଦ ବେଶ୍‍ ବୁଝି ସାରିଲା ପରେ କେଉଁଠି ହେଲେ ଧରାଦେବାକୁ ଚାହୁଁନ ବିଜୟବାବୁ ? ଦୌଲତର ଭୋକିଲା ତୁମେ କ'ଣ ଜାଣିବ ମଣିଷର ଇଜ୍ଜ୍ଵତର ଦାମ କେତେ ? ପ୍ରେମ କ'ଣ ? ଏ ସମ୍ବନ୍ଧ ଭଁଗେଇ ମୋର ପରିବାରକୁ ମହା ସମୁଦ୍ରର ଜୁଆର ମୁହଁରେ ଭସାଇ ଦେଇଛ । ମୁଁ ଆଜି ବେଶଜାଣି ପାରିଲି, ମଣିଷର ତୁଣ୍ଡ ଯେତେ ଟାଣ, ତା’ର ଶିଙ୍ଗ ସେତେ ଟାଣ ନୁହେଁ ।

 

ମୁଁ ପୁଣି ଆଉ ଥରେ କହୁଛି–ତୁମେ ଚାଲିଯାଅ ଏ ଘରୁ । ଯିବନି ? ଦୁର୍ବଳିଆ ମେଣ୍ଡାର ଅବସ୍ଥା ବାଘ ସମ୍ମୁଖରେ କ'ଣ ହୁଏ ଜାଣିନାହଁ ବୋଧହୁଏ । କୋଟିପତି ବିଜୟ ରାଠୋରର ଘରେ ବିନା ଅନୁମତିରେ ପଶି ତାଙ୍କର ଇଜ୍ଜତ ଉପରେ ଡାକୁଗିରୀ କଲେ ଲାଭଟା କ'ଣ ହୁଏ, ଚାଖିନିଅ ଥରେ ।

 

ଏତିକି କହି ଦରୱାନକୁ କ'ଣ ହୁକୁମ ଦେଲେ । ଫୋନ ପାଖକୁ ଯାଇ ରାଗରେ ଉଚ୍ଚ ସ୍ଵରରେ ପୋଲିସ ଅଫିସରକୁ ଫୋନ କଲେ ।

 

ନିର୍ଜ୍ଜୀବ ପଥରର ମୂର୍ତ୍ତି ପରି ଛିଡ଼ା ହୋଇଛନ୍ତି କାଞ୍ଚନ ଜେନା । କୋରଡ଼–ଆଖିରୁ ବହୁଛି, ଅଜସ୍ର ଅଶ୍ରୂ ଧାର । ଭିଖୁ ରାଗରେ ଜଳିପୋଡ଼ି ଯାଉଛି । ହାତରେ ପିସ୍ତଲ ଥିଲେ ବିଜୟ ବାବୁର ଗର୍ବକୁ ଖର୍ବ କରି ଦିଅନ୍ତା ମାତ୍ର ଗୋଟିଏ ଗୁଳିରେ । ଆଖିରେ ନାହିଁ ଅଶ୍ରୁ, କେବଳ ଅଛି ବିଦ୍ରୋହର ଝଡ଼ ତୋଫାନ, ଅଗ୍ନ୍ୟାସ୍ତ୍ର–ଧ୍ଵଂସ କରିବାକୁ ।

 

ଏତିକିବେଳେ ପୋଲିସ ମଟର ଆସି ଗେଟରେ ଲାଗିଲା । ସଶସ୍ତ୍ର ପୋଲିସ ବାହିନୀ ଓହ୍ଲାଇ ଆସି ଘର ଭିତରକୁ ପଶିଗଲେ । ଇନସପେକ୍ଟର ବିଜୟବାବୁଙ୍କୁ ସଲାମ ବଜାଇଲା । ଇନସପେକ୍ଟର ଅରବିନ୍ଦ ଦାସ କାଞ୍ଚନ ଜେନା ଓ ଭିଖୁ ଉଭୟଙ୍କ ହାତରେ ହାତକଡ଼ି ପିନ୍ଧାଇ ଦେଇ କହିଲେ–ହାଉସ ଟ୍ରେସପାସ ଓ ଚୋରି କରିବାକୁ ଆସିଥିବା ମାମଲାରେ ଆପଣମାନଙ୍କୁ ଗିରଫଦାର କରାଯାଉଛି । ଆପଣଙ୍କର ପରିବାରକୁ ଅତି ଶୀଘ୍ର ଏ ଖବର ଜଣାଇ ଦିଆଯିବ ।

 

ଭିଖୁ ଓ କାଞ୍ଚନ ଜେନା ଉଭୟେ ନିର୍ବାକ, ନିସ୍ପନ୍ଦ । କେବଳ ଗୋଟିଏ ଚିନ୍ତା ନୀଳପଦ୍ମା ଓ ଶ୍ୱେତପଦ୍ମା କରିବେ କ'ଣ ?

 

ବର୍ଷ ବର୍ଷ ଧରି ନିଗୁଢ଼ ବନ୍ଧୁତାର ପ୍ରତିଦାନ ଦେବାକୁ ତୁମର ଆଉ କିଛି ମିଳିଲା ନାହିଁ ବିଜୟ ବାବୁ ? ତାଚ୍ଛଲ୍ୟତାର ସହ କହିଲେ କାଞ୍ଚନ ଜେନା ।

 

ଉଭୟେ ବସିପଡ଼ିଲେ ପୋଲିସ ଗାଡ଼ିରେ ।

 

ସେତେବେଳେ ଠନ ଠନ ହୋଇ କାନ୍ଥ ଘଣ୍ଟାରେ ବାଜିଲା ସାତ । ତର ତର ମୁରୁକି ହସି ଉପରୁ ଓହ୍ଲାଇ ଆସି କହିଲା, ଠିକ୍ ହୋଇଛି, ଚାରି ଛ’ ମାସ ଏମାନେ ମାମୁଁ ଘରେ ରହନ୍ତୁ । ଇତି ମଧ୍ୟରେ ଆମ ସରୋଜର ବିବାହ ସରି ଯାଇଥିବ । ମୁଁ ତ ସେଇଆ ଚାହୁଁଥିଲି ।

 

ମଣିଷ ଆଉ ପଶୁ ! କେଉଁଟା ବଡ଼ ? ଆଜିର ଦୁନିଆଁରେ ବୁଝିବାକୁ ଚେଷ୍ଟା କଲେ ଶୟ ବୁଝି ହୁଏନା । ପ୍ରଭେଦ ଏତିକି, ମଣିଷର ଦୁଇଟି ଗୋଡ଼, ପଶୁର ଚାରୋଟି ।

 

ସତରେ କ'ଣ ମଣିଷ ହୋଇ ବିଜୟ ବାବୁ ମଣିଷର କର୍ତ୍ତବ୍ୟ କରି ପାରିଲେ ? ଲକ୍ଷ ଲକ୍ଷ ଟଙ୍କାର ମାଲିକ ସେ । ମନ୍ତ୍ରୀଙ୍କ ସହିତ ବେଶ୍‍ ଭଲ ପଟେ । ତାଙ୍କର ପୁଣି ଅଭାବ କ’ଣ ଯେ ଟଙ୍କା ଦେଇ ଆଧୁନିକ ନ୍ୟାୟ କ୍ରୟ କରିପାରେ ।

 

ବିଜୟ ବାବୁଙ୍କର ବିନା ଅନୁମତିରେ କାଞ୍ଚନ ଜେନା ଭିଖୁ ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିବାରୁ ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଗଲା । ଆଜକୁ ପନ୍ଦର ଦିନ ହେବ ଉଭୟେ ପ୍ରେସିଡେନସିଏଲ ଜେଲ୍‍ଖାନା ଭିତରେ ଅଛନ୍ତି ।

 

କାଞ୍ଚନ ଜେନାଙ୍କୁ ଦିଶୁଛି ଅନ୍ଧାର, ଚତୁର୍ଦ୍ଦିଗ ଅନ୍ଧାର । ଦୁନିଆଁଟି ତାଙ୍କୁ ଆଖି ଆଗରେ ରହିଛି କଳା ପର୍ଦ୍ଦା ଭିତରେ । ଚାରିଆଡ଼େ ଖାଲି ବିଶ୍ୱାସଘାତକତାର ଢେଉ । ଚତୁର୍ଦ୍ଦିଗରୁ ମାଡ଼ି ଆସୁଛନ୍ତି ଟିପି ଟିପି ରାକ୍ଷସ ଗଦାଏ । ବ୍ରହ୍ମ ରାକ୍ଷସ । ବଡ଼ ବିକଟ ଚିତ୍କାର ତାଙ୍କର । ସେମାନେ ନେବେ କାଞ୍ଚନବାବୁ ଠାରୁ ପ୍ରତିଶୋଧ । କାରଣ ବାପ ହୋଇ ସେ ଝିଅ ଦୁଇଟାଙ୍କୁ ଅକାଳରେ ସମୁଦ୍ର ଅତଳ ଗର୍ଭ ଭିତରେ ଦଦରା ନାଆରେ ବସାଇ ଠେଲି ଦେଇଛନ୍ତି । ବାପ ଝିଅର ସମ୍ପର୍କ ଭଙ୍ଗେଇ ଦେଇଛନ୍ତି । ଯଦି ଶ୍ୱେତପଦ୍ମା କିଛି କରି ବସେ–ତାକୁ କ'ଣ ଆଉ ଭବିଷ୍ୟତରେ ପାଇବେ-? ଶାନ୍ତି, ତା’ର ଅଛି ସାହସ ।

 

ତାଙ୍କର ମନେ ପଡ଼ିଛି, ଶାନ୍ତି କହିଥିଲା ତାକୁ ଆଦେଶ ଦେଲେ ସେ ସମାଜ ସହିତ ଲଢ଼େଇ କରନ୍ତା । କିନ୍ତୁ ଏକ୍ଷଣି ବାପାକୁ ଛାଡ଼ି କ'ଣ ତା’ର ପଞ୍ଜରା ହାଡ଼ ଭାଙ୍ଗିଯାଇ ନ ଥିବ । ସେହି ଟେକି ରଖି ସତରେ କ'ଣ ସେ ରହିଥିବ । ସତରେ କ'ଣ ଚୁଲିରେ ନିଆଁ ଲାଗୁଥିବ ? ଉଭୟଙ୍କର ପେଟରେ ଦାନା ପଡ଼ୁଥିବଟି ? କାହାକୁ ପଚାରିବେ ? କିପରି କ'ଣ କରିବେ । ଏହିପରି ବାର ଚାଉଳିଆ ଭାବନା ସର୍ବଦା କାଞ୍ଚନ ଜେନାର ମୁଣ୍ଡକୁ ଭାରାକ୍ରାନ୍ତ କରି ରଖିଛି ।

 

କାଞ୍ଚନ ଜେନା ଚୋର । ତାଙ୍କର ଚାକର ଭିଖୁ ମଧ୍ୟ ଚୋର । ଏ କଥା ଆଉ କାହାକୁ ଅଛପା ନାହିଁ । ତୁଣ୍ଡ ବାଇଦ କୁମ୍ଭାର ଚକ ପରି ଘୂରି ଯାଇଛି ଏ ମୁହଁକୁ ସେ ମୁହଁକୁ । ସମସ୍ତଙ୍କ ମୁହଁରେ ଛି ଛାକର । ଯେ ଭଲଭାବରେ ଜାଣିଛି କାଞ୍ଚନ ଓ ଭିଖୁର ଚରିତ୍ର ମନରେ ତା’ର ଜାଗିଛି ସନ୍ଦେହ । ସ୍ନେହ ସହାନୁଭୂତିରେ ତା’ର ପେଟ ଭରି ଉଠିଛି । ବାହାରି ପଡୁଛି ତା' ମୁହଁରୁ ଆହା ବୋଲି ଦି’ପଦ କଥା ।

 

ବିଜୟ ବାବୁ । ତାଙ୍କୁ ଲାଜ ସରମ କିଛି ନାହିଁ । ସେ ମଣିଷ ନୁହନ୍ତି । ମଣିଷ ଖୋଳ ପିନ୍ଧା ପଶୁ । ବାପ ଝିଅଙ୍କୁ ଅଲଗା କରି ସରଗର ସୁଖ ପାଇଛନ୍ତି । ଭଗବାନ ଅଛନ୍ତି । ଉପରେ ଥାଇ ତାଙ୍କର ଲମ୍ବା ଖାତାରେ ସବୁ ଟିପି ରଖୁଛନ୍ତି । ମଣିଷ ବଞ୍ଚିଥିବା କାଳ ଭିତରେ ମଧ୍ୟ ତା’ର ପାପ କର୍ମର ଫଳ ଭୋଗେ ।

 

ଏକ ମାସ ବିତି ଯାଇଛି । ପୂର୍ଣ୍ଣ ଯୌବନର ସାଥୀ ନୀଳା ଓ ଶ୍ୱେତପଦ୍ମାର ସାହା ଭରସା କେହି ନାହିଁ । ଦୁନିଆର ସହସ୍ର ଦାଉ ଦାଉ ଜଳିଲା ଆଖି ପଡ଼ିଛି ତାଙ୍କରି ଉପରେ । କିନ୍ତୁ ସେମାନଙ୍କର ଭରସା ଗରିବର ଭଗବାନ । ଭଗବାନଙ୍କର ସହସ୍ର ବାହୁ ତଳେ ସେମାନେ ପାଇଛନ୍ତି ଆଶ୍ରା । ଭିଖୁ ଜେଲ ଯିବା କଥା ଶୁଣି ଗାଁରୁ ଚାଲି ଆସିଛି ତା’ର ସ୍ତ୍ରୀ । ଏ ପରିବାର ତାକୁ ନୂଆ ନୁହେଁ । ଆଗରୁ ପରିଚିତା ସେ ।

 

ଶ୍ୱେତପଦ୍ମାର ପିଣ୍ଡରେ ପ୍ରାଣ ନାହିଁ ଯେପରି । ସମାଜ ବିରୁଦ୍ଧରେ ନିଶ୍ୱାସ ମାରିବାକୁ ସାହସ ନାହିଁ ତା’ର ଛାତି ଭିତରେ । ଲୋତକ ହୋଇଛି ତା’ର ସାଥୀ, ଚିନ୍ତା ହୋଇଛି ତା’ର ସଖୀ ! ମୁକୁଳିତ କେଶ ରାଜି ସଜେଇ ଦେଇଛି ତାକୁ ବିରହିଣୀ ବେଶରେ । ଅନେକଥର ନୀଳା କହିଛି ଏପରି ଭାଙ୍ଗି ପଡ଼ିଲେ ଚଳିବ କିପରି ? ଏ ଦୁଃଖର ଭାରା ସହିବାକୁ ପଡ଼ିବ । ମୁଣ୍ଡ ଟେକି ମନକୁ ଉଚ୍ଚାଟ କରିବାକୁ ହେବ । ମନରେ ଉନ୍ମାଦନା ଆଣିବାକୁ ପଡ଼ିବ । କିନ୍ତୁ ଶ୍ୱେତପଦ୍ମାର ମନ ଟାଣ ହୋଇନି, ଆହୁରି ଭାଙ୍ଗିଯାଇଛି । ମୁହଁରେ ଆଲୁଅ ନାହିଁ । ଆଖିର ଲୁହ ତା’ର ଧୈର୍ଯ୍ୟ ମାରିଛି । ଭାବିଛି ଯାହା କିଛି ତା’ର ଥିଲା ସବୁ ପୋଡ଼ି ଜାଳି ଅଙ୍ଗାର ହୋଇଛି ।

 

ରାତି ଆସେ । ଶ୍ୱେତକୁ ଯେପରି ତା’ର ବୁଢ଼ା ବାପ ଆଦେଶ ଦିଏ, ମା’ ଶ୍ଵେତ ରାତି ହେଲାଣି, ଶୋଇପଡ଼ । ତା’ପରେ ନୀଳା ନିଭାଏ ଆଲୁଅ । ଆସ୍ତେ ଆସ୍ତେ ଖଟ ପାଖକୁ ଯାଏ । ଥରେ ଖାଲି ପଲଙ୍କ ଉପରେ ଆଖି ଫେରେଇ ନିଏ । ବାପା ନାହାନ୍ତି । ନିଜ ଖଟ ଉପରେ ବସି ପଡ଼େ । ସାରା ଶରୀର ଥରି ଉଠେ କ୍ଷଣିକ ପାଇଁ । ଭାବେ ଆଉ ମୋର କେହି ନାହିଁ । ମୋରି ପାଇଁ ନିର୍ଦ୍ଦୋଷ ବାପା ହେଲେ କାରାବାସୀ, ଆଉ ଯା'ପାଇଁ ମୁଁ ଏ ପୋଡ଼ା ପ୍ରାଣକୁ ଧରି ଏବେ ମଧ୍ୟ ବଞ୍ଚିଛି, ସେ ସାତ ସମୁଦ୍ରର ତେର ନଈର ଆର ପାରିରେ ଲଣ୍ଡନ । କ’ଣ ନିଜର ଜନ୍ମ କଲା ବାପର କଥାକୁ ଏଡ଼ି ଦେଇ ମୋତେ ସେ ଗ୍ରହଣ କରି ପାରିବେ ? କ’ଣ ମୁଁ ତାଙ୍କର ଜୀବନର ସାଥୀ ହୋଇ ପାରିବି ? ତା’ପରେ ସେ ବିଛଣାରେ ଶୋଇବାକୁ ଚେଷ୍ଟା କରେ । ଯେତେ ଚେଷ୍ଟା କଲେ ମଧ୍ୟ ଶାନ୍ତିରେ ଟିକିଏ ହେଲେ ଶୋଇ ପାରେନା । ଲୋତକରେ ବିଛଣା ତିନ୍ତିଯାଏ ।

 

ରାତି ଦଶଟା । ଶୋଇବାକୁ ଇଚ୍ଛା ହେଲା ନାହିଁ । ଚିନ୍ତାର ଭାର ଶ୍ୱେତର ଦେହକୁ ଟାଣି ଓଟାରି ପକାଉଛି । ଯେତେ ଚେଷ୍ଟା କଲେ ମଧ୍ୟ ନିଦ୍ରାଦେବୀଙ୍କର ଅନୁଗ୍ରହ ହେଲା ନାହିଁ । ନିଶା ଗର୍ଜ୍ଜୁଛି । ବହୁତ ରାତି ହେଲାଣି । ଅନେକ ଦିନ ହେଲା ଶ୍ଵେତାକୁ ବିକଟ କାଶ ହେଉଛି, ବଡ଼ ବିକଟ କାଶ । ସେ ବହୁତ ଥର ଚେଷ୍ଟା କରିଛି ଏହାକୁ ନୀଳା ଠାରୁ ଅଛପା ରଖିବା ପାଇଁ । ଅଛପା ରହୁନି-। ଅନେକ ପ୍ରକାର ଔଷଧର ଆଶ୍ରା ନେଲାଣି । ଔଷଧ ଦେହକୁ ଖଟୁ ନାହିଁ ।

 

ନୀଳା ଶୋଇଛି ପାଖରେ । ହଲଚଲ ନାହିଁ । ଦିନସାରା କାମ କରି କ୍ଳାନ୍ତ ହୋଇ ପଡ଼େ-। ସେଥିପାଇଁ ଖଟରେ ପଡ଼ିଲା ମାତ୍ରକେ ତା’ର ଆଖିପତାରୁ ଝରେ ନିଦ ।

 

ଶ୍ୱେତ ଖଟ ଉପରେ ଶୋଇ କ'ଣ ଭାବୁଥିଲା । ଏତେ ରାତି ହେଲାଣି ତଥାପି ତା’ର ଆଖିରେ ନିଦ ନାହିଁ । ବାହାରେ ପଡ଼ିଛି ଜହ୍ନ ଆଲୁଅ, ଝରକା ଫାଙ୍କରେ ଦିଶୁଛି । ଶ୍ୱେତ ପାଦ ଟିପି ଟିପି ଆସିଲା ଝରକା ପାଖକୁ । ସମ୍ପୂର୍ଣ୍ଣରୂପେ ଝରକାର କବାଟ ଖୋଲିଦେଲା ।

 

ଶବଦରେ ନୀଳାର ନିଦ ଭାଙ୍ଗିଲା । ଚାହିଁ ଦେଖିଲା, ଶ୍ୱେତ ବସିଛି ଝରକାରେ ଆଉଜାଇ ହୋଇ । ଡାକିଲା, ଶ୍ୱେତ ଗରମ ଜଣାପଡ଼ୁଛି କି ? ହଁ ଥଣ୍ଡା ପବନ ଟିକିଏ ଖାଇବା ପାଇଁ ଏଠି ବସିଛି । ବାହାରଟା ଭାରି ଭଲ ଲାଗୁଛି । ଦେଖୁନୁ କେଡ଼େ ସୁନ୍ଦର ଦିଶୁଛି ।

 

ନୀଳାର ଖଟ ପାଖରେ ଶୋଇଛି ଶାରଦା ଚାକରାଣୀ । ଘୁଙ୍ଗୁଡ଼ି ମାରୁଛି ଖୁବ ଜୋରରେ-। ସେ'ଟା ତା’ର ପ୍ରକୃତି ।

 

ଶ୍ୱେତ ଝରକାରେ ଆଉଜି ହୋଇ ବସିଛି । ତା’ର ଦେହରେ ନାହିଁ ଜୀବନ । କାଶ ହେଉଛି । ଏହା ତା’ର ମନକୁ ବିଚଳିତ କରି ପକାଇଛି ତା’ ଦେହ ଆଜିକାଲି ଖୁବ୍‍ ଝଡ଼ି ଯାଇଛି ।

 

ଚିନ୍ତା କରି ମଣିଷ ରାତିକରେ ବୁଢ଼ା ହୁଏ । ଦେହ ଝଡ଼ିବା କିଛି ଆଶ୍ଚର୍ଯ୍ୟ ନୁହେଁ ।

 

ଥାନା ଘଣ୍ଟାରେ ବାଜିଲା ଦଶଟା ତିରିଶ । ଦିନର କୋଳାହଳ ବନ୍ଦ ହୋଇଯାଇଛି ପ୍ରାୟ-। ଏଠି ସେଠି ଗୋଟାଏ ଦି’ଟା ପ୍ରାଣୀର ଉପସ୍ଥିତି ଜଣାପଡ଼ୁଛି ।

 

ଶ୍ୱେତପଦ୍ମା ବସିଛି ଝରକା ପାଖରେ ଅନ୍ୟମନସ୍କ ହୋଇ । ଭାବୁଛି ଅତୀତ ଜୀବନର ଇତିହାସ । ମୁଣ୍ଡକୁ କେତେ ଚିନ୍ତା ଛୁଇଁଲା ସେତେବେଳେ ମୋତେ ସାତ ବରଷ ହେବ । ସରୋଜ ଦଶ ବର୍ଷରୁ ଟପି ଯାଇଥିଲେ । ମୋର ଗୋରା ତକତକ ଚାନ୍ଦ ପରି ମୁହଁ ଆଉ ବଦନ ଦେଖି ଚାଲିଯାଉଥିବା ଲୋକର ପେଟ ପୂରିଯାଉଥିଲା । ଆହୁରି ଥରେ ଦେଖିବାକୁ ଇଚ୍ଛା କରୁଥିଲା ତା’ର ମନ । ସେଦିନଠୁଁ ବହୁ ଧନବାନ ବ୍ୟକ୍ତିମାନେ ବାପାଙ୍କ ଆଗରେ ମୋର ବିବାହ ପ୍ରସ୍ତାବ ସ୍ଥିର କରିବାପାଇଁ ଆସିଥିଲେ । କିନ୍ତୁ ବାପାଙ୍କର ମତ ଭିନ୍ନ ଥିଲା ।

 

ସରୋଜ ଆଉ ମୁଁ । ଏକାଠି ଖାଉଁ । ଏକାଠି ଶୋଉଁ । ଗେହ୍ଲେଇ ଗେହ୍ଲେଇ ହୋଇ ଏକାଠି ପାଠ ପଢ଼ିବାକୁ ଯାଉଁ । ସରୋଜ ମୋତେ ସ୍ନେହରେ ଆଦରରେ ତା’ର କୋଳକୁ ଟାଣିନିଏ-। ମୁଁ ମଧ୍ୟ ତା’ର ଜାମାର ବଟନ ଲଗାଇ ଦିଏଁ । ସେତେବେଳେ ହୃଦୟରେ ନଥିଲା ଭୟ ନଥିଲା ଲାଜ । ତା’ଠୁଁ ମୁଁ ଦୂରକୁ କେବେହେଲେ ଘୁଞ୍ଚି ନଥିଲି ।

 

ସମୟ ବଦଳି ଗଲା ।

 

ତା’ପରେ ଉଭୟେ ପଦାର୍ପଣ କଲୁଁ ଯୌବନରେ । ଦେହରେ ଗୋଟିଏ ପ୍ରକାର ରଙ୍ଗ ଚଢ଼ିଲା । ଅଜଣା ଶକ୍ତିର ପରଶ ଅନୁଭବ କଲି । ଦେହରେ ପ୍ରତିରୋମ ଟାଙ୍କୁରି ଉଠିଲା କ୍ଷଣିକ ପାଇଁ । ଭାବିଲି, ଏହା ତ ଗତ ଜୀବନରେ କେବେହେଲେ ଅନୁଭବ କରି ନଥିଲି । ପୁଣି ସରୋଜ ପ୍ରତି ମୋର ଆଚାର, ବିଚାର, ବ୍ୟବହାର, ଚାଲିଚଳନ ଆସ୍ତେ ଆସ୍ତେ ନୂତନ ରୂପ ଧାରଣା କଲା । ହେଲେ ସେତେବେଳେ ଜାଣିପାରି ନଥିଲି କାହିଁକି ସେ' ନୂତନ ଜୀବନର ନୂତନ ଅନୁଭୂତି ତାଙ୍କୁ କହିବାକୁ ସାହସ କରି ନଥିଲି । ଯଦିଓ ତାଙ୍କରି ଆଡ଼କୁ ମନ ମୋର ଟାଣି ହେଉଥିଲା ।

 

ଦିନପରେ ଦିନ ଗଡ଼ି ଚାଲିଲା । ଉଭୟର ମନ ଚାହିଁଲା ଆନନ୍ଦ ହୃଦୟ ଚାହିଁଲା ମିଳନ-। ପାଗଳିଆ ମନ ଚାହିଁଲା କେତେ କ'ଣ–କେତେ ସୁନେଲି ସ୍ଵପ୍ନ ଦେଖି ଦେଖି ବହୁ ଯାମିନୀ ଅନିଦ୍ରାରେ କାଟିବାକୁ ଲାଗିଲା । ସରୋଜ ଆସନ୍ତି, କିଛି ପଚାରିବି ବୋଲି ଭାବେ, କିଛି ପଚାରି ପାରେନା । ଦେହରେ ଆସେ ଉତ୍ତେଜନା । ଭାବେଁ ଏଠି କେହି ନାହାନ୍ତି, କେବଳ ପୁଷ୍ପସମ୍ଭାର, ତାଙ୍କ ଛାତିରେ ଢାଳିଯିବି । ଛାଡ଼ି ଦେବି ନାହିଁ । ପଚାରିବି ଜବାବ ମାଗିବି । କିନ୍ତୁ ସେ ଯେତେବେଳେ ଆଖି ଆଗରେ ଦେବତା ପରି ଛିଡ଼ା ହୋଇଯାନ୍ତି, ଆଉ ତୁଣ୍ଡ ଫିଟେ ନାହିଁ ମୋର, ମୁହଁ ତଳକୁ କରେ । ଛାତିରୁ ଲୁଗା ଖସେ । ପୁଣି ସଜାଡ଼ି ଦିଏ । ଆଉ କହିପାରେନି ତୁମେ ମୋର–ତୁମେ ମୋର ।

 

ଏହିପରି ଅନେକ ଦିନ ବିତିଗଲା–

 

ଦିନକର କଥା । ପୁଷ୍ପୋଦ୍ୟାନ, ପାଖରେ କେହି ନଥିଲେ । ରାତି ଆଠଟା । ଗୋଟିଏ ନୂଆ କଥା ଘଟିଲା ପ୍ରଥମ ଥରକ ପାଇଁ । ସେଦିନ ମୋର ଦେହର ମନର ଗର୍ବ ଭାଙ୍ଗିଗଲା । ଚାହିଁଲି ସେଦିନ ପୁରୁଷ ଦେହର ଯୁବକ ପରଶ । ତାଙ୍କର ଓ ମୋର କଥାବାର୍ତ୍ତାର ଅନ୍ତରାଳ ଭିତରେ ଥିଲା ଯୌନ–ଆକର୍ଷଣର ଉତ୍ତେଜନା । ଛାତି ଉପରକୁ ସରୋଜର ନଇଁ ପଡ଼ିଥିଲି । ପ୍ରାଣ ଦୋହଲି ଉଠିଥିଲା । ଛତିରେ ବିଦ୍ୟୁତ ପ୍ରବାହିତ ହୋଇଥିଲା । ମୁହଁଟି ମୋର ଅଜଣା ସୁଖରେ ଓ ଆଖି ଦି’ଟା ଅଜଣା ଆନନ୍ଦର ଲୁହରେ ଭରିଉଠିଥିଲା । ମନ ଚାହିଁଲା, ତାଙ୍କ ଛାତିରେ ମୁହଁ ଲୁଚାଇଥିଲି ।

 

ତା’ପରେ ପ୍ରାଣ ଯାହାକୁ ଚାହିଁଥିଲା, ଆଖି ଯାହାକୁ ଚିହ୍ନି ଥିଲା, ଆତ୍ମା ମୋର ଯା' ସହିତ ମିଶିଯାଇଥିଲା, କ୍ରମେ ସେ ହେଲେ ମୋର ଉପାସନାର ମଣିଷ ।

 

ତା’ପରେ ସରୋଜକୁ ବାରବାର ଦେଖିବାକୁ ମନ ଦଉଡ଼ି ବୁଲିଲା । ହେଲେ ଶଙ୍କା ବୋଧ କଲି । ସେ ମଧ୍ୟ କ’ଣ ହେଲା ଯେ ଆମ ଘର ଆଡ଼କୁ ଆସିଲେ ନାହିଁ । ଦୁଃଖ କରି ସେ ଚିଠି ଲେଖିଲେ । ତାଙ୍କର ଦୁଃଖରେ ନରମି ଆସିଲା ମୋ ମନ । ଭାବିଲି, ଯା' କୁ ଜୀବନରେ ପ୍ରାଣଠୁଁ ବଳି ଭଲ ପାଇଛି, ତାଙ୍କୁ ଦେଖା ନଦେଇ, ଝୁରି ମରିବା ନିଜର ପାଗଳାମୀ ଛଡ଼ା କିଛି ନୁହେଁ । ସେହି ଦେହ, ସେହି ମୋହିନୀ ରୂପ ସର୍ବଦା ଆଖି ଆଗରେ ଛଳ ଛଳ ନାଚିବାକୁ ଲାଗିଲା । ଏମିତି କେଇଦିନ ଗଲା ବିତି । ତା’ପରେ ଉଭୟେ ବିଶ୍ଵସଷ୍ଟାର କଳାକାର ରୂପେ ଆରମ୍ଭ କଲୁଁ ମିଳନ ଓ ଛନ୍ଦର ରଚନା । ଦିନ ଦିନ ଧରି ତାଙ୍କର ପ୍ରେମର ଝର ଖେଳେଇ ଦେଇଛି ମୋର ହୃଦୟରେ ସ୍ପନ୍ଦନ । ପ୍ରେମ ଓ ସହାନୁଭୂତିରେ ପେଟ ପୂରିଗଲା । ମନର ନିଆଁ ଦ୍ରବୀଭୂତ ହେଲା । ବୁଝିଲି ବାହ୍ୟିକ ପ୍ରେମଠାରୁ ଦୂରରେ ଥାଇ ମଧ୍ୟ ମିଳନର ଛନ୍ଦ ଭିତରେ ନାରୀ କି ସ୍ଵର୍ଗସୁଧା ପାନକରି ନ ପାରେ ।

 

ପରଦିନଠାରୁ ଜାଣିଲି ସ୍ୱାମୀ କି ପଦାର୍ଥ । ତା’ର ଅର୍ଦ୍ଧାଙ୍ଗିନୀକୁ ସେ କ'ଣ ଅର୍ପଣ କରି ନ ପାରେ । ସବୁ କିଛି । ସ୍ତ୍ରୀ ପାଖରେ ସ୍ୱାମୀର ମୂଲ୍ୟ ଅତୁଳନୀୟ । ପତି ଦିଏ ସ୍ତ୍ରୀକୁ ପ୍ରେମ ପୂରା ହୃଦୟ, ଦୟା, ମାୟା, ଆଉ ବଞ୍ଚିବାକୁ ପ୍ରେରଣା । ସମବେଦନା,ସମଦୁଃଖ ଦୁଇଟି ମନର ମିଳନରେ ହିଁ ସମ୍ଭବ ହୋଇଥାଏ । ଏହି ସମ୍ବନ୍ଧର ସୀମା ସଂକୀର୍ଣ୍ଣ ନୁହେଁ, ବହୁଦୂରକୁ ଲମ୍ବି ଯାଇଛି । ଏହି ଭାବନା ମୋତେ ଶାନ୍ତି ଓ ସନ୍ତୋଷ ପ୍ରଦାନ କଲା । ଦେଲା ନିଜ କର୍ତ୍ତବ୍ୟରେ ଆଗେଇ ଯିବାକୁ ପ୍ରେରଣା, ବୁଦ୍ଧିବିବେକ । ତାଙ୍କୁ ନ ଦେଖିଲେ ଦେହରେ ଆରମ୍ଭ ହୁଏ ଜଳିବାକୁ, ମିଳନ–ଆଗ୍ରହର ହୁତାଶ । କାଉଁରୀ ପରଶର ମୋହ ଉଭୟଙ୍କୁ ଏକାଠି ଟାଣି ଆଣିଲା । ନିର୍ଜନ ଘରେ, ନିରୋଳା ବଗିଚାରେ ତାଙ୍କର ଛାତି ଉପରକୁ ଆଉଜି ହୋଇ ମୁଣ୍ଡ ରଖିଥିଲି ।

 

ଏହା ଉଭୟ ପରିବାରକୁ ଅଛପା ରହିଲା ନାହିଁ । ବାବା ମୋର ମୋତେ ଏ ବାଟରୁ ଅଲଗା କରିବାକୁ ଚେଷ୍ଟା କରିଥାନ୍ତେ ବା ସେହି ସମୟରେ ଦୁହିଁଙ୍କର ବିବାହ ଲଗ୍ନ ଠିକ୍ କରିଥାନ୍ତେ କିନ୍ତୁ ବିଜୟ କାକା ତାଙ୍କୁ ବାଧା ଦେଇ କହିଲେ, ତାଙ୍କ ଦୁହିଁଙ୍କର ମନରେ ବିଷାଦ ଜାତ କରେଇବା ପ୍ରୟୋଜନ ନାହିଁ । କାରଣ ସେ ଚାହିଁଥିଲେ ଆମ ଦୁହିଁଙ୍କର ମିଳାପ ଓ ମିଳନ । ସେ ସେତେବେଳେ ଭଲଭାବେ ହୃଦୟଙ୍ଗମ କରିଥିଲେ ଆମେ ଦୁହେଁ ଭାବି ସ୍ୱାମୀ ଓ ସ୍ତ୍ରୀ ।

 

ଆଶ୍ଚର୍ଯ୍ୟର କଥା, ପବନ ପରି ସମାଜର କୋଣେ କୋଣେ, ଆମ ବିରୁଦ୍ଧରେ ତୁଣ୍ଡବାଇଦର ଝଞ୍ଜା ବୋହିଗଲା । ଲୋକେ କହିଲେ ଏହା ଅନ୍ୟାୟ, ଅନାଚାର ହିନ୍ଦୁ ଘର ଝିଅ ବୋହୂ ବାହାରେ ଯାଇ ନାଚିବେ–କେଉଁ ବେଦରେ ଲେଖା ଅଛି ।

 

ମୁଁ ଦୁଃଖରେ ବୁଡ଼ିଗଲି । ଲାଜ ସଙ୍କୋଚରେ ଦେହ ଦେଖାଇବାକୁ ଇଚ୍ଛା ହେଲା ନାହିଁ । ପାଞ୍ଚମନ ପଚିଶ ପ୍ରକୃତି । ମାନୁଆଁ କହିଲା,ଏହା ଘୋର ଅପରାଧ । ଆଧୁନିକ ଛାଞ୍ଚରେ ପଢ଼ା ଝିଅ କ'ଣ ଆମର ନାହିଁ ? ଆମେ କ'ଣ ତା’ର ସ୍ୱାମୀ ଠିକ୍ କରିନୁ ? ହେଲେ ସେ କାହିଁ ଏପରି ଚଣ୍ଡିଚାମଣ୍ଡା ବାରବୁଲା ଜାତିର ଝିଅ ପରି ଏଠି ସେଠି ବୁଲୁନି ତ । ସେ ତ ପୁଣି ଗୋଡ଼ ଟିପି ଭବିଷ୍ୟତ ପାଇଁ ସାବଧାନ ହୋଇ ଚାଲୁଛି । ଭାବି ସ୍ୱାମୀ ସହିତ ସିନେମା ନାଟତାମସା କାହିଁ ଦେଖି ଯାଉନି ତ? ଏକମାତ୍ର କାଞ୍ଚନ କ'ଣ ଝିଅ ଜନ୍ମ କରିଛି ? କେବଳ କ'ଣ ଦୁନିଆଁରେ ବିଜୟ ବାବୁର ପୁଅ ଅଛି ? ଦିନେ ସିନା ଅସାବଧାନତାରେ ଗୋଡ଼ ଖସି ଯାଏ, ମାସ ମାସ ଧରି ଏପରି ହେବାଟା ସାମାଜିକ ଆଉ ସାଂସ୍କୃତିକ ନୀତି ନିୟମ ଲଙ୍ଘନ କରିବା ନୁହେଁ ତ ଆଉ କ'ଣ ? ଏହାଠାରୁ ବଳି ବଡ଼ ଅପାପ କ'ଣ ଥାଇପାରେ ଏହାର କ'ଣ ପ୍ରାୟଶ୍ଚିତ ଅଛି ? ଏହିସବୁ ଅର୍ଥହୀନ ଲୋକବାଣୀ କ୍ଷଣିକ ପାଇଁ ବାପାଙ୍କର ହୃଦୟରେ ଭାବାନ୍ତର ଆଣି ଦେଇଥିଲା, ତାଙ୍କୁ ବହୁତ ବାଧିଲା । ଛାତିରେ ଛୁରୀ ମାରିଲା ପରି କଥା ଶୁଣି ସେ ମୋତେ ବାରଣ କରି ନ ଥିଲେ । କାରଣ ମା’ ମଲାପରେ ଆମ୍ଭମାନଙ୍କୁ ସୁଖୀ ହେବାପାଇଁ, ମୁହଁରେ ହସର ଆଲୋଡ଼ନ ଦେଖିବାପାଇଁ ସେ ପ୍ରାଣପଣେ ଚେଷ୍ଟା କରୁଥିଲେ ।

 

ସମାଜର ଆଖି ଓ ମୁହଁକୁ ଖାତିର ନ କରି ସରୋଜ ଓ ମୁଁ ସ୍ଵ ପଥରେ ଅଗ୍ରସର ହେଲୁ । ମୁଁ ସମାଜକୁ କାହିଁକି ଡରନ୍ତି–ଯାହାକୁ ଜୀବନର ସର୍ବସ୍ଵ କରି ଗ୍ରହଣ କରିଛି ତାଠୁଁ ଦୁରେଇ ହୋଇ ରହିବାକୁ ପସନ୍ଦ କଲି ନାହିଁ ।

 

ଦେଖୁ ଦେଖୁ ସୁଖର ଦିନ ଗୁଡ଼ାକ ସମୟରେ ଗର୍ଭ ଭିତରେ ଲୀନ ହୋଇଗଲା ।

 

ସରୋଜର ଉଚ୍ଚଶିକ୍ଷା ପାଇଁ ବିଲାତ ଯିବାର ଯଥା ସମୟ ଆସି ପହୁଞ୍ଚିଲା । ସେତବେଳ ପର୍ଯ୍ୟନ୍ତ ମୁଁ ଜାଣି ନ ଥିଲି ଦୁଃଖ ଓ ବିଚ୍ଛେଦର ଦାରୁଣ କଷାଘାତଟି କ'ଣ ?

 

ସେଦିନ ବିରହର ତାନ ମୋର ହୃଦୟ–ତନ୍ତ୍ରୀର ମର୍ମେ ମର୍ମେ ଚିତ୍କାର କରିବାକୁ ଲାଗିଲା । ଏ ଦେହ ଧରି ସରୋଜ ବିନା ମୁଁ କିପରି ବଞ୍ଚିବି ବର୍ଷ ବର୍ଷ ଧରି । ଯା'କୁ ଦଣ୍ଡେ ନ ଦେଖିଲେ ବରଷେ ନ ଦେଖିଲା ପରି ଲାଗେ ତାଙ୍କୁ ଛାଡ଼ି ଏ ହୀନ କୋମଳ ପ୍ରାଣ ବଞ୍ଚିବ କିପରି ?

 

ବିଦାୟ ସମୟ ଆସି ଉପସ୍ଥିତ ହେଲା ।

 

ଏହାହିଁ ଶେଷ ଦେଖା । ଶେଷ ମିଳନ । ଶେଷ ପରଶ । ସରୋଜ ଆସିଲେ ମୋ ପାଖକୁ ବିଦାୟ ନେବାକୁ ସେତେବେଳେ ହୃଦୟ ଫାଟି ଦୁଃଖରେ ଦି' ଫାଳ ହୋଇ ଯାଉଥାଏ । ଆଖିରୁ ଗଡ଼ୁଥାଏ ଅଶ୍ରୁର ଝର । ପାଖରେ କେହି ନ ଥାନ୍ତି । ଆଖି ଛଳ ଛଳ କରି ଘର ଭିତରକୁ ପଶି ଆସିଲେ । ମୁଁ ଜାଣେନା । ଥରିଲା ହାତରେ ମୋ ମୁଣ୍ଡକୁ ଟେକି ଚକ୍ଷୁରୁ ଗଡ଼ୁଥିବା ପାଣି ଧାରାକୁ ନିଜ ରୁମାଲରେ ପୋଛି ଦେଲେ । ଛାତିରେ ଛାତିକୁ ଭିଡ଼ି ଦେଇ, କପାଳରେ ଚୁମ୍ବନଟିଏ ଦେଇ ଥରିଲା ଗଳାରେ କହିଲେ, ବିଲାତ ଯିବାର ଇଚ୍ଛା ମୋର ନାହିଁ । ଜବରଦସ୍ତ ଯାଉଛି । ପାସପୋର୍ଟ ନ ଆଣିବାକୁ ବାପାଙ୍କୁ ବହୁତ କହିଲି କିନ୍ତୁ...କହି ବାହୁ ବନ୍ଧନରେ ମୋର ଅଙ୍ଗଲତାକୁ ଆହୁରି ଭିଡ଼ିନେଲେ ।

 

ହୃଦୟରେ ଦମ୍ଭ ରଖିଲି । ଭାବିଲି ବିଦାୟବେଳେ ଆଖିରୁ ଅଶ୍ରୁ ଗଡ଼ାଇବା ଭଲ ନୁହେଁ । କହିଲି, ଛି ସରୋଜ ! ପିଲାଟି ପରି ତୁମେ କାନ୍ଦୁଛ । ମୁଁ କିଛି ହେବି ନାହିଁ । ତୁମେ ନ ଆସିବା ପର୍ଯ୍ୟନ୍ତ ମୁଁ ମରିବି ନାହିଁ । କେବଳ ମୋର ଏତିକି ଚିନ୍ତା ତୁମେ ମୋଠୁଁ ଅନ୍ତର ହେଲେ ମୁଁ ବଞ୍ଚିବି କିପରି ? ହେଲେ ମରିବା ପରିକି ବଞ୍ଚି ରହିବି କେବଳ ତୁମରି ପାଇଁ । ତୁମେ ଯେ ମୋର ସବୁ । କହି ତାଙ୍କର ହାତମୁଠାକୁ ଜୋର କରି ଧରି ପକାଇଲି ।

 

ତାଙ୍କର ଦୁଇଆଖିରେ ଆଶା ଓ ନିରାଶା, ପ୍ରେମ ଓ ସହାନୁଭୂତି ଭରି ରହିଥିଲା । ତାଙ୍କର ଅନ୍ତରର ଅନ୍ତରାଳରେ ରହିଥିଲା ମୋ ପାଇଁ ଏକ ପବିତ୍ର ସ୍ଥାନ–ପତିର ହୃଦୟରେ ସ୍ତ୍ରୀର ସ୍ଥାନ ଯେପରି ।

 

ତାଙ୍କର ମୁହଁକୁ ଅନାଇ ରହିପାରିଲି ନାହିଁ । ଲୁହ ଢୋକି ପୁଣି ତାଙ୍କ ଛାତିରେ ନଇଁ ପଡ଼ିଲି । କ୍ଷଣିକ ପାଇଁ ଭୁଲିଗଲି ନିଜକୁ–ପରିସ୍ଥିତିକୁ । ସେତେବେଳେ ବାହାରେ ଡାକ ଶୁଭିଲା–ବାବୁ, ଗାଡ଼ିବେଳ ଉଛୁର ହେଉଛି ।

 

ତଥାପି ସେ ମୋର ହାତ ଛାଡ଼ିଲେ ନାହିଁ । ତାଙ୍କ ଆଡ଼କୁ ଅନାଇଲି ଓ ହାତକୁ ବଢ଼ାଇଦେଲି ହାତୀଦାନ୍ତର ପ୍ରେମର ସ୍ମାରକୀ ତାଜମହଲ । ତାଙ୍କର ଯିବାବାଟକୁ ଅନାଇଥିଲି ଯେତେବେଳ ପର୍ଯ୍ୟନ୍ତ ସେ ମୋର ଆଖି ଆଗରୁ ଦୂରହୋଇ ନଥିଲେ । ।

 

ଠନ୍‍ ଠନ୍‍ ହୋଇ ଥାନା ଘଣ୍ଟାରେ ବାଜିଲା ବାରଟା । ଶାନ୍ତି ଓ ଶାରଦା ସେପରି ଶୋଇଛନ୍ତି । ଶ୍ୱେତ ଫେରିଲା ତା’ର ଅତୀତରୁ ବର୍ତ୍ତମାନକୁ । ଅତୀତକୁ ସେ ବହୁତ ଭଲପାଏ–ତା’ ଆଖିର ଦି’ଟୋପା ଲୁହ ଏହାର ସାକ୍ଷୀ । କବାଟ ବନ୍ଦ କରି ନିଜ ଖଟ ପାଖକୁ ଆସିଲା ।

 

ଦମକାଏ କାଶ ଆସି ତା’ ପଞ୍ଜରା ହାଡ଼କୁ ଥରାଇ ଦେଇଗଲା ।

 

ଗତ କେତେଦିନ ଭିତରେ ଶ୍ୱେତପଦ୍ମା ଶୁଖି କଳାକାଠ ହାଇଗଲାଣି । ତା’ର ଦେହ ଅନେକ ପରିମାଣରେ ଅସୁଖ ହୋଇ ପଡ଼ିଛି । କାଶ କାଶରେ ଦେହ ସଳିତା ପରି ହୋଇଗଲାଣି । କି ଦିନ କି ରାତି ମୁହଁ ବନ୍ଦ ହେଉନି । ଭୀଷଣ କାଶ–ଛାତି ଥରାଇ ଦେଉଛି । ଦେହ ତା’ର ଏପରି କ୍ଷୀଣ ହୋଇ ପଡ଼ିଛି ଯେ ମଣିଷ ଫୁଙ୍କିଦେଲେ ଝଡ଼ିଯିବ । ଆଖି ପଶିଯାଇଛି । ଅଙ୍ଗପ୍ରତ୍ୟଙ୍ଗରେ ପୂର୍ବପରି ଉଜ୍ଜ୍ୱଳତା ନାହିଁ । ସମୟ ସମୟରେ ମୁଣ୍ଡ ଘୁରାଉଛି ।

 

ଏ ସବୁ ଚିନ୍ତାର ମାଡ଼–ଚାବୁକ ମାଡ଼ । ମଣିଷ ଚିନ୍ତାରେ ଶଢ଼ିଗଲେ ମାନସିକ ଓ ଶାରୀରିକ ଅବସ୍ଥା ତା’ର ଅତି ଶୋଚନୀୟ ହୋଇପଡ଼େ । ଛୁଆଟି ବେଳୁ ମା'କୁ ହରାଇ ମା'ର ସ୍ନେହରୁ ବଞ୍ଚିତା । ଦୁଃଖ ଓ ନୈରାଶ୍ୟ ବାଲ୍ୟକାଳରୁ ତା’ର ମସ୍ତିଷ୍କକୁ ଭାରାକ୍ରାନ୍ତ କରିଛି । ଯୌବନରେ ପଦାର୍ପଣ କରି ଯାହା ସହିତ ସେ ପ୍ରଥମେ ନିଜ ଯୌବନକୁ ହାରିଦେଇଛି ସେ ଅଛନ୍ତି ମନେକରି ଭଗବାନଙ୍କଠାରେ, ମୁଣ୍ଡିଆ ମାରିଛି ତାଙ୍କୁ ପାଇବା ପାଇଁ । ପରିସ୍ଥିତି ତାକୁ ନିଜ କତିରୁ ଛଡ଼େଇ ଦେଇଛି । ପାରିବାରିକ ସଂଘର୍ଷ ତା’ର ସାଂସାରିକ ଜୀବନରେ ବାଧା ଦେଇ ତା’ ଜୀବନ ସଂରକ୍ଷଣରେ ଗୋଟିଏ ବିରାଟ ସମସ୍ୟା ଆଣିଦେଇଛି । ଏଣେ ନିୟତିର କ୍ରୁର ପରିହାସ ଏ ଗରିବ ପରିବାର ଉପରେ । ନିର୍ଦ୍ଦୋଷୀ ବାପା ତା’ ପାଇଁ ଜେଲଖାନାର ଅନ୍ଧାରୀ ମୂଲକରେ ଶଢ଼ୁଛନ୍ତି । ବଦନାମ ହୋଇଛି–ବାପ ତା'ର ଚୋର । ଜମିଦାର କାଞ୍ଚନ ଜେନା ଚୋର । ସମାଜରେ କ'ଣ ତାଙ୍କର ସ୍ଥାନ ଅଛି । ସରୋଜର ଆଉ ତା’ର ପ୍ରେମ ଗାଥା ଯେ ସମାଜର ସମସ୍ତଙ୍କୁ ଜଣା ।

 

ଦିନ ଦିନ ଧରି ଏପରି ଚିନ୍ତାର ସୁଅ ମୁହଁରେ ସେ ଭାସି ଚାଲିଛି । ସେଥିପାଇଁ ବଳ ନାହିଁ ତା’ର ଦେହରେ, ଉନ୍ମାଦନା, ଶୀହରଣ ନାହିଁ ତା’ର ମନ ଓ କାୟାରେ । ଶାନ୍ତିପୂର୍ଣ୍ଣ ବିଶ୍ରାମ ହୋଇ ପଡ଼ିଛି ତା’ ପାଇଁ ସ୍ଵପ୍ନ ଦେଖା ଦେଇଛି ହାଡ଼ଫଟା କାଶ । କାଶ ସହିତ କଫ ।

 

ଡାକ୍ତର କହୁଛନ୍ତି ଶ୍ୱେତପଦ୍ମାକୁ ବିଶ୍ରାମ ନିତାନ୍ତ ଦରକାର । ମାନସିକ ଦ୍ଵନ୍ଦ୍ୱ ହିଁ ତା’ର ଶରୀର କ୍ଷୀଣ ହେବାର ଏକମାତ୍ର କାରଣ । ଭୋକ ଉପାସର ଧକ୍‍କା ତାକୁ ଏପରି ମଳିନ କରିଦେଇଛି । ଚିନ୍ତାର ଚାପ ଯେପରି ଶ୍ୱେତପଦ୍ମା ଉପରେ ନ ପଡ଼େ ।

 

କାଶ ତାକୁ ଭୀଷଣ କଷ୍ଟ ଦେଉଛି । ଡାକ୍ତରଙ୍କର ପରାମର୍ଶ ନେଇ ସେ ଅନେକ ପ୍ରକାର ଔଷଧ ବ୍ୟବହାର କରିସାରିଲାଣି । ଫଳ କିଛି ହୋଇନାହିଁ । ରୋଗ ସେପରି ଶ୍ୱେତପଦ୍ମା ଘର ଭିତର ବାରଣ୍ଡା ଉପରେ ଶାରଦା ସହିତ ବସି ଗୋଟିଏ ଚିଠି ପଢ଼ୁଥିଲା ଆନନ୍ଦରେ । ଏତିକିବେଳେ ନୀଳା ଆସି ପହଞ୍ଚିଲା । ଡାକ୍ତରଙ୍କ କହିବା ମୁତାବକ କାଶର ଔଷଧ ନେବାକୁ ଯାଇଥିଲା ରମେଶ ବାବୁଙ୍କ ଘରକୁ ।

 

ନୀଳା ଆସିବା ଦେଖି ଶ୍ଵେତା ତାକୁ କୁଣ୍ଢାଇ ପକାଇ କହିଲା, ସୁଖବର ।

 

କ'ଣ କିଲୋ, ପ୍ରଶ୍ନ କଲା ନୀଳା ।

 

ସୁଖବର କହିଲି ପରା, ଏତିକିରେ ବୁଝିପାରୁନୁ ?

 

ହଁଲୋ କିଛି କହିଲେ ସିନା ବୁଝିବି ? ହସି ହସି କହିଲା ନୀଳା । ତୋ ସରୋଜ ଭାଇନା ଲେଖିଛନ୍ତି, ସେ ଅତିଶୀଘ୍ର ଫେରି ଆସୁଛନ୍ତି । ଆସନ୍ତା ମାସ ଶେଷ ଆଡ଼କୁ । ତାଙ୍କ ପରୀକ୍ଷା ଏହାଭିତରେ ଶେଷ ହେବ । ପରୀକ୍ଷା ଫଳକୁ ଅପେକ୍ଷା ନ କରି ଫେରି ଆସିବେ । ଆଉ ମଧ୍ୟ ଲେଖିଛନ୍ତି ସେ ପରୀକ୍ଷାରେ ବହୁତ ଭଲ କରିଛନ୍ତି । ଓଃ ବାବୁ ସାହାବ, ଆମ ଇଂରାଜୀ ସାହେବ, କ’ଣ ଲେଖିଛନ୍ତି ପଢ଼ୁନୁ–‘‘ଇତି ତୋର ସରୋଜ, ବାର, ଏଟ, ଲ,’’ । ଛି ଏମିତି ଗର୍ବୀ ହେଲେଣି ମଣିଷଟା । ଥଟ୍ଟାରେ ଏତିକି କହି ଦେଇଗଲା ଏକା ନିଃଶ୍ୱାସେ । ମନ ଥିଲା ଉଚ୍ଚାଟ, ଆନନ୍ଦରେ ପୁରି ।

 

ମୁଣ୍ଡ ହଲେଇ ମୁରୁକି ହସି ନୀଳା କହିଲା, ହଁ ଲୋ କାହିଁକି ନ କହିବୁ । ହୃଦୟ ଭିତରେ ଏପରି କହୁଛୁ ଟି ? ଓଃ ଦେଖୁଛି, ଗୋଡ଼ ଭୂଇଁ ଉପରେ ଲାଗୁନାହିଁ । ଆଜିଠୁଁ ଅଭିସାରିକା ସାଜି ଯାଉନୁ ଦାଣ୍ଡଦୁଆରେ ବସିଥିବୁ ।

 

ଅଭିସାରିକା–ସେ ଅଭିସାରିକା ସାଜିବ । ଏହା ବହୁତ ବଡ଼ କଥା ।

 

ମନରେ ମୋର ଭାବାନ୍ତର ଆସିଲା । ଆଖିରୁ ଲୋତକ ଝରିଲା । ଭାବିଲି ଅଭିସାରିକା...ଯେଉଁ ବିଜୟକାକା ନିଜ ସନ୍ତାନର ଏହି ଅଭିସାରିକାକୁ ପସନ୍ଦ କରନ୍ତି ନାହିଁ, ସେ ପୁଣି ଏପରି ଅବର୍ଣ୍ଣନୀୟ ସୁନ୍ଦରତାର ଏକ ରୂପ ସାଜିବ ବା କାହିଁକି ? ସରୋଜ ଏକମାତ୍ର ସନ୍ତାନ ତାଙ୍କର । ଗୋଟିଏ ହାତରେ ମୋତେ ନିଜର ପ୍ରାଣପ୍ରିୟା ବୋଲି ଅନ୍ୟ ହାତରେ ଜନ୍ମଦାତା ପିତାର ବାକ୍ୟବାଣକୁ ସେ ନିଭାଇ ପାରିବେ ତ ? ଆମର ଏ ଗରିବ ଅବସ୍ଥା ଏ ଜୀବନର ଏକ ବିରାଟ ରୂପାନ୍ତର । ଆଜି ପର୍ଯ୍ୟନ୍ତ ସରୋଜ ପାଖରେ ଅଛପା ରହିଛି । ସେ କୋଟିପତିର ସନ୍ତାନ । ଯେଉଁ ଦିନ ଜାଣିବେ ତାଙ୍କର ଶ୍ୱେତ ଗରୀବ ଓ ଗରୀବ ପିତାର ଝିଅ, ସେ କ'ଣ ମୋତେ ଗ୍ରହଣ କରିବେ-। ଦୁଷ୍ମନ୍ତର ଧୋକାବାଜି କାରବାର ଆଗରେ ଗର୍ଭିଣୀ ଶକୁନ୍ତଳାର ଅବସ୍ଥା ଯାହା ହୋଇଥିଲା, ତା’ କ'ଣ ଶେଷରେ ମୋ ଭାଗ୍ୟରେ ଘଟିବାର ଅଛି । ଧନବାନ ରାଜାର ମଣିମୁକ୍ତା ସମ୍ମୁଖରେ ମୁନି କନ୍ୟାର ପବିତ୍ର ପ୍ରେମ ଯେ ପଦଦଳିତ ହେଲା । ମଣିଷ ଯୁବତୀ ଝିଅ ସହିତ ଖୁବ କ୍ରୀଡ଼ା ରଚିବାକୁ ଶିଖେ ଆଉ ସରଳା ଯୁବତୀ ବିଶ୍ୱାସ କରି ଅର୍ପଣ କରି ସବୁ କିଛି ଯା’ ତା’ର ପାଖରେ ଥାଏ ।

 

ନିର୍ବାକ ନିଷ୍ପନ୍ଦ ହୋଇ ଛିଡ଼ା ହୋଇଛି ଶ୍ୱେତପଦ୍ମା ଗୋଟିଏ କୋଣକୁ ଆଉଜି ହୋଇ । ଆଖିପତା ଓଦା ହୋଇ ଆସୁଛି । ଶ୍ୱେତର ଆଖିରେ ପାଣି ଦେଖି ନୀଳାର ହୃଦୟରେ ଆଘାତ ଲାଗିଲା । ଭାବିଲା, ମୁଁ ତ ସେପରି କିଛି କହି ନାହିଁ । ପାଖକୁ ଯାଇ ନୀଳା ଆଶ୍ୱାସନା ସହକାରେ କହିଲା, ଶ୍ୱେତ ଏପରି ହେଲେ ଚଳିବ ? କାନ୍ଦୁଛୁ କାହିଁକି ? ତୁ କ'ଣ ଜାଣୁନୁ, ତୋ ଆଖରେ ଲୁହ ଦେଖିଲେ ପ୍ରାଣ ମୋର ବିଗଳିତ ହୋଇଯାଏ । ଭାବେ, ଏହା ଦେଖିବା ପୂର୍ବରୁ ଭଗବାନ ମୋତେ ମରଣ ଦେଲେନି କାହିଁକି ?

 

ମୁହଁ ବୁଲାଇ ଆଖିରୁ ଲୁହ ପୋଛି ଶ୍ୱେତ କହିଲା–ସେ ଆସିବେ ନାହିଁ ନୀଳା ! ସେ ଆଉ ମୋ କତିକି ଆସିବେ ନାହିଁ । ଆସିଲେ ମଧ୍ୟ ମୋତେ ଦେଖିବେ ନାହିଁ, ଦେଖିଲେ କଥା କହିବେ ନାହିଁ । କଥା କହିଲେ କହିବେ ମୁଁ ତୁମକୁ ଚିହ୍ନେନା, ତୁମେ କିଏ ? କାରଣ ମୁଁ ଗରିବ, ମୋର ବାପା ଗରିବ, ଚୋର । ଗୋଟିଏ ଚୋରର ଝିଅ ସହିତ ତାଙ୍କର କ’ଣ ସମ୍ବନ୍ଧ ? କହୁ କହୁ କାଶ ଆସିଲା । ଓଃ କି ଭୀଷଣ କାଶ । ଆଖି ଲାଲ କରି କାଶି କାଶି ଶ୍ୱେତ ବସି ପଡ଼ିଲା ଛାତିରେ ହାତ ରଖି । କହିଲା, ମୁଁ ଆଉ ବଞ୍ଚିବି ନାହିଁ । ପାଣି ମୁନ୍ଦାଏ ଦେବାପାଇଁ ନୀଳାକୁ ଇଙ୍ଗିତ କଲା । ହଠାତ୍ ଶ୍ୱେତର ନଜର ପଡ଼ିଗଲା ତା’ର ଛେପ ଉପରେ । ଆଖି ମଳି ମଳି ଦେଖିଲା ଛେପରେ ପଡ଼ିଛି ରକ୍ତ । ଛେପ ଆଉ ରକ୍ତ ଏ ପ୍ରକାର ମିଶ୍ରଣ କି ବିଷାକ୍ତ ! ଏଁ ମୁଁ କ’ଣ ଦେଖୁଛି–ରକ୍ତ ବର୍ଣ୍ଣିଆ ଛେପ ? ଆଗରୁ ତ ଏପରି କେବେ ହୋଇ ନ ଥିଲା ବା ଦେଖି ନ ଥିଲି ? ଛେପ ଉପରେ ଖୁବ ଦୃଷ୍ଟି ନିକ୍ଷେପ କରି ଦେଖିଲି, ସତରେ ଛେପଟି ରକ୍ତବୋଳା ହୋଇଛି । ତା’ହେଲେ ମୋତେ କ’ଣ-!!

 

ମୁଣ୍ଡ ମୋର ତତ୍‍କ୍ଷଣାତ ଘୁରିଗଲା । ହାତ ଗୋଡ଼ ଅବଶ ହୋଇ ପଡ଼ିଲା । ହଠାତ୍ ମନେପଡ଼ିଲା ଲକ୍ଷ୍ମୀର ବୋହୂ ଗୌରୀ କଥା । ତାକୁ ମଧ୍ୟ ଦିନେ ଏପରି କାଶ ହେଲା । କାଶ ଭୀଷଣରୁ ହେଲା ଭୀଷଣତର । ଦିନେ ତା’ ଶାଶୁ ଦେଖିଲେ ତା’ ଛେପରେ ରକ୍ତ । ଡାକ୍ତର ଛେପ ପରୀକ୍ଷା କରି କହିଲେ–ଟି.ବି । ତା’ ସତ୍ତ୍ୱେ ସ୍ୱାମୀ ସହିତ ଗୌରୀର ଅବାଧ ମିଳାମିଶା ବନ୍ଦ ହେଲା ନାହିଁ । ଦୈହିକ ପ୍ରେମ ଫଳରେ ସ୍ୱାମୀ ମଧ୍ୟ ଯକ୍ଷ୍ମାରେ (ଟି.ବି) ଆକ୍ରାନ୍ତ ହେଲେ । ଶେଷରେ ଆଗ ପଛ ହୋଇ ସେମାନେ ଦୁହେଁ ଏ ଜଗତରୁ ଚାଲିଗଲେ ଦିଓଟି ସନ୍ତାନକୁ ଛାଡ଼ି । ଟି.ବି ହେଲା ତାଙ୍କର ଜୀବନର କାଳ ।

 

ପାଣି ଗ୍ଲାସ ଧରି ନୀଳା ଆସୁ ଆସୁ କହିଲା, ପାଣି ଟିକିଏ ପିଇଦେ । ଗଳା ଥଣ୍ଡା ହୋଇଯିବ ।

 

ଅନ୍ୟମନସ୍କ ହୋଇ ଉଠି ପ୍ରକୃତ ତଥ୍ୟକୁ ଲୁଚାଇ ରଖି ଓଠରେ ହସ ଫୁଟାଇ ଉତ୍ତର ଦେଲି, ନା ନା କିଛି ନୁହେଁ । କାଶୁ କାଶୁ ଜିଭ ସହିତ ଦାନ୍ତ ଲାଗି ଚାପି ହୋଇଗଲା ସେଥିପାଇଁ ରକ୍ତ ବାହାରି ଆସିଲା । ତା’ ଛଡ଼ା କିଛି ନୁହେଁ ।

 

ଠିକ୍ ସେତିକିବେଳେ ଶାରଦା ଆସି କହିଲା–ଟେକ୍‍ସି ନେଇ ଆସିଲି । ତୁମ୍ଭେମାନେ ଏ ପର୍ଯ୍ୟନ୍ତ ଲୁଗା ପାଲଟି ନାହଁ ?

 

ଆଶ୍ଚର୍ଯ୍ୟ ହୋଇ ଥରିଲା ଗଳାରେ ପ୍ରଶ୍ନ କଲି ମୁଁ । ଟେକ୍‍ସି କ’ଣ ହବ ମିନୁ ମା ?

 

ନୀଳା ଉତ୍ତର ଦେଲା–କ'ଣ ବାପାଙ୍କ ସହିତ ଦେଖା କରିବାକୁ ଯିବୁ ନାହିଁ ? ଆଜି ପରା ରବିବାର, ତେଣେ ବାପା ଅପେକ୍ଷା କରିଥିବେ । ତାଙ୍କୁ ମଧ୍ୟ ଟିକିଏ କାଶ ହେଉଥିଲା ।

 

'କାଶ' ଶୁଣିଲାମାତ୍ରକେ ଶ୍ୱେତର ମୁଣ୍ଡରେ ଝଡ଼ ତୋଫାନ ବୋହିଲା । ଆଖି ହେଲା ଛଳ ଛଳ । ପାଗଳୀ ପରି କହିଲା–ତାଙ୍କ କାଶ ଥଣ୍ଡା ହେତୁରୁ । ଆଉ ମୋର......

 

କଥା ଛଡ଼ାଇ ନେଇ ଉତ୍ତର ଦେଲା–ତୋ କାଶ ମଧ୍ୟ ସେମିତିଆ । ଔଷଧ ବ୍ୟବହାରରେ ଡେରି ଘଟିବାରୁ ଟିକିଏ ବଢ଼ି ଚାଲିଛି । ବାପାଙ୍କର ଛାଡ଼ି ଯାଇଥିବଟି ।

 

ଟେକ୍‍ସିବାଲା ହରନ ବଜାଇଲା ।

 

ଏଣେ ଡେରି ହେଉଛି । ଘର ଅଗଣାରେ ତାଲା ପକାଇବାକୁ ନୀଳା ଡାକ ଛାଡ଼ିଲା । ଛେପ ଉପରେ ଆଖି ବୁଲାଇ ଥରିଲା ଗଳାରେ ଶ୍ୱେତ ମନାକଲା ଯିବାକୁ ।

 

କାହିଁକି ? ବାପାଙ୍କର ମୁହଁ ଦେଖିବାକୁ ତୋର ଇଚ୍ଛା ନାହିଁ ? ମୋର ଚାଲିବା ଶକ୍ତି ନାହିଁ-। ଜେଲଖାନା ତ ଏଠୁଁ ଚାରି ମାଇଲ ବାଟ ।

 

ସେଥିପାଇଁ ତ ଏ ଟେକ୍‍ସିର ବ୍ୟବସ୍ଥା ।

 

ସତରେ ଟେକ୍‍ସି ଆସିଛି ବୋଲି ମୋତେ ଜଣା ନାହିଁ । କଥାର ମୋଡ଼ ବଦଳାଇ ଉତ୍ତର ଦେଲା ଶ୍ୱେତ । ପୁଣି କାଶ ଆସିଲା । ପୂର୍ବର ଛେପ ଉପରେ ଆଉଥରେ ଚାହିଁଲା । କେଉଁ ଭାବନା ନେଇ ସେ ଆଉ ମୁହଁରୁ ଛେପ ଫୋପାଡ଼ିବାକୁ ଭୟ କଲା । ମୁହଁର ଛେପ ମୁହଁରେ ରହିଲା-। ପୁଣି ଗଲା ପେଟ ଭିତରକୁ । ସେତେବେଳେ ସେ ନିଜ ଉପରୁ ମଧ୍ୟ ହରାଇ ବସିଥିଲା ବିଶ୍ୱାସ-

 

ଆଜି ମାର୍ଚ୍ଚ ତେଇଶ ତାରିଖ । ସନ୍ଧ୍ୟା । ଘର ଭିତରେ ଶାରଦା ବାସି ବିଛଣାକୁ ପୁଣି ଆଉ ଥରେ ନୂଆ କରୁଥିଲା । ହଠାତ୍ ଘର ଭିତରୁ ଅଗଣାକୁ ଆସି, ଆଶ୍ଚର୍ଯ୍ୟ ହୋଇ ଆଖିପତା ଉପରକୁ ଟେକି ଗମ୍ଭୀର ହୋଇ ଡାକିଲା, ଶ୍ୱେତ ? ଶ୍ୱେତ ?

 

ଅଗଣାରେ ନୀଳା ଓ ଶ୍ୱେତ ଦୁହେଁ ବସି କଥାବାର୍ତ୍ତା ହେଉଥିଲେ । ଶାରଦାର ଡାକରେ କାନ ଦେଲେ । ଶାରଦା ପାଖକୁ ଆସି ନୀଳା ପଚାରିଲା, କ'ଣ ହେଲା ?

 

ଶାରଦା କ'ଣ କହିବାକୁ ଆସି କହି ପାରିଲା ନାହିଁ କିଛି । ନୀଳା ପ୍ରଶ୍ନ କଲା, କ'ଣ ହେଲା ମୁଁ କିଛି ବୁଝି ପାରୁ ନାହିଁ । ହାତରେ ପୁଣି ବିଛଣା ଚଦର ଧରିଛୁ ଯେ ।

 

ଶାରଦା ମୁହଁରୁ କଥା ବାହାରୁ ନ ଥିଲା । ଦମ୍ଭର ସହିତ ଉତ୍ତର ଦେଲା ଶ୍ୱେତର ବିଛଣା ଚାଦର ଉପରେ ରକ୍ତ ଆସିଲା କେଉଁଠୁ ?

 

ନୀଳା ଆଶ୍ଚର୍ଯ୍ୟ ହୋଇ ପଚାରିଲା–ବାଃ ସେଥିରେ ବା ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ? ମଶାରୀ ଲାଗିଥିଲେ ମଧ୍ୟ ମଶା ପଶି ଯାଉଛନ୍ତି ଭିତରକୁ । କଡ଼ ଲେଉଟାଇଲା ବେଳେ ମଶାଟି ମରି ଯାଇଥିବ । ମଣିଷଖିଆ ମଶା ତ । ତା’ର କ'ଣ ରକ୍ତ ନାହିଁ । ନତୁବା ଛାରପୋକ ତ ମୁଁ କମ୍‍ ଦେଖୁନି ।

 

ଦେଖୁନ କେଡ଼େ ଖଣ୍ଡେ ଏପରି ରକ୍ତିଆ ହୋଇଛି ।

 

ଶ୍ୱେତ ଯେମିତି ରକ୍ତର ନା'ଟି ଶୁଣିଲା, ମନେହେଉଥିଲା ଦେହରୁ ପ୍ରାଣବାୟୁ ଉଡ଼ି ଯାଉଛି ଆସ୍ତେ ଆସ୍ତେ । କପାଳଟି ତା’ର ଝାଳୁଆ ହୋଇଗଲା । ଅଜାଣତରେ ଆଖି ଦି'ଟା ତା’ର ପାଣିରେ ଭରି ଉଠୁଥିଲା । କ୍ଷଣିକ ପାଇଁ ମୁଣ୍ଡ ତା’ର କ'ଣ ହୋଇଗଲା । ଭାବିଲା, ସତେ କ'ଣ ତା’ହେଲେ ଟି ବି, ହୋଇଛି ମୋତେ ? ଗତ ରାତ୍ରିର ସେହି ଭୀଷଣ କାଶ, ଓଃ ଛାତି ପଞ୍ଜରା ଥରାଇ ଦେଉଥିଲା

 

ନୀଳା ସେତେବେଳେ ଚୁପ୍ ହୋଇ ଭାବୁଥାଏ କେତେକଥା !

 

ଚିନ୍ତା ଓ କଥାର ମୋଡ଼ ବଦଳାଇ ଶ୍ୱେତ ଉତ୍ତର ଦେଲା । ମୁଁ ଚାହିଁଥିଲି ତମ ଦି'ଙ୍କର ମନ ବିଡ଼ିବା ପାଇଁ, ନାଚ ତାମସା ଦେଖିବା ପାଇଁ । ସେଥିପାଇଁ ଏତେବେଳ ପର୍ଯ୍ୟନ୍ତ ରହିଥିଲି ଚୁପ୍-। ଆଚ୍ଛା ପଚାରି ପାରେ କି ଖଇରିଆ ପାନ ବିଡ଼ା ଚୋବାଇଲେ ମୁହଁ କିମିତି ଦିଶେ ।

 

'ଲାଲ'

 

'ଠିକ୍ ରକ୍ତ ପରି'

 

ତା’ପରେ ଶ୍ୱେତ ଉତ୍ତର ଦେଲା ମୁହଁରେ ହସ ଫୁଟାଇ–ଏବେ ବୁଝିଲ ?

 

'ନା କ’ଣ ବୁଝିବୁ । ଆଳୁ ନା ଗାତ । ବିରକ୍ତିର ସହିତ କହିଲା ଶ୍ୱେତ ।

 

'ତାହା ରକ୍ତ ନୁହଁ । ଖଇରିଆ ପାନର ରଙ୍ଗ । ମିନୁ ମା’, ତୁ ପରା କାଲି ସନ୍ଧ୍ୟାରେ ଜବରଦସ୍ତ ବଢ଼େଇ ଦେଇଥିଲୁ ଖଣ୍ଡିଏ ପାନ । ତାକୁ ମୁହଁରେ ରଖି ଚୋବାଉ ଚୋବାଉ ଶୋଇ ପଡ଼ିଲି । ତା’ପରେ ମୁହଁରେ ଲାଲଗୁଡ଼ାକ ଗଡ଼ି ବିଛଣାରେ ପଡ଼ିଛି । ଜାଣି ପାରିନି ମୁଁ । ଆଉ ତାକୁ ତମେ କହୁଛ ରକ୍ତ ।

 

ନୀଳା ହୃଦୟରେ ଆଶ୍ୱସ୍ତ ଅନୁଭବ କଲା, ସେଇଆ କହୁନୁ କେଡ଼େ ଛୋଟ କଥା ।

 

ଗରମ ଦିନ । ଦି'ଦିନ ହେଲା ତା’ଉପରେ ଆହୁରି ତପତ ପଡ଼ିଛି । ତେଣୁ ଭାବିଲି ତୋ ନାକ ଫାଟିବାରୁ ରକ୍ତ ଗୁଡ଼ାକ ପଡ଼ିଯାଇଛି ବିଛଣା ଉପରେ । ଶାରଦା ଘର ଭିତରକୁ ପଶୁଥିଲା । ଶ୍ୱେତର ମନକୁ ପାପ ଛୁଇଁଲା । ଡାକିଲା, ମିନୁ ମା’ ତୁ ତ ଜାଣୁ ରକ୍ତ ମୋତେ ଭାରି ଭୟ ଲାଗେ । ଏପରି ଲାଲ ରଙ୍ଗ ମୋତେ ଆଦୌ ପସନ୍ଦ ଆସେ ନା । ଏହା ଅଶୁଭର ଏକ ଚିହ୍ନ । ଆଉ ଆଜି ମୁଁ ଶୋଇବି ନାହିଁ ଏହି ଚାଦର ପକା ବିଛଣା ଉପରେ । ତାକୁ ସାବୁନରେ ଧୋଇଦେ ।

 

–ହଉ ହେଲା କାଲି ଗାଧୋଇ ଗଲାବେଳେ ଧୋଇବାକୁ ନେଇଯିବି ।

 

'ନା ନା ବର୍ତ୍ତମାନ'

 

–କ'ଣ ଜରୁରୀ ଅଛି କି ?

 

ଛି କହିଲି ପରା ଲାଲରଙ୍ଗ ମୁଁ ପସନ୍ଦ କରେ ନା ।

 

ଏକବାରେ ଅଶୁଭ ଏ ।

 

ହସି ହସି ନୀଳା କହିଲା, ହଁ ମ ଧୋଇଦେ । ଶ୍ୱେତର ପିଲାଳିଆ ବୁଦ୍ଧି ଯାଇ ନାହିଁ । ଡାଆଣୀ, ତା’ ମନ୍ତ୍ରଦେଇ ମାଛି ହୁଏ । ଶୋଇଲା ମଣିଷର ଛାତି ଉପରେ ବସେ । ଆଉ ରକ୍ତ ଶୋଷଣ କରେ । ଶ୍ୱେତପଦ୍ମା ଏବେ ମଧ୍ୟ ଏପରି କଥା ଉପରେ ବିଶ୍ୱାସ କରେ । ନ ହେଲେ ଏମିତି କର । ଏଇନେ ବଜାର ଯାଇ କିଛି ସଉଦା ନେଇ ଆସ । ମୋର ତ କିଛି କାମ ନାହିଁ । ଆର ଘରୁ ସାବୁନଟି ଆଣି ଦେଲେ, ଚାଦରଟି ଧୋଇ ଦିଅନ୍ତି ।

 

ନୀଳା ଚାଲିଗଲା ଗାଧୁଆ ଘରକୁ ।

 

ଶ୍ୱେତ ଏକାକୀ ବସି ପଡ଼ିଲା ବାରଣ୍ଡାର ପାହାଚ ଉପରେ । ମୁଣ୍ଡ ତଳକରି ଅଭାଗିନୀ ପରି ମଥାରେ ହାତରଖି ଦରଦଭରା ଚକ୍ଷୁ ଦି'ଟାରୁ ଗଡ଼ାଇବାକୁ ଲାଗିଲା ଦରଦର ଅଜସ୍ର ଅଶ୍ରୁ । ସେତେବେଳେ କେହି ନ ଥିଲେ ତା’ ପାଖରେ । ତା’ର ବେଦନାର ସାକ୍ଷୀ ସ୍ୱରୂପ ଫୁଟୁଥିଲେ ଆକାଶର ବକ୍ଷଦେଶରେ ତାରକାପଲ ତାକୁ ସମବେଦନା ଜଣାଇବାକୁ ।

 

 

 

ଚାନ୍ଦ ଆକାଶରେ ଉଠି ନ ଥିଲା । ଯେପରି ଚନ୍ଦ୍ରବଦନୀର ଆଖିରେ ଅଶ୍ରୁ ଦେଖି ଚନ୍ଦ୍ରମା ମଧ୍ୟ ଆଜି ତା’ର କ୍ରୀଡ଼ାରୁ ବିରତ ହୋଇଛି ।

 

କି ବିଭୀଷିକାପୂର୍ଣ୍ଣ ଏ ସୃଷ୍ଟି । ସୃଷ୍ଟିର ଗୋଟିଏ କୋଣରେ ମଣିଷ ହସିଲେ ଆଉ ଗୋଟିଏ କୋଣରେ ଅନ୍ୟ ଜଣେ କାନ୍ଦେ ।

 

ମୁହଁକୁ ତଳ କରି ଶ୍ୱେତପଦ୍ମା କେତେକ’ଣ ଭାବିଚାଲିଛି, ତା’ର ଗୋଟିଏ ଜିନିଷ ଛଡ଼ା ଏ ଜୀବନରେ ଆଉ କିଛି କାମ୍ୟ ନାହିଁ । ସେ ପୃଥିବୀରେ ସ୍ୱର୍ଗ ଚାହେଁନା । ଆକାଶ କୁସୁମ ଲାଭ କରିବା ସେ କରିବ କ'ଣ ? ସେ ମଣିଷ ଆଉ ମଣିଷ ହିସାବରେ କର୍ତ୍ତବ୍ୟ କରିବ । ସେ ଚାହେଁ ବଞ୍ଚିବାକୁ କେବଳ ନିଜର ପ୍ରାଣପ୍ରିୟ ସରୋଜର ସଂସାର । ସେ ଚାହେଁ ମଳୟ ଉତ୍ସବରେ ସେ ନୃତ୍ୟ କରିବ ସରୋଜ ସହିତ । ସରୋଜ ମଦନ ହେଲେ ସେ ହେବ ରତି । ସରୋଜ ବୀଣା ହେଲେ ସେ ହେବ ବୀଣାର ତାର । ତା’ପରେ ଦୁହେଁ ସୃଷ୍ଟି କରିବେ ଝଙ୍କାର । ସମାଜର କାନରେ ବାଜିବ ସେହି ପ୍ରେମର ଝଙ୍କାର । ଯଦି ସମାଜର ବର୍ବରତା ଅସହିଷ୍ଣୁତା, ସ୍ୱାର୍ଥପରତା ଓ ରାକ୍ଷସ ପ୍ରବୃତ୍ତି ଚେଇଁ ଉଠି ଜୀବନ ମିଳନ ପଛରେ ବାଧାଦିଏ, ତା’ହେଲେ ସେମାନେ କର୍ଣ୍ଣପାତ କରିବେ ନାହିଁ ସେହି ସାମାଜିକ ଆତଙ୍କର ଆବର୍ତ୍ତରେ ଥିବା ହୀନ ନୀଚ ଘୃଣ୍ୟ ବିଷାକ୍ତ ବାୟୁମଣ୍ଡଳକୁ ।

 

ଶ୍ୱେତର ଜୀବନ ସରୋଜ । ସେ ବିଦେଶରେ । ତାଙ୍କ ପାଖରେ ଶ୍ୱେତ ତା’ର ପ୍ରାଣ ହାରିଦେବାକୁ ଚାହେଁ । କାରଣ, ଯାହାକୁ ଥରେ ସେ ଛାତିରେ ଚାପିରଖି ଶପଥ କରିଛି ସ୍ୱାମୀ ବୋଲି, ତାଙ୍କରି ଆନନ୍ଦର ରଥଚକ୍ର ତଳେ ପେଶିହୋଇ ମରିବା ହିଁ ବରଂ ହେବ ତା' ଜୀବନର ଶ୍ରେଷ୍ଠ ପୁରସ୍କାର ।

 

ଲକ୍ଷ୍ମୀର ବୋହୂ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଦି'ତିନି ମାସରେ ସମସ୍ତଙ୍କୁ ଛାଡ଼ି ଚାଲିଗଲା କେଇଦିନ ତଳେ ଜଣାପଡ଼ିଥିଲା ଶ୍ୱେତର ଛେପରେ ରକ୍ତ । ଗତ ରାତିରେ ପୁଣି ଶ୍ୱେତପଦ୍ମାର କାଶ ସହିତ ମୁହଁରୁ ଝରିଛି ରକ୍ତ । କାଶ ଏବଂ ରକ୍ତ । ଓଃ କି ଭୀଷଣ ମାରାତ୍ମକ ଶବ୍ଦ ଦିଓଟି । କେବେକେବେ ଶ୍ୱେତର ବିଛଣାରେ ରକ୍ତର ଦାଗ । ଶ୍ୱେତକୁ ରାଜଯକ୍ଷ୍ମା ହୋଇଛି ? ଯାହାକୁ ରାଜଯକ୍ଷ୍ମା ହୁଏ, ତା’ର ଆଉ ଆଶା ରହେନାହିଁ । କାଳର ଗଭୀରତାକୁ ମାପି ହୁଏନି । କେଇମାସ ହେଲାଣି ଶ୍ୱେତକୁ କାଶ ହୋଇଛି । କାଶକୁ ସାମାନ୍ୟ ରୋଗବୋଲି ଧରି ନେଇ ଅବହେଳା କରା ହୋଇଛି । ସମସ୍ତେ ବିଶ୍ୱାସ କରିବେ ସେହି କାଶ ଆଜି ଯକ୍ଷ୍ମାରୋଗର କାରଣ । ହୁଏତ କେହି ଜାଣି ପାରିନାହିଁ କେବଳ ଶ୍ୱେତପଦ୍ମା ଛଡ଼ା । ହୁଏତ ସେ ଏ ନିଜର ରୋଗ ଉପଲକ୍ଷରେ ଜାଣିବା ପାଇଁ କାହାକୁ ସେ ପ୍ରଶ୍ରୟ ଦେଇନି । ଉତ୍କଟ କାଶ ଶ୍ୱେତର ପଞ୍ଜରା ହାଡ଼କୁ ଥରାଇ ଦେଉଛି ।

 

ଅଭାଗିନୀ ଶ୍ୱେତପଦ୍ମାର ଏପରି ଶୋଚନୀୟ ଅବସ୍ଥା–ଅବସ୍ଥାର ରଥଚକ୍ର ତଳେ ନିଷ୍ପେସିତ ହୋଇ ମଣିଷର କିଛି କରିପାରେ ନାହିଁ । ଚିନ୍ତା ଶ୍ୱେତପଦ୍ମାର ପ୍ରଧାନ ଶତ୍ରୁ ହୋଇପାରେ-। ତା’ ନିଶ୍ଚୟ କହିଲେ କିଛି ଭୁଲ ହେବ ନାହିଁ । ବାପ, ଝିଅପାଇଁ କାରାବାସୀ ହେଲା । ଯା'କୁ ସେ ସ୍ୱାମୀ ବୋଲି ବରଣ କରି ସାରିଛି ଆଜି ତା’ଠୁ ସମ୍ବନ୍ଧ ଭାଙ୍ଗିଛି । ଆଉ ସମାଜ ପାଇଛି ସୁବିଧା ଠୋ ଠୋ ହସିବା ପାଇଁ । ଏହି ବିଷାକ୍ତ ବାୟୁମଣ୍ଡଳ ହିଁ କୋଟି ଜନତାର ବହୁ କ୍ଷତି କରୁଛି । ତା’ ମଧ୍ୟରେ ଶ୍ୱେତପଦ୍ମା ହୋଇଛି ଏକ ଶିକାର । ଜୀବନ୍ତ ଶିକାର । ସେ ସରୋଜର ପ୍ରିୟବାନ୍ଧବୀ ହେବା ପୂର୍ବରୁ ହୋଇସାରିଛି ରାଜଯକ୍ଷ୍ମାର ପ୍ରିୟବାନ୍ଧବୀ । ଦେଖାଯାଉ ସରୋଜ ଜୟୀ ହେଉଛି ନା ରାଜଯକ୍ଷ୍ମା । କିଏ ବେଶୀ ଶକ୍ତିବାନ ।

 

ରାତି । ଗୋଟିଏ ଖଟରେ ଶ୍ୱେତପଦ୍ମା । ଅନ୍ୟ ଏକ ଖଟରେ ନୀଳପଦ୍ମା । ଆଖିରେ ନିଦ ନାହିଁ । ଉଭୟଙ୍କ ଜୀବନରେ ସଂସାର ପ୍ରତି ବିତୃଷ୍ଣା ଜାତ ହୋଇଛି । ସମାଜ ପ୍ରତି ଘୃଣା ଆସିଛି ଅନ୍ତର ଭିତରେ । ସମାଜର ବର୍ବର ଅତ୍ୟାଚାରର ଗତି ଦେଢ଼ମାସ ଭିତରେ ତାଙ୍କ ଆଖିରେ ସଜଳ ହୋଇ ଉଠିଛି । ସେମାନେ ଆଜି ନିଃସହାୟ, ନିଃସମ୍ବଳ । ଏହି ସୁବିଧାର ସୁଯୋଗ ନେଇ ସେମାନଙ୍କର ପ୍ରତି ସମାଜର ନୀଚ ମଣିଷ ମାନଙ୍କର କ୍ରୁର ଓ ହୀନ ଚକ୍ଷୁ ପଡ଼ିଛି ସତ କିନ୍ତୁ ଲକ୍ଷ ଅତ୍ୟାଚାର, ସହସ୍ର ନିର୍ଯ୍ୟାତନା ଏ ଛୋଟ ପରିବାରର ଗୁରୁତ୍ୱ ନଷ୍ଟ କରି ନାହିଁ ।

 

ବାପ ଜେଲ ଯିବାର କେଇଦିନ ପରେ ନିଜ ଶିକ୍ଷାର ସଦ୍‍ବ୍ୟବହାର କରିବାକୁ ଯାଇ ନୀଳା ଚାକିରି କରିବାକୁ ଦରଖାସ୍ତ ପକାଇ ଥିଲା । ନାରୀର ଆବେଦନ କେବେ ବୃଥା ଯାଏନା । ଚାକିରି ଖଣ୍ଡିକ ପାଇଁ ନୀଳା କୌଣସି ଏକ ମିଲରେ କାମ କରି ଆସୁଛି । ସେ କ୍ଳାର୍କ । ଏ ଛୋଟିଆ ପରିବାରକୁ ନେଇ ସେମାନେ ଏକା ନିହାତି ଏକା ।

 

ଶ୍ୱେତ ଶୋଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶୋଇ ପାରୁ ନ ଥିଲା । ସେ ଦିନ କାହିଁକି ତା’ର ମନରେ ସମାଜ ପ୍ରତି ବିତୃଷ୍ଣା ଆସିଛି, ବିଦ୍ରୋହର ନିଆଁ ଜଳିଉଠିଛି ହୃଦୟରେ ।

 

ଶ୍ୱେତ କହିଲା ସମାଜ ! ସମାଜ !! ସମାଜ !!! ଯେଉଁ ସମାଜରେ ମନୁଷ୍ୟର କାମନା, ଇଚ୍ଛା, ଅନ୍ତରର କ୍ଷୁଧା ପୂରଣ କରିବାକୁ ସ୍ଥାନ ନାହିଁ ତାହା ମଣିଷର ସମାଜ ନୁହେଁ, ପଶୁର ସମାଜ । ମନୁଷ୍ୟ ଯାହା ଭାବେ ତାହା ଉପଯୁକ୍ତ, ତା’ର କାର୍ଯ୍ୟ ଯଦି ସମାଜର ମଙ୍ଗଳ ପାଇଁ ତା’ ପ୍ରତି ସମାଜର ବିକ୍ଷୋଭ ପ୍ରଦର୍ଶନ କରିବା ଉଚିତ ନୁହେଁ । ସମାଜ ଏକ ଅନୁଷ୍ଠାନ, ଯାହା ମଣିଷ ଗଢ଼ିଛି ନିଜ ହାତରେ । ତେଣୁ ସେହି ଅନୁଷ୍ଠାନରେ ତୋର ମୋର ଆଉ ପାଞ୍ଚଜଣଙ୍କର ସମ୍ମତି ନିତାନ୍ତ ବାଞ୍ଚନୀୟ । ଆଜି ଯଦି ମୋର ହୃଦୟରେ ସମାଜ ପ୍ରତି ବିଦ୍ରୋହ ଜାଗି ଉଠିଛି, ତା’ହେଲେ ସମାଜର ଅସ୍ତିତ୍ୱ ଉପରୁ ମୋର ଆସ୍ଥା ଉଠି ଯାଇଛି । ମୋର ହୃଦୟରେ ଜଳୁଥିବା ବହ୍ନି ପାଇଁ ସମାଜ ଦାୟୀ, ତା’ର କୁ କର୍ମ, କୁ ପନ୍ଥା ଦାୟୀ । କ'ଣ ସତ ନୁହେଁ ?

 

ମୌନ ହୋଇ ଶ୍ୱେତର ଯୁକ୍ତି ଧାରାକୁ ନୀଳା ଶୁଣି ଯାଉଥିଲା । ମନରେ ଭାବୁଥିଲା, ପ୍ରକୁତରେ ଏହିପରି ଯୁକ୍ତି ଯଦି ବ୍ୟବହାରିକ କ୍ଷେତ୍ରରେ ସମାଜ ବିରୁଦ୍ଧରେ କରାଯାଆନ୍ତା, ହୁଏତ ତଳେ ପଡ଼ିଥିବା ସମାଜ ଚେଷ୍ଟା କରନ୍ତା ଉଠିବାକୁ । ଏହି ଯୁକ୍ତିଧାରା ଭିତରେ ସତ୍ୟତା ରହିଛି । ସତ୍ୟ ବିରୁଦ୍ଧରେ ମିଥ୍ୟା ଓ ପ୍ରବଞ୍ଚନା ମଥା ଟେକି ଛିଡ଼ା ହୋଇପାରେ ନା । ତର୍କ ସତ୍ୟକୁ କେବେହେଲେ ଭାଙ୍ଗିପାରେ ନା ।

 

ଶ୍ୱେତପଦ୍ମା ଯୁବତୀ । ଯୌବନର ଆଭାରେ ତା’ର ଶରୀରର କ୍ଲାନ୍ତି ଝଟକି ଯାଉଛି । ଆଜି ତାକୁ ସମାଜ ତାଚ୍ଛଲ୍ୟ ଭାବରେ ସମାଲୋଚନା କରିଛି । ସମାଜ ଜାଣିଚି ସରୋଜ ଓ ଶ୍ୱେତପଦ୍ମାର ପ୍ରେମ ଓ ମିଳନର ଇତିହାସ । ସୃଷ୍ଟିର ପ୍ରାରମ୍ଭରୁ ଅଦ୍ୟାବତ୍‍ ଯଦି କିଛି ଚିରନ୍ତନ ରହିଛି ତାହାହେଲେ ପ୍ରେମ ହେଉଛି କେବଳ ମାତ୍ର ଏକ ଉଦାହରଣ । ଦୁଇଟି ହୃଦୟର ମିଳନ ଯା’ର ନାମ ପ୍ରେମ । ପ୍ରଥମେ ଆତ୍ମାର ମିଳନ, ମନର ମିଳନ ଓ ସର୍ବଶେଷରେ ସର୍ବ ଶରୀରର ମିଳନ । ପୁରୁଷ ଓ ସ୍ତ୍ରୀ । ଜଗତର ଶ୍ରେଷ୍ଠ ସୃଷ୍ଟି । ସେହି ଶ୍ରେଷ୍ଠତ୍ଵ ବିରୁଦ୍ଧରେ ମଧ୍ୟ ସମାଜ ଛିଡ଼ା ହୋଇ ବିରୁଦ୍ଧାଚରଣ କରେ ।

 

ଶ୍ୱେତପଦ୍ମା ପୁଣି ଆରମ୍ଭ କଲା–'ଆଜି ଯଦି ମୁଁ ସମାଜ ବିରୁଦ୍ଧରେ ହାତ ଟେକି ଗୋଟିଏ ପ୍ରଶ୍ନ କରେ ଯେ ସରୋଜର ଆତ୍ମା ସରୋଜର ମନ ଓ ସରୋଜର ଶରୀର ମୋର ଆତ୍ମା ମୋ'ର ମନ ଓ ଶରୀରର ସ୍ପର୍ଶ ପାଇଁ କାହିଁକି ବ୍ୟାକୁଳ ହୋଇ ଉଠିଲା ଓ କାହିଁକି ତାଙ୍କର ଆତ୍ମା ଚାହିଁଲାନି ମୋ ବ୍ୟତୀତ ଅନ୍ୟର ସହିତ ଏତାଦୃଶ ସମ୍ବନ୍ଧ ସ୍ଥାପନ କରିବା ପାଇଁ ? ମୋର ପ୍ରଶ୍ନର ଉତ୍ତର ତା'ହେଲେ କ'ଣ ସମାଜ ଦେଇ ପାରିବ ? ପବିତ୍ର ପ୍ରେମର ଅନ୍ତରାଳରେ ପବିତ୍ର ଆତ୍ମାର ମିଳନ ପଛରେ ରହିଛି ଦେବତ୍ୱର ସ୍ଥାନ । ତାହା ସମାଜ ଜାଣି ନ ଜାଣିଲାପରି ଦୁଇଟି ନିରୀହ ନର ନାରୀର ବିରୁଦ୍ଧରେ କେତେ କ'ଣ କରିବ ସେ । ପ୍ରେମ ହିଁ ଭଗବାନଙ୍କର ଦାନ । ଏହା ସମାଜ କ'ଣ ଜାଣି ପାରୁନି ? ତା’ହେଲେ କ'ଣ ଅଧିକାର ଅଛି ସମାଜର ଯେ ସମାଜ ସ୍ଥିତ ଜନତାର ମନ ଉପରେ ହୃଦୟର ଆକାଂକ୍ଷା ଉପରେ ହସ୍ତକ୍ଷେପ କରିବ ?

 

ଏ ଦୁନିଆ ଭଗବାନଙ୍କର ସୃଷ୍ଟିର ଗୋଟିଏ ଅଂଶ । ମନୁଷ୍ୟ ଉପରେ ତାଙ୍କର କର୍ତ୍ତୃତ୍ୱ ଅଧିକାର ରହିଛି । ଅନ୍ୟାୟ ଅନାଚାର, ଅତ୍ୟାଚାର, ଅବିଚାରର ସାହାଯ୍ୟ ନେଇ ମନୁଷ୍ୟ ଉପରେ ଦଙ୍ଗା ହେଙ୍ଗାମ ଜୋର ଜବରଦସ୍ତ କରିବା ସମାଜର କୌଣସି ପ୍ରକାର ଅଧିକାର ନାହିଁ । ମନୁଷ୍ୟର ହୃଦୟ ଉପରେ ଛିଡ଼ାହୋଇ, ତା’ର ରକ୍ତ ଶୋଷଣ କରିବା ହିଁ ସମାଜର ଯଦି ଏକାନ୍ତ ଅନୁରାଗ ତାହାହେଲେ ସେହି ସମାଜକୁ ମୁଁ କହିବି କୁତ୍ସିତ, ସ୍ୱାର୍ଥପର ।

 

ଆଉ ସମାଜ ବିରୁଦ୍ଧରେ, ସମାଜର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ କେହି ଯଦି ଯୁଦ୍ଧ କରେ, ସମାଜସ୍ଥିତ ବଡ଼ ବଡ଼ ନେତାମାନେ କହିବେ ତାକୁ ସମାଜରୁ ବହିର୍ଗତ କରିଦିଅ । ସାବାସ ସମାଜର ନେତୃବୃନ୍ଦ, ଧନ୍ୟବାଦ ମହାଶୟ, ଯୁଗେ ଯୁଗେ ତୁମର ଧ୍ୱଂସ ମୁଖୀ କାର୍ଯ୍ୟ ବଞ୍ଚି ରହିବ କେଲା ମୁହଁରେ । କେତେ ଯୁବତୀ ଝିଅର ଜୀବନ ନଷ୍ଟ ନ ହୋଇଛି ଏପରି କେତେ ଯୁବତୀ କନ୍ୟାର ମୁଣ୍ଡରେ କଳଙ୍କ ନ ଲଗେଇଛି ଏ ନ୍ୟାୟ ବିଚାର ତୁମର । ହେ ମହାଶୟ ଏତିକି ମଧ୍ୟ ଚିନ୍ତା କରିପାରିଲ ନାହିଁ ଯେ ତୁମର ନ୍ୟାୟ ଦରବାର ଛଡ଼ା ଉପରେ ଆହୁରି ଏକ ନ୍ୟାୟ ଦରବାର ରହିଛି ଓ ତାହାର ସଭାପତି ସ୍ୱୟଂ ସୃଷ୍ଟିକର୍ତ୍ତା ।

 

ନୀଳା ଆଉ ସହି ପାରିଲା ନାହିଁ । କଡ଼ ଲେଉଟାଇ କହିଲା, ଠିକ୍ କହିଚୁ ଶ୍ୱେତ, ଯେ ଏହି ସମାଜର ଅନ୍ୟାୟ ଶୁଣି, ଦେଖି ସବୁ ସହ୍ୟ କରି ନେଉଛି ସେ ସମାଜର ଏତାଦୃଶ ଅନ୍ୟାୟକୁ ପ୍ରଶ୍ରୟ ଦେଉଛି ମାତ୍ର ସେହିପରି ମଣିଷ ସମାଜର ଅନ୍ୟାୟରେ ଭାଗ ନେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ସମାଜ ସଂସ୍କାରକମାନଙ୍କୁ ସର୍ବଦା ଦଳନ କରିବାକୁ ସମାଜର ବଡ଼ ବଡ଼ ଲୋକେ ରଖିଛନ୍ତି ଏକ ବୃହତ୍ ଅସ୍ତ୍ର । ତାହା ହେଉଛି ସମାଲୋଚନା । ସମାଲୋଚନାରେ କାମ ନ ପଟିଲେ ଗୁଣ୍ଡା ବଳରେ ସବୁ କିଛି ଦଳି ଦେବାକୁ ମଧ୍ୟ କୁଣ୍ଠାବୋଧ କରୁ ନାହାନ୍ତି ସମାଜର ପୁଞ୍ଜିପତି ବୃନ୍ଦ । ମୁଁ କହିବି, ଏ ସମାଲୋଚନାକୁ ଭ୍ରୁକ୍ଷେପ ନ କରି ପୁଞ୍ଜିପତିର ଗୁଣ୍ଡା ଦଳକୁ ଭୟ ନ କରି ମିଳିତ ଶକ୍ତି ତେଜି ଉଠୁ, କର୍ତ୍ତବ୍ୟ କରୁ ନିଜର ସ୍ୱାଧୀନତା ବଜାଏ ରଖିବା ପାଇଁ, ଲୋକର ମଙ୍ଗଳ କରିବା ପାଇଁ । ଯଦି ଦରକାର ପଡ଼େ ଏପରି ସ୍ୱାର୍ଥପର ସମାଜକୁ ପୋଡ଼ି ଜାଳି ଧ୍ୱଂସ କରିଦେଇ ତା' ପରିବର୍ତ୍ତରେ ଗଠନ କରୁ ଏକ ନୂତନ ସମାଜ ଯେଉଁଥିରେ ମନୁଷ୍ୟର ବ୍ୟକ୍ତିତ୍ୱ, ମନର କଥା ଓ ଅନ୍ତରର ଆକୁଳ ପିପାସା ମେଣ୍ଟାଇବା ପାଇଁ ସେହି ସମାଜରେ ଥିବ ଉପାଦାନ ।

 

ହଁ । ଏହା ପ୍ରକୃତରେ ସମାଜର ଅନ୍ୟାୟ ହୋଇଛି । ସମାଜ ଭଲଭାବେ ଜାଣିଥିଲା ଛୁଆଟି ଦିନୁ ସରୋଜ ଓ ଶ୍ୱେତପଦ୍ମାର ବିବାହ ହେବାର ନିଷ୍ପତ୍ତି ହୋଇ ସାରିଛି । ତଥାପି ସେଦିନ ସମାଜ, ଯୁବକ ସରୋଜ ଓ ଯୁବତୀ ଶ୍ୱେତପଦ୍ମା ପ୍ରତି ଅନ୍ୟାୟ ଉପରେ ଅନ୍ୟାୟ କରିଛି । ସରୋଜ ଓ ଶ୍ୱେତ ଉଭୟେ ଦିନେ ହେଲେ ତ ସମାଜର ନୀତିନିୟମକୁ ଭଙ୍ଗକରି ନାହାନ୍ତି ? ତଥାପି ତାଙ୍କର ପ୍ରେମର ଏ ତାଜମହଲକୁ ଭାଙ୍ଗି ଚୁରମାର କରି ଦେଇ ଏକ ସୀମାହୀନ ବ୍ୟବଧାନ ଆଣି ଦେବାକୁ ସମାଜର ଏ ଆୟୋଜନ କାହିଁକି ? ସେଥିପାଇଁ ନୀଳା ଓ ଶ୍ୱେତପଦ୍ମା ସମାଜର ସୀମା ବାହାରେ ଛିଡ଼ାହେବାକୁ ଚେଷ୍ଟା କରିଛନ୍ତି ।

 

ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶ୍ୱେତ କହିଲା ସମାଜ ମୋତେ ସୁଯୋଗ ଓ ସମୟ ଯୋଗେଇ ଦେଇଛି ସରୋଜ ସହିତ କଥାବାର୍ତ୍ତା କରି ମୌଜମଜଲିସ କରିବା ପାଇଁ । ପାରିବାରିକ ସ୍ୱାଧୀନତାର ସୁଯୋଗ ନେଇ ଆମେ ଦୁହେଁ ପ୍ରେମର ତାଜ ଗଢ଼ିଛୁ । ତେଣୁ ଯଦି ଆଜି ମୋର କର୍ତ୍ତବ୍ୟକୁ ସମାଜ ପାପ ବୋଲି କୁହେ, କଳଙ୍କ ବୋଲି ଚୂଡ଼ାନ୍ତ ଯୁକ୍ତି ବାଢ଼ି ବସେ; ତା’ହେଲେ ମୁଁ କହିବି ଚିରନ୍ତନ ପ୍ରେମର ଓ ସତ୍ୟର ମଥାରେ କଳଙ୍କର ଟୀକା ଆଙ୍କିଦେବାକୁ ବସିଛି ଏ ମଣିଷ ଗଢ଼ା ସମାଜ ।

 

ସମାଜସ୍ଥିତ ଯୁବତୀ ଝିଅ ଯଦି ଖରାପ ହୁଏ, ତା’ର ସତୀତ୍ଵ ପଦାରେ ପଡ଼େ, କଳଙ୍କିତ ହୁଏ, ତା’ହେଲେ ସେଥିପାଇଁ କ'ଣ ସମାଜ ଦାୟୀ ନୁହେଁ ? ସମାଜର ଆବହାୱା ଦାୟୀ ନୁହେଁ, ସମାଜ ଯାହାଙ୍କୁ ସ୍ୱମୁଣ୍ଡରେ ବୋଝେଇ କରି ରଖିଛି ସେମାନେ ଦାୟୀ ନୁହନ୍ତି ? ସମାଜର ଚଳାଚଳ ପ୍ରଥା, ସୂତ୍ର, ନୀତିନିୟମ ରହିଛି ପାପ ପୁଣ୍ୟ କଳଙ୍କ ବା କିର୍ତ୍ତୀ ବିଚାର କରିବା ପାଇଁ ଏବଂ ଏହି ନୀତି, ଏହି ସୂତ୍ର ନିୟମ ସତ୍ୟ ଉପରେ ପ୍ରତିଷ୍ଠିତ ।

 

ବଡ଼ ଆଶ୍ଚର୍ଯ୍ୟର ବିଷୟ ନୀଳା, ଏ ସମାଜ କ'ଣ ପଶୁର, ମଣିଷର ନୁହଁ ? ଯଦି ମଣିଷର ତେବେ କାହିଁକି ମଣିଷ ମଣିଷର ଅନିଷ୍ଟ କରେ ତାରି ରକ୍ତକୁ ମଣେ ଲାଲ ରଙ୍ଗ ଓ ପିଚକାରୀ ଖେଳେ । ପରର ମୁହଁରେ ଶାନ୍ତି ଓ ଆସ୍ୱାଦର ହିଲ୍ଲୋଳ ଦେଖିଲେ, ପରର ଉନ୍ନତି ଅବଗତ କଲେ ମଣିଷ ମନରେ ସୃଷ୍ଟି ହୁଏ ବିଦ୍ରୋହ । ତା’ପରେ ସେ ଗୋଡ଼ ବଢ଼ାଏ ପରର ଅନିଷ୍ଟ କରିବା ପାଇଁ, ସର୍ବନାଶ କରିବା ପାଇଁ । ଏହା ତ ଧରାପୃଷ୍ଠରେ ଶ୍ରେଷ୍ଠ ଜୀବ ମଣିଷର ପ୍ରକୃତି ନୁହେଁ-। ଯଦି କୁହ ଏହା ମଣିଷର ପ୍ରବୃତ୍ତି ଓ ପ୍ରକୃତିର ଦୋଷ ତା’ହେଲେ ମୁଁ କହିବି ସେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ନୁହେଁ । ସେ ମଣିଷ ନୁହେଁ । ଗୋଟିଏ ପଶୁ । ନିତାନ୍ତ ବର୍ବର, ଅସଭ୍ୟ, ରାକ୍ଷସଠାରୁ ଆହୁରି ପତିତ ।

 

ଶ୍ୱେତପଦ୍ମାର ଯୁକ୍ତିଧାରା ଶୁଣି ନୀଳାର ରକ୍ତ ତାତି ଉଠୁଛି । ଶ୍ୱେତ ପୁଣି କହିଲା, ତାହା ନିରାଟ ସତ୍ୟ । ପ୍ରେମର ଧର୍ମମନ୍ଦିର ଗଢ଼ିବାକୁ ହେଲେ, ତାଜମହଲ ପରି ପ୍ରେମର ସ୍ମାରକ ଗଢ଼ିବାକୁ ହେଲେ, ଧର୍ମର କୋଣାର୍କ କଲା ଓ ନୈପୁଣ୍ୟତାର ହିମାଳୟ ଗଢ଼ିବାକୁ ହେଲେ ଓ ଧରାପୃଷ୍ଠରୁ ପ୍ରେମର ମନ୍ଦାକିନୀ ଧାରା ଆବାହନ କରି ଆଣିବାକୁ ହେଲେ ଏ ମଣିଷ ଗଢ଼ା ସମାଜର କୁସଂସ୍କୃତି, ସ୍ୱାର୍ଥପରତା, ବର୍ବରତା, ଓ ସମାଲୋଚନାର ମନଗଢ଼ା କଲ୍ଲୋଳକୁ ସମୂଳେ ଚାପିଦେବାକୁ ହେବ । ମନୁଷ୍ୟର ସ୍ୱାର୍ଥପରତା, ହିଂସା, ରାକ୍ଷସପ୍ରବୃତ୍ତି ଓ ଭ୍ରଷ୍ଟ ସଭ୍ୟତା ଓ କୁ ଶିକ୍ଷାର ମୂଳୋତ୍ପାଟନ କରିବାକୁ ହେବ ।

 

ଧର୍ମ ! ଧର୍ମ !! ଧର୍ମ !!! ସମାଜ କ'ଣ ଧର୍ମର ମୂଲ୍ୟ ବେଶ୍‍ ଭଲ ଭାବରେ ବୁଝିଛି ? ଯୁଗ ଥିଲା, ଯେତେବେଳେ ହିନ୍ଦୁ ଧର୍ମ ଥିଲା ପବିତ୍ର, ଜଳପରି ସ୍ୱଚ୍ଛ । କିନ୍ତୁ ଆଜି ଏହି ହିନ୍ଦୁ ଧର୍ମକୁ ଭାବିଦେଖିଲେ ମନରେ ଆସେ ଦୁଃଖ, ମୁହଁରେ ବିଷାଦର ଛାୟା ଢାଙ୍କି ଦିଏ । ଆଉ ଏହି ବିଶ୍ଵସଭାର ମଣିଷ ସମାଜ ଏହି ହିନ୍ଦୁ ଧର୍ମକୁ ନିତାନ୍ତ 'ନରବଳି ଧର୍ମ' ଛଡ଼ା କିଛି କରି ନାହାନ୍ତି । ହିନ୍ଦୁଧର୍ମ ଅତି ହୀନ, ନୀଚ ଘୃଣ୍ୟ ହେବାର କାରଣ ହେଉଛି ଏହି ହିଂସ୍ରକ, ରାକ୍ଷସ, ଓ ସ୍ୱାର୍ଥପର ମଣିଷ ସମାଜ । ଯାହାର ସଭ୍ୟତା ଓ ଶିକ୍ଷାର ଦୋଷ ହେତୁରୁ କର୍ମର ଚାପ ଦୁଃଖର ଯନ୍ତ୍ରଣା ଓ ସୁଖର ମୋହରେ ମଣିଷ ଭାସି ଚାଲିଛି ।

 

ଠିକ୍ ଏତିକିବେଳେ ଥାନା ଘଣ୍ଟାରେ ବାଜିଲା ରାତି ବାର ।

 

ଚମକି ଉଠି ନୀଳା କହିଲା, ଶ୍ୱେତ ତୋର ଦେହ ନିତାନ୍ତ ଖରାପ ହୋଇଛି । ରାତି ବେଶୀ ଉଜାଗର ରହିବ ଭଲ ନୁହେଁ । ଶୋଇପଡ଼ । ମୋତେ ନିଦ ମାଡ଼ି ଆସିଲାଣି ।

 

ହଁଲୋ ମିନୁ ମା ?

 

ଘୁଙ୍ଗୁଡ଼ି ମାରୁଚି ।

 

ଶ୍ୱେତପଦ୍ମାକୁ କାଶ ଆସିଲା । କାଶି କାଶି ଖଟରେ ଲୋଟି ଗଲା । ନିଦ ଲାଗି ଯାଉଥିଲା । କଡ଼ ଲେଉଟାଇ ନୀଳା ପଚାରିଲା, ହଁଲୋ କଥାଟି ପଚାରିବାକୁ ଭୁଲି ଯାଉଥିଲି । ଡାକ୍ତରଙ୍କ ପାଖକୁ ଯାଇଥିଲୁ ? କ'ଣ କହିଲେ ?

 

ଡାକ୍ତର ନା' ଶୁଣିଲା ମାତ୍ରକେ ଶ୍ୱେତର ମୁଣ୍ଡ ଗୋଳମାଳ ହୋଇଗଲା । କ'ଣ ଉତ୍ତର ଦେବ କିଛି ଠିକ୍ କରି ପାରିଲା ନାହିଁ । ଗତକାଲି ସେ 'ଫ୍ରି ମେଡ଼ିକେଲ ଟ୍ରିଟମେଣ୍ଟ ହାଉସ' ର ବଡ଼ ଡାକ୍ତରଙ୍କୁ ଦେଖେଇଥିଲା ନିଜ ଦେହ । ଆଗରୁ ଡାକ୍ତରଙ୍କର ସହ ଚିହ୍ନା ପରିଚୟ ନ ଥିଲେ ବି କେଜାଣେ କାହିଁକି ଶ୍ଵେତକୁ ପରୀକ୍ଷା କରି ଦୁଃଖର ସହ ଡାକ୍ତର ପଚାରିଥିଲେ ତା’ର ନାମ, ବାପ ମା' କିଏ, ପରିବାର ଇତ୍ୟାଦି ବିଷୟ ନେଇ ଜାଣିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଶ୍ୱେତ ସଠିକ୍ ଉତ୍ତର ଦେବାକୁ ପସନ୍ଦ କରି ନ ଥିଲା । କେବଳ ଏତିକି କହିଥିଲା ଏ ଦୁନିଆଁରେ ମୋର କେହି ନାହିଁ । ଜଣେ ଅଛନ୍ତି ସେ ଦୂରେ ବହୁଦୂରେ ସୁଦୂରେ କେଉଁ ଏକ ଆରପାରିରେ । ଆଜି ସକାଳବେଳେ ଡାକ୍ତର ଶ୍ୱେତର ଶରୀର ଭିତରଟାର ଫଟୋ ଏକ୍ସ–ରେ ସାହାଯ୍ୟରେ ଟଣା ହୋଇଥିବା ଦେଖେଇଥିଲେ ତାକୁ । ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଦୁଃଖର ସହିତ ଶ୍ୱେତପଦ୍ମାର ବାରମ୍ବାର ଅନୁଗ୍ରହକୁ ଟାଳି ନ ପାରି, ତାକୁ କହିଥିଲେ–ଭୟ କରିବାର କିଛି କାରଣ ନାହିଁ । ଆଜିକାଲି ତ ଏହାଠାରୁ ବଳି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିବା ମଣିଷ ଭଲ ହୋଇଯାଉଛି-। ହେଲେ ପାଣିପରି ଅଜସ୍ର ଟଙ୍କା ଦରକାର ।

 

ଆଶ୍ଚର୍ଯ୍ୟ ହୋଇ ଥରିଲା ଗଲାରେ ସେତେବେଳେ ଶ୍ୱେତ କହିଥିଲା, ଡାକ୍ତରବାବୁ, ତା’ହେଲେ ମୋର ଅନୁମାନ କ'ଣ ସତ ? ମୋତେ–ମୋତେ କ'ଣ ଯକ୍ଷ୍ମା ହୋଇଛି ଡାକ୍ତର ବାବୁ ? ଆଉ କିଛି କହି ପାରିଲା ନାହିଁ । ଚକ୍ଷୁଦ୍ୱୟ ଜଳରେ ପୂର୍ଣ୍ଣ ହୋଇଗଲା ।

 

ହଁ ଆଜକୁ ପ୍ରାୟ ଅନେକଦିନ ହେବ ଆପଣ ଏ ରୋଗର ଶିକାର ହୋଇ ସାରିଛନ୍ତି । ମାନସିକ ଦୁଃଖ ଓ ଚିନ୍ତା ଭିତରେ ଆପଣ ଏ ବିଷୟ ନେଇ କିଛି ଜାଣି ପାରି ନାହାନ୍ତି । ଅଳ୍ପଦିନ ହେବ ଏହା ସ୍ପଷ୍ଟ ଭାବରେ ଫୁଟି ଉଠିଛି । ରୋଗର ବର୍ତ୍ତମାନ ଅବସ୍ଥା...ଯାହାହେଉ ଭୟ କରିବାର କିଛି କାରଣ ନାହିଁ । ହଁ ଡାକ୍ତର ହିସାବରେ ମୁଁ ଏତିକି ଉପଦେଶ ଦେବି ବା ଦେଇପାରେ ଯେ ଆପଣ ନିଜର ପରିବାରକୁ ନେଇ ବହୁ ସାବଧାନତାର ସହିତ ଚଳିବେ । ଅତ୍ୟଧିକ ମିଳାମିଶା କରିବା ଆଦୌ ଉଚିତ ନୁହେଁ । ଆପଣ ଯୁବତୀ କିନ୍ତୁ ଯୌନ ଆକର୍ଷଣରେ ଭୁଲି ଯାଇ...ପରର ଜୀବନଟାକୁ ସଙ୍କଟାପନ୍ନ କରିବା ମୋ ମତରେ ଆଦୌ ଭଲ ନୁହେଁ । ଗୁରୁତର ପାପ । ମଣିଷର ଧର୍ମ ମଣିଷକୁ ବଞ୍ଚେଇବା ପାଇଁ, ମାରିବାକୁ ନୁହେଁ ।

 

ଡାକ୍ତରଙ୍କ କଥା ଶ୍ୱେତର ମନରେ ହଠାତ୍ ଉଦୟ ହେଲା । ବିଛଣାରେ ମୁହଁ ଲୁଚାଇ କେବଳ ଅଶ୍ରୁ ଗଡ଼ାଇବାକୁ ଲାଗିଲା । ଗଳା ଚାପି ହେଲା ପରିକି ଲାଗିଲା । ମୁହଁରୁ କଥା ବାହାରିଲା ନାହିଁ । ନୀଳାର ପ୍ରଶ୍ନର ଜବାବ ନ ଦେଇ ଚୁପହୋଇ ରହିଲା ।

 

ଶ୍ୱେତ ଶୋଇପଡ଼ିଲା ଭାବି ଭାବି । ନୀଳା ମଧ୍ୟ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲା ।

 

ଲୁହରେ ବିଛଣା ତିନ୍ତି ଗଲାଣି । ଶ୍ୱେତପଦ୍ମାର ଆଖି ଦିଓଟି ମିଟି ମିଟି କରି ଘରର ଅନ୍ଧାର ଭିତରେ ନିଜର କର୍ତ୍ତବ୍ୟ ଖୋଜି ବାହାର କରିବାକୁ ଲାଗିଛି । ତା’ର କର୍ତ୍ତବ୍ୟ କ'ଣ ? ବର୍ତ୍ତମାନ ଅବସ୍ଥାରେ ନିଜର ପରିବାର ପ୍ରତି କର୍ତ୍ତବ୍ୟ କ'ଣ ? ନିଦ ନାହିଁ । ଚେଇଁଛି ଏବଂ ଚେଇଁଛି । କାନରେ ବାଜୁଛି ଥାନା ଘଣ୍ଟାର ଠନ୍ ଠନ୍ ଆବାଜ୍–ଏକ୍ । ଦୁଇ । ତିନି ।

 

ନା ନା ମୁଁ ଚାଲିଯିବି । ବହୁତ ଦୂରକୁ ଚାଲିଯିବି । ନିସ୍ତବ୍‍ଧତାର ରାଜ୍ୟକୁ । ଦୁନିଆଁ ଖୋଜିଲେ ଯେମିତି ମୋତେ ପାଇ ପାରିବ ନାହିଁ । ମୋତେ ଖୋଜି ବାହାର କରିବାକୁ ଏ ଛୋଟିଆ ପରିବାରର ସାହସ ନ ଥିବ । ଏ ମମତା, ଏ ବନ୍ଧନ ମୋତେ ଆଉ ଅଟକାଇ ପାରିବ ନାହିଁ । ସରୋଜର ପ୍ରେମ ସରୋଜର ବାହୁଯୁଗଳ ମୋତେ ଆଉ ବାନ୍ଧି ରଖି ପାରିବ ନାହିଁ । ସମାଜ କହିବ ଶ୍ୱେତପଦ୍ମା କାହା ସହିତ ଚାଲିଗଲା, ଯୌନ କ୍ଷୁଧାକୁ ସହି ନ ପାରି । ପରିବାର କାନ୍ଦିବ । ବୁଢ଼ା ବାପ ଜେଲ ଭିତରେ ଥାଇ ମୁଣ୍ଡ କଚାଡ଼ି କଚାଡ଼ି କାନ୍ଦିବେ । କହିବେ ଯା' ପାଇଁ ମୁଁ ଦୀର୍ଘ ଛଅ ମାସ କାରାଦଣ୍ଡ ଭୋଗିଲି, ଝିଅ ମୋର ତା’ର ପ୍ରତିଦାନ ଦେଲା ମୋ ବୃଦ୍ଧ କପାଳରେ ସଜ କଳଙ୍କର ଟିକା, ହୃଦୟ ଭିତରେ ଅଲିଭା ଦାଗ । ଆଉ ମୋର ଫଟୋକୁ ଦେଖି ସରୋଜ କହିବେ–ଶ୍ୱେତ ତୁ ଧୋକାବାଜ୍ । ତୋର ପ୍ରେମ କୁତ୍ସିତ, ନାରକୀୟ, ଭଣ୍ଡାମିପୂର୍ଣ୍ଣ । ପ୍ରେମ ନାଟକର ଶ୍ରେଷ୍ଠ ଅଭିନେତ୍ରୀ ପଦ ଲାଭ କରିବାକୁ ତୁ ଏଡ଼େ ସାହସ କଲୁ ? ସରୋଜ ମୁଁ ତୁମର ଅମଙ୍ଗଳ ଚାଁହ୍ନେନା । ତୁମର ଛାତିରେ ଛାତି ରଖି ମୁଁ ପାଇଛି ଅମୃତ । ଆଜି କିନ୍ତୁ ସେହି ଛାତିରେ ମୋ'ର ଦେହର ବିଷ ତ ଅଜାଡ଼ି ଦେଇ ପାରିବ ନାହିଁ । ବରଂ ତୁମେ ମୋତେ କହ ଧୋକାବାଜ୍, କଳଙ୍କିନୀ, ଯାହା ପାରିବ ଗାଳି ଦିଅ ।

 

ଏହି ପରିବାର ପାଇଁ ତୁମେ କ'ଣ ନ କରିଛ ବାପା । କ'ଣ ନ ସହିଛ ତୁମେ । ଝିଅଙ୍କର ମୁହଁରେ ସରାଗ ଟିକିଏ ଦେଖିବା ପାଇଁ ଅଜସ୍ର ଟଙ୍କା ଢାଳି ଦେଇଛ । ଶେଷରେ ଏହି ଅଭାଗିନୀ ଶ୍ୱେତପଦ୍ମା ପାଇଁ ତୁମେ ଭୋଗିଛ ଛ' ମାସ ସଶ୍ରମ କାରାଦଣ୍ଡ । ବେଶ୍ ତାହା ହିଁ ଅଧିକ ବାପା ! ତାହା ହିଁ ଅଧିକ । ମୁଁ ଆଉ ତୁମର ଖାଇବା ଥାଳିରେ ଦୁଃଖ ବାଢ଼ିବାକୁ ଚାଁହ୍ନେନା । ମାନସିକ ଦୁଃଖର ଅସହ୍ୟ ବେଦନାର ନିର୍ମମ ଆଘାତ ଦେବାକୁ ମୁଁ ପସନ୍ଦ କରେନା ଆଦୌ । ମୋତେ ବରଂ ଦୁନିଆ କଳଙ୍କିନୀ କହୁ, କହୁ ମୋତେ ଗଣିକା କିନ୍ତୁ ଏ ପରିବାରକୁ ମୁଁ ବଞ୍ଚାଇବି । ତୁମ୍ଭମାନଙ୍କୁ ଅଯଥା ଦୁଃଖ ଦେଇ ମର୍ମାହତ କରିବା ଠାରୁ ବରଂ ଅକାଳ ମରଣ ମୋର ଶତଗୁଣେ ଶ୍ରେୟସ୍କର । ମୁଁ ଚାଲିଯିବି ନୀଳା, ମୁଁ ଚାଲିଯିବି । ଅଯଥା ତୁ କାହିଁକି ମୋ ପାଇଁ ଘାଣ୍ଟିହେବୁ । ତୋର ସୁଖର ବିରାଟ ଭବିଷ୍ୟତ ପଡ଼ି ରହିଛି । ଏ ଘରେ ମୋର ଆଉ ରହିବା ଭଲ ନୁହେଁ । ମୋର ଦୋଷ ! ସବୁ ମୋର । କ୍ଷମା ଦେବନି ମୋତେ ?

 

ଏହିପରି ଭାବୁ ଭାବୁ କେତେବେଳେ ଆଖି ଲାଗି ଯାଇଛି ଶ୍ୱେତପଦ୍ମାକୁ ଜଣା ନାହିଁ ।

 

ଓଃ ଏ କି ନିଦ୍ରା । ଭାଗ୍ୟର ଦାରୁଣ କଷାଘାତର କଳା ଛାଇ ତା’ର ମୁହଁକୁ ଢାଙ୍କି ରଖିଛି ଯେପରି ।

 

 

ତହିଁଆର ଦିନ ।

 

ଶ୍ୱେତପଦ୍ମାର ମନ କେଉଁଠିହେଲେ ଲାଗୁନାହିଁ । ପାପ ମନ ତ ସର୍ବଦା ଘାଣ୍ଟି ଚକଟି ହେଉଛି । କ'ଣ କରିବ, କେଉଁଠାକୁ ଯିବ, କିପରି ଯିବ, କିଛି ଠିକ୍ କରି ପାରୁ ନାହିଁ ସେ ।

 

ନୀଳାର ଅଫିସ ଯିବାବେଳ ହୋଇ ଆସିଲା । ଅଫିସର ଅନେକ କାମ ବାକି ପଡ଼ିଥିଲା, ତେଣୁ ଫାଇଲ ଦି'ଟା ସେ ଘରକୁ ସେ ନେଇ ଆସିଲା । କାମ ଶେଷ କରୁ କରୁ ନୀଳା ଡାକ ଛାଡ଼ିଲା–ମିନୁ ମା ଅଫିସ ଯିବା ବେଳ ହୋଇ ଆସିଲା, ଖାଇବାର ବନ୍ଦୋବସ୍ତ କର । ଶ୍ୱେତପଦ୍ମା ଆଡ଼କୁ ମୁହଁ ଫେରାଇ କହିଲା, ସତରେ ଶ୍ୱେତ ଆମ ମେନେଜର ବାବୁ ମୋ ଉପରେ କେବେ ଖପା ହୁଅନ୍ତି ନାହିଁ । କେବେ କେବେ ଡେରି ହୋଇଯାଏ, ହେଲେ ମନରେ କିଛି ଭାବନ୍ତି ନାହିଁ । ଭାରି ଭଲ ଲୋକ ।

 

କହିଲୁ ନୀଳା ! ତୁମ ମେନେଜର ବାବୁ ଯୁବକ ନା ବୃଦ୍ଧ ?

 

କାହିଁକି ?

 

ନା, ସେମିତି ପଚାରୁଥିଲି କହି ହସିଲା ଶ୍ୱେତ ।

 

ତା’ କଥାର ଭିତରିଆ ଅର୍ଥକୁ ବୁଝି ନେଇ ନୀଳା କହିଲା–ଧେତ୍ ।

 

ଏତିକିବେଳେ ମିନୁ ମା ରୋଷେଇ ଘରୁ ଡାକ ଛାଡ଼ିଲା–ନୀଳା । ଭାତ ବାଢ଼ିଲିଣି, ଶ୍ୱେତକୁ ସାଙ୍ଗରେ ଘେନି ଆ ।

 

ଉଭୟେ ରୋଷାଇ ଘରକୁ ପଶିଲେ ।

 

ନୀଳା ବସୁ ବସୁ କହିଲା, ମିନୁ ମା ଆଜି ତ ଦେଖୁଛି ଅନେକ ରକମର ତରକାରୀ କରିଛୁ । କଥା କ’ଣ ? ଛିଡ଼ା କ'ଣ ହୋଇଛୁ ଲୋ ଶ୍ୱେତ ଆ ବସ । ମିନୁ ମା' ଶ୍ୱେତ ପାଇଁ ବାଢ଼ି ନାହୁଁ ?

 

ନା' ଉତ୍ତର ଆସିଲା ।

 

'କାହିଁକି ବା'

 

ଭଜା ଦେଉ ଦେଉ ମିନୁ ମା କହିଲା । ଆଜି ତମ ଉଭୟଙ୍କର ଜନ୍ମ ଦିନ । ମୋର ମନେ ଅଛି ତମ ମା’ ସୁହାସିନୀ ଯେତବେଳେ ବଞ୍ଚିଥିଲେ ଆଜି ପରିକା ଠିକ୍ ତମମାନଙ୍କର ଜନ୍ମ ଦିବସରେ ତୁମ ଦି' ଙ୍କୁ ଗୋଟିଏ ଥାଳିରେ ଖୁଆଉଥିଲେ । ଆଜି ପର୍ଯ୍ୟନ୍ତ ତା' ମୁଁ ଭୁଲି ପାରିନି । ଆଖିରେ ଆନନ୍ଦର ଅଶ୍ରୁ ଗଡ଼ି ଯାଉଥିଲା ତାଙ୍କର ଯେତେବେଳେ ତୁମକୁ ନିଜ ହାତରେ ଖୁଆଉ ଥିଲେ । ଖାଉଁ ଖାଉଁ ତୁମ୍ଭେମାନେ ଯଦି ବେଳେବେଳେ ହଟକି ଯାଅ, ସେ କହୁଥିଲେ ଭଗବାନ ! ଏମାନଙ୍କୁ ବୁଢ଼ୀଟିଏ ଲେଖା କରିଥାଅ । ସେଥିପାଇଁ ଆଜି ତୁମ ଦି’ଙ୍କୁ ଗୋଟିଏ ଥାଳିରେ ଭାତ ଦେଇଛି ।

 

ନୀଳା ଶ୍ୱେତପଦ୍ମାର ହାତ ଧରି ବସିବାକୁ କହିଲା । ସେତେବେଳେ ଶ୍ୱେତର ହୃଦୟରେ ଡାକ୍ତରଙ୍କର କଥା ବୀଣାର ତାନ ପରି ଝଙ୍କୃତ ହୋଇ ଉଠିଲା । ଡାକ୍ତରଙ୍କର କଥା ଶରବିଦ୍ଧ କଲାପରି ତା’ର ଛାତିକୁ ଆଘାତ କଲା ବହୁତ ମର୍ମନ୍ତୁଦ ଭାବରେ–"ଦେଖନ୍ତୁ ଆପଣଙ୍କ ପରିବାର ନେଇ ବହୁ ସାବଧାନତାର ସହିତ ଚଳିବେ । ବେଶୀ ମିଳାମିଶା କରିବା ଆଦୌ ଉଚିତ ନୁହେଁ । "

 

ତା’ର ମୁଖମଣ୍ଡଳ ମଳିନ ହୋଇ ଉଠିଲା । ଆଖିର ଲୁହ ଆଖିରେ ରହିଲା ଛାତିରେ କୋହ ଛାତିରେ ଦବିଗଲା । ଦୁଃଖର ସହିତ କଥାର ମୋଡ଼ ବଦଳାଇ ଶ୍ୱେତ ଉତ୍ତର ଦେଲା, ମୋତେ ଭୋକ ନାହିଁ । ଗତ ରାତ୍ରିରେ ଅନିଦ୍ରା ବଶତଃ ଦି’ ଚାରିଟା ଝାଡ଼ା ହୋଇ ପେଟ ଫାମ୍ପୁଚି । ଭାବିଚି କିଛି ନ ଖାଇଲେ ଭଲ ହୁଅନ୍ତା । ଆଜି ଡାକ୍ତରଙ୍କ ପାଖକୁ ତ ପୁଣି ଯିବାର ଅଛି । କାଶର ଔଷଧ ସଙ୍ଗେ ସଙ୍ଗେ ଝାଡ଼ା ବନ୍ଦ ହୋଇ ପେଟ ଭଲ ହେବାର ଔଷଧ ମଧ୍ୟ ନେଇ ଆସିବି ।

 

ତା’ହେଲେ ତୁ ମୋ ସାଥିରେ ଖାଇବୁ ନାହିଁ ? ଦୁଃଖରେ ଭାଙ୍ଗି ପଡ଼ିଲା ନୀଳା ।

 

ନା' କହି ବାହାରକୁ ଚାଲିଗଲା ଶ୍ୱେତ ।

 

ବଡ ଆଶ୍ଚର୍ଯ୍ୟ କିସମର ଝିଅ ଏ ଶ୍ୱେତଟା ଆମର । ସର୍ବଦା ମୁଣ୍ଡରେ ଗୋଟିଏ ଚିନ୍ତାର ବୋଝ ନେଇ ଦିନ କାଟୁଛି । ଆଚ୍ଛା ମିନୁ ମା ତାକୁ କିଛ ହାଲୁକା ଜିନିଷ ଖାଇବାକୁ ଦିଅ, ନ ହେଲେ ପେଟ ତା’ର ଆହୁରି ଗରମ ହୋଇଯିବ । କହିଲା ନୀଳା ।

 

ମିନୁ ମା ଉତ୍ତର ଦେଲା, ହଁ–ଖାଇଲେ ତ ! କାଶ କାଶରେ ନ ଖାଇ ନ ପିଇ ଶ୍ୱେତର ଦେହ କଳାକାଠ ହୋଇଗଲାଣି । ଆରେ ନିଜ ମନ ମୁତାବକ କିଛି ଖାଅ । ତା' ଦେଇ ହେବ ନାହିଁ-। ମୁଁ ଦେଖୁଛି ଆଜି କାଲି ତ ନିଜ ଦେହ ପାଇଁ ମଧ୍ୟ କିଛି ଯତ୍ନ ନେଉ ନାହିଁ । ଖାଲି ଏକୁଟିଆ ବସି ଭାବନା ରାଇଜରେ ବୁଡ଼ି ରହିବା ତା’ର ଦୈନନ୍ଦିନ କର୍ତ୍ତବ୍ୟ ହୋଇ ପଡ଼ିଛି । ସର୍ବଦା ଦୂରେଇ ଦୂରେଇ ହୋଇ ରହିବା ଛିଡ଼ାହେବା, କଥା ଲାଗିବା ତାକୁ କାହିଁକି ବହୁତ ଭଲ ଲାଗୁଚି । ସେଦିନ ଗ୍ଲାସରେ ପାଣି ପିଇ ତାକୁ ପୁଣି ଧୋଇ ଦେଇଦେଲା । ତୁ ଏଆଡ଼େ ଦିନ ଦଶଟାରୁ ଅଫିସକୁ ଚାଲି ଯାଉଛୁ । ତା'ସଙ୍ଗେ କେହି ନାହିଁ କଥାବାର୍ତ୍ତା କରି ମନ ଭୁଲେଇବା ପାଇଁ, ତେଣୁ ତା’ ମନ ଆହୁରି ବିଷାକ୍ତ ଓ ବିରକ୍ତ ହୋଇ ପଡ଼ିଛି ।

 

ଭାତ ଖାଉ ଖାଉ ନୀଳା କହିଲା ତା’ର ହୃଦୟ ଭାରି କୋମଳ ମିନୁ ମା । ମୋ'ପରି କଠୋର ନୁହେଁ । ସରୋଜ ଭାଇନା ବିଲାତ ଚାଲିଗଲା ଦିନଠୁଁ ତା’ର ମତି ଗତି ଏକବାରେ ଭିନ୍ନ ହୋଇ ପଡ଼ିଛି । ନା ଖାଇବାରେ ନା ପିନ୍ଧିବାରେ କେଉଁଥିରେ ତା’ର ସ୍ପୃହା ନାହିଁ । ମୋତେ ତ ସନ୍ଦେହ ଲାଗେ ଯେ ଦୀର୍ଘ ଦି’ ବର୍ଷ ହେଲା ସେ ରାତିରେ ଶାନ୍ତିରେ ଟିକିଏ ଶୋଇ ପାରୁଛି କି ନା । ତା’ର ଭବିଷ୍ୟତ ବଡ଼ ଅନ୍ଧାର ମିନୁ ମା । ଏଣେ ବିଜୟକାକାଙ୍କର ଆମ ବିରୁଦ୍ଧରେ ଏପରି ଶତ୍ରୁତା, ତେଣେ ଶ୍ୱେତର ଭବିଷ୍ୟତ ଜୀବନ ସରୋଜ ଉପରେ ନିର୍ଭର କରେ । ଏଣେ ନିର୍ଦ୍ଦୋଷୀ ବାପ ମୋ'ର କାରାବାସୀ, ତେଣେ ଶ୍ୱେତର ଶାରୀରିକ ଅବସ୍ଥା ବଡ଼ ଶୋଚନୀୟ । କହୁନୁ ଭଲା ମାନସିକ ଚିନ୍ତାର କୁହୁଡ଼ି ଯାହାକୁ ଆଗପଛ କରି ଘୋଡ଼ାଇ ରହିଛି । ତା’ର ଶାରୀରିକ ଅବସ୍ଥା କ’ଣ ସ୍ଵଚ୍ଛଳ ରହିବ ? ଆଗକୁ ସେ ଦେଖିପାରିବଟି ?

 

ମିନୁ ମା କହିଲା, ମାସେ ନୁହେଁ ଦି’ ମାସ ହେଲାଣି । କାଶ ଶ୍ୱେତକୁ ଛାଡ଼ୁନାହିଁ । ଯେତେ ଔଷଧ କଲେ ମଧ୍ୟ କ'ଣ କାଣି କଉଡ଼ିଟିଏ ହେଲେ କମୁଛି । ଡାକ୍ତରଙ୍କୁ ଦେଖେଇ ଦେଖେଇ ତ ଶ୍ୱେତ ଥକିଗଲାଣି ଔଷଧ ଦେହରେ ପଚିଲେ ତ ? ଡାକ୍ତରଙ୍କୁ ଦେଖାଅ, ବୈଦ୍ୟ ମହାରାଜଙ୍କୁ ଦେଖାଅ, କାହିଁରେ କିଛି ଫଳ ହେଉ ନାହିଁ ।

 

ପାଣି ଗ୍ଳାସଟି ହାତରେ ଧରୁ ଧରୁ ମିନୁ ମା’କୁ ଚାହିଁ କହିଲା, ଶ୍ୱେତର ଏକମାତ୍ର ଔଷଧ ସରୋଜ ଭାଇନା । ମୋର ବିଶ୍ୱାସ, ସରୋଜ ଭାଇନା ଆସିଲେ ତୋର ରୋଗ କୁଆଡ଼େ ଉଭେଇ ଯିବ, ଚିନ୍ତା କୁଆଡ଼େ ଚାଲିଯିବ । ତା' ପୂର୍ବ ଶରୀରର ରୂପ ରଙ୍ଗ ସବୁ ସେ ଫେରି ପାଇବ ।

 

ଗପୁ ଗପୁ ସାଢ଼େ ଦଶଟା ବାଜିଗଲା । ତରତରରେ କାମଦାମ ସାରି ଶାଢ଼ି ବଦଳାଇ ନୀଳା ଅଫିସକୁ ବାହାରିଲା । ଯିବାବେଳେ କହି ରଖିଗଲା, ଶ୍ୱେତ ଭୁଲିବୁ ନାହିଁ । ଉପରଓଳି ଡାକ୍ତରଙ୍କ ପାଖରୁ ଔଷଧ ନେଇ ଆସିବୁ । ହଁ ଆଜି ମୋର ଆସିବାରେ ଟିକିଏ ବିଳମ୍ବ ଘଟିପାରେ ।

 

ପାପ ମନ ସର୍ବଦା ଘାଣ୍ଟି ହେଉଛି । ସେଥିପାଇଁ ଗୋଟିଏ ଥାଳିରେ ନୀଳା ସଙ୍ଗେ ନ ଖାଇବା ପାଇଁ ସେ କହିଛି ମିଥ୍ୟା । ପେଟରେ କୌଣସି ଉପଦ୍ରବ ନାହିଁ । ସବୁ ତା’ର ପାପ ମନର ଆଦେଶ । ତା’ ମନ ତା’କୁ ଯାହା କହୁଛି ତାହା ସେ କରୁଛି ।

 

ପେଟ ଜଳୁଛି । ସକାଳରୁ ସେ ଆଜି କିଛି ଖାଇନାହିଁ, ଖାଲି ଚା’ ପାଣି ପେଟରେ ପଡ଼ିଛି-। ଜୀବନ ପାଇଁ ତା’ର କିଛି ଚିନ୍ତା ନାହିଁ । ସୁଖ ସରଗ ସବୁ ପୋଡ଼ି ଜଳି ଧ୍ୱଂସ ହୋଇ ଯାଇଛି । ଚିର ଦିନ ପାଇଁ ଭସ୍ମୀଭୂତ ହେବାକୁ ଯାଉଛି ତା’ର ଆଶାର ମନ୍ଦିର । ଆତ୍ମା ପକ୍ଷୀ ତା’ର ଯେଉଁ ସରୋଜ ପାଇଁ ପାଗଳ ହୋଇ ଖୋଜି ବୁଲୁଚି, ତାଙ୍କୁ ପାଇବା ପାଇଁ ସର୍ବଦା ଅଭିସାରିକା ରୂପେ ଦୀର୍ଘ ଦି’ ବର୍ଷ ଧରି ଅପେକ୍ଷା କରି ରହି ଆସଛି ଯେଉଁ ଶ୍ୱେତପଦ୍ମା, ନିଜକୁ ଯୋଗିନୀ ସାଜି ନିଜ ପ୍ରଭୁର ପଥ ଚାହିଁ ରହିଛି ଯେ ସେ ଆଉ ସେହି ଦେବତାଙ୍କୁ ଜାଣିଶୁଣି ହୃଦୟର ଅନ୍ତରତମ ପ୍ରଦେଶର ସ୍ଵର୍ଣ୍ଣମୟ ସିଂହାସନରୁ ତଡ଼ି ଦେବାକୁ ଚାହିଁଛି । ସେ ସ୍ୱତଃ ଚାହିଛି । ହୁଏତ ନିଜର ଏ କାର୍ଯ୍ୟ ପାଇଁ ତା’ର ଆତ୍ମା କାନ୍ଦିଛି । ତା’ର ପିଣ୍ଡରୁ ପ୍ରାଣ ଚାଲି ଯାଇଛି ଯେପରି । ସେ ବଞ୍ଚିବାକୁ ଚାହେଁନାହିଁ । ତା’ର ବିବେକ ତାକୁ ଆଦେଶ ଦେଇଛି–ସରୋଜକୁ ଭୁଲି ଯା । ତାକୁ ତୁ ଯୌବନ ଆକର୍ଷଣରେ ବାନ୍ଧି ରଖନା । ତୋତେ ଯକ୍ଷ୍ମା ହୋଇଛି । ତୁ ମରିବୁ–ସରୋଜ ମରିବ, ଯଦି ତାକୁ ତୁ ନିଜ ଛାତିରେ ବାନ୍ଧି ରଖୁ ।

 

ଶ୍ୱେତ ପାଗଳୀ ପରି ହଠାତ୍ ଚିତ୍କାର କରି ଉଠିଲା–ନା, ନା ।

 

ମୁଁ ମରିବି । ହେଲେ ମୋର ପ୍ରାଣର ନିଧି ଏପରି ହେବା ମୁଁ କଦାପି ଦେଖିବିନି ।

 

ଥରିଲା ଗଳାରେ ଚାରିଆଡ଼କୁ ଦୃଷ୍ଟି ନିକ୍ଷେପ କରି କହିଲା, ତୁମେ ବଞ୍ଚିବ ସରୋଜ । ମୁଁ ଚାଲିଯିବି । ସେହି ଆରପାରିରେ ମୁଁ ତୁମକୁ ଅପେକ୍ଷା କରିଥିବି । ଆମର ପ୍ରେମରେ ନାହିଁ ଅପବିତ୍ରତା । ଯୁଗେ ଯୁଗେ ପ୍ରେମ ଆମର ଅମର ହୋଇ ରହିବ । ତୁମେ ମୁଁ ଅବିଚ୍ଛିନ୍ନ । ଯୁଗେ ଯୁଗେ ଅବିଚ୍ଛିନ୍ନ । ଏ ଜୀବନରେ ମୁଁ ତୁମଠୁଁ ସବୁକିଛି ଭରିପାଇଛି, ଯାହା ଚାହେଁ ସ୍ତ୍ରୀ ସ୍ଵାମୀଠାରୁ ଯାହା ପ୍ରେମିକା ଚାହେଁ ପ୍ରେମିକଠାରୁ ମୁଁ ସବୁ ପାଇଛି ସରୋଜ । ତଥାପି ଏ ହୀନ ପ୍ରାଣର ସେ ବାସନାର ଜ୍ୱାଳା ଶାନ୍ତି ଲାଭ କରିନି ।

 

ଟେବୁଲ ଉପରେ ହାତ ଦିଇଟି ରଖି, ତା’ ମଝିରେ ମୁଣ୍ଡ ରଖି କାନ୍ଦୁଥିଲା ଶ୍ୱେତ ।

 

ଶାଗୁ ପାଣି ଧରି ଘର ଭିତରକୁ ପଶିଲା ମିନୁ ମା ।

 

ହୃଦୟର କୋହକୁ ଚାପିରଖି ନପାରି ଆହୁରି ବଡ଼ପାଟିରେ ସେ କାନ୍ଦିବାକୁ ଲାଗିଲା ।

 

ଆଶ୍ଚର୍ଯ୍ୟରେ ମିନୁ ମା କହିଲା, ଶ୍ୱେତ, କାନ୍ଦୁଛୁ ? କେବେ ଭଲା ତୋ ମୁହଁରେ ହସ ଫୁଟନ୍ତା, ଆଖିର ପାଣି ଶୁଖନ୍ତା ।

 

ତା’ର କଥା ଶୁଣିଲା ମାତ୍ରେକେ ଶ୍ୱେତ ଆଖିରୁ କ'ଣ ଲୁହ ପୋଛନ୍ତା ଆହୁରି ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା । ଚୌକିରୁ ଉଠି ଅଶ୍ରୁ ପୂର୍ଣ୍ଣ ପଚାରିଲା ଆଖିରେ ମିନୁ ମାକୁ ଚାହିଁଲା । କିନ୍ତୁ ସ୍ୱତଃ ତା’ର ମୁଣ୍ଡ ନଇଁ ଆସିଲା ।

 

'କାନ୍ଦନା ମା' ଏପରି ହେଲେ କ'ଣ ଚଳିବ ? ତୋ' ଦୁଃଖ କ'ଣ ଆମ ପାଖରେ ଅଛପା ଅଛି ? ଆଉ ଦି’ଚାରି ଦିନ ଗଲେ ସରୋଜ ଆସିବ । ମୁଁ ଜାଣେ ସେ ବାପ ବିରୁଦ୍ଧରେ ତୋ ପାଇଁ ନିଶ୍ଚୟ ଲଢ଼ିବି । ବିଜୟର ଫଳସ୍ୱରୂପ ପରିଶେଷରେ ସେ ପାଇବ ତୋତେ । କାନ୍ଦନା ମା ମୋ ରାଣ । ଦେଖୁଣୁ, ଚିନ୍ତା କରି କରି ଦେଖ କିପରି ଝଡ଼ି ଗଲାଣି ।

 

ତା’ର କଥାରେ ଟିକିଏ ଆଶ୍ୱସ୍ତ ଅନୁଭବ କରି କଥା ବଦଳାଇ ଶ୍ୱେତ କହିଲା, ନା ନା ତା’ ନୁହେଁ ଯେ । ଆଜି ଆମର ଜନ୍ମଦିନ ନା–ମା କଥା ମନେ ପଡ଼ିଲା ଯେ, ଆମକୁ ଜନ୍ମ ଦେଇଛି ତାକୁ ଆଜିପରିକା ଦିବସରେ ନ ପାଇ ଆତ୍ମା ମୋର କାନ୍ଦି ଉଠୁଛି ।

 

ତା’ର ଦୁଃଖ ଭରା ଭାଷା ଶୁଣି ଶାରଦାର ଆଖିରେ ମଧ୍ୟ ଆସିଲା ଲୁହ । ଶ୍ୱେତ ଅଜାଣତରେ ଲୁହ ପୋଛି କହିଲା, ସାଗୁପାଣି କରିଛି ପେଟେ ପିଇ ଦେଇକି ଟିକିଏ ଶୋଇପଡ଼ । ଦେଖିଛି ଆଜି ସକାଳରୁ ତ କାଶ ହେଇନି–

 

କାଶ ହୋଇଛି । ରକ୍ତ ପଡ଼ିଛି । ଯେଉଁଠି, ଅଗଣାରେ ରକ୍ତ ପଡ଼ିଛି । ଅଜଣା ଆଶଙ୍କା ଓ ଭୟରେ ସେ ସେଠି ଫୁଲଗଛ ଲଗାଇବା ବାହାନାରେ ଗାତ କରି, ରକ୍ତ ସହିତ ଗାତରେ ପୁଣି ମାଟି ଭରିଛି । କାଶହେବାର ସମ୍ଭାବନା ହେଲେ ସେ ଘରୁ ବାହାରି ଆସି ଅଗଣା କିମ୍ବା ବାଡ଼ି ପଛପଟରେ ପୋତେ ଫୁଲଗଛ ।

 

ଶାରଦାକୁ ଉତ୍ତର ଦେବାକୁ ଯାଇ ଶ୍ୱେତ କହିଲା, ନା କାଶ କମିଛି ଡାକ୍ତର ବାବୁଟି ଭାରି ଭଲ ଲୋକ । ତାଙ୍କର ଔଷଧ ଭଲକାମ ଦେଉଛି ବୋଧହୁଏ । ନୁହେଁ ?

 

ତାହା ତୁ ସିନା ଜାଣିବୁ ।

 

ହଁ, ହଁ, ଔଷଧ ଭଲ କାମ ଦେଉଛି ଯେ ନୋହିଲେ କାଶର ପ୍ରକୋପ କମନ୍ତା କିପରି । ସତରେ ମିନୁ ମା କାଶକୁ ମୋତେ ଭାରି ଭୟ ଲାଗେ । ଓଃ କାଶ–କି ଦୁର୍ଦ୍ଦାନ୍ତ ଏ ଦୁନିଆରେ ସବୁଠୁ ଭୟଙ୍କର ରୋଗ ଏ ।

 

'ହଉ ତେଣେ ଅନେକଟା କାମ ପଡ଼ିଛି । ଏଗାରଟା ବାଜିଲାଣି ଟିକିଏ ଶୋଇପଡ଼ । ତୋତେ ବିଶ୍ରାମ ଦରକାର । ମିନୁ ମା ଚାଲିଗଲା ।

 

ସାଗୁପାଣି ପିଉ ପିଉ ଶ୍ୱେତ କହିଲା, ହଁ ଠିକ୍ କହିଚୁ ମିନୁ ମା । ମୋତେ ବିଶ୍ରାମ ଦରକାର, ଚିର ବିଶ୍ରାମ ଦରକାର ।

 

X X X

 

ମିନୁ ମା ଟିକିଏ ପାଣି ଦେ । କାଶି କାଶି ଥକି ଗଲିଣି ।

 

ପାଣିଗ୍ଲାସେ ଆଣି ଟେବୁଲ ଉପରେ ସେ ଥୋଇ ଦେଇଗଲା । ଏକା ଦୀର୍ଘ ନିଶ୍ୱାସ ମାରି ଶ୍ୱେତ ପଚାରିଲା, କେତେଟା ବାଜିଛି ?

 

ଶାରଦା ଚାଲିଯାଉଥିଲା । ଅଟକି ଗଲା । କହିଲା, ଚାରିଟା ହେଇଚି । ଖରାର ତେଜ କମିନାହିଁ । ପାଞ୍ଚଟା ବାଜିଯାଉ । ନ ହେଲେ ଛ’ଟା ବେଳକୁ ଯାଇ ଡାକ୍ତର ବାବୁଠୁଁ ଔଷଧ ନେଇ ଆସିବୁ । ମୁଁ ତ ବାରମ୍ବାର ତୋତେ ପଚାରିଛି ଲୋ ଶ୍ୱେତ, କେଉଁଠି ଡାକ୍ତରଙ୍କର ବସା, କେଉଁଠି ଜାଣିଲେ ସିନା ମୁଁ ଯାଇ ଔଷଧ ଆଣି ଦିଅନ୍ତି ବା ଯିବା ଆସିବା କରନ୍ତି ତୋ ସାଙ୍ଗରେ । ତୁ କିଛି କହିବୁ ନାହିଁ–ମୁଁ କରିବି କ'ଣ ?

 

ତୁ ବହୁତ କରୁଛୁ ଆମପାଇଁ ମିନୁ ମା' । ତୁ ଆଜି ଆମ ସାଥିରେ ନ ଥିଲେ ଆମ ପେଟରେ ଦାନା ପଡ଼ନ୍ତା ନାହିଁ । ଏ ଜନମରେ ତୋ ଋଣ ଆମେ ପରିଶୋଧ କରି ପାରିବୁ ନାହିଁ । ଦୁନିଆରେ ତୋ'ପରି ଆଉ ଭିଖୁଦାଦା ପରି ମଣିଷ ଖୁବ୍ ଅଳ୍ପ ଜନ୍ମଗ୍ରହଣ କରନ୍ତି ।

 

ମିନୁ ମା' ଘର ଭିତରକୁ ଚାଲିଗଲା ।

 

ଶ୍ୱେତର ମନ କାହିଁରେ ଲାଗୁ ନ ଥାଏ । ପେଟ ଭିତରୁ କୋହ ଉଠୁଥାଏ । ଛାତି ଉଠୁଥାଏ ପଡ଼ୁଥାଏ । ଆଖିରୁ ଗଡ଼ୁଥାଏ ନିରନ୍ତର ଲୁହଧାର । ଖଟତଳେ ବସିଥାଏ ମୁଣ୍ଡକୁ ଖଟର ଲମ୍ବା ଗୋଡ଼ଟାର ଉପରେ ଆଉଜାଇ ଦେଇ । ଖୋଜିଲା ଖୋଜିଲା ଆଖିରେ ଚାରିଆଡ଼କୁ ଅନଉଥାଏ । ଯେପରି କ'ଣ ହଜେଇ ଦେଇଛି । ଘରର ଉପର ତଳ ସବୁ ଆଡ଼କୁ ଚାହିଁ–ଦେଖେ ତାହା, ଯାହା ତା’ର ମନକୁ ସାନ୍ତ୍ୱନା ଦେଇ ପାରେନା । ଘରଟି ନୀରବ, ନିର୍ଜ୍ଜନ ସେ ଏକୁଟିଆ ବସି ଅଶ୍ରୁ ଗଡ଼ାଇବା ହିଁ ପସନ୍ଦ କରିଛି । ମିଳନଲୋଭୀ ଦେହ ଓ ମନ ଧାଉଁଥାଏ ସରୋଜ ପଛରେ । ଘର କାନ୍ଥରେ ଟଙ୍ଗା ହୋଇଥାଏ ଗୋଟିଏ ଫଟୋ । ଦଶବର୍ଷ ତଳର ଫଟୋ ଆଜି ତାକୁ ନୂଆ ପରି ଲାଗୁଚି । ଅତୀତ ଭିତରେ ବର୍ତ୍ତମାନକୁ ମିଳାଇ ଦେବାପାଇଁ ସେ ଚେଷ୍ଟା କରୁଛି କିନ୍ତୁ ପାରୁନି । ଫଟୋ ଉପରେ ଆଖି ପକାଇ ସେ କେତେ କ'ଣ ଭାବିନେଲା । ମନକୁ ମନ କହିଲା, ସରୋଜ ତମ ଦେହର ପରଶ ପାଇଁ ମୋର ପ୍ରାଣ ବ୍ୟାକୁଳ, ଅସ୍ଥିର ହୋଇ ଉଠିଛି । ମନମୋର ପାଗଳ ହୋଇଛି ତୁମକୁ ଟିକିଏ ଦେଖିବା ପାଇଁ । ଏ ସୃଜନ କାମୀ ଆତ୍ମା ତୁମକୁ ପାଇବା ପାଇଁ କାନ୍ଦୁଚି । ବଡ଼ ବିକଳରେ । ସରୋଜ, କାହିଁକି କାହିଁକି ତୁମେ ମୋତେ ଛାଡ଼ି ଚାଲିଗଲ । ତୁମର ଦୀର୍ଘ ଅନୁପସ୍ଥିତି ଯୋଗୁଁ ମୁଁ ଧୈର୍ଯ୍ୟ ହରାଇଛି । ଦୁନିଆଁ ଦିଶୁଚି ମୋତେ ଶୂନ୍ୟ । ଯାହାର ଦେହ ସଙ୍ଗେ ଏ ଦେହ ମିଶିଯିବାକୁ ହାହାକାର କରି ଉଠୁଛି ସେହି ଦି'ଟା ଦେହ ଭିତରେ ଏତେବଡ଼ ବ୍ୟବଧାନ, ମୋର ଛାତି ଫଟେଇ ଦେଉଛି ।

 

ଧର୍ମ, ସମାଜ, ସଂସ୍କୃତିକୁ କେବେହେଲେ ଅବମାନନା କରିନି ମୁଁ, ସରୋଜ । ସମାଜଗଢ଼ା ଯେଉଁ ଧର୍ମ, ଯେଉଁ ବ୍ୟାଖ୍ୟା ଭଗବାନଙ୍କର ସୃଷ୍ଟି, ନୀତିନିୟମ ବିଦ୍ରୋହ କରିଛି, ତାକୁ ମୁଁ ଭୟ କରିନି । ମୋର ଆତ୍ମା ସମାଜ ବିରୁଦ୍ଧରେ ବିଦ୍ରୋହ କରି ଉଠିଛି । ଆଉ ଏ ଦେହ, ଏ ମନ, ଆତ୍ମା ତମ ପଛରେ ଧାଇଁଛି ତୁମକୁ ପାଇବା ପାଇଁ । କିନ୍ତୁ ଆଜି ! ଆଜି ମୋର ଆତ୍ମାର ସୃଷ୍ଟି କରଣ ଇଚ୍ଛା, ମିଳନର ପ୍ରେରଣା, ଆକର୍ଷଣରେ ଶକ୍ତି ସବୁ ତୁଟି ଯାଇଛି, ଭାଙ୍ଗି ଯାଇଛି । ମୁଁ ମରିବି, ସରୋଜ ମୁଁ ଚାଲିଯିବି । ମୁଁ ନାଚାର ସରୋଜ, ମୁଁ ନାଚାର । ମୁଁ ଅଥର୍ବ, ସ୍ଥାଣୁ, ପଙ୍ଗୁ । ଏ କାଶ ଆଜି ମୋତେ ପାଗଳ କରି ଦେଇଛି ।

 

ବାପାଙ୍କର ଫଟୋ ଆଡ଼କୁ ଚାହିଁ କାନ୍ଦି କାନ୍ଦି କହିଲା, ମୋର ମନେ ଅଛି ବାପା, ତୁମେ କହି ଥିଲନା ବଞ୍ଚି ଥାଉ ଥାଉ ଆମ ଆଖିରେ ତୁମେ ଲୁହ ଦେଖିବାକୁ ଚାହିଁବନି । ଆମ ସୁଖ ଦେଖିବାକୁ ତମ ମନ ଉଚ୍ଛନ୍ନ ହୋଇ ଉଠିଛି । କିନ୍ତୁ ଦଇବ ହାତରେ ମଣିଷ ବାପା । ଦଇବ ମୋର ସୁଖ ଦେଖି ସହି ପାରିଲା ନାହିଁ । ବାପା ! ମୋତେ ଯକ୍ଷ୍ମା ହୋଇଛି । ଏଠି ରହି ସୁସ୍ଥ ସବଳ ପରିବାରକୁ ଅକାଳରେ ଭସାଇ ଦେବାକୁ ମୁଁ ଚାହେଁନା । ହୁଏତ ମୋର ଏପରି ଦୂରବସ୍ଥା ପାଇଁ ମୁଁ କେବଳ ଦାୟୀ !

 

ମୋତେ ଯକ୍ଷ୍ମା ହୋଇଛି, ତା’ ବୋଲି ତୁମ୍ଭମାନଙ୍କର ମୁଣ୍ଡର ବୋଝ ଉପରେ ନଳିତା ବିଡ଼ା ଉଜାଡ଼ିଦେବାକୁ ମୁଁ ଚାହେଁନା । ହୁଏତ କାହାକୁ ନ କହି ମୁଁ ଚାଲିଯାଉଛି । ସମାଜ ରଟିବ ତୁଣ୍ଡବାଇଦ । କହିବ ଛି, ଛି ବିଟପୀ ସ୍ତ୍ରୀ । ବାପ ଯେମିତି ଝିଅ ସେମିତି । ଏ କି କଥା–ଅଧର୍ମ ଅନାଚାର, ବ୍ୟଭିଚାର ଅଜାତିକ । ତୁମେ ହୁଏତ ରାଗରୋଷରେ କହିବ, ଶ୍ୱେତପଦ୍ମା ସେ, ମୋର ଝିଅ ? ପରିବାରର କଳଙ୍କ ସେ । କୁଳମର୍ଯ୍ୟାଦା ମାଟି କରିଦେଲା । ହଁ ବାପା, ସେପରି କହିଦେବାରେ ତୁମର କିଛି ଦୋଷ ନାହିଁ । ଯାହାହେଲେ ବି ମୁଁ ତୁମର ଝିଅ । ପରିବାରର ଅଗୋଚରରେ ଘରୁ ପଦାକୁ ଚାଲିଯିବାଟା ବାପ ହୃଦୟକୁ ନିଶ୍ଚୟ ବାଧିବ ।

 

ସେତେବେଳେ ଥାନା ଘଣ୍ଟାରେ ବାଜିଲା ପାଞ୍ଚ । ଟ୍ରେନ ଆସିବାର ସମୟ ହୋଇ ଆସିଲା ।

 

ମୁଁ ଚାଲିଯିବି । ମୁଁ ଚାଲିଯିବି । ଏ ଘରେ କ୍ଷଣିକ ପାଇଁ ମଧ୍ୟ ରହିବି ନାହିଁ ।

 

ଟେବୁଲ ଉପରେ କାଗଜ ଖଣ୍ଡିଏ ଥୋଇ କ'ଣ ଲେଖିବାକୁ ଚେଷ୍ଟା କଲା । ନଇଁଧାର ପରି ଆଖିରୁ ଗଡ଼ିଚାଲିଛି ନୀରଧାର । ହାତ ଥରିଲା । ଲେଖି ପାରିଲାନାହିଁ କିଛି । କାଗଜଟି ତିନ୍ତିଗଲା ଲୁହରେ ।

 

କାଗଜଟିକୁ ଖଣ୍ଡ ଖଣ୍ଡ କରି ଫାଡ଼ିଦେଲା ।

 

ମନ ଉଚ୍ଛନ୍ନ ହୋଇ ଉଠିଲା । ସେ ଆଉ ରହି ପାରିବ ନାହିଁ । ଚାରିଆଡ଼କୁ ଥରେ ଅନାଇଲା । ଆଲମାରିରୁ ଛୋଟ ଶିଶିଟାଏ ବାହାର କରି ନିଜ ହାତ ବ୍ୟାଗରେ ରଖିଲା ।

 

ଠିକ୍ ଏତିକି ବେଳେ ଆସି ଉଭାହେଲା ମିନୁ ମା' । ହାତରେ ଜଳଖିଆର ପାତ୍ର । ଦେଖିଲା ଯାହା ସେଥିରେ ସେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲା ନାହିଁ । ଶ୍ୱେତ ନିଜ ମା’ର ସିନ୍ଦୁର ଫରୁଆ ଭିତରୁ ସିନ୍ଦୁର ବାହାର କରି କପାଳରେ ଟୋପାଏ ଆଙ୍କି ଦେଉଛି ।

 

ମିନୁ ମା' ଡାକିଲା, ଶ୍ୱେତ ଲୋ, ହାଲୁକା କରି ଏ ଜଳଖିଆ ଗଣ୍ଡାକ ଖାଇଦେଇ ଡାକ୍ତରବାବୁଙ୍କ କତିରୁ ଫେରିଆସ ।

 

ତା’ର ଡାକ ଶୁଣି ଶ୍ୱେତର ସର୍ବାଙ୍ଗରେ ଶିହରଣ ଖେଳିଗଲା । କହିଲା, ମିନୁ ମା । ମୁଁ ଆଉ । ଓଃ, ଯାଉଛି । ଆସିବାରେ ଡେରି ହୋଇପାରେ । ଏହି ସିନ୍ଦୂର ଟୋପାଟି ମୋ କପାଳକୁ କେଶ ଶୋଭା ପାଉଛି ନା ।

 

ଠିକ୍ ସରୋଜର ଲକ୍ଷ୍ମୀ ପରି ଦିଶୁଛୁ ମା । ଆଚ୍ଛା, ପାଞ୍ଚଟାରୁ ଉପର ହେଲାଣି । ଶୀଘ୍ର ଯାଇ ଶୀଘ୍ର ଫେରିଆସିବୁ । ବିଳମ୍ବ କରନା । ସେ ଚାଲିଗଲା ରୋଷେଇ ଘରକୁ ।

 

ଦି'ମିନଟ ମଧ୍ୟରେ ଶ୍ୱେତ ଠିକ୍ କରିନେଲା ସେ କେଉଁଠାକୁ ଯିବ । ଟ୍ରେନ ଆସିବାର ଆଉ ଅଧଘଣ୍ଟାଏ ଅଛି । ଏହାହିଁ ସୁବର୍ଣ୍ଣ ସୁଯୋଗ ।

 

Unknown

ଘର ଭିତରୁ ସେ ବାହାରି ଆସିଲା । ଆତ୍ମାର ଡାକରେ, ବିବେକର ନିର୍ଦ୍ଦେଶରେ ଏହି ପରିବାରକୁ ସେ ଛାଡ଼ିବାକୁ ଯାଉଛି ।

 

ଦାଣ୍ଡ ମୁଣ୍ଡରେ ଛିଡ଼ାହୋଇ ନିମିଷକ ପାଇଁ ଘର ଆଡ଼କୁ ଦୃଷ୍ଟିନିକ୍ଷେପ କଲା । ଗଡ଼ିପଡ଼ିଲା ଆଖିରୁ ଦି'ଟୋପା ଲୁହ । ରକ୍ତଗତ ସମ୍ବନ୍ଧ ଓ ସଂସ୍କୃତିରୁ ସେ ଦୁରେଇ ହୋଇ ଯାଉଛି-। ଗୋଟିଏ ମଣିଷଟଣା ରିକ୍ସାରେ ବସୁ ବସୁ କହିଲା, ଭଗବାନ ଏ ନିଆଶ୍ରୀ ଗରିବ ଉପରେ ଆଖି ପକାଇଥିବ !

 

ରିକ୍‍ସା ଚାଲିଲା ସେଲ୍‍ ଫାଟକ ଅଭିମୁଖେ ।

 

ଶ୍ୱେତପଦ୍ମା ଚାଲିଯାଇଛି । ହେଲେ ତା’ର ପରାଣ ଦେବତାକୁ ସେ ନିଜ ହୃଦୟରୁ ପୋଛି ଦେଇପାରିନି । ସରୋଜ ତା’ର ଜୀବନର ଜୀବନ, ହୃଦୟର ଧନ ଶଙ୍ଖାଳି ।

 

ଶ୍ୱେତପଦ୍ମା ଘରୁ ଚାଲିଯିବାର ଠିକ୍ ପାଞ୍ଚ ମିନଟ ପରେ ପୋଷ୍ଟପିଅନ ଆସି ଦ୍ଵାର ମୁହଁରେ ଘଣ୍ଟି ବଜାଇଲା । ବାବୁ ଗୋଟିଏ ଏକ୍ସପ୍ରେସ୍‍ ଟେଲିଗ୍ରାମ ଆସିଛି ।

 

ଘଣ୍ଟି ଶୁଣି ଲୁଗା କାନିରେ ହାତ ପୋଛୁ ପୋଛୁ ଶାରଦା ପ୍ରଶ୍ନ କଲା କିଏ ?

 

ପୋଷ୍ଟପିଅନ । ଟେଲିଗ୍ରାମ ଅଛି ।

 

ଓଃ, ଯଦୁଭାଇ । ବହୁତ ଦିନରୁ ଦେଖାହେଲା । କ'ଣ କିଛି ଚିଠିପତ୍ର ଆସିଛି ? କେଉଁଠୁ ଆସିଛି ?

 

ତାର ଆସିଛି ।

 

ଚିଠିପତ୍ର ଦେବାନେବାରେ ଏ ଘର ସହିତ ପୋଷ୍ଟପିଅନ ଯଦୁର ଚିହ୍ନାପରିଚୟ ଅନେକ ଦିନରୁ ଅଛି ।

 

ମିନୁ ମା' ତା’ର ନିଜ ନା'ଟି ଲେଖିଜାଣେ । ତା'ନା ଲେଖିବା ବ୍ୟତୀତ ତାକୁ ଆଉ କିଛି ଆସେ ନାହିଁ । ଯଥା ସ୍ଥାନରେ ଦସ୍ତଖତ କରି ଦେଇ ସେ ଅନୁଗ୍ରହ ସହକାରେ ପଚାରିଲା, ଯଦୁଭାଇ ଏଟା କେଉଁଠୁ ଆସିଛି, କିଏ ଲେଖିଛି, କ'ଣ ଲେଖିଛି ଟିକିଏ ଶୁଣାଇଲୁ ।

 

ସାଇକଲଟାକୁ କାନ୍ଥରେ ଆଉଜାଇ ଦେଇ ଲଫାପାଟିକୁ ଯଦୁ ଫାଡ଼ିଲା । ଦେଖିଲା ଦି’ ଧାଡ଼ି ଇଂରାଜୀ ଅକ୍ଷର । ତାକୁ କଷ୍ଟେମଷ୍ଟେ ଓଡ଼ିଆରେ ଅନୁବାଦ କରି ପଢ଼ିଲା । ଲେଖାଅଛି–

 

ମୋର ଶ୍ୱେତ,

 

ମୁଁ କଲିକତାକୁ ଏ ମାସର ଠିକ୍ ଦଶତାରିଖ ସନ୍ଧ୍ୟାରେ ପହୁଞ୍ଚୁଛି ।

 

ତୋର

ସରୋଜ

 

ଦଶ ତାରିଖ ଅର୍ଥାତ ଆଜି ।

 

ଏତିକି ଯେମିତି ଶୁଣିଲା, ଶାରଦାର ଛାତି କୁଣ୍ଢେମୋଟ ହୋଇଗଲା । ପୂରିଗଲା ତା’ର ପେଟ । ତା'ର ଗୋଡ଼ ଯେପରି ମାଟି ଉପରେ ଲାଗୁନି । ହସି ହସି କହିଲା, ଯଦୁଭାଇ ସରୋଜ ଆସୁଛି । ଆମ ସରୋଜ । ସେ ଯେ ଶ୍ୱେତପଦ୍ମାର ସ୍ୱାମୀ । ତା’ର ସ୍ୱପ୍ନ । ହେ ଭଗବାନ । ତୁମର ଲୀଳାଖେଳା ଜାଣିବା ବଡ଼ ମୁସ୍କିଲ । ଏ କଥା ଶୁଣି ଶ୍ୱେତ ଆଜି କେତେ ଖୁସି ନ ହେବ ।

 

ହଁ । ଶ୍ୱେତପଦ୍ମାର ଯାବତୀୟ ରୋଗର ଔଷଧ ସରୋଜ । ସରୋଜ ବିନା ତା’ର ଦୁନିଆ ଶୂନ୍ୟ ହୋଇ ପଡ଼ିଛି ।

 

ପୋଷ୍ଟପିଅନ ଆଗରୁ ଚାଲି ଯାଇଥିଲା ।

 

ରିକ୍‍ସା ଚାଲିଛି ରେଳ ଷ୍ଟେସନ ରାସ୍ତାଦେଇ । ପଥର, ନିର୍ଜୀବ ପ୍ରାଣୀଟି ପରି ବସିଛି ଶ୍ୱେତ । ଭାବୁଛି, ସେ କ'ଣ କରିବାକୁ ଯାଉଛି । ତା’ ପକ୍ଷରେ ଏହା ଏକ ଅନ୍ୟାୟ ହୋଇନି ତ ? ରେଳଷ୍ଟେସନକୁ ଆଉ ଗଦାଏ ବାଟ ଅଛି । ହଠାତ୍ ଶ୍ୱେତପଦ୍ମାର ଚକ୍ଷୁ ପଡ଼ିଗଲା ଗୋଟିଏ ସୁସଜ୍ଜିତ କଳା କାର୍ ଉପରେ । ବିଜୟବାବୁ ଓ ବାରିଷ୍ଟରି ପାସ କରି ଫେରି ଆସୁଥିବା ତାଙ୍କର ସନ୍ତାନ ସରୋଜ ଅସୀନ । ମଟର ଉପରେ ପରଦା ନାହିଁ । ଗରମ ହେଉଛି ।

 

ସରୋଜ !

 

ସରୋଜ । ସେ ଫେରି ଆସିଛନ୍ତି । ଶୁଖିଲା ମୁହଁର ଓଠ ଉପରେ ମୃଦୁହାସ୍ୟ ଖେଳିଗଲା-। ଶୁଷ୍କ କୋରଡ଼ ଆଖିରେ, ଆନନ୍ଦାଶ୍ରୃ ଦି'ଟୋପା ବୋହିଗଲା ଗଣ୍ଡଦେଶ ଦେଇ ।

 

ଶ୍ୱେତପଦ୍ମା ପଛକୁ ଅନାଇଲା । ସେତେବେଳେ ସେହି କଳା କାର୍‍ଟି ବହୁତ ଦୂରକୁ ଚାଲି ଯାଇଥିଲାଣି ।

 

ଶ୍ୱେତର ଦେହକୁ ହଲାଇ ଦେଇ ସତେ ଯେପରି ତା’ର ବିବେକ ବାରମ୍ବାର ସଖିପରି କହି ଉଠୁଛି, ଯାହାପାଇଁ ଦୀର୍ଘ ଦି’ବର୍ଷ ଧରି ଆଖିରୁ ନିରନ୍ତର ଅଶ୍ରୁ ଗଡ଼ାଇବାପାଇଁ ପସନ୍ଦ କରିଛି, ସେ ଆସି ଯାଇଛନ୍ତି । ତୁ ଫେରିଯା । ଫେରିଯା ଶ୍ୱେତ ତୁ ଫେରିଯା । ଅନ୍ତତଃ ମରିବା ଆଗରୁ ହୃଦୟ ଓ ନେତ୍ର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ତାଙ୍କୁ ଥରେ ଦେଖିନେ ।

 

ହଠାତ୍ ଶ୍ୱେତ ରିକ୍‍ସା ଅଟକାଇବା ପାଇଁ ଆଦେଶ ଦେଲା ।

 

ରିକ୍‍ସା ଅଟକିଛି । ସେତେବେଳେ କୁଆଡ଼େ ଦମକାଏ କାଶ ଆସି ତା’ର ଛାତିକୁ ଥରାଇ ଦେଲା ।

 

ପୁଣି ନୈରାଶ୍ୟ ମୁହଁରେ ତା’ର ଉଛୁଳି ଗଲା । ଆଖିର ଲୁହ ପୋଛି ସେ କହିଲା, ନା ଫେରି ଯିବାର ତା’ର ଭାଗ୍ୟ ନାହିଁ । ଆଗେଇ ଚାଲ ।

ଧନ୍ୟ ଭଗବାନ, ଏ କି ଦଣ୍ଡ । ଏହା କ'ଣ ଶ୍ୱେତପଦ୍ମାର ପୂର୍ବଜନ୍ମକୃତ ପାପର ଫଳ ?

ବଡ଼ ବିଚିତ୍ର ଏ ସୃଷ୍ଟି । ପାଖର ନିଜର ମନକିଣା ପୁରୁଷ ଛିଡ଼ା ହୁଏ । ସ୍ତ୍ରୀର ଦେହମନ ମିଳନ ପାଇଁ ଛଟପଟ ହୁଏ । ହେଲେ ତା’ର ପୁରୁଷକୁ ସେ ନିଜେ ପାଇ ପାରେନା । କେଡ଼େ ହତଭାଗା ସେ । ଧନ ହାତକୁ ଆସି ହାତରୁ ଖସି ଯାଏ । ଧନ୍ୟରେ ଦଇବ ।

ସରୋଜକୁ ପାଇବା ପାଇଁ ଶ୍ୱେତ କ'ଣ ନ କରିଛି, କ'ଣ ନ ସହିଛି । ନିଜ ରୂପ ସଜାଡ଼ିବାକୁ ସେ ପସନ୍ଦ କରିନି । ସେ କହିଛି, ସରୋଜ ତା’ ପାଖରେ ନଥିଲେ ଏ ରୂପର କି ମୂଲ୍ୟ-। ବେଶଭୂଷା ଛାଡ଼ି ଖିଆପିଆ ସବୁ ଭୁଲି ଯାଇଛି । ନ ଖାଇଲେ ମଣିଷ ବଞ୍ଚିପାରେନା, ସେଥିପାଇଁ ଦିଓଳି ସେ ବସିଛି ଭାତଥାଳି ଆଗରେ । ସରୋଜଙ୍କୁ ପାଇବା ପାଇଁ ଯୋଗିନୀ ପରି, ଯୁବା ବୟସରେ, ଶାସ୍ତ୍ର ପୁରାଣ, ବାର ବ୍ରତ ପୂଜାରେ ନିଜକୁ ବୁଡ଼ାଇ ଦେଇଛି ।

କିନ୍ତୁ ଆଜି ଏପରି ଏକ ସମୟ ଆସିଛି, ଯେଉଁ ସମୟରେ କି ସେ ନିଜେ ସରୋଜ କତିରୁ ପଳେଇ ଆସିବାକୁ ବାଧ୍ୟ ହୋଇଛି । ସରୋଜର ସେହି ମନମତାଣିଆ ଆଖି ତାକୁ ଆଉ ଅଟକାଇ ପାରିନାହିଁ ।

ଷ୍ଟେସନରେ ଲୋକାରଣ୍ୟ ଭିତରେ ରିକ୍‍ସା ଛିଡ଼ା ହେଲା । ଓହ୍ଲାଇ ଆସିଲା ଶ୍ୱେତ । ତା’ର ପିଣ୍ଡରେ ପ୍ରାଣ ନାହିଁ । ଛିଡ଼ା ହୋଇ ଚାରିଆଡ଼କୁ ଚାହିଁଲା । ଲୋକମାନଙ୍କର ସମାବେଶ ଭିତରେ ସେ ଦେଖିବାକୁ ପାଇଲା ଏକ ବିରାଟ ପ୍ରଶ୍ନବାଚକ ଚିହ୍ନ । ଏକ ପକ୍ଷରେ ଯୁବକ ସରୋଜର ପ୍ରାଣ ଏବଂ ନିଜର ଦୈହିକ ଜ୍ୱାଳାର ଅତୃପ୍ତ ଗଭୀରତା ଅନ୍ୟ ପକ୍ଷରେ ଯକ୍ଷ୍ମା ରୋଗର ଏକ କ୍ରୁର ପରିହାସ ।

ସେତେବେଳେ ଟ୍ରେନ ଆସି ନ ଥାଏ । ରିକ୍‍ସାବାଲାକୁ ତା’ର ପ୍ରାପ୍ୟ ଦେଇ ଫାଟକ ଭିତରକୁ ପ୍ରବେଶ କରୁଥିବା ସମୟରେ ହଠାତ୍ ତା’ର ଆଖି ପଡ଼ିଗଲା ତା’ ପାଖକୁ ଧାଇଁ ଆସୁଥିବା ନୀଳା ଉପରେ । ଶ୍ୱେତପଦ୍ମାର ଛାତି ଥରି ଉଠିଲା । ମୁଣ୍ଡ ଘୁରିଗଲା ।

ପାଖକୁ ଆସି ଆଶ୍ଚର୍ଯ୍ୟର ରେଖା ମୁହଁରେ ଫୁଟାଇ ନୀଳା ପ୍ରଶ୍ନକଲା, ଶ୍ୱେତ ତୁ ଏଠି ?

ପଥର ମୂର୍ତ୍ତିରୁ କଥା ବାହାରିଲା ପାରି ଶ୍ୱେତ ଉତ୍ତର ଦେଲା, ନୀଳା ତୁ ଏଠି ?

–ହଁ । ମୋତେ ଏଠିକି ଆସିବାକୁ ପଡ଼ିଲା । ଆମ ଅଫିସର ଜଣେ ଉଚ୍ଚ ପାହ୍ୟାର କର୍ମଚାରୀ ଅନ୍ୟ ସ୍ଥାନକୁ ବଦଳି ହୋଇ ଯାଉଛନ୍ତି । ଏଠିକି ଆସିଥିଲେ ଆମର ମେନେଜର ମଧ୍ୟ । ମୁଁ ମଧ୍ୟ ବିଦାୟ ଦେବାକୁ ଆସିଥିଲି । କିନ୍ତୁ ଶୁଣେ ଭଲା, ତୋର ଏଠିକି ଆସିବାର କାରଣଟା କ’ଣ-?

ଶ୍ୱେତ ଆଉ କିଛି କହି ପାରିଲା ନାହିଁ । ଚୁପ୍ ହୋଇ ରହିଲା । ଓଷ୍ଠ ଥରି ଉଠିଲା । ତଥାପି ସାହସ ଧରି କହିଲା, ଡାକ୍ତରଙ୍କ ପାଖକୁ ଆସିଥିଲି । ସେଠାରୁ ଚାଲି ଆସିଲି ଏ ଆଡ଼କୁ ଟିକିଏ ବୁଲି ଆସିବା ପାଇଁ କହୁ, ପଣତ କାନିରେ ଆଖି ପୋଛିଲା ।

 

ଆରେ ତୁ କାନ୍ଦୁଛୁ ଏତେ ଲୋକଙ୍କ ଭିତରେ ?

 

କାନ୍ଦୁଛି କେଉଁଠି ? ଦି’ ଘଡ଼ି ହେଲାଣି ଆଖିରେ କ'ଣ ଗୋଟାଏ ପଶିଯାଇଛି ଯେ–

 

ନୀଳା କହିଲା, ହଉ ଚାଲ ଘରକୁ । ଆମର ଡେରିହେବା ଦେଖି ସେଆଡ଼େ ମିନୁ ମା କଟର ମଟର ହେଉଥିବ ।

 

ନୀଳା ଶ୍ଵେତାପଦ୍ମାର ହାତ ଧରି ଗୋଟିଏ ରିକ୍‍ସାରେ ବସିଲା ।

 

ଶ୍ୱେତ କେଉଁଥି ପାଇଁ ଆସିଥିଲା । ପୁଣି ଘରକୁ ଫେରି ଯାଉଛ କେଉଁଥିପାଇଁ । ସରୋଜ ଘରକୁ ଆସିଲେ କ'ଣ ଜବାବ ଦେବ । ସରୋଜ ପ୍ରତି ତା’ର କି କର୍ତ୍ତବ୍ୟ ହେବ ? ପାଖରେ ପାଇ ଏତେବଡ଼ ବ୍ୟବଧାନରେ ସେ କ’ଣ ରହିପାରିବ ? ତା’ର ଯୌବନର ମୋହ ସଂଯମ ରକ୍ଷା କରି ପାରିବତ ? ଶ୍ଵେତାପଦ୍ମର ମନେ ପଡ଼ିଗଲା ଡାକ୍ତରଙ୍କର କଥା–ଆଜିକାଲିତ ଏହାଠୁଁ ବଳି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିବା ମଣିଷ ଭଲ ହୋଇ ଯାଉଛନ୍ତି । ହେଲେ ଅଜସ୍ର ଟଙ୍କା ଦରକାର ଏଥିପାଇଁ ।

 

ଶ୍ୱେତ ଭାବିଲା, ମୋର ସରୋଜ ବାରିଷ୍ଟର । ଲକ୍ଷ ଲକ୍ଷ ଟଙ୍କାର ମାଲିକ । ମୋତେ ସେ ନିଶ୍ଚୟ ଭଲ କରିବେ । କିନ୍ତୁ କ’ଣ ବୋଲି ତାଙ୍କୁ ମୁଁ କହିବି ? କହି କି ପାରିବି ? କ'ଣ ବିଶ୍ୱାସ ଅଛି ମୁଁ ଚିରଦିନ ଏ ରୋଗରୁ ମୁକ୍ତିଲାଭ କରି ସୁସ୍ଥ ସବଳ ଅର୍ଦ୍ଧାଙ୍ଗିନୀ ରୂପେ କାର୍ଯ୍ୟ କରିବି । ନା, ନା, । ମୁଁ କହିପାରିବି ନାହିଁ । ସେ ଏ କଥା ଶୁଣିଲେ ପାଗଳ ହୋଇଯିବେ ।

 

ରିକ୍‍ସା ବନ୍ଦହେଲା ଘର ଦାଣ୍ଡ ପାଖରେ ।

 

ନୀଳାର ଡାକରେ ଘର ଭିତରୁ ଧାଇଁ ଆସିଲା ମିନୁ ମା । ହାତରେ ଧରିଛି ଖଣ୍ଡିଏ ନୀଳ ରଙ୍ଗର ଲଫାପାଟିଏ ।

 

 

ପ୍ରାୟ ଅଧଘଣ୍ଟାରୁ ଉପର ହେଲାଣି ସରୋଜ ଓ ବିଜୟବାବୁ ଘରକୁ ଫେରିଲେଣି । ବିଜୟବାବୁ ଏକପ୍ରକାର ହିସାବ କରିବାରେ ଲାଗିଛନ୍ତି ସରୋଜର ସଫଳତାର ସହ ଫେରିଆସିବାର ଉପଲକ୍ଷରେ ଗୋଟିଏ ବିଶେଷ ଭୋଜିର ବ୍ୟବସ୍ଥା ପାଇଁ ଜିନିଷପତ୍ରର ହିସାବ କରାହେଉଚି । ଅନ୍ୟ ଏକ ସୋଫାରେ ଆସୀନ ଚମ୍ପା ।

 

ପୋଷାକ ବଦଳାଇ ସରୋଜ ଉପରୁ ତଳକୁ ଓହ୍ଲାଇ ଆସିଲା । ଯଦିଓ ଦି’ବର୍ଷ କାଳ ଲଣ୍ଡନରେ ରହି ପାଶ୍ଚାତ୍ୟ ଜଳବାୟୁ ଭିତରେ ଦିନ କାଟିଥିଲେ ତଥାପି ତାଙ୍କର ପରିଚ୍ଛଦରୁ ବେଶ ଜଣା ଯାଉଥିଲା ଯେ, ଭାରତୀୟ ପରିଚ୍ଛଦ ଉପରେ ତାଙ୍କର ବିଶେଷ ସ୍ପୃହା ରହିଛି ।

 

କୁଆଡ଼େ ଚାଲିଲୁ ସରୋଜ, ଆଖିରୁ ଚଷମା କାଢ଼ି ପ୍ରଶ୍ନକଲେ ବିଜୟବାବୁ ।

 

ବଡ଼ ଆଶ୍ଚର୍ଯ୍ୟ ବାପା, ମୋର ଆସିବା ଖବର ଶୁଣି ମଧ୍ୟ ନା ଶ୍ୱେତପଦ୍ମା, ନା ନୀଳା କେହି ଜଣେ ହେଲେ ଆସିଲେ ନାହିଁ ମୋ ସହିତ ସାକ୍ଷାତ କରିବା ପାଇଁ । ଭାବିଲି ତେଣୁ, ମୁଁ ଯାଇ ତାଙ୍କ ଘରଆଡ଼ୁ ବୁଲି ଆସିବି ।

 

କାହା ଘରକୁ ? କାଞ୍ଚନ ଜେନାର ? –ପଚାରିଲେ ବିଜୟ ବାବୁ ।

 

ମୃଦୁହାସ୍ୟାଳାପ କରି ସରୋଜ ଉତ୍ତର ଦେଲେ–ହଁ ।

 

ଚୌକିରୁ ଉଠିପଡ଼ି ରାଗମିଶା କଣ୍ଠରେ ବିଜୟ ବାବୁ ଉତ୍ତର ଦେଲେ, ନା ତୁ ଯାଇପାରିବୁ ନାହିଁ । ମୁଁ ଏହା କଦାପି ସହ୍ୟ କରିପାରିବି ନାହିଁ ।

 

କାରଣ ?

 

କାରଣ ଗତ ଦି’ ବର୍ଷ ତଳର ସେହି ସମ୍ବନ୍ଧ ତୁ କ'ଣ ଭାବିଛୁ, ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି-? ଉକ୍ତ ପରିବାରର କାହାଣୀ ବଖାଣିବାକୁ ଦି’ଘଡ଼ି ଲାଗିବ । କେବଳ ମାତ୍ର ଏତିକି କହିବା ହିଁ ଯଥେଷ୍ଟ ହେବ ଯେ, ତୁ ବିଲାତ ଯିବାର କିଛି ଦିନ ପରେ, ଲକ୍ଷ୍ମୀଛଡ଼ା କାଞ୍ଚନଜେନାର ଜମିଦାରୀ ଗଲା, ସରକାରଙ୍କ ଠାରୁ ଯାହା ଟଙ୍କା ଋଣ ଆଣିଥିଲ, ତା’ ପରିଶୋଧ କରି ନପାରିବାରୁ ତାଙ୍କର ଯାବତୀୟ ଧନ, ସମ୍ପତ୍ତି, ଏପରିକି ଜମିବାଡ଼ି ରହିବା ବସା ଖଣ୍ଡକ ମଧ୍ୟ ନିଲାମ ହୋଇଗଲା-। କାଳେ ତୋର ପଢ଼ା ପଢ଼ିରେ ବାଧା ସୃଷ୍ଟି ହେବ ବୋଲି ଏ ସବୁ ବିଷୟ ତୋଠାରୁ ମୁଁ ଗୋପନରେ ରଖିଥିଲି ।

 

ଏତକ ଶୁଣି ସରୋଜ ଦୀର୍ଘ ନିଶ୍ୱାସଟାଏ ମାରି ଚୌକି ଉପରେ ବସି ପଡ଼ିଲେ । ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା । ଦୁଃଖ ଓ ଗ୍ଳାନିରେ ମୁହଁ ତାଙ୍କର କଳା ପଡ଼ିଗଲା । କ୍ରୋଧ ଜର୍ଜରିତ ହୋଇ ଧୀର ଗଳାରେ କହିଲେ, ବାପା, ସେତେବେଳେ ତୁମର କର୍ତ୍ତବ୍ୟ କ'ଣ ସୁପ୍ତି ଅବସ୍ଥା ଧାରଣ କରିଥିଲା । ସାମାନ୍ୟ କେତେ ଟଙ୍କା ପାଇଁ, ଲକ୍ଷ ହଉନା କାହିଁକି, ଏତେ ବଡ଼ ନାମ ଜାଦା ପରିବାରର ଇଜ୍ଜତ ମାଟିରେ ମିଶାଇବାକୁ ପଛଘୁଞ୍ଚା ଦେଲ ନାହିଁ । ଏକ ଲକ୍ଷ ଟଙ୍କା କ'ଣ ତମେ ଯଦି ଚାହିଁଥାନ୍ତ ଲକ୍ଷ ଲକ୍ଷ ପାଞ୍ଚ ଲକ୍ଷ ଟଙ୍କା ସହଜରେ କାଞ୍ଚନବାବୁଙ୍କୁ ଅର୍ପଣ କରି ପାରିଥାନ୍ତ-। ଏ କ'ଣ କଲ ବାପା, ଶେଷରେ ନିଜର ଇଜ୍ଜତ୍‍ର ମୁଣ୍ଡକାଟ କଲ । ଅନ୍ତତଃ ମୋତେ ଟିକିଏ ଖବର ପଠାଇ ପାରିଥାନ୍ତ । ଦୁନିଆରେ ବନ୍ଧୁତ୍ୱର ଦାମ ବୁଝିବାକୁ ଚେଷ୍ଟା କଲ ନାହିଁ ବାପା-?

 

ରାଗରେ ଆଖି ଲାଲକରି ବିଜୟ ବାବୁ ଚଡ଼କ ପଡ଼ିଲା ପରି ବାକ୍ୟ ବୃଷ୍ଟି କରିବାକୁ ଲାଗିଲେ–ସରୋଜ । ତୁ ମୋର ପୁଅ । ତୁ ଜାଣୁ କାହା ବିରୁଦ୍ଧରେ ବକ୍ତୃତା ଦେଇ କାହାର ପକ୍ଷ ସମର୍ଥନ କରୁଛୁ ? ଭୁଲି ଯାଉଛୁ ମୋ ପରି ବାପର ଯେ କୌଣସି କଥା ଉପରେ ପୁଅର ସମ୍ମତି ନିତାନ୍ତ ବାଞ୍ଚନୀୟ ।

 

–ଗୋଟିଏ ଅଲିଅଳ ସଂସାର ଭଙ୍ଗେଇଛ ତମେ । ନିଜ ବନ୍ଧୁତ୍ୱର ମୁଣ୍ଡ ହାଣି ମୋତେ କହିବାକୁ ଚାହିଁ, ମଣିଷର ଇଜ୍ଜତ ଠାରୁ ଟଙ୍କାର ସ୍ଥାନ ବହୁତ ଉଚ୍ଚରେ । ସ୍ଵଚ୍ଛଳ ଭାବରେ ମୋର ଆଖି ଆଗରେ ସେହି ଦିନର ଘଟଣା ଦେଖାଯାଉଛି–ତମ ପାଖରେ ସାମାନ୍ୟ କେତେ ଟଙ୍କା ପାଇଁ କାଞ୍ଚନ ବାବୁ ଭିକାରୀ ପରି ହାତ ପାତିବେ, ଗୋଟିଏ ଆଶା ହୃଦୟରେ ରଖି ଯେ ତୁମେ ତାଙ୍କର ବନ୍ଧୁ ଅତି ନିକଟରେ । କିନ୍ତୁ ତାଙ୍କର ବନ୍ଧୁତାର ହାତ ଛିଞ୍ଚାଡ଼ି ମାନବିକତାର ପ୍ରତିଦିନ ସ୍ୱରୂପ ଶତ୍ରୁତାଚରଣ କରିଥିବ ନିଶ୍ଚୟ । କୁହ ବାପା, ମଣିଷ ହୋଇ ଏପରି ପଶୁବତ କାମ କରିଯିବା କ’ଣ ମଣିଷ ପକ୍ଷରେ ଶୋଭନୀୟ ହୋଇଛି ।

 

ସାପପରି ଗର୍ଜିଉଠି ରାଗରେ କହିଲେ, କାଲିର ଶିଶୁ ସରୋଜ, ତୁ ମୋତେ ପଶୁ ବୋଲି କହିଚୁ । ଏତେ ସାହସ, ଏତେ ହିମ୍ମତ, ବେଶ୍ ବାପ ହୋଇ ମୁଁ ତୋଠୁଁ ସବୁ ଭରି ପାଇଗଲି, ସରୋଜ । କିନ୍ତୁ ମନେରଖ ଚାରିବର୍ଷ ତଳର କାଞ୍ଚନ ଜେନା ସେ ଆଜି ପଥର ଭିକାରୀ । ଖାଇବା ପାଇଁ ଦାନା ନାହିଁ । ଟଙ୍କାର ଲୋଭକୁ ଏଡ଼ି ନ ପାରି କାଞ୍ଚନ ଜେନା ଚୌର ପ୍ରବୃତ୍ତିର ସାହାଯ୍ୟ ନେଇଛି । ଡକେଇତ ସେ ।

 

–ନା ନା । ଏହା କଦାପି ସମ୍ଭବ ହୋଇ ନପାରେ । ଏହା କେବଳ ତୁମର ପ୍ରଳାପ ମାତ୍ର-। କାଞ୍ଚନ ଜେନା ଆଉ ଟଙ୍କାର ମୋହ । ତା’ ଭିତରେ ଡକାଇତ ? ଅସମ୍ଭବ ।

 

'ପ୍ରଳାପ ନୁହେଁ ସରୋଜ । ନିରାଟ ସତ୍ୟ । ଆଜକୁ ପ୍ରାୟ ଅନେକ ଦିନ ଅର୍ଥାତ ଏଇ କେଇ ମାସ ତଳର କଥା ଏହି ଘରୁ କାଞ୍ଚନ ଓ ତା’ର ଚାକର ଭିକୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିଲେ । ଭାଗ୍ୟବଶତଃ ସେମାନେ ହେଲେ ଧୃତ । ଚୋରିଠାରୁ ବଳି ଆଉ ହୀନ ନୀଚ ବୃତ୍ତି ଦୁନିଆରେ କ'ଣ ଥାଇ ପାରେ ? ଯେଉଁ ମଣିଷ ଏତାଦୃଶ ଗୁଣ୍ଡାବୃତ୍ତିରେ ଜୀବନ ଓ ପରିବାର ନିୟନ୍ତ୍ରଣ କରେ, ସେପରି ମଣିଷ ଘରୁ ଶ୍ୱେତପଦ୍ମାକୁ ବୋହୂ କରି ଏ ଘରର ମାଟିକୁ ଅପବିତ୍ର କରିବାକୁ ଚାହେଁନା । ସେଥିପାଇଁ ମୁଁ ଅନ୍ୟପନ୍ଥା ଖୋଜି ରଖିଛି ।

 

କାଞ୍ଚନ ଜେନା ଚୋର । ଭିଖୁ ଚୋର । ପୁଣି ବନ୍ଧନର ମୂଳୋତ୍ପାଟନ ଏସବୁ କଥା ସରୋଜ ମୁଣ୍ଡରେ କିଛି ପଶିଲା ନାହିଁ । ଏହା ସ୍ୱପ୍ନ ନା ସତ୍ୟ । ସେ ନିଦ୍ରିତ ନା ଜାଗ୍ରତ ।

 

ହଁ ସରୋଜ ମୁଁ ଚାହେଁନା, ଶ୍ୱେତପଦ୍ମା ଏ ଘରର ବୋହୂ ହୋଇ ଆସୁ । ସେହି ପରିବାରର ଛାୟା ଏ ପରିବାର ଉପରେ ପଡ଼ୁ । ମୁଁ ଚାହେଁନା ଯେ ତୁ ତାଙ୍କ ଘରେ ପାଦ ମାଡ଼ିବୁ, ଶ୍ଵେତାପଦ୍ମାର ସହିତ ପୁଣି ସମ୍ପର୍କ ବଢ଼ି ବସିବୁ । ଆମର ଇଜ୍ଜତ ଅଛି, ମାନ ଅଛି, ମହତ ଅଛି । ମୋର ଟେକ, ଏ ଘରର ଇଜ୍ଜତ ତୋତେ ରଖିବାକୁ ପଡ଼ିବ ସରୋଜ । ଏହା ମୋର ଆଜ୍ଞା ।

 

ରାଗରେ ସରୋଜର ଛାତି ଜଳିଯାଉଥାଏ । ଚିତ୍କାର କରି ଜବାବ ଦେଲା, ହଁ ହଁ ଯେଉଁ ବାପ ନିଜ ପୁଅର ଇଜ୍ଜତର ଦାମ ବୁଝେନା ନିଜ ଭାବି ବଧୂର ମଥାରେ କଳଙ୍କର ଟୀକା ଆଙ୍କି ଦେବାପାଇଁ ତତ୍ପର ହୁଏ, ସେପରି ବାପକୁ ମୁଁ ବାପବୋଲି ସ୍ୱୀକାର କରେନା । ଯେଉଁ ଶ୍ଵେତାପଦ୍ମାର ଯୌବନ ସହିତ ଖେଳି, ଦୀର୍ଘ ଦି’ବର୍ଷ ଧରି ତା’ର ଆଖିରେ ଅଶ୍ରୁ ଦେଇଛି, ସେହି ଶ୍ୱେତପଦ୍ମା ସହିତ ଧୋକାବାଜି କରି କୁଟାକାଠି ପରି ତାକୁ ନର୍ଦ୍ଦମାରେ ଫୋପାଡ଼ି ଦେଇ ନିଜକୁ କୁକୁର ଠାରୁ ଆହୁରି ହୀନ ବୋଲି ସମାଜ ଆଗରେ ପରିଚୟ ଦେବା ମୋର ଆଦର ନୁହେଁ ବାପା । ଛି ଧିକ୍ ତମର ରାଜନୀତି ଯାହାକୁ ଦୁନିଆ ଶୁଣିଲେ ପସନ୍ଦ କରେନି, ତାକୁ ମୁଁ କାହିଁକି ପସନ୍ଦ କରିବି ?

 

ସରୋଜ ତୁ ଭୁଲି ଯାଉଛୁ ମୁଁ ତୋର ବାପା !

 

‘ହଁ ପବିତ୍ର ବାପ’ ନାମକୁ କଳଙ୍କିତ କରିଛ ତୁମେ । ଯଦି ତୁମେ ମୋର ବାପ, ତମର ପୁଅ ମୁଁ; ତା’ହେଲେ ନିଜ ବୋହୂର ବାପ କ’ଣ ତୁମେ ହୋଇ ନପାର ? ତେବେ କାହିଁକି, ଶ୍ୱେତପଦ୍ମା ଉପରେ ଏ ନିର୍ମମ ଅତ୍ୟାଚାର । ଟଙ୍କା–ଟଙ୍କା–ଟଙ୍କା । ତମ ପାଖରେ ଟଙ୍କା ହିଁ ସବୁକିଛି । ମଣିଷର ମର୍ଯ୍ୟାଦା, ଇଜ୍ଜତ, ମାନ, ମହତର ଦାମ ତୁମ ପାଖରେ କିଛି ନୁହେଁ । ଆଉ ମଧ୍ୟ କହିବି, ତୁମେ ହିଁ କଳେବଳେ କୌଶଳେ କାଞ୍ଚନ ବାବୁ ଓ ଭିଖୁକୁ ଚୋରି କରିବାର ମିଥ୍ୟା ଅପରାଧରେ ଦଣ୍ଡ ଦେଇଛ । ତାହା ପୁଣି ଜେଲ ଦଣ୍ଡ । ଓଃ କି ଭୀଷଣ, କି ଆଶ୍ଚର୍ଯ୍ୟ ତୁମର ପ୍ଲାନ ଗୁଡ଼ାକ । ଆଉ ଭାବି ବଧୂ ଶ୍ୱେତପଦ୍ମାକୁ ତ୍ୟାଗ କରିଛ ତୁମେ । ତୁମେ ଏ ବୁଢ଼ା ବୟସରେ ମଧ୍ୟ ଏପରି ପାପକର୍ମ କରିପାର ବୋଲି ମୋର ବିଶ୍ୱାସ ନଥିଲା ।

 

ବିଜୟ ବାବୁଙ୍କ ମୁହଁରୁ ବିଷ ଝରି ପଡ଼ୁଥିଲା । କହିଲେ, ସରୋଜ ମୁଁ ଏ ସବୁ କଥା କିଛି ଶୁଣିବାକୁ ଚାହେଁନା । ଆଜିର ଦୁନିଆଁରେ ଟଙ୍କା ହିଁ ସବୁ କିଛି ।

 

କିନ୍ତୁ ମୁଁ କହିବି ଏ ଦୁନିଆଁରେ ମଣିଷର ଭଲ ପାଇବା ପ୍ରବୃତ୍ତି ହିଁ ସବୁକିଛି । ମୁଁ ଯାଉଛି-। ଶ୍ଵେତାପଦ୍ମକୁ ନ ଦେଖିଲେ ଆତ୍ମା ମୋର ଶାନ୍ତି ଲାଭ କରିବ ନାହିଁ ।

 

କ୍ରୋଧ ଜର୍ଜରିତ ହୋଇ ସରୋଜ ପାଖକୁ ଆସି ବିଜୟ ବାବୁ କହିଲେ, ମୋର ଆଦେଶ ତୁ ତାଙ୍କ ଘରକୁ ଯା’ନା ।

 

ତାଚ୍ଛାଲ୍ୟତାର ସହିତ କହିଲା ସରୋଜ ବାପର ଏତାଦୃଶ ଆଦେଶ ସନ୍ତାନ ମାନିବାକୁ ରାଜି ନୁହେଁ । ଯେଉଁ ଘରେ ଶାନ୍ତି ନାହିଁ, ସନ୍ତୋଷ ନାହିଁ, ସେହି ଘରେ ରହିକି ଜୀବନକୁ ଦହଗଞ୍ଜ କରିବା ଛଡ଼ା ତ ଆଉ କିଛି ନୁହେଁ ।

 

ସରୋଜ ! ମନେ ରଖ ମୁଁ ତୋର ବାପ, ରାଜପୁତ । ରାଜପୁତ ପିତାର ଆଦେଶ ତୁ ଯଦି ଲଙ୍ଘନ କରି ଶ୍ୱେତପଦ୍ମା ସହିତ ସାକ୍ଷାତ କରିବାକୁ ଯାଉ, ତାହାହେଲେ ପୁନର୍ବାର ଆଉ ଫେରିବାକୁ ଚେଷ୍ଟା କରିବୁ ନାହିଁ; କହି ବିଜୟ ବାବୁ ପଦଚାରଣ କରିବାକୁ ଲାଗିଲେ ।

 

ସତ୍ୟ ରକ୍ଷା କରିବାକୁ ଯାଇ ବାପ ବିରୁଦ୍ଧରେ କ'ଣ ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ଲଢେ଼ଇ କରିବାକୁ ମୋର ଦେହରେ ଶକ୍ତି ରହିଛି । ତୁମେ ମଧ୍ୟ ଶୁଣି ନିଅ, ରାଜପୁତ ସନ୍ତାନର ପ୍ରତିଜ୍ଞା–ସେହିଦିନ ଏ ଘରେ ପାଦ ଦେବି ଯେଉଁଦିନ ନିରୀହ, ସରଳ ନିର୍ଦ୍ଦୋଷୀ ଶ୍ଵେତାପଦ୍ମକୁ ମୋର ଅର୍ଦ୍ଧାଙ୍ଗିନୀ କରି ନିଜର କୁଳବଧୂ ରୂପେ ଗ୍ରହଣ କରିବ । ଅନ୍ୟାୟ ବିରୁଦ୍ଧରେ ଲଢେ଼ଇ କରିବାକୁ ମୁଁ ବେଶ୍‍ ପସନ୍ଦ କରେ ।

 

ସରୋଜ ଚାଲିଗଲେ । ସତରେ ସେ କ'ଣ ଆଉ ଫେରିବେ ନାହିଁ ।

 

ବିଜୟ ବାବୁ ଦାନ୍ତ ଚାପି ସରୋଜର ଯିବା ବାଟକୁ ଚାହିଁ ରହିଲେ । ଚହଟଚମ୍ପା ପଥର ମୂର୍ତ୍ତିପରି ଛିଡ଼ା ହୋଇ ସବୁକଥା ଶୁଣୁଥାଏ । ସରୋଜ ରାଗରେ ଚାଲିଯିବା ଦେଖି, ବିନୟ ସହକାରେ ଆର୍ତ୍ତ ଚିତ୍କାର କରି ଡାକିଲା, ସରୋଜ ଯାଅନା । ମୋ ରାଣ ସରୋଜ ଫେରି ଆସ ଶାନ୍ତ ହୋଇ ବିଜୟ ବାବୁ ଉତ୍ତର କଲେ, ଚମ୍ପା ଏଥିରେ ବିଚଳିତ ହେବାର କିଛି ଦରକାର ନାହିଁ । ଯୁବକ ରକ୍ତ । ବର୍ତ୍ତମାନ ଚାଲି ଯାଇଛି ଆଉ ଦି’ଘଡ଼ି ଗଲେ ଫେରି ଆସିବ ଯେ ।

 

ମୁଁ କହି ରଖୁଛି ସରୋଜର ବିବାହ ଯେପରି ହେଉ ଅତି ଶୀଘ୍ର ହୋଇଯିବା ଉଚିତ । କାଲି ତ ସୋମବାର–ଶୁଭ ଦିନ । ଚାଲ ସେ ଝିଅଟାକୁ ଦେଖି କନ୍ୟା କରି ଆସିବା । ଡେରି କଲେ କିଛି ଗଡ଼ବଡ଼ ଧାଇଁପାରେ ।

 

'ହଁ ଠିକ୍ କହିଛ ଚମ୍ପା' ସମ୍ମତି ଜଣାଇ ବିଜୟ ବାବୁ କହିଲେ–କାଲି ଯାଇ ସବୁ ନିଷ୍ପତ୍ତି କରି ଦେଇ ଆସିବା । ମୁଁ ତ କହି ରଖୁଛି ତିନି ଲକ୍ଷ ଟଙ୍କା ନଗଦ ଯୌତୁକ ଆକାରରେ ନ ଦେଲେ ଏ ବିବାହ ଅସମ୍ଭବ ।

 

 

ସରୋଜଙ୍କୁ ଦେଖୁଛି ଶ୍ୱେତ । ହଠାତ୍ ଆସି ତା' ଆଗରେ ଛିଡ଼ା ହୋଇ ଯାଇଛନ୍ତି । ମୁହଁରେ ଆନନ୍ଦର ଲହଡ଼ି । ହସିଲା ଆଖି । କିନ୍ତୁ ବେଦନାର ଜୁଆର ଯେମିତି ହୃଦୟ ସାରକୁ ଅସଗହନୀୟ ଭାବରେ ଆଘାତ ଦେଉଛି । ପାଖରେ ନୀଳା ।

 

ବିଗତ ବୟସର ସେ ସରୋଜ । ଆଉ ଆଜିର ଏ ସରୋଜ । ପ୍ରଫୁଲ୍ଲତାରେ ଶ୍ୱେତ ମୁଣ୍ଡ ନୁଆଁଇଛି । ନୀଳା ପାଖରେ ନ ଥିଲେ, ଥରେ ଯାଇ ସରୋଜର ଦେହକୁ ଆଉଁଷି ଦିଅନ୍ତା । ହେଲେ ପାଦ ଅଟକି ଯାଇଛି । ହାତ ବଢ଼ାଇ ପାରୁନାହିଁ । ଏକଲୟରେ ଏକ ଧ୍ୟାନରେ ଚାହିଁଛି ସରୋଜର ପାଦଦ୍ୱୟକୁ । କାଠ ପଥର ପରି ଛିଡ଼ା ହୋଇଛି, ସରୋଜକୁ ଦେଖିଲା କ୍ଷଣି । ଶିବ ସମ୍ମୁଖରେ ପାର୍ବତୀଙ୍କର ଅବସ୍ଥା ପରି ଶେଷରେ ଯେପରି ହୋଇଥିଲା । ଆଗକୁ ଯାଇ ପାରୁନାହିଁ କି ପଛକୁ ପାଦ ଘୁଞ୍ଚାଇ ପାରୁ ନାହିଁ । ଶ୍ୱେତର ଆଖିର ବିଗତ ଦି’ବର୍ଷର ଅସମାପ୍ତ ଅଶ୍ରୁ ଆଉ ବାହାରି ପାରୁନି-। ଉତ୍ତଳା ମନର ଭାଷା ଚାପି ରଖି ପାରୁନାହିଁ । ରକ୍ତ ମାଂସର ଦେହ ସରୋଜକୁ ଦେଖିଲାକ୍ଷଣି ଛଟପଟ ହେଉଛି । ଭୁଲି ଯାଇଛି ସେ, ତା’ର ରୋଗ ଶୋକ, ମର୍ମନ୍ତୁଦ ଯାତନା ଭୁଲି ଯାଇଛି, ତାକୁ ହୋଇଛି ଯକ୍ଷ୍ମା ।

 

ପାଖରେ କେହି ନ ଥିଲେ ସରୋଜର ଛାତିରେ ନିଜର ବକ୍ଷ ଦେଶକୁ ଆଉଜାଇ ଦେଇ ସରୋଜର ଦି' ଗାଲରେ ଆଙ୍କିଦେଇ ଥାନ୍ତା ବିଗତ ଦୁଇଟି ବର୍ଷ ଦେଇ ଉତ୍ତପ୍ତ ହୋଇ ରହିଥିବା ଦିଓଟି ଉଷ୍ଣ ଚୁମ୍ବନ, ଏକ ପ୍ରେମମୟୀ ଅଭିନେତ୍ରୀ ରୂପେ । କାରଣ ସରୋଜ ଆଜି ତା’ର ସଂସାରକୁ ଜୟ କରିଛନ୍ତି ।

 

ହେଲେ ପାଖରେ ଛିଡ଼ା ହୋଇଛି ନୀଳା ।

 

ମୁହଁରୁ ଝରି ପଡ଼ୁଛି ଅହଟ ହସ । ନୀଳା ଆନନ୍ଦରେ ଅଭିନନ୍ଦନ ଓ ସୁକାମନା ଜଣାଇ କହିଲା, ସରୋଜ ଭାଇ ତୁମେ ! ସ୍ୱପ୍ନ ନା ସତ୍ୟ ନୀଳା ତାଙ୍କ ହାତ ଧରି ବସାଇ ଦେଲା ଚୌକିରେ-। ଶ୍ୱେତକୁ ମଧ୍ୟ ଟାଣି ଆଣି ବସାଇ ଦେଲା ସରୋଜ ପାଖରେ । ଶ୍ୱେତ ନିରୀହ ସରଳ ଯୁବତୀ-। ଡାକ ଛାଡ଼ିଲା ମିନୁ ମା' କୁଆଡ଼େ ଗଲୁ ମ, ଦେଖୁନୁ କିଏ ଆସିଛନ୍ତି ? ଆଲୋ ଦେବତା ଲୋ ଦେବତା ! ହାତ ଗୋଡ଼ ଧୋଇବା ପାଇଁ କ୍ଷୀର ନେଇ ଆସ ।

 

ସରୋଜ ଭାଇନା ତମେ ଆସିଗଲ । ମୁଁ ସତରେ, ମୁଁ ଭାବୁଥିଲି ତମେ…

 

ମୁହଁର କଥା ଛଡ଼ାଇ ନେଇ ସରୋଜ କହିଲେ–ଆସିବି ନାହିଁ । କାରଣ ତୁମେ ଗରିବ । ତମ ବାପା ଜଣେ ଚୋର, ମୋର ପ୍ରେମ ହୋଇଛି ନିଆଶ୍ରୀ । ନିଃସ୍ଵ । ଏଇଥିପାଇଁ ନୁହେଁ ?

 

ସରୋଜ ଚାପାଗଲାରେ କହିଲା, ଶ୍ୱେତ ।

 

ସରୋଜ ମଣିଷ । ଆଖିର ଲୁହ ସେ ଅଟକାଇ ପାରିଲେ ନାହିଁ । ଏ ପରିବାରର ଶିଷ୍ଟତା, ଭଦ୍ରତା, ସବୁ ଅତ୍ୟାଚାର ସହ୍ୟ କରିବାର ଗୁଣ ଉପରେ ଜାଗିଛି ତାଙ୍କର ଅନୁଶୋଚନା, ସହାନୁଭୂତି ଓ ଦୁଃଖ । ମନର କୋହ ଚାପିରଖି ନ ପାରି ସରୋଜ କହିଲେ, ମୁଁ ସବୁ ଶୁଣି ସାରିଛି ଶ୍ୱେତ, ହୃଦୟଫଟା କାହାଣୀର ପୁନରାବୃତ୍ତି କରି ଲାଭ କ'ଣ ? ମୁଁ ତୁମର କେହି ନୁହେଁ ନା ? ସତରେ ତୁମେ ମୋତେ ଏତେ ଶୀଘ୍ର ମନରୁ ପୋଛି ଦେଇ ପାରିଲ ? ସାମାନ୍ୟ କେତେଟଙ୍କା ପାଇଁ ସବୁ ନିଲାମ ହେଲା, ନିଃସ୍ୱ ହୋଇ ଗୋଟିଏ ଘରଭଡ଼ା ନେଇ ରହିଲ ! ଯଥା ସମୟରେ ମୋତେ ଗୋଟିଏ ଚିଠି ତ ଦେଇ ପାରିଥାନ୍ତ ? ଲକ୍ଷେ ଟଙ୍କା କ'ଣ ପାଞ୍ଚଲକ୍ଷ ସୁଦ୍ଧା ମୋ ପକ୍ଷରେ କିଛି ନୁହେଁ-। ବିନା ଦୋଷରେ ବାପ ଗଲେ କାରାଗାରର ଅନ୍ଧକାର ଭିତରକୁ ଅକାରଣରେ ସଢ଼ିବାକୁ-। ତୋ ପରି ନିର୍ଦ୍ଦୋଷୀ ସରଳା ଝିଅ ମୁଣ୍ଡରେ କଳଙ୍କର ଦାଗ ଆଙ୍କି ଦିଆଗଲା । ଅଥଚ ତୁମେ ରହିଲ ଚୁପ । ସେତେବେଳେ କ'ଣ ମୁଁ ମରିଯାଇଥିଲି ? ଏ ଦୁନିଆଁରେ କ'ଣ ମୁଁ ନ ଥିଲି, କୁହ ଉତ୍ତର ଦିଅ-। ମୋର ବାପ ପରି ମଣିଷ ଜଗତରେ ଥାଇ ନ ଥାଇ ଲାଭ କ’ଣ । ଯେ ନିଜର ବନ୍ଧୁତାର ମର୍ଯ୍ୟାଦାକୁ ଧୂଳିସାତ କରିବାକୁ ଚାହେଁ, ଧନସମ୍ପତ୍ତିର ମୋହକୁ ଏଡ଼ିଦେଇ ପାରେନା ସେ ପଶୁ ନୁହେଁ ତ ଆଉ କ’ଣ ? ବରଂ କୁକୁର ବୁଝେ ମଣିଷ ଉପରେ ତା’ର କର୍ତ୍ତବ୍ୟ କ’ଣ । ମୋ ଉପରେ ତୁମର ବିଶ୍ୱାସ ତୁଟି ଯାଇଛି ସେତିକି ମୋର ଦୁଃଖ ।

 

ନୀଳା ଆଖିରୁ ଲୁହ ଝରୁଥାଏ । ଥରିଲା କଣ୍ଠରେ କହିଲା, ନା ସରୋଜ ନା । ସେପରି କୁହନା । ଆମେ ତମ ପାଖକୁ ଚିଠି ଲେଖି ନ ଥିଲୁ, ତା’ ବୋଲି ତୁମକୁ ପ୍ରତାରଣା କରିଛୁ ତା’ ନୁହେଁ-। ତମର ଯେମିତି ପ୍ରାଣ, ଯେପରି କୋମଳ ହୃଦୟ ଅନ୍ୟାୟ ପ୍ରତି ତମର ହୃଦୟରେ ଯେପରି ବହି ଜଳିଉଠେ, ତାରି ଭୟରେ ଚିଠି ଲେଖି ନ ଥିଲୁ ତୁମ ପାଖକୁ । ଭାବିଲୁ ଚିଠି ପଢ଼ି ତମର ପଢ଼ା ପଢ଼ିରେ ଆଞ୍ଚ ଆସିବ । ଛାତିତଳର କୋହ ଲହଡ଼ା ଭାଙ୍ଗିଥିଲା, ତମ ପାଖକୁ ସବୁ ବିଷୟ ନେଇ ଏକ ପତ୍ର ଦେବାକୁ, କିନ୍ତୁ କାଳେ ତୁମେ ଚିଠି ପାଇ ଚାଲି ଆସିବ, ଏହା ଭାବି ଚୁପ ରହିବା ହିଁ ଭଲ ବୋଲି ପସନ୍ଦ କଲୁ । ସେହିଦିନଠୁ ଆମରି ଭରସା ହୋଇଛି ଲୁହ ଓ ତୁମେ । ଭୁଲିଯାଅ ସରୋଜ ଭାଇନା ଅଭିମାନ କରନା । ଗଲା କଥା ଭାବି ଆଉ ଲାଭ କ'ଣ ?

 

ନା ନୀଳା । ମୁଁ ବାପାଙ୍କ ସହିତ ଝଗଡ଼ା କରି ଆସିଛି । ତାଙ୍କ ସମ୍ମୁଖରେ ମୁଁ ପ୍ରତିଜ୍ଞା କରିଛି, ଅନ୍ୟାୟକୁ ଜଳାଇ ପୋଡ଼େଇ ଛାରଖାର କରିଦେବି । ଅନ୍ୟାୟ ଭିତରୁ ନ୍ୟାୟ ବାହାର କରିବା ପାଇଁ ମନ ମୋର ସେତିକିବେଳୁ ଚିତ୍କାର କରି ଉଠୁଛି । ମୁଁ ତାଙ୍କୁ ସ୍ପଷ୍ଟ କହି ରଖିଛି, ଯେଉଁଦିନ ଶ୍ଵେତାପଦ୍ମାକୁ ସେ ନିଜର ବୋହୂ ବୋଲି ସ୍ୱୀକାର କରିବେ ସେହିଦିନ ମୁଁ ମଧ୍ୟ ପୁତ୍ରପରି ସମ୍ମାନ ତାଙ୍କୁ ଅର୍ପଣ କରିବି । କହି ଶ୍ୱେତର ହାତମୁଠାକୁ ଜୋରରେ ଧରି ପକାଇଲେ । ହୃଦୟରେ ଥିଲା ଅଭିମାନ, ରାଗ ଓ ସମବେଦନାର ଏକ ସମ୍ମିଶ୍ରଣ ।

 

ଶ୍ୱେତର ଶରୀରରେ ଶିହରଣ ଖେଳିଗଲା । ନିଦୁଆ ଆଖିପରି ଆଖି ଦି'ଟା ତା’ର ବୁଜି ହୋଇଗଲା । ଆନନ୍ଦରେ କିଛି କହିପାରିଲା ନାହିଁ ସେ । ନୀଳା ପାଖରେ ନ ଥିଲେ ସରୋଜର କୋଳରେ ଢଳି ଯାଇ ସ୍ୱର୍ଗସୁଖ ଅନୁଭବ କରନ୍ତା । ସରୋଜକୁ ଦେଖିଲା ବେଳୁ ସେ ଭୁଲିଯାଇଛି ଯାବତୀୟ ଦୁଃଖ, ନୈରାଶ୍ୟ, ରୋଗ ଶୋକ ।

 

ନୀଳା ଚାଲିଗଲା । ପବନ ବେଗରେ ଘର ଭିତରକୁ ପଶିଲା, ମିନୁ ମା’କୁ ଆଲିଙ୍ଗନ କରି କହିଲା, ମୁଁ କହିଥିଲି ନା, ସରୋଜ ଭାଇନା ଶ୍ୱେତର ସବୁପ୍ରକାର ଦୁଃଖ କଷ୍ଟ, ରୋଗ ଶୋକର ସଞ୍ଜୀବନୀ ମହୌଷଧି । ଭାବିଲେ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ଲାଗେ ବାପପୁଅର ଆଚାର, ବିଚାର, ବ୍ୟବହାର ଓ ଚରିତ୍ର ଗଠନ ଭିତରେ ରହିଛି କେତେବଡ଼ ବ୍ୟବଧାନ, ପ୍ରଭେଦର କେତେବଡ଼ ଗଭୀରତା ।

 

ସରୋଜ ପାଖରେ ବସିଥିଲା ଶ୍ୱେତ । ମୁହଁରେ ହସ ଫୁଟାଇ ସରୋଜ ଅତି ସ୍ନେହରେ ଗେଲ କଲେ ତାକୁ ଚିବୁକରେ । ପିଠି ଉପରେ ହାତ ପକାଇଲେ । ଆସ୍ତେ ଆସ୍ତେ ଆହୁରି ନିଜ ପାଖକୁ ଘୁଞ୍ଚାଇ ନେଲେ ।

 

ଶ୍ଵେତାପଦ୍ମାର ଦେହରେ ଉନ୍ମାଦନା ଆଣିଲା ମିଳନର ମୋହ । ନିଛାଟିଆ ସ୍ଥାନ ହୋଇଥିଲେ ଛୁଆଟିପରି ଶ୍ୱେତ ଘୁଞ୍ଚି ଘୁଞ୍ଚି ସରୋଜର କୋଳରେ ଆଶ୍ରୟ ନେଇଥାନ୍ତା ।

 

ଶ୍ୱେତର ମୁହଁରୁ କଥା ବାହାରିଲା, ଶୋଇଲା ମୁହଁରେ ଗେଲ କରିବାକୁ ଇଚ୍ଛା ହେଉଛି ? କରୁନ, କିନ୍ତୁ ଏଇଟା କ’ଣ ସେ ସ୍ଥାନ ।

 

ଘରଭିତରେ ଥିଲେ ଶାରଦା ଓ ନୀଳା ।

 

ସରୋଜ ଡାକିଲେ, ନୀଳା ରାତି ଅଧିକ ହୋଇନି । ଆଠଟା ବାଜିଛି ଟିକିଏ ମନ ଫୂର୍ତ୍ତି କରିବାକୁ ଇଚ୍ଛା ହେଉଛି ।

 

ଭିତରୁ ଆବାଜ ଆସିଲା, ତମର ସମ୍ପତ୍ତି ଉପରେ ଆମର ଆଉ ଅଧିକାର ଅଛି । ତୁମେ ଯାହା କରିପାର । ହେଲେ ଜଳଖିଆ ତିଆରି ହେଲାଣି । ଖାଇଦେଇ ଯାଅ ।

 

ନା ଫେରି ଆସିଲେ, ଯାହା କିଛି ବ୍ୟବସ୍ଥା ହେବ । କହି ଶ୍ୱେତ ଓ ସରୋଜ ଉଭୟେ ବାହାରକୁ ଚାଲିଗଲେ ।

 

ସତରେ, ଚିନ୍ତା ହିଁ ମଣିଷର ସବୁପ୍ରକାର ରୋଗର କାରଣ । ସରୋଜକୁ ଦେଖି ଶ୍ଵେତାପଦ୍ମାର ଚିନ୍ତା କୁଆଡ଼େ ଉଭେଇ ଯାଇଛି । ମୁହଁରେ ଖେଳିଛି ପ୍ରଫୁଲ୍ଲତା । ମନ ମୁହୂର୍ତ୍ତକ ପାଇଁ ହୋଇଛି ଉଷତ । କ୍ଷଣିକ ପାଇଁ ଭୁଲି ଯାଇଛି ତା’ର ନୈରାଶ୍ୟ, ରୋଗ । କଲବଲ ଆତ୍ମାର କରୁଣ କ୍ରନ୍ଦନ ନିମିଷକ ପାଇଁ ଦୂର ହୋଇଛି ।

 

 

ଅର୍ଦ୍ଧରାତ୍ରି । ନିଶା ଗର୍ଜୁଛି । ପଦାରେ ଜହ୍ନ ଆଲୁଅର ଢେଉ ଖେଳୁଛି । ଆକାଶରୁ ଜହ୍ନ ହସି ହସି କଣେଇ ଚାହୁଁଚି । ଆଲୁଅ ସାଥିରେ ଫୁରୁଫୁରିଆ ପବନ । ସୁ ସୁ ବୋହି ଯାଇ ଗୋଟିଏ ଡାଳର ଦୁଇଟି ପୁଷ୍ପକୁ ଏକାଠି ମିଳାଇ ଦେଉଚି । ମିଳନ ଭିତରେ ଚୁମ୍ବନର ଅଙ୍କନ ହୋଇଛି ସମ୍ଭବ-। ପବନ ଯେପରି ଧାଇଁଛି ପବନ ପଛରେ । ଗୋଟିଏ ପୁରୁଷ ହେଲେ ଅନ୍ୟଟି ସ୍ତ୍ରୀ । ଛାତି ଛାତିରେ ବାଜି ଯାଉଛି ପବନ ରାଣୀର ହିଆ କମ୍ପି ଉଠୁଚି ।

 

ନୀଳା ଶୋଇଛି ଘର ଭିତରେ । ଶାରଦା ଘୁଙ୍ଗୁଡ଼ି ମାରୁଚି । ବାହାରେ ଜ୍ୟୋସ୍ନା ବିଧୌତ ଆକାଶର ତଳେ ଅଭିସାରିକା ଶ୍ୱେତପଦ୍ମା ଏବଂ ଆଲିଙ୍ଗନାସ୍ପିତ–ସରୋଜ ।

 

ଶ୍ୱେତର ହାତଧରି ଛିଡ଼ା ହୋଇଛନ୍ତି ସରୋଜ ।

 

ଆରେ ଛାଡ଼ କିଏ ଆସିଯିବ ।

 

ଅଧରାତିରେ ପୁଣି ଆସିବ କିଏ ?

 

ଦେଖୁନ, କିଏ ଦେଖୁଚି ମିଟି ମିଟି କରି ଚାହୁଁଚି । ହସୁଚି ।

 

କିଏ ?

 

ଚାନ୍ଦ । ମୋତେ ଲାଜ ମାଡ଼ୁଚି ।

 

ଏ ଲାଜ ଜିନିଷଟି ତୋର ଛାତି ଭିତରେ କିଏ ସେ ଭରିଦେଲା ଯେ । ଚାଲ ସେହି ଝଙ୍କାଳିଆ ଚମ୍ପାଫୁଲ ଗଛ ତଳେ ବସିବା । ଦି’ ବର୍ଷ ପରେ ଆଜି ଏ ରାତି ଆସିଛି ।

 

ଲାଜରା ମୁହଁ କରି କ'ଣ ଇଙ୍ଗିତ କଲା ଶ୍ୱେତ । ତା’ର ମନ କହୁଛି, ଫୁଲ ଗଛ ପାଖକୁ କାହିଁକି, ସରୋଜ ତାକୁ ନର୍କକୁ ନେଲେ ମଧ୍ୟ ସେ ଯିବ ।

 

ଫୁଲ ଗଛ ତଳେ ଉଭୟେ ବସିଲେ । ଶ୍ୱେତ ଆସିଲା ସରୋଜ ପାଖକୁ । ଦେହରେ ଅଳସ ଭାବ ନାହିଁ, ମନରେ ଚିନ୍ତା ନାହିଁ । ସେ ଦେଖୁଚି ଜାଗ୍ରତ ଅବସ୍ଥାରେ ସ୍ୱପ୍ନ ।

 

ସରୋଜ ଶ୍ଵେତାପଦ୍ମାର ପିଠି ଉପରେ ହାତ ଆଉଁସି ଗେହ୍ଲାରେ କହିଲେ, ଶ୍ୱେତ, କ’ଣ ଭାବୁଚୁ ? କ’ଣ ଭଲ ଲାଗୁ ନାହିଁ ? ଏତେ ବଡ଼ ବ୍ୟବଧାନ ପରେ ଆଜି ଏ ରଜନୀ, ମୋତେ କାଲିପରିକା ଲାଗୁଚି । ଦି’ ବର୍ଷ ତଳର କଥା ଗୋଟି ଗୋଟି କରି ମୋ ଆଖି ଆଗରେ ଭାସି ଯାଉଛି ।

 

ମୁଣ୍ଡ ତଳକୁ କରି ଶ୍ୱେତ ପଚାରିଲା–ସରୋଜ ! ସେଠାରେ ତୁମକୁ ମୁଁ କ'ଣ ମନେ ପଡ଼ୁଥିଲିଟି ? ମୋ କଥା ଭାବୁଥିଲ ?

 

ଡବ ଡବ କରି ସରୋଜ ଶ୍ଵେତାପଦ୍ମାର ମୁହଁକୁ ଚାହିଁଲେ । ଦି'ଗାଲ ଉପରେ ଚାପି ରଖି କହିଲେ ମୁଁ କେମିତି ବାରିଷ୍ଟରି ପାସ କଲି ସେଟା ବଡ଼ କଥା । ସେଥିପାଇଁ ମୁଁ ଭଗବାନଙ୍କ ଠାରେ ଚିରକୃତଜ୍ଞ । ଲଣ୍ଡନ ପହଞ୍ଚିବା ପରେ ଏକମାସ ପର୍ଯ୍ୟନ୍ତ ମୁଁ, ମୋର ଚିଠିର ଜବାବ ନ ପାଇ ଏକରକମ ପାଗଳ ହୋଇ ଯାଇଥିଲି । ଖାଇଲାବେଳେ, ଶୋଇଲାବେଳେ ଓ ପଢ଼ିଲାବେଳେ ସର୍ବଦା ମୁଁ ମନେକରେ ତୁ ମୋର ଆଖି ଆଗକୁ ଆସି ପୁଣି କୁଆଡ଼େ ଉଭେଇ ଯାଉ । ସେଠାକାର ସେ ଏକୁଟିଆ ଜୀବନ ଅସୁବିଧା, ଅଶୁଭ ଦିନଗୁଡ଼ାକ ମୋର ପ୍ରାଣକୁ ଘାରିଦିଏ, ସବୁ ମନେପଡ଼େ–ସାଙ୍ଗ ସୁଖ, ଖେଳ କୌତୁକ, ଦିପାବଳୀର ମାଟିରେ ପ୍ରେମର ତାଜମହଲଠାରୁ ସଞ୍ଜବେଳର ଲୁଚକାଳି । ତା’ପରେ ମୋର ଧୈର୍ଯ୍ୟ ରହେ ନାହିଁ । ସପନ ଭିତରେ ଯାହା ଦେଖୁଥିଲି ଗତ ଦି'ବର୍ଷ ଭିତରେ ସୁଦୂର ପାଶ୍ଚାତ୍ୟ ଦେଶେ ଆଜି ତାହା ଦେଖୁଚି ବାସ୍ତବତା ଭିତରେ ।

 

ଅଜାଣତରେ ଆଖିପତା ତଳକୁ ହୋଇଗଲା । କିଏ ଦେଖିବ ? ଏଠି କେହି ନାହାନ୍ତି । ଯାହା କରିବା କଥା, ନ କରିବା କଥା, ସବୁ ଚଳିବ ।

 

'ସରୋଜ' ମୁଁ ଆଜି ଯାହା ଅନୁଭବ କରୁଛି ପ୍ରକାଶ କରି ପାରୁନାହିଁ । ଆଜି ଆମ ଭିତରେ ଯେପରି ସ୍ୱାତନ୍ତ୍ର୍ୟ ଲୋପ ପାଇଛି ପୁଣି । ଦିଓଟି ପରାଣ ଆଉଥରେ ଏକ ହୋଇଛି । ତୁମେ ଯେ ମୋର । ତୁମରି ଭିତରେ ଆଜି ମୁଁ ମୋର ଆତ୍ମାର ଉପସ୍ଥିତି ବୋଧ କରୁଛି । ତୁମର ଓ ମୋର ଭିତରେ ରହିଛି ଏକା ମାଂସ, ଏକା ଶୋଣିତ, ଏକା ତନୁ । ମୁଁ ଦେଖି ତୁମକୁ ପ୍ରାଣଠୁ ବଳି ଭଲ ପାଇଛି । ଦି'ବର୍ଷ ହେଲା ତୁମକୁ ନ ଦେଖି ପାଗଳୀ ହୋଇ ପଡ଼ିଥିଲି । ଏଣିକି ହୃଦୟ ଭିତରୁ ମୁହୂର୍ତ୍ତେ ତୁମକୁ ଆଉ ଅନ୍ତର କରି ପାରିବି ନାହିଁ । ଆଜି ମୋ' ପାଖରେ ତୁମକୁ ମୁଁ ଦେଖି ଗତ ଜୀବନର ସବୁ ଦୁଃଖ ଯାତନା ପାସୋରି ପକାଇଛି ।

 

ଶ୍ଵେତାପଦ୍ମାର ଆଖି ଆଗରେ ସରୋଜର ମୁହଁ ଦିଶୁଚି ଉଜ୍ଜ୍ୱଳ । ତା’ର ଭାବନାର କୂଳ କିନାରା ନାହିଁ । ସେ ସରୋଜର ହାତ ଧରିବ । ସଂସାର କରିବ ।

 

କିଛି ସମୟ ତୁନି ରହିଲା ପରେ ଉଭୟଙ୍କର ହାତ ଛନ୍ଦି ହୋଇଛି । ଶ୍ୱେତର ମୁଣ୍ଡ ନୋଇଛି । ସଂଯମ ହୋଇଛି ଯଜ୍ଞ କୁଣ୍ଡରେ ଆହୁତି । ତା’ପରେ ସରୋଜର କାନ୍ଧ ଉପରକୁ ମୁଣ୍ଡ ନୂଆଇଁଛି ଶ୍ୱେତ ।

 

କ୍ଷଣିକ ପାଇଁ ଭାବିଚି, ଦି'ବର୍ଷ ତଳର ଗୋଟିଏ ରାତି । ସେହି ରାତିରେ ମଧ୍ୟ ଆଜି ପରିକା, ପ୍ରଲୋଭନକୁ ଏଡ଼ିପାରି ନଥିଲୁ । ସଂଯମର ଅଭାବ ଦେଖା ଦେଇଥିଲା । ସରୋଜ କୋଳରେ ଲୋଟି ଯାଇଥିଲି । ଶେଷରେ ସେ ବଲବଲ କରି ଚାହିଁଲେ ମୋ ମୁହଁକୁ । ମୁହଁରୁ କଥା ବାହାରି ନଥିଲା ।

 

ସରୋଜ ନିଜ ଛାତି ପାଖକୁ ଜୋରରେ ଟାଣିନେଲେ ଶ୍ୱେତକୁ । ଛାତିରେ ଛାତିକୁ ଆଉଜାଇ ନେଇ କହିଲେ, ତୋ ମୁହଁକୁ ଦେଖି ମୋର ସବୁ ଅଶାନ୍ତି ଦୂର ହୋଇଛି । ତୋର ମୋର ଶରୀର ପବିତ୍ର ହୋଇଛି ।

 

ଯୌବନରେ ସଂଯମ ଅର୍ଥାତ ଯୌବନରେ ବୈରାଗ୍ୟ । ବଞ୍ଚିଥିଲେ ସୁଦ୍ଧା ମଲାପରି । ମଣିଷ ହୋଇ ବୟସକୁ ଭୋଗ କରିବ ନାହିଁ । ତାହାହେଲେ ଦିନ ଗଡ଼ି ଚାଲିବ । ସଞ୍ଜ ଯେପରି ଧରାପୃଷ୍ଠରେ ନଇଁ ଆସେ ସେପରି ନଇଁବ ବୟସ । ଯୌବନ ବୃଦ୍ଧ ହେବ । ଯୌବନ ଉପରେ ସଂଯମ ଯଦି ଘୋଡ଼ା ଚଢ଼େ ତା’ହେଲେ ଏ ମଣିଷ, ମଣିଷ ଜନ୍ମଲାଭ ନ କରିବା ପାଇଁ ଏ ଜୀବନରେ ପାପ କରୁ । ଯେପରି ଆରଜନ୍ମରେ ପୋକମାଛି ପିମ୍ପୁଡ଼ିଟାଏ ହୋଇ ଦି’ଘଡ଼ିରେ ମରିବ-

 

ଆଜି ଶ୍ଵେତାପଦ୍ମାର ଉଷତ ମନ ଅନେକ କଥା ବକି ଚାଲିଛି । ଆମ ଘର ପାଖର ଯେଉଁ ସଜନୀ ଥିଲା, ପୁରୁଣା ସଜନୀ ମ, ତା’ର ହାତକୁ ଦି'ହାତ କେବେଠୁଁ ହୋଇସାରିଲାଣି । ଆଉ ସୁଲେଖା ମୋର ସ୍କୁଲ ସାଥି । ଗୋଟିଏ ପାଠପଢ଼ା ପୁଅ ସାଙ୍ଗରେ ତା’ର ଥିଲା ସମ୍ବନ୍ଧ । ଦିହେଁ ପରସ୍ପରକୁ ପ୍ରାଣଦେଇ ଭଲ ପାଉଥିଲେ । ସୁଲେଖା ଦିନେ ତା’ର ବାପ ପାଖରେ ଫୁଟେଇ କହିଲା ନିଜ ସଂସାର କରିବା କଥା । କିନ୍ତୁ ତା’ ପରିବର୍ତ୍ତରେ ସେ ପାଇଲା ଲାଞ୍ଚନ, ତାଡ଼ନା । ସହି ନ ପାରି ଚାଲିଗଲା ସେ, ଘରଛାଡ଼ି ଅଧରାତିରେ ନିଜ ପ୍ରେମିକ ସାଥିରେ । ଆଉ ଅନି, ସୁଧା ସବିତା ସମସ୍ତେ ନିଜ ନିଜ ଶାଶୁ ଘରକୁ ଗଲେଣି ।

 

ଏତକ ଶ୍ୱେତପଦ୍ମା କହି ଦେଇଛି । କାରଣ ସୃଜନର ଡାକରା ଆସିଛି ତା' ଛାତି ଭିତରୁ । ଶରୀର ତା’ର ଅସ୍ଥିର ହୋଇଚି । ବିବାହ ହିଁ ଦିଓଟି ପ୍ରାଣୀର ପ୍ରେମର ଫଳ । ସେ କହିଚି ପରାକ୍ରାନ୍ତରେ–ସରୋଜ ଆଗରେ ପରାସ୍ତ ହୋଇଛି । ସଂସାର କରିବାକୁ ତା’ର ମନ ଉଚ୍ଛନ୍ନ ହୋଇଚି ।

 

ବିବାହ । ସୃଷ୍ଟିର ଆଦିମ କାଳରୁ ଚଳିଆସୁଛି । ନୂଆକଥା ନୁହେଁ । ବିଶ୍ୱକଳାକାର ତା’ର ସୃଷ୍ଟିଜୀବକୁ ସମ୍ପୂର୍ଣ୍ଣଭାବରେ ଗଢ଼ି ସାରିବା ପରେ ଏପରି ଏକ ସମୟ ଆସେ, ଯେତେବେଳେ ସେ ଜୀବ ଦେହରେ ଦିଏ ଯୌବନର ଠାଣି । ସେହିଦିନଠୁଁ ରକ୍ତମାଂସର ଉତ୍ତେଜନା ଆହୁରି ବଢ଼ିଯାଏ । ମଣିଷର ମନ ଭିତରେ ଜାତ ହୁଏ ଅତୁଟ ପ୍ରେମ । ଯୌବନ ଉଠେ ଜାଗି, ସୃଜନ କର୍ତ୍ତା ଆତ୍ମା ଚାହେଁ ମିଳନ । ତା’ପରେ ଦେଖାଦିଏ ବିବାହ । ପୁରୁଷ ଓ ସ୍ତ୍ରୀର ସଂଘର୍ଷ; ଯାହା ଭଗବାନଙ୍କର ସୃଷ୍ଟିକୁ ଜୀବନ୍ତ କରି ରଖିଛି । ସ୍ତ୍ରୀ ବିନା ସୃଷ୍ଟି ଅସମ୍ଭବ । ସୃଷ୍ଟି ଅସମ୍ଭବ ପୁରୁଷର ଅନୁପସ୍ଥିତିରେ । ପୁରୁଷ ଓ ନାରୀ, ଉଭୟଙ୍କର ସ୍ଥାନ ସମାନ । ସୃଷ୍ଟି ପାଇଁ ଶ୍ୱେତ ଚାହିଁଛି ସରୋଜକୁ । ସେ ବିବାହ କରିବ । କ୍ଷତି କ’ଣ ?

 

ସରୋଜ ଆଉଥରେ ଭିଡ଼ିନେଇଛି ଶ୍ୱେତର ଅଙ୍ଗ ସୁକୁମାରକୁ । ତା’ର ଉପାସୀ ଦେହରେ ଶିହରଣ ଖେଳିଛି ପୁନର୍ବାର । ଶ୍ୱେତର ଦି' ଗାଲରେ ସରୋଜ ଦିଓଟି ଉଷ୍ମ ଚୁମ୍ବନ ଆଙ୍କିଦେଇଚି । ଶ୍ୱେତର ଲାଜ ଭୟ ସବୁ ଦୂର ହୋଇଛି । ଉନ୍ମାଦନାର ବିଜୁଳି ପ୍ରବାହରେ ତା’ର ରକ୍ତ ହୋଇଚି ଗରମ ।

 

ସେତେବେଳେ ଆକାଶର କେଉଁ କୋଣରୁ କଳାବଉଦ ଖଣ୍ଡେ ଭାସିଆସି ଚନ୍ଦ୍ର ମାର ମୁହଁକୁ ଢାଙ୍କି ଦେଇଛି । ଦେଖୁ ଦେଖୁ କ୍ଷଣକ ପାଇଁ ଧରାପୃଷ୍ଠ ଅନ୍ଧକାର ହୋଇଚି ।

 

ଝାପସା ଅନ୍ଧାରିଆ ଭିତରେ ସରୋଜର ଛାତିଭିତରେ ନଇଁ ପଡ଼ିଥିବା ଶ୍ଵେତାପଦ୍ମକୁ ଆସିଲା କାଶ । ଉତ୍କଟ କାଶ । ପାଖର ମଣିଷ ସ୍ୱତଃ ଦୂରେଇ ଛିଡ଼ାହେବାକୁ ଇଚ୍ଛା କରେ । ଶ୍ୱେତଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଛି । ଛାତି ଜଳିପୋଡ଼ି ଯାଉଛି, ଛାତିରେ ଯେପରି ନିଆଁ ଲାଗିଛି । ଓଃ ! ଏକି ଭୀଷଣ କାଶ । ବର୍ଣ୍ଣନା କରିବାପାଇଁ ଭାଷା ନାହିଁ ମଣିଷର । କାଶି କାଶି ତା’ର କ୍ଷୀଣ ଶରୀର ଭୂଇଁରେ ଲୋଟିଗଲା । ଅଜାଣତରେ ବାହାରି ଆସିଲା ମୁହଁରୁ ଆଞ୍ଜୁଳାଏ ରକ୍ତ, ଲାଲ ରକ୍ତ, ରାତ୍ରିର ଅନ୍ଧକାର ଭିତରେ ।

 

ତା’ର ମନ ଭାଙ୍ଗିଗଲା । ହୃଦୟ ସଙ୍କୁଚିତ ହେଲା । ଆଶା ଚୂରମାର ହେଲା । ସଂସାର କରିବାର ପ୍ରୟାସ ବଳେ ଭାଙ୍ଗିଗଲା । ଦେହରେ ପଶିଲା ଅଜଣା ଛନକା । ସଙ୍କୋଚ ଆସିଲା । ମିଳନର ପ୍ରେରଣା ଆଉ ଫୁଟି ପାରିଲା ନାହିଁ । ଉନ୍ମାଦନା ଆପେ ଦବିଗଲା । ଆତ୍ମାର ଭଲ ପାଇବାରେ ଇଚ୍ଛା, ସୃଷ୍ଟି କରିବାର ପ୍ରୟାସ ହେଲା ସମୂଳେ ଧୋଇ, ବିଲୀନ ହେଲା ମହା ସମୁଦ୍ରରେ ।

 

ଶ୍ଵେତାପଦ୍ମାର ମନକୁ ପାପ ଛୁଇଁଲା । ମନରେ ଭାବାନ୍ତର ଜାତ ହେଲା । ସେ କେତେ ବଡ଼ ଭୁଲ ନ କରିଚି । ସରୋଜର ଆଗମନରେ ନିଜକୁ ଭୁଲି, ଆକର୍ଷଣର ଡୋରରେ ଟାଣିହୋଇ ସେ ହୋଇଛି କର୍ତ୍ତବ୍ୟଚ୍ୟୁତା । ଏ ଦେହଟାର ସୁଖ ପାଇଁ ପାଗଳ ହୋଇ ସେ କରିଛି ଯାହା କରିବା କଥା ନୁହଁ, ସେ କହିଚି ଯାହା ନ କହିବାପାଇଁ ତା’ର କର୍ତ୍ତବ୍ୟ ତାକୁ ଶତବାର ସାବଧାନ କରିଚି । କର୍ତ୍ତବ୍ୟର ବାଧାକୁ ନ ମାନି ସରୋଜର ଦେହ ସଙ୍ଗେ ମିଶି ଯାଇଚି । ସୃଷ୍ଟି-କାମୀ ଆଶାର ଆହ୍ୱାନରେ ଲାଜ, ଭୟ, ସଙ୍କୋଚ ପରିତ୍ୟାଗ କରି ସରୋଜ ସହିତ ଯାହା ସେ କରି ଯାଇଛି, ଏହାର ଯଦି କିଛି ଖରାପ ଫଳ ହୁଏ ସେଥିପାଇଁ ସେ ଦାୟୀ । କାରଣ ତାକୁ ଯକ୍ଷ୍ମା ହୋଇଛି । ରାଜଯକ୍ଷ୍ମା । ଯକ୍ଷ୍ମାରୋଗୀ ଶ୍ୱେତପଦ୍ମା ସରୋଜକୁ ଭଲପାଏ । ହେଲେ ତା’ର ଅମଙ୍ଗଳ ପାଇଁ ନୁହେଁ-

 

ଶ୍ୱେତପଦ୍ମା ସରୋଜଙ୍କୁ ବିବାହ କରିବ ? କାହିଁକି ? ସ୍ୱାମୀ ଦେହରେ ଯକ୍ଷ୍ମା–ଜୀବାଣୁ ଛାଡ଼ିବା ପାଇଁ ? ସରୋଜ ସହିତ ସଂସାର କରିବ ନିଜର ଭବିଷ୍ୟତ ସନ୍ତାନକୁ ଯକ୍ଷ୍ମାରୋଗରେ ଆକ୍ରାନ୍ତ କରିବାକୁ ?

 

ଶ୍ୱେତପଦ୍ମାର କାନରେ ଡାକ୍ତରଙ୍କର କଥା ଗୁଞ୍ଜିତ ହୋଇ ଉଠିଲା । ଆପଣ ନିଜ ପରିବାରରେ ବହୁ ସାବଧାନତାର ସହିତ ଚଳିବେ । ବେଶୀ ମିଳାମିଶା କରିବା ଆଦୌ ଉଚିତ ନୁହେଁ । ଆପଣ ଯୁବତୀ । ଯୌନ ଆକର୍ଷଣରେ ଭୁଲିଯାଇ ନିଜକୁ, ପରର ଜୀବନକୁ ସଙ୍କଟାପନ୍ନ କରିବା ଆଦୌ ଭଲ ନୁହେଁ, ଗୁରୁତର ପାପ । ମଣିଷର ଧର୍ମ ମଣିଷକୁ ବଞ୍ଚାଇବା ପାଇଁ, ମୃତ୍ୟୁ ମୁଖରେ ଠେଲି ଦେବା ନୁହେଁ । ଶ୍ୱେତର ଦୁଇ ଆଖି ଲୁହରେ ଭରିଗଲା । ସରୋଜର ଅଜାଣତରେ ଲୁହ ପୋଛିଲା ନିଜ ପଣତ କାନିରେ ।

 

ଚକ୍ଷୁ ଆଗରେ ତା’ର ଏକମାତ୍ର ପଥ–ନିଜର ଜୀବନକୁ ମୃତ୍ୟୁ ମୁଖରେ ଉତ୍ସର୍ଗ କରିବ ସେ ।

 

ପୁଣି ଆଖିରୁ ଝରିଲା ଲୁହ । ଆଖି ଛଳ ଛଳ କରି କହିଲା, ସରୋଜ ରାତି ବହୁତ ହେଲାଣି । ଖୋଲା ଆକାଶ ତଳେ ବହୁ ସମୟ ଧରି ବସିଲେ ତମର ଦେହ କାଳେ ଖରାପ ହୋଇପାରେ । ଚାଲ, ଘର ଭିତରକୁ ଫେରି ଯିବା ଚାଲ ।

 

ଶ୍ୱେତପଦ୍ମା ମନରେ କୋହ ଚାପି, ସାହସ ଧରି ସେତକ କହି ଦେଇଗଲା । ତା’ର ଛାତି ଭିତରଟା କ'ଣ ହୋଇ ଯାଉଛି । ଏକଆଡ଼େ ସରୋଜ ଓ ତାଙ୍କର ଜୀବନ–ଅନ୍ୟଆଡ଼େ ଶ୍ଵେତାପଦ୍ମାର ମହାନ ତ୍ୟାଗ । ଏକଆଡ଼େ ତା’ର ପ୍ରଗାଢ଼ ବିଶ୍ୱାସ ସରୋଜ ସହିତ ସଂସାର ଗଢ଼ିବ ଅନ୍ୟଆଡ଼େ ତା’ର ମହାନ ତ୍ୟାଗ କାରଣ ବଂଶରକ୍ଷା ପାଇଁ ସରୋଜକୁ ବଞ୍ଚିବାକୁ ହେବ । ଶ୍ଵେତପଦ୍ମାର ସଙ୍କଳ୍ପରେ ବାଧାସୃଷ୍ଟି କରିବାକୁ କେହି ନାହିଁ, କେବଳ ସେ ନିଜେ–

 

ଶ୍ଵେତପଦ୍ମାର ପାଖକୁ ଆସି ସରୋଜ ପଚାରିଲେ, ଏତେ ଚଞ୍ଚଳ କାହିଁକି, ପେଟ ପୂରି ଗଲାଣିକି ?

 

ଦୁଃଖର ସହିତ ଶ୍ୱେତ କହିଲା, ହଁ ସରୋଜ ! ଚିରଦିନପାଇଁ ପେଟ ପୂରିଗଲା । ନାରୀ ଯାହା ଚାହେଁ, ଯେଉଁଥିପାଇଁ ଶତଯାମିନୀ ଧରି ସେ ଅଭିସାରିକାରୂପେ ବାଟଚାହିଁ ବସିଥାଏ, ତାହା ମୁଁ ପାଇ ସାରିଛି । ପୁନର୍ବାର ସରୋଜ କୋଳରେ ଲୋଟିଯିବାକୁ ଚାହିଁଲା ତା’ର ମନ । କିନ୍ତୁ କର୍ତ୍ତବ୍ୟ କଲା ମନା ।

 

ଏତେ ବ୍ୟବଧାନରେ କାହିଁକି ଛିଡ଼ା ହୋଇଛୁ ଶ୍ୱେତ ?

 

ଦେଖୁନ ମିନୁ ମା' ଇତିମଧ୍ୟରେ ଥରେ ଉଠିଥିଲା । ଯଦି ଦେଖେ ଆମେ ଦୁହେଁ ନିଜ ନିଜ ଶୋଇବା ଘରେ ନାହାନ୍ତି, କ'ଣ ଭାବିବେ ସେ ମନେକଲ । ମୋ ରାଣ ସରୋଜ, ଆଜି ରାତିକ ନୁହେଁ, ସାରାଜୀବନ ପଡ଼ିରହିଚି–ଚାଲି ଆସ ।

 

ଶ୍ୱେତପଦ୍ମା ସ୍ତ୍ରୀ । ସରୋଜର ଆଶା ଭିତରେ ଦେଖନ୍ତା ତା’ର ସ୍ଥିତି ଓ ପ୍ରଗତି । ଏଇତ ସୃଷ୍ଟିର ବନ୍ଧନର ନୀତି । କିନ୍ତୁ ତା’ପାଇଁ ସବୁ ଯେମିତି ଓଲଟ ପାଲଟ ହୋଇ ଯାଇଛି ।

 

 

ଚାରିଦିନ ପରେ–

 

ସେ ଦିନଠୁଁ ସରୋଜ ରହିଲେ ଶ୍ୱେତପଦ୍ମା ଘରେ । ଘରକୁ ଗଲେ ନାହିଁ । ବିଜୟ ବାବୁ ପଠେଇଲେ ଚହଟ ଚମ୍ପାକୁ । ଚମ୍ପା ଆସିଥିଲା ନୀଳା ଘରକୁ । ବହୁତ ବୁଝାମଣା କଲା । ହେଲେ ସବୁ ଚେଷ୍ଟାତକ ତା’ର ଫସର ଫାଟିଲା । କାକୁତି ମିନତି କଲା । କେତେ ପ୍ରଲୋଭନ ଦେଖାଇଲା-। ସରୋଜ ତ ଆଉ ଛୁଆ ନୁହନ୍ତି, ନାକରେ ଦୁଧ ପିଉ ନାହାନ୍ତି । ମନାକଲେ ।

 

ସରୋଜ ଆସିବା ଦିନର କଥା–ବାପ ପୁଅ ଭିତରେ ଝଗଡ଼ା ହୋଇଛି । ସରୋଜର ମନ ଭାଙ୍ଗିଛି । ବାପାଙ୍କର କଥା ତାଙ୍କର ପଞ୍ଜରା ହାଡ଼ ଥରାଇ ଦେଇଛି । ହୃଦୟରେ ଘା' କରିଦେଇଛି । ବାପ ପ୍ରତି ଆସିଛି ତାଙ୍କର ଏକ ପ୍ରକାର ଘୃଣା, ବିଷାଦ । ତେଣୁ ସେ ଆଉ ଘରକୁ ଫେରି ନାହାନ୍ତି । ରାଗରେ ଫେରିଯାଇଛି ଚହଟ ଚମ୍ପା, ଯେତେବେଳେ ସରୋଜ ମନା କଲେ ତା’ ସାଥିରେ ଆଉ ପ୍ରତ୍ୟାବର୍ତ୍ତନ ନ କରିବା ପାଇଁ । ଘରକୁ ଫେରି ଚମ୍ପା ବିଜୟ ବାବୁଙ୍କ ପାଖରେ କଥାକୁ ଏପଟ ସେପଟ କରି, କେତେପ୍ରକାର ଅଳଙ୍କାର ଖଞ୍ଜି କହିଚି । ବିଜୟ ବାବୁ ରାଗିଯାଇ ବିଷଧର ସର୍ପ ପରି ଆସିଛନ୍ତି । ଶ୍ୱେତପଦ୍ମା ପାଖରେ ସରୋଜ ବସିଥିବାର ଦେଖି କହିଛନ୍ତି, କୁକୁର, ତୋତେ ଆଉ କେଉଁଠି ହେଲେ ସ୍ଥାନ ମିଳିଲା ନାହିଁ, ଶେଷରେ ବାପ ମଥାରେ କଳଙ୍କ ବୋଳିଦେବା ପାଇଁ ଗୋଟିଏ କାଙ୍ଗାଳୁଣୀ ସାଥିରେ ରାତି କଟାଇଛୁ । ଏପରି ପୁଅ ଥାଇ ନ ଥାଇ ଲାଭ କ'ଣ ? ଏ ବୁଢ଼ା ବାପ ତୋର କେହି ହେଲା ନାହିଁ, ସାମାନ୍ୟ ନାରୀ ହୋଇଛି ତୋର ସର୍ବସ୍ୱ ? ମନେରଖ, ଏହାର ନୁହେଁ, ଅନ୍ୟର ହାତ ଧରିବାକୁ ହେବ ତୋତେ । ସେଭଳି ବନ୍ଦୋବସ୍ତ ହୋଇ ସାରିଛି । ଆଉ ଆଜି, ଦିନ ବାର ଠିକ୍ କରିବାପାଇଁ ତାଙ୍କ ଘରକୁ ମୁଁ ଚମ୍ପା ସହିତ ଯାଉଛି । ତୋତେ ଯିବାକୁ ହେବ । ତୁ ଚାଲିଆ ସରୋଜ, ତୁ ଚାଲିଆ । ମୋ ସହିତ ତୋତେ ଯିବାକୁ ହେବ । ନୋହିଲେ ମୁଁ ତୋତେ ତେଜ୍ୟପୁତ୍ର କରିବି ।

 

ସରୋଜ କାଠଖୁଣ୍ଟ ପରି ଛିଡ଼ା ହୋଇଛନ୍ତି । ଶେଷରେ ଏତିକି ଜବାବ ଦେଇଛନ୍ତି, ସେଥିରେ ମୋର ଚିନ୍ତା ନାହିଁ ବାପା । ବିବାହ ମୁଁ କରିବି, ଆଉ ଯାହା ସହିତ ମୁଁ ବିବାହ କରିବି ସେ ତମର ସମ୍ମୁଖରେ । ଗୋଟିଏ କଥାରୁ ଆଉ ଦି’କଥା ହେବ ନାହିଁ ।

 

ଏତିକି ଶୁଣିଲା ମାତ୍ରେ, ଆଖି ଲାଲକରି ଫେରି ଯାଇଛନ୍ତି ସେ । କେବଳ ଏତିକି କହି, ଦେଖି ନେବି, କାହାକୁ ବିବାହ କରୁଛୁ ।

 

ଆଜି ପୁଣି ସେହିକଥା ସରୋଜର ମନକୁ ବ୍ୟସ୍ତ କରିଛି । ଉତ୍ତର ଖୋଜି ପାଉ ନାହାନ୍ତି-। କ’ଣ କରିବେ ଭାବି ଠିକ୍ କରି ପାରୁ ନାହାନ୍ତି । ଟେବୁଲ ଉପରେ ଗୋଡ଼ ଦୁଇଟି ଥୋଇଦେଇ, ମୁଣ୍ଡ ଉପରେ ହାତ ରଖି କ'ଣ ଭାବୁଛନ୍ତି ।

 

ଆଜିକାଲି ଶ୍ୱେତପଦ୍ମା ସରୋଜ ଠାରୁ ଦୂରେଇ ଦୂରେଇ ଛିଡ଼ା ହେଉଛି । ମୁଣ୍ଡରେ ତେଲ ନାହିଁ, ବସନ ଉପରେ ଆଖି ନାହିଁ । ନିସ୍ତେଜ ଆଖିରୁ ଅଜାଣତରେ ଝରୁଛି ଅନବରତ ଲୁହ, ସରୋଜ ଶ୍ୱେତର ହାତ ଧରି ଆକୁଳ କଣ୍ଠରେ କହିଛନ୍ତି–ଶ୍ୱେତ ମୁଁ କ’ଣ ତୋତେ ଭଲ ଲାଗୁନାହିଁ ?

 

ସରୋଜ ମୁହଁରେ ହାତ ଦେଇ ଶ୍ୱେତ କୁହେ, ସେପରି କୁହନା ମୋର ଦେବତା । ଆଖିରୁ ଲୁହ ଝରେ, ଆଉ କିଛି କହିପାରେ ନାହିଁ ।

 

'ତେବେ କାହିଁକି ମୋତେ ଦେଖି ନ ଦେଖିଲା ପରି ଚାଲି ଯାଉଛୁ । କଥା ଶୁଣି ନ ଶୁଣିଲା ପରି ଉଭେଇ ଯାଉଛୁ । କଥାକୁ ଅନ୍ୟ ମାର୍ଗରେ ନେଇ ଶ୍ୱେତ କହେ, ବାର ବାର କହେ, ସରୋଜ ଅମୁକ ଖାଅ, ସମୁକ ପିଅ । ଇଏ ଡାକୁଥିଲା, ସିଏ ଡାକୁଥିଲା । ବାପା, ଡାକି ପଠାଇ ଥିଲେ ପୁଣି, କାହିଁକି ଗଲ ନାହିଁ ଅମାନିଆ ପୁଅଟି ପରି । ବାପା କ'ଣ ଭାବିଥିବେ କହିଲ । ଛୋଟ କଥାକୁ ବଡ଼ କରି ଲୋକେ ନାନା କୁତ୍ସା ରଟନା କରନ୍ତି । ତିଳକୁ ତାଳ କରି ନାନା ପ୍ରକାର ରଙ୍ଗ ଲଗାନ୍ତି । ଯାଅ ମୋ ରାଣ, ଯିବ ନାହିଁ ? ଯଦି କହିବି ମୋର ପ୍ରେମର ରାଣ–

 

ମୋର ପ୍ରେମକୁ କଳଙ୍କିତ କରନା । ମୁଁ କହି ରଖୁଛି, ବାପା ଯେଉଁ ଦିନ ଆମ ଦି'ଙ୍କୁ ନିଜ ଘରକୁ ନେବାପାଇଁ ପ୍ରସ୍ତୁତ ହୋଇ ମତ ଦେବେ, ସେହିଦିନ ମୋର ଗୋଡ଼ ଯିବ ତାଙ୍କ ଘରକୁ ।

 

ଏସବୁ ଶୁଣି ଶ୍ୱେତପଦ୍ମା ସରୋଜର ଛାତିରେ ମିଶି ଯାଇଛି । କିନ୍ତୁ ହଠାତ୍ ଛାତିରେ ଛନକା ପଶିଛି, ଅଲଗା ହୋଇ ଛିଡ଼ା ହେବାକୁ କର୍ତ୍ତବ୍ୟ ତାକୁ ଡାକ ଛାଡ଼ିଛି । ତା’ପରେ ମୁହଁ ଶୁଖେଇ ଆଖି ଛଳ ଛଳ କରି ସେ ଛିଡ଼ା ହୋଇଛି ଦୁରେଇ ହୋଇ, ଦେହ ମଧ୍ୟରେ ବ୍ୟବଧାନ ଦେଖା ଦେଇଛି ।

 

ସରୋଜ ଆଶ୍ଚର୍ଯ୍ୟ ହୋଇ ବ୍ୟାକୁଳତା ପ୍ରକାଶ କରି ପଚାରିଛନ୍ତି ତା’ର କାରଣ ?

 

ଉତ୍ତର ଦେଇଛି କେବଳ ଶ୍ଵେତପଦ୍ମାର ମୌନତା, ଅଶ୍ରୁ ବିଗଳିତ ନୟନ ଯୁଗଳ ଓ ଯୌବନର ଅବଗୁଣ୍ଠନ ତଳେ ଉଠୁଥିବା ଦୁଃଖର ଜୁଆର ଓ ଭଟ୍ଟା ।

 

ସରୋଜ ମୁଣ୍ଡକୁ ତଳକରି ଚୌକିରେ ବସି ପଡ଼ିଲେ । ଶ୍ୱେତପଦ୍ମା ଚା' କପ୍‍ଟି ଟେବୁଲ ଉପରେ ଥୋଇ ପାଦ ଟିପି ଟିପି ଚାଲିଯାଉଥିଲା ।

 

ତା’ର ଲୁଗା ପଣତକୁ ଟାଣି ଧରି କହିଲେ ଆଲୋ ରାଣୀ ମୋର, ଚାଲି ଯାଉଛ କିଆଁ ?

 

ପାଣି ଗ୍ଲାସଟା ଭୁଲି ଯାଇଥିଲି ।

 

ନା, ପାଣି ଦରକାର ନାହିଁ । ଏଠି ବସ । ମୋ ପାଖରେ ଅତି ନିକଟରେ ଲଗାଲଗି ହୋଇ । କେହି ନାହାନ୍ତି ପାଖରେ । ଡର ଭୟ କିଛି ନାହିଁ । ଖତେଇ ନୀଳା ଯାଇଛି ଅଫିସ ।

 

ସରୋଜର କଥା ନ ମାନି ଚାରା ନାହିଁ । ଅନିଚ୍ଛାସତ୍ତ୍ୱେ ବସିଲା ।

 

ସତରେ ଶ୍ୱେତ, କ'ଣ ହୋଇଛି ତୋର । ଆଗର ଦେହ ନାହିଁ । ରଙ୍ଗନାହିଁ, ରୂପନାହିଁ, । ଗୋରା ତକତକ ମୁହଁ ରକ୍ତହୀନ ହୋଇ ମଉଳି ପଡ଼ିଛି । ଶୁଖି କଳାକାଠ ପଡ଼ିଗଲୁଣି । କହିଲି ଔଷଧ ଆଣିଦେବି, ଟନିକ ଖାଇବୁ । ନା, ସବୁଥିରେ ନା । ତୋ ମନକୁ କିଛି ପାଏ ନାହିଁ । ଜବରଦସ୍ତ କାଶର ଔଷଧ ଆଣିଲି ତାହା ଏ ପର୍ଯ୍ୟନ୍ତ ଖିଆ ହୋଇନାହିଁ । କାଶି କାଶି କିମିତି ଶୁଖିଗଲୁଣି । ତୋର ଏ ରୂପ ଦେଖିଲେ ମୋର ଏ ମନ କାନ୍ଦି ଉଠେ । ବୁକୁରେ କୋହ ଛୁଟେ । ମୋତେ ଯଦି ତୁ ହୃଦୟ ଦେଇ ଭଲ ପାଉ ଆଜି ନିଶ୍ଚୟ କହିବୁ । ମୁଁ ତ କଥା ଦେଇଛି, ବାପାଙ୍କର କଥା ମୋଟେ ଭାବନା । ଆଉ ଏତେ ଭାବୁଛୁ କାହିଁକି ?

 

ଦରଫୁଟା ହସ ଫୁଟାଇ କହିଲା, କହିବି ?

 

ମୋ ରାଣ ।

 

ଦମ୍ଭ ଧରି ଶୁଣି ପାରିବତ ?

 

ନିଶ୍ଚୟ

 

କାଳେ ପାଗଳଙ୍କ ପରି କାନ୍ଦିବ

 

ନାଲୋ ନା ।

 

ତେବେ ଶୁଣ । ଏକ, ଦୁଇ, ତିନି, । ମୋ–ର–କି–ଛି–ହୋ–ଇ–ନା–ହିଁ ।

 

ପୁଣି ସେହି କଥା କହି ସରୋଜ ଶ୍ୱେତକୁ ନିଜ ପାଖକୁ ଟାଣି ଆଣିଲେ । ଚା’ ପିଇବାକୁ ଆରମ୍ଭ କଲେ ।

 

ଲୁଗା କାନିକୁ ମୋଡ଼ୁ ମୋଡ଼ୁ ଶ୍ୱେତ କହିଲା, ସରୋଜ ତୁମେ ବିବାହ କର ।

 

ହଁ ତ । କରିବି । କ'ଣ ସଂଯମ ଅସମ୍ଭବ ହୋଇ ପଡ଼ୁଛିକି ?

 

ନା ମୋର ସହିତ ନୁହେଁ । ହେମାଙ୍ଗିନୀ ସାଥିରେ । ଯାହାଙ୍କୁ ଦେଖିବା ପାଇଁ ତମର ବାପ ଓ ଚମ୍ପା ଦି'ଦିନହେଲା ଗଲେଣି । ଶୁଣିଚି ଭାରି ଭଲ ଝିଅଟାଏ ।

 

ଶ୍ୱେତ ଏହା ତୁ କହୁଛୁ ? ଏଇୟା କ'ଣ ତୋର ଆତ୍ମାର ବାଣୀ ? ବିବେକ କ’ଣ ମନା କରୁନି ତୋତେ ଏପରି ବିଷାକ୍ତ କଥା ଗୁଡ଼ାକ କହିବାକୁ ?

 

ହଁ ସରୋଜ । ମୁଁ କହୁଛି । ମୋ' ପରି ସାମାନ୍ୟ କାଙ୍ଗାଳିନୀ ଝିଅ ସହିତ ବିବାହ କରିବାକୁ ତୁମ ବାପାଙ୍କର ଆଦୌ ଇଚ୍ଛା ନୁହେଁ । ଆଉ ସେଥିପାଇଁ ବାପ ପୁଅ ଭିତରେ ଦେଖାଦେଇଛି ଆଜି ଏତେବଡ଼ ବ୍ୟବଧାନ । ଝଗଡ଼ା ହୋଇଛି ମନମାଳିନ୍ୟ ଘଟିଛି, ଶେଷରେ ମୋରି ପାଇଁ । ତମ ବାପା ତମ ପାଇଁ ଏପରି ଏକ ଝିଅ ଆଣିବେ, ଯେ କି ଯୌତୁକରେ ତମ ଘରକୁ ପରିପୂର୍ଣ୍ଣ କରିଦେବ । ଆମେ ଆଜି ନିଃସ୍ଵ, ଗରିବ ତମ ବାପାଙ୍କର କଥାରେ ଆମେ ପଥର ଭିକାରୀ । ବାପା ବା କ'ଣ ଯୌତୁକ ଦେଇ ପାରିବେ । ତାଙ୍କ ଲାଗି ତ ଲକ୍ଷ ଲକ୍ଷ ଟଙ୍କା ସ୍ୱପ୍ନର ବସ୍ତୁ-

 

ସରୋଜର ହୃଦୟ କାଟି ହେଲାପରି ଲାଗିଲା । ଦୀର୍ଘ ନିଶ୍ୱାସ ମାରି କହିଲେ, ବେଶ୍‍ ସେତିକି ଥାଉ ଶ୍ୱେତ । ମୁଁ ଏପରି ମୂଲ୍ୟହୀନ ବତ୍କୃତା ଶୁଣିବାକୁ ଚାଁହ୍ନେନା । ଜାଣେ ଏହା ତୋର ହୃଦୟର କଥା ନୁହେଁ, ଆତ୍ମାର ଇଚ୍ଛା ନୁହେଁ । ମୁଁ ତୋତେ ଛାଡ଼ି ଏ ଦୁନିଆରେ ଏକାକୀ ରହି ପାରିବି ନାହିଁ । ତୁ ମୋର ଅର୍ଦ୍ଧାଙ୍ଗିନୀ । ତୋତେ ଘେନି ନୂଆ ସଂସାର କରିବି । ପିଲାଦିନର ରାଜରାଣୀ ଖେଳ, ମାଟିର ତାଜମହଲ ସବୁ ସତ କରି ଗଢ଼ିବି କେବଳ ତୋତେ ନେଇ । ତୁ ମୋର ଏ ଶରୀରର ଏକ ଶ୍ରେଷ୍ଠ ଅଙ୍ଗ, ଯା'ର ବିନା ଏ ଦେହ ହୋଇଯିବ ଅଥର୍ବ, ପଙ୍ଗୁ । ଆଉ ସେପରି କଥା ତୁଣ୍ଡରେ ଧରନା । ମୁଁ ଜାଣେ ବାପାଙ୍କର କଥା ତୋତେ ବାଧିଚି । କ୍ଷଣିକ ପାଇଁ ତୋର ମନରେ ଭାବାନ୍ତର ଆଣିଦେଇଛି । ଆଉ ସେହି ଭାବାନ୍ତରକୁ କେନ୍ଦ୍ର କରି ଆଜି ତୋର ମାନସିକ ଓ ଶାରୀରିକ ଅବସ୍ଥା ଏପରି । ଭୁଲିଯାଏ ସବୁ । ତୁ ମୋର ଆଉ ମୁଁ ତୋର ।

 

ବାହାରେ କାହାର ସ୍ୱର ଶୁଣାଗଲା ।

 

ପରିଚିତ ସ୍ୱର । ଆମ ପୂଜାରୀ ବୋଧହୁଏ । ଡାକିଲେ, କିଏ ପୂଜାରୀ କରେ ?

 

ପୂଜାରୀ ଏକା ନିଶ୍ୱାସରେ ଧାଇଁଛି ।

 

ସରୋଜ ବାବୁଙ୍କୁ ଦେଖି ଥମକିଗଲା । ମୁହଁରୁ କଥା ବାହାରିଲା ନାହିଁ ।

 

କ’ଣ ହୋଇଛି ?

 

ଚମ୍ପା, ଚମ୍ପାର...

 

ଆଶ୍ଚର୍ଯ୍ୟ ସହ ପଚାରିଲେ, ଚମ୍ପା ! ଚମ୍ପା କ'ଣ ହେଲା ?

 

ଖୁଣ୍‍ । ଚମ୍ପାର ଖୁଣ୍‍ ହୋଇଛି ସରୋଜବାବୁ । ଚମ୍ପାର ଖୁଣ୍‍...ବଳଦେବ !

 

ବଡ଼ ବାବୁଙ୍କୁ ପୋଲିସ ଗିରଫ କରିଛି । ସେ ଖୁଣ୍‍ କରିଛନ୍ତି ବୋଲି ପୋଲିସ କହୁଛି । ଚମ୍ପାର ସେ–

 

ଆକାଶକୁ ଚାହିଁ ସରୋଜ ଚିତ୍କାର କରି ଉଠିଲେ–ବାପା ! ଏ କ'ଣ ହେଲା ! ବାପା ! ଶ୍ୱେତ ମୋତେ ଯିବାକୁ ହେବ । ଚାଲ ବଳଦେବ ।

 

ସରୋଜ ଚାଲି ଯାଇଛନ୍ତି । ପଛରେ ପଡ଼ିରହିଛି ଶ୍ୱେତପଦ୍ମା । ତାକୁ ସଂସାରଟା ଦିଶୁଛି ଅନ୍ଧାର ।

 

 

ବିଜୟ ବାବୁଙ୍କ ନାମରେ ମକଦ୍ଦମା । ଅଭିଯୋଗ–ବିଜୟ ବାବୁ ଚହଟ ଚମ୍ପାର ଖୁଣ୍‍ କରିଛନ୍ତି । ଚହଟ ଚମ୍ପାର ଛାତିରେ ବିଜୟ ବାବୁ ଗୁଳି ଚଳେଇଛନ୍ତି । ଚମ୍ପାର ଖୁଣ୍‍ ହେବାର ପୂର୍ବରୁ ଦୁଇଦିନ ପାଇଁ ନିଜ ଘର ଛାଡ଼ି ବିଜୟ ବାବୁ ଓ ଚମ୍ପା ଦୁହେଁ ଘରଛାଡ଼ି ଚାଲି ଯାଇଥିଲେ । ବିଜୟ ବାବୁଙ୍କର ସନ୍ତାନ ସରୋଜ କୁମାର ଗତ ଦଶ ତାରିଖରେ କଲିକତା ପହୁଞ୍ଚିଲେ । ଏଠାରେ ପଦାର୍ପଣ କରିବାର ଠିକ୍ ଚାରିଦିନ ପରେ ଚମ୍ପାର ଖୁଣ୍‍ ହୋଇଛି । ଜଣାଯାଇଛି ଏଥି ପୂର୍ବରୁ ଚମ୍ପା ଓ ବିଜୟ ବାବୁଙ୍କ ମଧ୍ୟରେ କେବେହେଲେ ଶତ୍ରୁତା ନ ଥିଲା । ଯଦିବା ଏପରି କିଛି କେବେ ଦେଖା ଦେଇଛି, ତାହାହେଲେ ତାହା ଘରୁଆ ବ୍ୟାପାର ନେଇ । ତେଣୁ ବିରାଟ ହୋଇଛି ପ୍ରଶ୍ନ–କେଉଁ ଉଦେଶ୍ୟରେ ବୃଦ୍ଧ, ଧର୍ମଭୀରୁ ବିଜୟ ବାବୁ ଚହଟ ଚମ୍ପାର ଖୁଣ୍‍ କରିଛନ୍ତି । କାହିଁକି ଖୁଣ୍‍ ହେବାର ଆଗରୁ ଦୁହେଁ ଘର ଛାଡ଼ିଥିଲେ । କାହିଁକି ? କେଉଁଥିପାଇଁ ?

 

ଚହଟ ଚମ୍ପାର ବଡ଼ ଭାଇ ସଦାଶିବ । ବସ୍ତିରେ ଗୋଟିଏ ଛୋଟିଆ ଘର ଖଣ୍ଡେ ଭଡ଼ା ନେଇ ପ୍ରାୟ କୋଡ଼ିଏ ବର୍ଷହେବ ରହି ଆସୁଛି । ଚମ୍ପାକୁ ସେ ଖୁବ୍ ଭଲ ପାଏ । କେବଳ ଦୁଇଟି କାରଣ ନେଇ । ପ୍ରଥମରେ, ଟଙ୍କାରେ ଲୋଭ ହିଁ ତା’ର ଭଲପାଇବା ପଛରେ ରହିଛି । ସଦାଶିବ ସେତେବେଳେ ଚାହିଁଛି ଟଙ୍କା, ଶହ, ହଜାର ପାଇ ପାରିଛି ଚମ୍ପା ଠାରୁ । କିନ୍ତୁ ଚମ୍ପା ସେ ବିଟପୀ ଚରିତ୍ରହୀନା–ତାକୁ ଜଣାନାହିଁ । ମରିବା ପର୍ଯ୍ୟନ୍ତ ଚମ୍ପା ଲୁଚାଇ ରଖିଥିଲା ନିଜ ଭାଇ ସଦାଶିବ ପାଖରୁ । ଦି'ବର୍ଷ, ତା’ର ବାପ ଗଲା ମରି । ତା’ପରେ ମା' ମରିବା ସମୟରେ ସେ ଚମ୍ପାକୁ ସମର୍ପି ଦେଇ ଯାଇଥିଲା ସଦାଶିବ ହାତରେ । ପୂର୍ବରୁ ଯଦି ସଦାଶିବ ଜାଣିଥାନ୍ତା ଯେ ଚମ୍ପା ଗୋଟିଏ ଧର୍ମଭୀରୁ, ସ୍ୱନାମଧନ୍ୟ ପରିବାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ନିଜର ଭୋକିଲା ମନକୁ ତୃପ୍ତ କରିବା ପାଇଁ ଅସାମାଜିକ ବୃତ୍ତି ଗ୍ରହଣ କରିଛି, ତା’ହେଲେ ତାକୁ ଖୁଣ୍‍ ନ କରି ଛାଡ଼ି ନ ଥାନ୍ତା ସେ-। ହେଲେ ଚମ୍ପାର ଜୀବନ କାଳ ମଧ୍ୟରେ ସେ କିଛି ଜାଣି ପାରି ନାହିଁ । ଯେତେବେଳେ ସେ ଶୁଣିଛି ଯେ ନିଜ ଘର ମାଲିକ ଚମ୍ପା ପାରି ବିଶ୍ୱସ୍ତ ଚାକରାଣୀକୁ ନିର୍ମମଭାବରେ ଖୁଣ୍‍ କରିଛନ୍ତି, ଯୁବକ ସଦାଶିବର ଲହୁ ତାତି ଉଠିଛି, ଠିକ୍ ଅଗ୍ନି ସଂଯୋଗ ହେତୁ ପାତ୍ରସ୍ଥ ଜଳ ଉତ୍ତପ୍ତ ହୋଇଉଠେ ଯେପରି । ତେଣୁ ନିଜ ଭଉଣୀର ଖୁଣ୍‍ର ପ୍ରତିଶୋଧ ନେବା ପାଇଁ, ସରକାରୀ ମୋକଦ୍ଦମା ଛଡ଼ା, ବିଜୟ ବାବୁଙ୍କ ନାମରେ ଆଉ ଏକ ମକଦ୍ଦମା କରିଛି ।

 

ହାଜତରେ ଅଛନ୍ତି ବିଜୟ ବାବୁ । ଆଖିରେ ଆଉ ନାହିଁ ଆଭିଜାତ୍ୟର ଗର୍ବ, ଧନର ମୋହ । ମଣିଷ ପ୍ରତି ତାଙ୍କର ବ୍ୟବହାର ଯେପରି ହେଉନା କାହିଁକି ଧର୍ମ ପ୍ରତି ତାଙ୍କର ଟିକିଏ ନଜର ଅଛି । ନିଶ୍ଚୟ ସେ ଗୋଟିଏ ମସ୍ତବଡ଼ ଭୁଲ କରିଛନ୍ତି, ଚମ୍ପାକୁ ନିଜ ଘରେ ସ୍ଥାନ ଦେଇ । ଚମ୍ପା ଭଳିଆ ନାରୀ ବିଶ୍ୱାସରେ ବିଷଦେଇ ପାରେ ବୋଲି, ସାମାନ୍ୟ ଚାକରାଣୀ ପରିବାରର ପବିତ୍ରତା ନଷ୍ଟ କରିବ ବୋଲି କିଏ ବିଶ୍ୱାସ କରିଥିଲା ।

 

ବାପ ପ୍ରତି ସରୋଜର ରାଗ କମି ଯାଇଛି । ବାପ ଠାରୁ ସେ ସବୁ କଥା ଶୁଣିଛି । ସେ ବିଶ୍ୱାସ କରିପାରୁ ନାହିଁ ଯେ ବିଜୟ ବାବୁଙ୍କ ପରି ଏକ ଗୌରବୋଜ୍ଜ୍ୱଳିତ ପିତା ନିଜର ବିଶ୍ୱସ୍ତ ଚାକରାଣୀକୁ ଖୁଣ୍‍ କରିଛନ୍ତି । ସରୋଜର ମନରେ ସରାଗ ନାହିଁ । ମୁହଁଟି ଚୋପା ପଡ଼ି ଯାଇଛି । ବାପାଙ୍କ ସହିତ କଥା କହିବା ପାଇଁ ସାମାନ୍ୟ କେତୋଟି ମିନିଟ ପାଇଁ ସେ ସରକାରଙ୍କ ଠାରୁ ଅନୁମତି ପାଇଛନ୍ତି ।

 

ମୋର ଜୀବନର କିଛି ଆଶା ନାହିଁ ସରୋଜ । ତୁ ମୋର ଯୋଗ୍ୟ ସନ୍ତାନ । ବସି ଖାଇଲେ ମଧ୍ୟ ମୋର ଅର୍ଜିଲା ସମ୍ପତ୍ତି ତୋତେ ନିଅଣ୍ଟ ହେବ ନାହିଁ । କିନ୍ତୁ ଦୁନିଆଁ ପ୍ରତି ସାବଧାନ । ଚାଲି ନ ଜାଣିଲେ ଜଗତର କାଦୁଅ ପୂର୍ଣ୍ଣ ରାସ୍ତାରେ ପିଛଳି ପଡ଼ିବୁ । ମୁଁ ତୋତେ ଭୁଲ ବୁଝିଥିଲି ନିଜର ଭୁଲ ଦେଖି ନ ପାରି । ସରୋଜ, ତୁ ଶ୍ୱେତକୁ ପାଇଲୁ । ଯଦି ମୋର କିଛି ହୁଏ ତାକୁ ତୁ ସାମାଜିକ ରୀତି ଅନୁସାରେ ବିବାହ କରିବୁ, ଏହାହିଁ ମୋର ଶେଷ କଥା । ଶ୍ୱେତକୁ କେତେ ଦୁଃଖ ନ ଦେଇଛି । ସେଥିପାଇଁ ଆଜି ମୋର ଆତ୍ମା କାନ୍ଦି ଉଠିଛି । ମନ୍ଥରା ଚମ୍ପାର ଇସାରା, ତା’ର କଥାବାର୍ତ୍ତା ମୋତେ ପଦଚ୍ୟୁତ କରିଥିଲା । ବର୍ତ୍ତମାନ ମୋର ଆଖି ଖୋଲିଛି ।

 

'ବାପା, ତୁମକୁ ଛାଡ଼ି ମୁଁ ରହିବି କେମିତ । କାହାର ଉପଦେଶ ଭିକ୍ଷା କରିବି ବାପା । ତୁମେ କାହିଁକି ଏପରି କଲ । ନିଜର ଭବିଷ୍ୟତ, ପୁଅର ବିରାଟ ଭବିଷ୍ୟତ ଉପରେ କାହିଁକି ନଜର ଦେଲ ନାହିଁ ? ବାପର ମୁହଁକୁ ଦେଖି ସେ ଆଉ ନ କାନ୍ଦି ରହି ପାରିଲା ନାହିଁ ।

 

'ହଁ ସରୋଜ ମୁଁ ଠିକ୍ କରିଛି । ତୋର ଭବିଷ୍ୟତ ଉପରେ କୌଣସି ଆଞ୍ଚ, ବିପଦ, ବା ଦୁଃଖ ନ ଆସିବା ପାଇଁ ମୋ ଆଖିରେ ଗୋଟିଏ ପଥ ପରିଷ୍କାର ଦେଖା ଗଲା । ଆଉ ସେଇଟା ହେଉଛି ଚମ୍ପାର ମୃତ୍ୟୁ । କେବଳ ତୁମରି ଦି’ ଜଣଙ୍କର ଭବିଷ୍ୟତ ପାଇଁ । ଚମ୍ପାକୁ ଖୁଣ୍‍ ନ କରିଥିଲେ, ତୋର ବୈବାହିକ ଜୀବନକୁ ନଷ୍ଟ କରି ଦେଇଥାନ୍ତା ସେ । ନାନା ପ୍ରକାର ଚାଲବାଜି ଖେଳି ମୋତେ କୌଣସି ପ୍ରକାରେ ମାରିଦେଇ, ତୋର ସ୍ତ୍ରୀର ମଥାରେ କଳଙ୍କ ଲଗାଇ କୌଣସି ପ୍ରକାରେ ମାରିଦେଇ ତୁମର ସ୍ୱାମୀ–ସ୍ତ୍ରୀର ସମ୍ବନ୍ଧ, ଆଉ କେତେ ପ୍ରକାର କୂଟନୀତି ପ୍ରୟୋଗ କରି ବସିଥାନ୍ତା । ତେଣୁ ତାକୁ ଖୁଣ୍‍ କରିବା ଶ୍ରେୟସ୍କର ବୋଲି ମନରେ ଭାବି ମୁଁ ଚାଲି ଚଳେଇଛି ତା’ର ଛାତିରେ । ଗୋଟିଏ ବିଟପୀ ସ୍ତ୍ରୀ ଓ ବେଶ୍ୟା ସହିତ ଅବାଧ ମିଳାମିଶା ଓ ତା’ ହାତରେ ପାଣି ପିଇ ପାପ ଅର୍ଜିଛି । ଏହାର ପ୍ରାୟଶ୍ଚିତ ନାହିଁ ସରୋଜ ! ନାହିଁ ।

 

ଏତିକିବେଳେ କନଷ୍ଟେବଲ ଆସି କହିଲା–ବାବୁ ସମୟ ହୋଇଗଲା ଚାଲି ଆସନ୍ତୁ ।

 

ଆଖିରୁ ଲୁହ ପୋଛୁଁ ପୋଛୁଁ ବାହାରି ଆସିଲେ ସରୋଜ, ହାଜତର ଲୁହା ବାଡ଼କୁ ଜୋରରେ ଧରି ପୁଣି ଥରେ କହିଲେ–ବାପା, ତୁମେ ମୁକ୍ତି ପାଇବାକୁ ଚାହଁ ?

 

ମୁକ୍ତି ଚାହେଁ, ହେଲେ ଏ ଜେଲ୍‍ଖାନାର ଚାରିକାନ୍ଥର ଆବେଷ୍ଟନୀ ଭିତରୁ ନୁହେଁ; ଭଗବାନଙ୍କର ନ୍ୟାୟ ଦରବାରରୁ ନିଜ ଅର୍ଜିଲା ପାପର ପ୍ରାୟଶ୍ଚିତ କରି ।

 

ବିଜୟ ବାବୁ ଖୁଣି । ସେ ଖୁଣ୍‍ କରିଛନ୍ତି ନିଜ ଚାକରାଣୀର । ଏ କଥା ଶୁଣି କଲିକତା ସହର ଉଠୁଛି ପଡ଼ୁଛି ।

 

X X       X

 

ସେ ଦିନ ସେସନ୍‍ସ ଜର୍ଜଙ୍କର ଇଜିଲାସରେ ଲୋକ ଗହଳି ହେତୁ ଫାଟି ପଡ଼ୁଛି । ଲୋକମାନଙ୍କର ବସିବାର ସୁବିଧା ପାଇଁ ପୁଲିସ ଭାର ନେଇଛନ୍ତି । ଇଜଲାସ ଉପରୁ ଦିଶୁଚି ଅଗଣିତ ମୁଣ୍ଡ । ବିଜୟ ବାବୁଙ୍କର ପରିଚିତ ବନ୍ଧୁବାନ୍ଧବମାନେ ଦେଖଣାହାରୀମାନଙ୍କ ଭିତରୁ ପ୍ରାୟ ଅଧେରୁ ବେଶୀ ।

 

ସରୋଜ ମଧ୍ୟ ଆସି ବସିଛନ୍ତି ଓକିଲମାନଙ୍କ ସାଙ୍ଗରେ । ସରୋଜ ବାରିଷ୍ଟର । ବିଜୟ ବାବୁ କୌଣସି ଓକିଲ ନିଜ ସପକ୍ଷରେ ଛିଡ଼ା ହେବାକୁ ଠିକ୍ କରି ନାହାନ୍ତି । ସରୋଜକୁ ସେ ମନା କରୁଛନ୍ତି କୌଣସି ବୟାନ ନେବାପାଇଁ । କାରଣ ସେ ତାହା ଚାହନ୍ତିନି । ସତ୍ୟକୁ ମିଥ୍ୟା ରୂପେ ଆରୋପ କରିବାକୁ ସେ ନାରାଜ । ତାଙ୍କର ସେ ତ ଅନ୍ତରର ସ୍ପୃହା ନୁହେଁ ।

 

ସରୋଜର ମନ ଥୟ ହୋଇ ଏକ ଜାଗାରେ ରହିପାରୁ ନାହିଁ । ଏକ ଦିଗରେ ନିଜର ବୃଦ୍ଧ ପିତାର ଜୀବନ । ଅନ୍ୟଆଡ଼େ ଶଯ୍ୟାଶାୟୀତା ବାନ୍ଧବୀ ପ୍ରେମିକା ଶ୍ୱେତପଦ୍ମା । ଯେତେବେଳେ ତା’ର ଖଟ ପାଖରୁ ଚାଲି ଆସିଛି ସେତେବେଳେ ଶ୍ୱେତପଦ୍ମା ଏକପ୍ରକାର କରୁଣ ଆର୍ତ୍ତଚିତ୍କାର କରିଛି, ଯିବାକୁ ମନା କରିଛି ସରୋଜର ହାତ ଧରି । ଆଖିରୁ ତା’ର ଦି'ଧାର ଲୁହ ଗଡ଼ି ଯାଇଛି । ସରୋଜ ନ ଆସିଲେ ନ ଚଳେ । ତେଣୁ ସେ ଚାଲି ଆସିଛନ୍ତି । ଶ୍ୱେତପଦ୍ମା ହତାଶ ହୋଇ ଚାହିଁ ରହିଛି ସରୋଜର ଯିବା ବାଟକୁ ।

 

ଜେଲ ହାଜତରୁ ବିଜୟ ବାବୁଙ୍କୁ ଆଣି କାଠଗଡ଼ା ଭିତରେ ଛିଡ଼ା କରାଗଲା । ତାଙ୍କର ଚେହେରା କଳା ପଡ଼ିଯାଇଛି । ତାଙ୍କୁ ଦେଖି କେତେକ ଲୋକ ମୁହଁରେ ନାନା ଭାବଭଙ୍ଗୀ ଫୁଟାଇ ନିଜ ନିଜ ଭିତରେ କଥାବାର୍ତ୍ତା କରିବାକୁ ଲାଗିଲେ । ଇଜିଲାସ କୋଳାହଳ ହୋଇ ଉଠିଲା ।

 

ଅନେକ ଥର ହୋଇ ସାରିଛି, ହେଲେ ଆଜି ବିଶେଷ ଭାବରେ ମୋକଦ୍ଦମା ବିଚାର ଆରମ୍ଭ ହେଲା । ବିଜୟ ବାବୁ ଗୋଟିଏ କାଠଗଡ଼ାରେ ଚୁପଚାପ ଛିଡ଼ା ହୋଇଛନ୍ତି । ଡାକରାନୁସାରେ ଇନ୍ସପେକ୍ଟର ରବିନ ଦାସ ଆସି ଅନ୍ୟ ଏକ କାଠଗଡ଼ା ଭିତରେ ଛିଡ଼ା ହୋଇ ପ୍ରଧାନ ସାକ୍ଷୀ ରୂପେ ଜବାନବନ୍ଦୀ ଦେଲେ । ସଦାଶିବ ମଧ୍ୟ ଓକିଲ ଦେଇଛି । ହେଲେ ପ୍ରଧାନତଃ ସରକାର କେସ୍‍ଟାକୁ ନିଜ ତରଫରୁ ଚଳେଇଛନ୍ତି ।

 

ସରକାରୀ ଓକିଲ ପଚାରିଲେ, ଆପଣ କିପରି ଭାବରେ ବିଜୟ ବାବୁଙ୍କୁ ଗିରଫଦାର କଲେ ? ବିଜୟ ବାବୁଙ୍କ ଦ୍ୱାରା ଚମ୍ପାର ଖୁଣ୍‍ ହେବା ସମୟରେ ଆପଣ କେଉଁଠି ଥିଲେ ? ସବୁ ଯଥାଯଥ କହିଯାନ୍ତୁ ।

 

–ପୋଲିସ ଇନ୍ସପେକ୍ଟେର ରବିନ ଦାସ ଓ ମୋର ସହକାରୀ ବନ୍ଧୁ ଶ୍ରୀ ହିମାଂଶୁ ଚନ୍ଦ୍ର ବିଜୟ ବାବୁଙ୍କ ଘର ଗଳି ଦେଇ ଚାଲିଯିବା ସମୟରେ ଶୁଣି ପାରିଲୁ ବିଜୟ ବାବୁଙ୍କ ଘରୁ ପିସ୍ତଲର ଆବାଜ । ତା' ସଙ୍ଗେ ସଙ୍ଗେ କୌଣସି ସ୍ତ୍ରୀର ଆର୍ତ୍ତ ଚିତ୍କାର ଶୁଣି ପାରିଲୁ । ତା’ପରେ ଆମେ ଦୁହେଁ କାହାରି ଅନୁମତିକୁ ଅପେକ୍ଷା ନ କରି ବିଜୟ ବାବୁଙ୍କ ଘର ଭିତରକୁ ପଶିଗଲୁଁ । ବୋଧହୁଏ ଦରୱାନ୍‍ ମଧ୍ୟ ଗୁଳି ଶବ୍ଦ ଶୁଣି ଠିକ୍ ଯାଇ ଯଥା ସ୍ଥାନରେ ଉପସ୍ଥିତ ହୋଇ ଚିତ୍କାର କରିଛି ହିନ୍ଦୀ ଭାଷାରେ । ତା’ର ଓଡ଼ିଆ ଅନୁବାଦ ହେଉଛି–ବାବୁ ଏ କ’ଣ କଲ ? ଆମ ଦୁହିଁଙ୍କର ହଠାତ୍ ଉପସ୍ଥିତି ଅନୁଭବ କରି ବିଜୟ ବାବୁ ଶଙ୍କି ଗଲେ । ସେତେବେଳେ ତାଙ୍କ ହାତରେ ଥିଲା ପିସ୍ତଲ ଏବଂ ତଳେ ରକ୍ତାକ୍ତ ଚମ୍ପା ନାମକ ସ୍ତ୍ରୀଟି ଚିତ୍‍ ହୋଇ ପଡ଼ିଥିଲା । ଅବଶ୍ୟ ଦେହରୁ ତା'ର ପ୍ରାଣବାୟୁ ସମ୍ପୂର୍ଣ୍ଣ ରୂପେ ଚାଲିଯାଇ ନ ଥିଲା । ଅର୍ଦ୍ଧନିଃଶ୍ୱାସୀ ହୋଇ ପୂର୍ବରୁ ଚମ୍ପା କହିଲା, 'ତୁମେ ମୋତେ ମାରି ଭଲ କରିଛ ବିଜୟ ବାବୁ । ତା’ପରେ ଏତିକି କହି ସାରିଲା ମାତ୍ରକେ ସେ ଗଲା ମରି-। କିଛି ସମୟ ପରେ ଚମ୍ପାରେ ଶବକୁ ଡାକ୍ତର––ମାଇନା ପାଇଁ ପଠାଗଲା । ପରେ ବିଜୟ ବାବୁଙ୍କୁ ଏରେଷ୍ଟ କରି ଅଣାଗଲା । ଅଧିକା ଜାଣିବାକୁ ହେଲେ ମୁଁ ଇଜିଲାସରେ ପ୍ରଦାନ କରିଥିବା ରିପୋର୍ଟରୁ ସବୁ ଜାଣିପାରିବେ । ସରକାରୀ ଓକିଲ ତା’ପରେ ନିଜର ମନ୍ତବ୍ୟ ପ୍ରକାଶ କରି କହିଲେ, ଧର୍ମାବତାର, ଇନ୍ସପେକ୍ଟର ରବିନ ଦାସଙ୍କର ବୟାନରୁ ପ୍ରମାଣିତ ହୁଏ ଯେ ଘର ଭିତରେ ଯେଉଁଠି ଚମ୍ପାର ଖୁଣ୍‍ ହୋଇଥିଲା ସେଠି ଚମ୍ପା ଓ ଖୁଣୀ ବିଜୟ ବାବୁଙ୍କ ଛଡ଼ା ଖୁଣ୍‍ ହେବା ସମୟରେ ସେଠାରେ କେହି ନଥିଲେ ଏବଂ ଯେତେବେଳେ ଇନ୍ସପେକ୍ଟର ସେଠି ଉପସ୍ଥିତ ହେଲେ, ସେ ଦେଖିଲେ ବିଜୟ ବାବୁଙ୍କ ହାତରେ ତାଙ୍କର ନିଜର ପିସ୍ତଲ ଓ ଶୁଣି ପାରିଲେ ଚମ୍ପା ମୁହଁରୁ ଅତି କଷ୍ଟରେ ବାହାରି ଆସୁଥିବା କେତେ ଗୁଡ଼ିଏ ଶବ୍ଦ 'ତୁମେ ମୋତେ ମାରି ଭଲ କରିଛ ବିଜୟ ବାବୁ-?' ଏଥିରୁ ପ୍ରମାଣିତ ହୋଇଛି ଯେ କେବଳ ବିଜୟ ବାବୁ ହିଁ ଚମ୍ପାର ଖୁଣ୍‍ କରିଛନ୍ତି-

 

ଧର୍ମାବତାର ! ମୁଁ କେତୋଟି କଥା ଦରୱାନକୁ ପଚାରିବାକୁ ଚାହେଁ ।

 

କାଠଗଡ଼ାରେ ଦରବାନ ଆସି ଛିଡ଼ାହେଲା । ଯାହା ଉତ୍ତର ଦେଲା ତା’ର ଓଡ଼ିଆ ଅନୁବାଦ ତଳେ ଦିଆଗଲା ।

 

କହିପାରିବ ଖୁଣ୍‍ ହେବାର ଆଗରୁ ଚମ୍ପା ଓ ବିଜୟ ବାବୁ ଘରେ ଥିଲେ ?

 

ନା, ଘରେ ନ ଥିଲେ !

 

ଘରଛାଡ଼ି କୁଆଡ଼େ ଯାଇଥିଲେ ?

 

ମୋତେ କେବଳ ଏତିକି ମାତ୍ର କହିଥିଲେ, ଦୁଇଦିନ ପାଇଁ ଦୁହେଁ କୁଆଡ଼େ ତାଙ୍କର ପୁଅର ବିବାହ ଲଗ୍ନ ଠିକ୍ କରିବା ପାଇଁ ଯାଉଛନ୍ତି ।

 

ଠିକ୍ ହୋଇଛି ?

 

କହି ପାରିବି ନାହିଁ ।

 

କେବେ ଫେରିଲେ ?

 

ଯେଉଁଦିନ ଚମ୍ପାର ଖୁଣ୍‍ ହେଲା ।

 

ଖୁଣ୍‍ ହେବାର କେତେ ସମୟ ଆଗରୁ ପହଁଞ୍ଚିଥିଲେ ?

 

ଠିକ୍ ଦୁଇତିନି ମିନଟ ଆଗରୁ ।

 

ଆଉ ଭିତରୁ ଗୁଳି ଶବ୍ଦ ଶୁଣିଲା ମାତ୍ରକେ ତୁମେ ଯଥା ସ୍ଥାନକୁ ଯାଇଛ ?

 

ମୁଁ ଯାଇଛି । କିନ୍ତୁ ବିଜୟ ବାବୁଙ୍କ ହାତରେ ପିସ୍ତଲଟି ଥିଲା ବୋଲି ଯେ ସେ ଖୁଣ୍‍ କରିଛନ୍ତି ତା’ର ପ୍ରମାଣ କ'ଣ ?

 

ତା’ର ଅଲବତ ପ୍ରମାଣ ରହିଛି । କାରଣ ରକ୍ତାକ୍ତ ଚମ୍ପାକୁ, ହଠାତ୍ ଦେଖି ବିଜୟ ବାବୁଙ୍କୁ ତୁମେ କହିଛ, ବଡ଼ ବାବୁ ଏ କ'ଣ କଲ ?

 

କହି ନ ଥିଲ ? ଚମ୍ପା କ'ଣ କହି ନ ଥିଲା ମରିବା ଆଗରୁ ବଡ଼ବାବୁ ତୁମେ ମୋତେ ମାରି ଭଲ କରିଛ । ହୁଏତ ସେ ଆହୁରି କିଛି କହିଥାନ୍ତା କିନ୍ତୁ ସବୁକଥା ସ୍ପଷ୍ଟକରି କହିବା ଆଗରୁ ସେ ଚାଲିଗଲା । କ'ଣ ସତ ନୁହେଁ ?

 

ଦରୱାନ ଚୁପ ରହିଲା ।

 

ଟେବୁଲ ଉପରେ ହାତମାରି ଓକିଲ କହିଲେ–ଧର୍ମାବତାର ।

 

ବିଜୟ ବାବୁଙ୍କ ଛଡ଼ା ଦ୍ଵିତୀୟ ବ୍ୟକ୍ତି ସେଠାରେ କେହି ନ ଥିଲେ । ସେ କେବଳ ସେଠାରେ ଉପସ୍ଥିତ ଥାଇ ଚମ୍ପା ଉପରେ ଗୁଳି ଚଳେଇ ଥିଲେ । ଆଉ ମହାଶୟ ରବିନ ଦାସଙ୍କର ବୟାନରୁ ସ୍ଵତ ପ୍ରମାଣିତ ଯେ ସେମାନେ ଘରକୁ ପଶିଆସିବା ସମୟ ଭିତରେ ଦରୱାନ ଗୁଳି ଶବ୍ଦ ଶୁଣି ଖୁଣ୍‍ ହେବାର ସ୍ଥାନ ଆଡ଼କୁ ଧାଉଁଛି । ଅତଏବ ବିଜୟ ବାବୁ ଯେ ଚମ୍ପାର ଖୁଣ୍‍ କରିଛନ୍ତି ସେଥିରେ କୌଣସି ସନ୍ଦେହ ନାହିଁ । କାରଣ ଚମ୍ପାର ସହିତ ବିଜୟ ବାବୁଙ୍କର ବୈର ଭାବ ଜାତ ହୋଇଥିଲା ।

 

ଇଜିଲାସ ଉପରୁ ଜଜ୍‍ ପଚାରିଲେ, ଚମ୍ପା ଓ ବିଜୟ ବାବୁଙ୍କର ଭିତରେ ବୈର ଭାବ ଥିବାର ପ୍ରମାଣ କ'ଣ ?

 

ଏହାର ପ୍ରମାଣ ଦେବାକୁ ମୁଁ ଉର୍ମି ଦେବୀଙ୍କୁ ଆହ୍ୱାନ କରୁଛି ସାର୍‍ ।

 

ଉର୍ମିଚାନ୍ଦକୁ ଡକାଗଲା । ତାକୁ କାଠଗଡ଼ାରେ ଛିଡ଼ା କରାଗଲା । ଉର୍ମିଦେବୀଙ୍କୁ ଦେଖଣାହାରୀଙ୍କ ମଧ୍ୟରୁ କେତେକ ଚିହ୍ନନ୍ତି । ତାକୁ କାଠଗଡ଼ାରେ ଦେଖି ଆଶ୍ଚର୍ଯ୍ୟ ହୋଇ ପ୍ରାୟ ସମସ୍ତେ ତା’ ମୁହଁକୁ ଚାହିଁ ରହିଲେ ।

 

'କୁହନ୍ତୁ ଉର୍ମି ଦେବୀ' ଆପଣ କ'ଣ ଜାଣନ୍ତି ବିଜୟ ବାବୁ ଓ ଚମ୍ପା ବିଷୟରେ । କାହିଁକି, କିପରି ମାଲିକ ଏବଂ ଚାକରାଣୀ ଭିତରେ ଶତ୍ରୁତା ସୃଷ୍ଟିହେଲା । ଏଥିରେ କେହି ତୃତୀୟ ଜଣକର ହାତ ରହିଛିକି ?

 

ଜଜ୍‍ ପଚାରିଲେ ।

 

ଉର୍ମିଚାନ୍ଦ ଯବାନବନ୍ଦୀ ଦେଲା–ଚହଟ ଚମ୍ପା ସହିତ ମୋର ବହୁତ ଦିନ ତଳେ ଥରେ ଅକସ୍ମାତ ଦେଖା ହୋଇଥିଲା ଏବଂ ସେହି ଦିନଠୁଁ ଆମ ଦୁହିଁଙ୍କ ଭିତରେ ବନ୍ଧୁତା ଚେଇଁ ଉଠିଥିଲା । ଅବଶ୍ୟ ସାକ୍ଷାତ ହେବାର ପ୍ରଥମ ଦିନରେ ଚମ୍ପାକୁ ମୋର ବ୍ୟବସାୟ କ'ଣ, ମୁଁ କିଏ ଏସବୁ ବିଷୟରେ କିଛି କହି ନ ଥିଲି । ପରେ ସେ ମୋର ସବୁ କଥା ଜାଣିପାରିଲା । ପରିଶେଷରେ ଚମ୍ପା ମଧ୍ୟ ମୋର ରାସ୍ତା ଧରିଥିଲା ନିଜର ଉଚ୍ଛୁଳା ଯୌବନର ସଦ୍‍ବ୍ୟବହାର କରିବା ପାଇଁ । ସେହି ସମୟରେ ତା’ର ଭାଇ ସଦାଶିବ ଥିଲା ରେଙ୍ଗୁନରେ । ଇତି ମଧ୍ୟରେ ସେ ଫେରି ଆସିଛି କଳିକତାକୁ ! ତା’ପରେ ନିଜର ଭାଇର ଭୟ ହେତୁରୁ ଏ ଯୌବନ–ବିକ୍ରୟ–ବ୍ୟବସାୟରୁ ନିଜକୁ ଛଡ଼େଇ ନେଇ କୌଣସି ପ୍ରକାରେ ବିଜୟ ବାବୁଙ୍କ ଘରେ ଆସ୍ତେ ଆସ୍ତେ ସର୍ବେସର୍ବା ହୋଇ ଯାଇଛି-। ଏହି ଇତିହାସ ମୋ ବ୍ୟତୀତ କେହି ଜାଣନ୍ତି ନାହିଁ । ଚମ୍ପାର ଏତାଦୃଶ ଚରିତ୍ର, ତା’ର ବ୍ୟବସାୟ ଦୁନିଆ ଯାହାକୁ କହେ ପାପକର୍ମ, ଏ ବିଷୟରେ ବିଜୟ ବାବୁ କିଛି ଜାଣି ନଥିଲେ । ଚମ୍ପା ମଧ୍ୟ ଅଜଣା ଭୟରେ ବିଜୟ ବାବୁଙ୍କର ଅନୁପସ୍ଥିତିର ସୁଯୋଗ ନେଇ ବହୁ ରାତିଧରି ମୋର ଆତିଥ୍ୟ ପାଇବାକୁ ଆସିଛି–କେବଳ ମୋତେ ଟିକିଏ ଖୋସାମଦ କରିବା ପାଇଁ । ଯେପରି ତା’ର ଭାଗ୍ୟର ବିପର୍ଯ୍ୟୟ ନ ଘଟୁ ।

 

ଥରେ ମୁଁ ମୋର ଭଉଣୀ ବିବାହ ପ୍ରସ୍ତାବ ନେଇ ଚମ୍ପାକୁ କହିଥିଲି । ତା’ପରେ ଅନେକ ଦିନ ଗଡ଼ି ଯାଇଛି । ଏ ବିବାହ ପ୍ରସ୍ତାବ ଯେ ମୁଁ ବିଜୟ ବାବୁଙ୍କ ଆଗରେ ଆଗତ କରି ନ ଥିଲି ତା’ ନୁହେଁ । ସେ ନିଜେ ମଧ୍ୟ ଏଥିରେ ରାଜି ହୋଇଥିଲେ କାରଣ ମୁଁ ଦେଇଥିଲି ମୋର ମିଥ୍ୟା ପରିଚୟ-। ଆଉ ଗୋଟିଏ ପ୍ରଧାନ କଥା ଯେ ଏ ବିବାହ ପ୍ରସ୍ତାବ ପଛରେ ଥିଲା ଚମ୍ପାର ଲାଳସା–ଟଙ୍କା ଏବଂମୋର ଭୟ, ବିବାହ ଆଗରୁ ମୋର ପରିଚୟ ଯେପରି ପଦାରେ ପଡ଼ି ନ ଯାଏ । କଥାଥିଲା ଯଦି ଚମ୍ପା ମୋର ଭଉଣୀର ବିବାହ ସରୋଜ ସହିତ କରାଇ ଦିଏ, ତା’ର ପରିଶ୍ରମର ଦାନ ସ୍ୱରୂପ ମୁଁ ତାକୁ ପଚିଶି ହଜାର ଟଙ୍କା ଦେବି । ଏହାଥିଲା ତା’ର ସର୍ତ୍ତ ଓ ମୋର ମଞ୍ଜୁର । କଥାନୁଯାୟୀ ଚମ୍ପାର ଖୁଣ୍‍ ହେବାର ଦି'ଦିନ ଆଗରୁ ଚାକରାଣୀ ଚମ୍ପା ଯେ କି ଏକ ପ୍ରକାର ଘରର ସର୍ବେସର୍ବା ମାଲିକ ବିଜୟ ବାବୁଙ୍କ ସାଙ୍ଗରେ ଆମଘରେ ପଦାର୍ପଣ କରିଥିଲେ, ମୋର ଭଉଣୀ ହେମାଙ୍ଗିନୀ ବା ତାଙ୍କର ଭାବି ବଧୂକୁ ଦେଖିବା ପାଇଁ ।

 

ହେଲେ ସବୁକଥା ଓଲଟ ପାଲଟ ହୋଇଗଲା ସେହି ସ୍ଥାନରେ, ଯେଉଁ ସ୍ଥାନରେ ସେ ଲୋକ ମୁଖରୁ ଶୁଣିପାରିଲେ ଓ ଜାଣି ପାରିଲେ ଯେ ମୁଁ କଲିକତାର ସେହି ବେଶ୍ୟା । ପରିଶେଷରେ ତାଙ୍କୁ ଏହା ମଧ୍ୟ ଅଛପା ରହିଲା ନାହିଁ ଯେ ଭୋକିଲା ମନର ତୃପ୍ତି ପାଇଁ ଚମ୍ପା ମଧ୍ୟ ତାଙ୍କ ଅଜାଣତରେ ମୋର ସାହାଯ୍ୟ ନେଇଛି । ଏହା ଜାଣିପାରି ମୋର ଘରୁ ଚମ୍ପା ସହିତ ଚାଲିଆସିଲେ । ଆସିବା ଆଗରୁ, ମୋର ମନେ ଅଛି ସେ କହିଥିଲେ 'ଚମ୍ପା ତୁ ମୋର ସର୍ବନାଶ କରିଛୁ । ଏ ପାପର ପ୍ରାୟଶ୍ଚିତ ତୋତେ କରିବାକୁ ହେବ ନିଜର ରକ୍ତର ଆହୁତି ଦେଇ । ସେଥିପାଇଁ ମୁଁ ତୋତେ ବେଶ୍‍ ସାହାଯ୍ୟ କରିବି । ସେ ଏପରି ରାଗି ଯାଇଥିଲେ ଯେ ତାଙ୍କ ପାଖରେ ଯଦି ସେତେବେଳେ ପିସ୍ତଲଟିଏ ଥାନ୍ତା ସେଇଠି ଚମ୍ପାର ହାତଧରି ଚାଲିଗଲେ । ତା’ପରେ ମୁହଁ ଲାଲକରି ଚମ୍ପାର ହାତଧରି ଚାଲିଗଲେ । ସେ ସ୍ଥାନ ଛାଡ଼ିବା ପୂର୍ବରୁ ମୋର ଉପରେ ଦୃଷ୍ଟି ନିକ୍ଷେପ କରି କହିଲେ, ବେଶ୍ୟା, ହିନ୍ଦୁ ସମାଜର ପବିତ୍ରତା ନାଶ କରିବାରେ ତୋ' ପରି କେତେବେଶ୍ୟାର କୂଟନୀତି ନ ରହିଛି !!

 

ଅନ୍ୟ କାଠଗଡ଼ାରେ ଛିଡ଼ା ହୋଇ ନିଜ ଆଡ଼କୁ ଚାହିଁରହିଥିବା ବିଜୟ ବାବୁଙ୍କ ଆଡ଼କୁ ଚାହିଁ ଉର୍ମିଚାନ୍ଦ ପଚାରିଲେ–ବିଜୟ ବାବୁ, ମୋର ଭଉଣୀ ବେଶ୍ୟା ନୁହେଁ, ଯଦି କୁହ ମୁଁ ବେଶ୍ୟା । ମଣିଷ ନିଜେ ନିଜକୁ ଖରାପକରି ଗଢ଼େ ନାହିଁ, କେବେହେଲେ ଅଗ୍ନି ମଧ୍ୟରେ ହାତ ପୁରାଇବାକୁ କେହି ଚେଷ୍ଟା କରେ ନାହିଁ । ମଣିଷ ଖରାପ ହୁଏ, ମଣିଷ ନୀଚବୃତ୍ତି ଗ୍ରହଣ କରେ ଏହି ସାମାଜିକ କୁତ୍ସିତ ବାୟୁମଣ୍ଡଳ ଯୋଗୁଁ । ଆଜି ତୁମେ ମୋତେ 'ବେଶ୍ୟା' ବୋଲି ଧିକ୍‍କାର କରୁଛ ବିଜୟ ବାବୁ-। ହେଲେ ମନେରଖ, ବିଶ୍ୱବ୍ରହ୍ମାଣ୍ଡର ଚିରନ୍ତନ ସମସ୍ୟାର ସଜୀବ ମୂର୍ତ୍ତିରୂପେ ଆଜି ଛିଡ଼ା ହୋଇଚି ଏହି ସମ୍ପ୍ରଦାୟ, ଯାହା ଉପରେ ମଣିଷ ଦିନବେଳେ ଛେପ ପକାଏ ଅଥଚ ରାତ୍ରିରେ ଆଲିଙ୍ଗନ କରେ, ଦିବାଲୋକରେ ଯେଉଁ ମଣିଷ କରେ ଅଯାଚିତ ଦାନଧର୍ମ, ଯାମିନୀର ସ୍ନିଗ୍‍ଧ କୋଳରେ ସେ ଆମକୁ ମାଗେ ପ୍ରେମର ଭିକ୍ଷା, ଆମକୁ ଦିଏ ହୃଦୟରେ ସ୍ଥାନ ନିଜର ସାଧବୀ ସ୍ତ୍ରୀ କୁ ପରିତ୍ୟାଗ କରି । ସମାଜ କହେ ଏହି ନିଃସହାୟ ଯୁବତୀ ସମାଜକୁ ‘ବାରାଙ୍ଗନା’ । କିନ୍ତୁ ସମାଜ ଥରେ ଚିନ୍ତାକରି ଦେଖିଚ କି ଆମ୍ଭମାନଙ୍କୁ ବାରାଙ୍ଗନା କଲା କିଏ ? ଯେଉଁ ନାରୀ ସମ୍ପ୍ରଦାୟ ଜନ୍ମଦାତ୍ରୀ ସଂସାର ରକ୍ଷା କରେ ସେ, ଅଚଳ ସର୍ବଂସହା ଯେ, ସେହି ପୁରୁଷ ସମାଜ ତାକୁ ଦେଇଛି କ'ଣ ? ରୂପ ଓ ଯୌବନ ବିକ୍ରୟ କରିବା ପାଇଁ ଦେଇଛି ହାଟ ଓ ମହଲ । ଯେତେବେଳେ ନାରୀ ପାଏନି ମୁଠିଏ ଖାଇବା ପାଇଁ, ପିନ୍ଧିବା ପାଇଁ ଖଣ୍ଡିଏ କନା, ଯେତେବେଳେ ସହସ୍ର ଗୋଡ଼ ଟିପି ଟିପି ତା’ ଆଡ଼କୁ ମାଡ଼ିଆସୁଥିବାଟିକୁ ସହ୍ୟ କରି ନ ପାରି, ଚାରିଆଡ଼େ ଦେଖେ ଅନ୍ଧାର ସେତେବେଳେ ସ୍ୱତଃ ସେ ଗ୍ରହଣ କରେ ବେଶ୍ୟାବୃତ୍ତି । ଯେଉଁନାରୀ ସମାଜପାଇଁ ତା’ର ଶ୍ରେଷ୍ଠ ନାରୀଧର୍ମ ତ୍ୟାଗକରି ପାରେ, ତା'ଠାରୁ ବଳି ଆଉ ବିଶେଷ ତ୍ୟାଗ କ'ଣ ଥାଇପାରେ । ବିଜୟ ବାବୁ, ଏଇତ ତମର ସମାଜର ରୂପରଙ୍ଗ ।

 

ମୋର କଥା ଶୁଣିବ ବିଜୟ ବାବୁ ? ଏହି ସମାଜର ତ ମୁଁ ଜଣେ ଝିଅ । ସେତେବେଳେ, ଯେତେବେଳେ ମୋର ବାପ ମା' ମୋତେ ଯୌବନରେ ଛାଡ଼ି ଚାଲିଯା'ନ୍ତି ମୁଁ ରହେ ଏକାକୀ ଭଙ୍ଗା କୁଡ଼ିଆରେ । ମୋର ସେତେବେଳେ ଇନ୍ଦ୍ରଙ୍କର ରାଣୀ ପରି ସମାଜରେ ରହିବାକୁ ଚାହିଁ ନ ଥିଲି ବିଜୟ ବାବୁ, ଚାହିଁ ନ ଥିଲି ଅପ୍‍ସରା ପରି ନୃତ୍ୟକରି ଯୁବକ ମନ ମୋହିବି ବୋଲି, ଚାହିଁ ନ ଥିଲି ସେହି ଅମୃତ, କେବଳ ବିରାଟ ବୁଭୁକ୍ଷାର ତୃପ୍ତି ପାଇଁ, ନଗ୍ନତା ଘୋଡ଼ାଇବା ପାଇଁ ଚାହିଁଥିଲି ଭାତ ଦି’ଗଣ୍ଡା ଓ ପିନ୍ଧିବା ଲୁଗା ଖଣ୍ଡେ ତା’ ପୁଣି ନିଜେ କୁଲି ମଜୁରିଆ ପରି ପରିଶ୍ରମ କରି । ହେଲେ ତା’ ବି ସମାଜର କେତେକ ଲୋକେ ମୋତେ କରେଇ ଦେଲେନି । ଶେଷରେ ମୋର ଯୌବନ ଉପରେ ଆକ୍ରମଣ କରି ସମାଜର କେତେକ ନାମଜାଦା ଲୋକେ ପରିତ୍ୟାଗ କରିଦେଲେ ମୋତେ । ଆଉ ଏହି ବିଦଗ୍‍ଧ ମାନବ ଜୀବନତାକୁ ବଞ୍ଚେଇବା ପାଇଁ ଗୋଟିଏ ବାଟ ଦିଶିଲା ମୋତେ । ଆଉ ସମାଜ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଗ୍ରହଣ କଲି ବେଶ୍ୟାବୃତ୍ତି ।

 

ବେଶ ବେଶ ସେତିକି ଥାଉ ନିରର୍ଥକ ବକ୍ତୃତା । ତୁମେ ଯାଇ ପରେ । ତା’ପରେ ଓକିଲ ନିଜ ମନ୍ତବ୍ୟ ପ୍ରକାଶ କରି କହିଲେ ଧର୍ମାବତାର; ସାକ୍ଷୀମାନଙ୍କର ବୟାନରୁ ଓ ଇନ୍ସପେକ୍ଟର ରବିନ ଦାସଙ୍କର ବୟାନରୁ ଏବଂ ରିପୋର୍ଟରୁ ସ୍ୱତଃ ପ୍ରମାଣିତ ହୁଏ ଯେ ବିଜୟମୋହନ ରାଠୋର ପ୍ରକୃତ ଖୁଣି–ନିଜ ଚାକରାଣୀ ଚମ୍ପାର ଖୁଣ୍‍ କରିଛନ୍ତି ।

 

ବିଜୟ ମୋହନ ରାଠୋର ତୁମର କ’ଣ କହିବାର ଅଛି ?

 

ବିଜୟ ବାବୁ ଉତ୍ତର ଦେଲେ–କିଛି ନାହିଁ । କେବଳ ଏଭଳି କହିବି ଚମ୍ପାକୁ ଖୁଣ୍‍କରି ମୁଁ ମୋର ପରିବାରକୁ ଭବିଷ୍ୟତ ବିପଦରୁ ରକ୍ଷା କରିଛି । ଚମ୍ପା ହେତୁରୁ ମୋର ଧର୍ମକର୍ମ ସବୁ ବିଲୁପ୍ତ ହୋଇଛି । କେବଳ ତା’ପାଇଁ ଅନ୍ୟ ଏକ ପରିବାରକୁ ମୁଁ ଧୋକା ଦେବାକୁ ପାଶ୍ଚାତ ପଦ ହୋଇନାହିଁ । ମୁଁ ସମାଜକୁ ପଚାରିବି ନ୍ୟାୟ କରୁଥିବା ଧର୍ମାବତାରଙ୍କୁ ପଚାରିବି–ଚମ୍ପା ପରି ବେଶ୍ୟା, ଯେ କି ମୋର ପବିତ୍ର ଜୀବନ ନଷ୍ଟ କରିଛି, ଜୀବନର ମାର୍ଗ ବଦଳେଇ ଦେଇଛି, ଯା ହେତୁରୁ ମୋତେ ନର୍କ ଯାତନା ଭୋଗିବାକୁ ପଡ଼ିବ, ତାକୁ ଗୁଳି କରିଦେଇ ସମାଜର ଗୋଟିଏ କଳଙ୍କ ଦୂର କରିନି ? ସେ ଚରିତ୍ର ହୀନା, ବେଶ୍ୟା ସମାଜର କଳଙ୍କ । ବେଶ୍‍ ସେତିକି ।

 

ବାପାଙ୍କର କଥା ଶୁଣି ବାରିଷ୍ଟର–ସରୋଜଙ୍କ ଆଖିରୁ ଝରୁଛି ଲୁହ ।

 

ଜଜ୍‍ ସାହେବ ନ୍ୟାୟର ଆସନରୁ ଉଠି କହିଲେ, ଆଜିକାର ବିଚାରର ଫଳାଫଳ ଆସନ୍ତା ଅଠର ତାରିଖକୁ ଘୋଷଣା କରାଯିବ ।

 

ସମସ୍ତେ ଚାଲିଗଲେ । ସରୋଜ ଯାଇ ପାରୁନାହିଁ । ସତେ ଯେପରି ତା’ ଦେହରୁ ସବୁ ଶକ୍ତି ଚାଲି ଯାଇଛି । କାଠଗଡ଼ାରୁ ବିଜୟ ବାବୁଙ୍କୁ ପୋଲିସ ନେବା ଉପରେ ଅଛନ୍ତି । ଏତିକିବେଳେ ଦୌଡ଼ିଆସି ସରୋଜ କୁଣ୍ଢେଇ ଧରିଲା ନିଜ ଜନ୍ମଦାତାକୁ । ‘ବାପା’ ଛଡ଼ା ଆଉ କିଛି କହିପାରିଲା ନାହିଁ । ଆଖିରୁ ଅଶ୍ରୁ ଗଡ଼ୁଥିଲା ଝରଣା ପରି । ବିଜୟ ବାବୁ ପୁଅଉପରେ ହାତମାରି ଶେଷ ଥରକ ପାଇଁ ପୁତ୍ରସ୍ନେହ ପାଇ ପାରିଲେ । ତାଙ୍କ ଆଖିର ଲୁହ ତାଙ୍କୁ ଅନ୍ଧ କରି ଦେଇଥିଲା ।

 

ହଠାତ୍ ଏ ସମୟରେ ବଳଦେବ ଆସି ଖବର ଦେଲା, ବାବୁ ! ଶ୍ଵେତପଦ୍ମାର ଅବସ୍ଥା ନିତାନ୍ତ ଶୋଚନୀୟ । ତା’ ଆଖି ଚାହିଁଛି ତୁମକୁ ଦେଖିବା ପାଇଁ ।

 

ସରୋଜର ଆଖିଦି’ଟା ଲୁହରେ ଭୁଶୁଡ଼ି ପଡ଼ିଲା । ମୁହଁରୁ କେବଳ ଗୋଟିଏ ଶବ୍ଦ ବାହାରି ଆସିଲା–ଶ୍ୱେତ !

 

 

ଯକ୍ଷ୍ମାରୋଗୀ ଶ୍ୱେତପଦ୍ମା । ଶ୍ୱେତପଦ୍ମା ଖଟ ଉପରେ ପଡ଼ିଛି ମୁମୂର୍ଷୁ ଅବସ୍ଥାରେ । ମୁହଁରୁ ଝରି ଖଟରେ ପଡ଼ିଛି ରକ୍ତ । କାଶିବା ପାଇଁ ଆଉ ଶକ୍ତି ନାହିଁ । ଥଙ୍ଗେଇ ଥଙ୍ଗେଇ କଥା କହି ପାରୁଛି । ତା' ପୁଣି ଭାରି କଷ୍ଟରେ । ସରୋଜଙ୍କୁ ଦେଖିବା ପାଇଁ ତା’ର ଉପାସୀ ଆଖି ଚାହିଁ ରହିଛି-

 

ନୀଳାର ପିଣ୍ଡରେ ପ୍ରାଣ ନାହିଁ ଯେପରି ;ତାକୁ ଚାରିଦିଗ ଦିଶୁଚି ଅନ୍ଧାର । ଶ୍ୱେତର ମୁଣ୍ଡ ପାଖରେ ବସି ଖାଲି କାନ୍ଦୁଚି । ଚାମୁଚାଏ ଲେଖାଏଁ ପାଣି ଶ୍ୱେତର ମୁହଁରେ ବେଳେ ବେଳେ ଢାଳୁଛି-। ଶ୍ଵେତପଦ୍ମାର ମୁହଁକୁ ଦେଖି ଭାବୁଛି, ଆଗରୁ ଯଦି ଶ୍ୱେତପଦ୍ମା କହିଥାନ୍ତା ଯେ ତାକୁ ଯକ୍ଷ୍ମା ହୋଇଛି, ତାହାହେଲେ ନିଜ ପ୍ରାଣଦେଇ ତାକୁ ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତା ସେ-। ବର୍ତମାନ ସେ ବୁଝି ପାରିଛି କାହିଁକି ଶ୍ୱେତ ଏଇ କେତେଦିନ ହେଲା ସର୍ବଦା ଖାପଛଡ଼ା ହୋଇ, ଦୂରେଇ ଦୂରେଇ ଛିଡ଼ା ହୋଇଛି, ଗୋଟିଏ ବାସନରେ ତା'ସହିତ ଖାଇବାପାଇଁ ମନା କରିଛି ସେ-। ଏହିପରି ତା’ର ଅଶ୍ରୁ ବିଗଳିତ ନୟନର ସାଗର ଭିତରେ ଖେଳି ଯାଉଛି ଅଗଣିତ ପ୍ରଶ୍ନର ଢେଉ-

 

ଏତିକିବେଳେ ଆସିଛନ୍ତି ସରୋଜ । ଶ୍ୱେତର ମୁଣ୍ଡ ପାଖରେ ବସି ପଡ଼ି ତା’ର ମୁଣ୍ଡକୁ ନିଜ କୋଳରେ ଥୋଇ ଥରିଲା ଗଳାରେ କହିଛନ୍ତି ଶ୍ୱେତ, ମୁଁ ଆସିଛି ଶ୍ୱେତ । ମୋତେ ଦେଖ ! ମୁଁ ମୁଁ ସରୋଜ ତୋର ସରୋଜ । ତୋ' ପାଖକୁ ଆସିଛି । କଥା କହୁନୁ କାହିଁକି ?

 

ରକ୍ତ ଉପରେ ଆଖି ପଡ଼ି ଯାଇଛି । ଆଶ୍ଚର୍ଯ୍ୟ ହୋଇ ନୀଳାର ମୁହଁକୁ ଚାହିଁଛନ୍ତି । ନିର୍ବାକ, ନିସ୍ପନ୍ଦ । କ'ଣ ହୋଇଛି ଶ୍ୱେତକୁ ମୋର ? ଧକ୍‍କା ଖାଇ ବାହାରି ଆସିଲା ସରୋଜ ମୁହଁରୁ କେଇଟି ଶବ୍ଦ ।

 

ହଁ ସରୋଜ ! ଏହି ରକ୍ତ, ଏହି ରକ୍ତକୁ ମୁଁ ଆଜି ଚିହ୍ନି ପାରିଛି, ସରୋଜ ଶ୍ୱେତ ଆମକୁ ମଝି ଦରିଆରେ ଭସାଇ ଦେଇଛି । ତାକୁ କେବେଠୁଁ ଯକ୍ଷ୍ମା ଗ୍ରାସ କରିଛି, ଅଥଚ ଶ୍ୱେତ ଏକଥା ଆମ ପାଖରେ ଗୋପନ ରଖିଥିଲା ।

 

କାହିଁକି କୁହ । କଥା କୁହ, ଶ୍ୱେତ । ଦରଦଭରା କଣ୍ଠ, ଆଖିରୁ ଝରୁଛି ପାଣି ।

 

ଶ୍ୱେତ ଆଖି ପତାକୁ ଟିକିଏ ଟେକିଲା । କଥା କହିବାର ଶକ୍ତି ନାହିଁ । ଦେହର ଲୁଗା ତା’କୁ ବିରକ୍ତ ଲାଗୁଚି । ବହୁ କଷ୍ଟରେ ଅସ୍ପଷ୍ଟ ଗଳାରେ ସରୋଜର ଲୁହ ଝରା ଆଖି ଦି'ଟାକୁ ଦେଖି କହିଲା–ସରୋଜ ! ମୋତେ କ୍ଷମା କରିବ ନାହିଁ ? ତୁମ ଠାରୁ ଅଲଗା ହୋଇ ଛିଡ଼ା ହେବାକୁ ଚେଷ୍ଟା କରିଛି କେବଳ ଏଇଥିପାଇଁ । ଯକ୍ଷ୍ମା ମୋତେ ଖାଇ ଯାଇଛି । ମୁଁ ଆଉ ବଞ୍ଚି ପାରିବି ନାହିଁ । ମୋତେ ଯକ୍ଷ୍ମା ହୋଇଛି ବୋଲି କାହାକୁ କହିନି କାରଣ ମୁଁ କେବେହେଲେ ଏହି ନିଆଶ୍ରୀ ପରିବାରକୁ ସର୍ବସ୍ୱାନ୍ତ କରି ଦୁଃଖର ଘୂର୍ଣ୍ଣନ ଭିତରେ ଫିଙ୍ଗି ଦେବାକୁ ଚାହିଁ ନ ଥିଲି । ସରୋଜ ! ଭାରି କଷ୍ଟ । ତମ ହାତରେ ପାଣି ମୁନ୍ଦାଏ ଏ ମଲା ଗଛ ମୁହଁରେ ଦେଇ ପାରିବ ? ତରିଯାନ୍ତି ସରୋଜ ।

 

ଶ୍ୱେତ । ମୁଁ ମରିଯିବି ଶ୍ୱେତ । ମୁଁ–ମୁଁ ପାଗଳ ହୋଇଯିବି । ତୋତେ ଛାଡ଼ି ଏ ଦୁନିଆଁରେ ରହି ପାରିବି ନାହିଁ ।

 

'ସରୋଜ, ମୋର ଗୋଟିଏ କଥା ରକ୍ଷା କରିବ ? ଦରଦଭରା କଣ୍ଠ । ଅଶ୍ରୁଭରା ନୟନ-

 

ସରୋଜ କହିଲେ, ନାନା–ତୁ ଯେଉଁଠାକୁ ଯିବୁ ସେଇଠାକୁ ମୋତେ ନେଇଚାଲ ।

 

ନୁହେଁ ସରୋଜ ! ତୁମକୁ ବଞ୍ଚିବାକୁ ହେବ । ତମର ସମୟ ଆସିନାହିଁ । ମୋର ଗୋଟିଏ ପ୍ରାର୍ଥନା ରକ୍ଷା କରିବ ? ମୁଁ ଜାଣେ ତୁମେ ନିଶ୍ଚୟ ପୂରଣ କରିବ । କାରଣ ମୁଁ, ମୁଁ ଯେ ତୁମର ଶ୍ୱେତପଦ୍ମା କହୁଛି । ଶୁଣ ସରୋଜ । ନୀଳା ଭିତରେ ଦେଖିବ ମୋତେ ।

 

ତା’ରି ଆଖିରେ ଦେଖିବ । ନୀଳାକୁ ତୁମେ ବିବାହ କର । ତାକୁ ସ୍ୱୀକାର କର ନିଜର ଅର୍ଦ୍ଧାଙ୍ଗିନୀ ରୂପେ । ଏଇ ଆଶା ନେଇ ମରୁଛି । ମୋର ଆତ୍ମା ସ୍ୱର୍ଗରୁ ଢାଳିବ ଆଶୀର୍ବାଦ ତୁମ ଦୁହିଁଙ୍କ ଉପରେ ।

 

ତା’ପରେ ବହୁ କଷ୍ଟର ସହିତ ସରୋଜ ଓ ନୀଳାର ହାତ ଆଣି ନିଜ ଛାତି ଉପରେ ମିଳେଇ ଦେଇଛି । ସରୋଜ ମୁହଁରୁ ଆଉ କିଛି କଥା ବାହାରି ନାହିଁ । ନୀଳା ଚାହିଁଛି ଶ୍ୱେତର ମୁହଁକୁ-। ହସିବାକୁ ସେ ଚେଷ୍ଟା କରୁଥିଲା କିନ୍ତୁ ହସି ପାରିଲା ନାହିଁ । ଆଖିର ପାଣି ଆଖିରେ ମରିଗଲା-। ଶେଷ ଥରକ ପାଇଁ ଆସିଲା କାଶ । ଓଃ କି ଭୀଷଣ ! ତା’ପରେ ଦି’ ମିନଟ ଭିତରେ କାଶ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା । କାଶ ବନ୍ଦ ହେବା ସଙ୍ଗେ ସଙ୍ଗେ ନିଃଶ୍ୱାସ ଆଉ ଆସି ପାରିଲା ନାହିଁ-

 

ସେତେବେଳେ ବାହାରୁ କାହାର ଡାକ ଶୁଣାଗଲା–ବାବୁ ବ୍ରାହ୍ମଣକୁ ଦାନ ଦିଅନ୍ତୁ । ଆଜି ସୂର୍ଯ୍ୟ ପରାଗ । ଦାନ ଧର୍ମର ସମୟ ଇଏ ।

 

ଶ୍ୱେତପଦ୍ମା ଚାଲିଗଲା । ଦୁନିଆଁରୁ ଗୋଟିଏ ଜୀବ ଦେହ ଛାଡ଼ି ଚାଲିଗଲା । ସରୋଜର ଶତ ସହସ୍ର ଚେଷ୍ଟା, ରାଗ, ରୋଷ, ଅଭିମାନ ଧନ ଦୌଲତ ଓ ପ୍ରେମ କିଛି ବଞ୍ଚେଇ ପାରିଲା ନାହିଁ-

 

ସରୋଜ ଏକ ବିରାଟ ଆର୍ତ୍ତ ଚିତ୍କାର କରି ଉଠିଲେ । କି ମର୍ମନ୍ତୁଦ ସେହି ବେଦନାର ଲହରୀ । କି ଆର୍ତ୍ତ ଚିତ୍କାର, କରୁଣ ଆର୍ତ୍ତନାଦ କ୍ରନ୍ଦନର ରୋଳ ! ଏହା ନିଶ୍ଚୟ ଝଙ୍କୃତ ହୋଇ ଉଠିଥିବ ସ୍ରଷ୍ଟାର କାନରେ । ସରୋଜ ଶ୍ଵେତପଦ୍ମାର ଶବକୁ ଉଠାଇ ଆଣିଲେ ନିଜ କୋଳକୁ । କେଉଁ ଏକ ଖିଆଲରେ ତା’ର ଶୁଖିଲା ମୁହଁକୁ ଚାହିଁଲେ ଥରେ । ମରିବା ଆଗରୁ ତା’ର ଉପସୀ ଆଖିରୁ ଦି’ ଧାର ଗଡ଼ିଥିବା ଲୁହ ଏ ପର୍ଯ୍ୟନ୍ତ ଶୁଖିନାହିଁ । ପୋଛି ଦେଲେ ନିଜର ଥରିଲା ହାତଟାରେ-। ଏକ ଲୟ ଏକ ଦୃଷ୍ଟିରେ ଚାହିଁଲେ ତା'ର ମୁହଁକୁ । ସେହି ଶୁଖିଲା ମୁହଁକୁ । ସେହି ଶୁଖିଲା ମୁହଁ ଭିତରେ ସେ ଯେପରି କିଛି ହଜେଇ ଦେଇଛନ୍ତି । ଶ୍ୱେତର ଶୁଖିଲା ଛାତିକୁ ଆଉଜାଇ ନେଲେ ନିଜ ବକ୍ଷ ଦେଶରେ, ଆଉ କହିଲେ–ଫେରିଆ, ତୁ ଫେରିଆ ଶ୍ୱେତ ଅମୃତର କଳସୀ ଧରି । ଅମୃତ-! ଆକଣ୍ଠ ପାନ କରିବି ମୁଁ । ଆଉ ଯାହାର ଅମୃତ ତା' ସହିତ ଲଢ଼ିବି ଯଦି ତୋତେ ଦ୍ଵିତୀୟ ଥର ମୋ ଠାରୁ ଛଡ଼ାଇ ନେବାକୁ ପ୍ରୟାସ କରେ । ତୁ ରାଗି ଯାଇଛୁ । ମୌନ ହୁଅନା, ମୋ ରାଣ । ତୋ' ଗୋଡ଼ରେ ଅଳତା ନାହିଁ । ଆଜି ପରା କାଞ୍ଚନକକା ଆସିବେ, ଏଇ ପୁରୁଣା ଲୁଗାଟି ପିନ୍ଧିଛୁ-? ଅଲରା ମୁଣ୍ଡ । କାକା ମନେ କରିବେ ସରୋଜ ଶ୍ୱେତର ଯତ୍ନ ନେଉନାହିଁ ।

 

ଏତିକିବେଳେ ଶାରଦା ଡାକ୍ତର ଧରି ପଶିଲା ଘର ଭିତରେ । ହଳଦୀମଖା ଦି'ଗାଲକୁ ଆହୁରି ଭିଡ଼ିନେଇ ସରୋଜ କହିଲେ, ଡେରି ହୋଇଗଲା ବିଜୟ ବାବୁ ।

 

ଏଁ– ?

 

ଇସ–ତାକୁ ଉଠାଅନା । ସେ ଶୋଇଛି ଆଖି ବୁଜି ।

Image